Unknown

 

 

 

 

 

 

 

 

 

 

 

ରାସ୍ତାକଡ଼ର ପ୍ରାଣୀ

ଡାକ୍ତର ଶ୍ରୀ ପୁଳିନବିହାରୀ ରାୟ

 

ରାସ୍ତାକଡ଼ର ପ୍ରାଣୀ

 

ଗୋଟିଏ ତୀର୍ଥପ୍ରଧାନ ସହର । ତାର ଦକ୍ଷିଣ ଦିଗର ଅନତିଦୂରରେ ସମୁଦ୍ର । ବର୍ଷର ବାରମାସ ଉକ୍ତ ସହର ତୀର୍ଥ ଭ୍ରମଣକାରୀ ଯାତ୍ରୀମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୁଏ ।

 

ଦୂରଦୂରାନ୍ତରୁ ଯେଉଁମାନେ ତୀର୍ଥଭ୍ରମଣ ଉଦ୍ଦେଶ୍ୟରେ ଉକ୍ତ ସହରକୁ ଆସନ୍ତି, ସେମାନେ ତୀର୍ଥ ଦର୍ଶନ କରନ୍ତି । ତାପରେ ସମୁଦ୍ର ଦେଖିବାକୁ ଯାନ୍ତି । ସେଠି ସମୁଦ୍ରର ବେଳାଭୂମିରେ ବସି କେହି ସମୁଦ୍ରର ନୀଳଜଳ ଢେଉ, ଫେଣ ଦେଖି ମୁଗ୍‌ଧ ହୁଅନ୍ତି । କେହି ସମୁଦ୍ରରେ ସ୍ନାନ କରନ୍ତି, କେହି ସମୁଦ୍ର ଉପରକୁ ନଡ଼ିଆ ଫୋପାଡ଼ନ୍ତି, ପଇସା ଫୋପାଡ଼ନ୍ତି, କେହି ସମୁଦ୍ରର ପାଣିକୁ ଖାଲି ମୁଣ୍ଡରେ ଛିଞ୍ଚି ହୁଅନ୍ତି ।

 

ସହରର ଦକ୍ଷିଣ ଦିଗକୁ ସମୁଦ୍ର ଆଡ଼କୁ ଯାତ୍ରୀମାନେ ଗଲାବେଳେ ରାସ୍ତାର ଉଭୟ ପାଖରେ କେତେ ପ୍ରକାରର ଆର୍ତ୍ତନାଦ, କାକୁତିମିନତିଭରା କଣ୍ଠର ଶବ୍ଦ ଶୁଣିବାକୁ ପାନ୍ତି, ଯେମିତି–ହେ ମା, ଦେଇଯା, ଦେଇଯା, ଧର୍ମ ହବ, ପିଲାଙ୍କୁ କୋଟି ପରମାୟୁ ହବ । ହେ ବାବୁ, ଦେଇଯା ଗୋଟାଏ ପଇସା, ଦେଇଯା । ହେ ଅଇସୁଲକ୍ଷଣୀ ମା, ହେ ବାବୁ......

 

କେତେକ କିଛି ନ କହି ଗୋଟାଏ ପଟା ଉପରେ ପୋତା ହେଇଥିବା କଣ୍ଟାଗୁରାକ ଉପରେ ଚିତ୍‌ହେଇ ଶୋଇ ଖାଲି ଚିତ୍କାର କରନ୍ତି । ପଇସା ମାଗିବା ଉଦ୍ଦେଶ୍ୟରେ କେହି ଚିତ୍‌ହେଇ ଶୋଇ ଗୋଟାଏ ଆଟିକାରେ କିଛି ଘଷିନିଆଁ ପୂରେଇ ଛାତି ଉପରେ ଥୋଇ କାନ୍ଦିଲାପରି ଅତି କରୁଣ ସ୍ୱରରେ ପଇସା ମାଗନ୍ତି—ହେ ବାବୁ, ହେ ମା, ଗୋଟାଏ ପଇସା ଦେଇଯା, ଦେଇଯା, ଧର୍ମ ହବ । ତୀର୍ଥ କରିବାକୁ ଆସିଛ, ଭଗବାନ ତୁମର ମଙ୍ଗଳ କରିବେ । ଦିଅ, ଦିଅ, ଦେଇଯା....

 

ଯାତ୍ରୀମାନେ ମଧ୍ୟ ତୀର୍ଥ ଦର୍ଶନକୁ ଆସି ସମୁଦ୍ର ଆଡ଼କୁ ଗଲାବେଳେ ଏଇ ଜାତୀୟ ଭିକାରୀମାନଙ୍କୁ ଦେଖି କୁହାକୁହି ହୁଅନ୍ତି—ଏଠି କେତେ କୁଷ୍ଠରୋଗୀ !!

 

କେତେକ ଯାତ୍ରୀ ଏମାନଙ୍କର ଦୁଃଖର ଅବସ୍ଥା ଦେଖି ଦୟାକରି କେହି ପଇସା, କେହି ଚାଉଳ, କେହି ବିରି ଆଉ ଚାଉଳ ମିଶେଇ ମୁଠାଏ ମୁଠାଏ ପକେଇ ଦେଇଯାନ୍ତି ।

 

ଏଇ କୁଷ୍ଠରୋଗୀମାନେ ବସିବା ଜାଗା ସାମନାରେ ଖଣ୍ଡେ ଖଣ୍ଡେ କନା ପାରିଦେଇଥାନ୍ତି, କେହି କେହି ଟିଣ ଡବା ଥୋଇଥାନ୍ତି, କେତେକ ଖାଲି ସେମିତି ବସିଥାନ୍ତି । ଯେ ଯା ଦେଇଗଲା ପରେ ସେମାନେ ସେଇ କନା ଉପରୁ, ଟିଣଡ଼ବାରୁ, ମାଟିଉପରୁ ଗୋଟେଇ ରଖନ୍ତି-। ଚାଉଳ, ବିରିକୁ ଗୋଟାଏ କନା ମୁଣିରେ ପୂରେଇ ରଖନ୍ତି । ପଇସାକୁ ଗୋଟାଏ ଗୋଟାଏ ଗାଞ୍ଜିଆରେ ପୂରେଇ ସାବଧାନରେ ଅତି ଯତ୍ନରେ ରଖନ୍ତି । ତଟକା ଖାଦ୍ୟ ଜିନିଷ କେହି ଯଦି ଦେଇଯାନ୍ତି, ତାକୁ କେତେକ ସଙ୍ଗେ ସଙ୍ଗେ ଖାଇ ଦିଅନ୍ତି । କେତେକ ରଖନ୍ତି । କେତେକ ଯାତ୍ରୀ ଏମାନଙ୍କୁ ଦେଖି କିଛି ନ ଦେଇ ଘୃଣାରେ ରୋଗ ବ୍ୟାପିବାର ଆଶଙ୍କାରେ ପାଖେଇ ପାଖେଇ ହେଇ ଚାଲିଯାନ୍ତି । ପୁରୁଷ ଲୋକେ ନାକରେ ରୁମାଲ ଦିଅନ୍ତି, ମାଇପେ ଲୁଗା କାନିକୁ ମୁହଁରେ ଦେଇ କୁଷ୍ଠରୋଗୀଙ୍କ ସାମନାରୁ ଚାଲି ଚାଲି ଆଗେଇଯାନ୍ତି ।

 

ଯାତ୍ରୀମାନେ ଏଇ କୁଷ୍ଠରୋଗୀ ଭିକାରୀମାନଙ୍କ ସାମନାରେ ଗଲାବେଳେ କେତେକ ଭିକାରୀ ଭିକ୍ଷା ପାଇଁ ଦୁଇହାତ ବଢ଼େଇ ଦିଅନ୍ତି, କେହି ଟିଣଡ଼ବା ଦେଖେଇ ପଇସା ମାଗନ୍ତି । କେତେକ ସଂଯତ ହେଇ ନମ୍ର ହେଇ ଭିକ୍ଷା ମାଗନ୍ତି । କେତେକ ଉଦ୍ଧତ ହେଇ ଲୋକଙ୍କୁ ଛୁଇଁଦେବା ଭଳି ଦିହକୁ ଲାଗିଯାନ୍ତି ।

 

କେତେକ ଯାତ୍ରୀ ସମୁଦ୍ର କୂଳରେ ଯାଇ ବସି ଏମାନଙ୍କର ଦୁଃଖ ଦୁର୍ଦ୍ଦଶାର କଥା ଚିନ୍ତାକରି ମନେ ମନେ ଭାବନ୍ତି–କୁଷ୍ଠରୋଗ କି ମାରାତ୍ମକ ରୋଗ ! ଲୋକଗୁରା ବିକଳାଙ୍ଗ ହେଇଯାନ୍ତି ! କି ଭୀଷଣ ତାଙ୍କର ରୂପ ଦିଶୁଛି !!

 

କେତେକ କଥାବାର୍ତ୍ତା ହୁଅନ୍ତି–କାଲି ଆଉ ସେ ବାଟରେ ଆସିବା ନାହିଁ, ଆଉ ଅନ୍ୟ ବାଟରେ ଆସିବା....

 

–ସେ ବାଟରେ ନିତି ଯା’ ଆସ କଲେ ମଣିଷକୁ କୁଷ୍ଠରୋଗ ଧରି ପକେଇବ.....

 

ଥୋକାଏ ଯାତ୍ରୀ ଚାଲିଗଲା ପରେ କୁଷ୍ଠରୋଗୀମାନେ ଯେ ଯେତେପ୍ରକାର ଉପାୟରେ ଭିକ ମାଗୁଥାନ୍ତି, ଉଠିପଡ଼ି ଦେଖନ୍ତି–କିଏ କଣ ଦେଲା ?

 

ଯେ ଛାତିଉପରେ ନିଆଁ ଆଟିକାଏ ରଖିଥାଏ, ତାକୁ ଛାତି ଉପରୁ କାଢ଼ିଦେଇ ତଳେ ରଖି ଖୋଜେ ତାର ପରାହେଇଥିବା କାନି ଉପରେ କଣ ପଡ଼ିଛି ?

 

ସେମିତି ଲୁହା କଣ୍ଟା ଉପରେ ଶୋଇଥିବା ଭିକାରୀ ଉଠିପଡ଼ି ଖୋଜେ । ମୁଣ୍ଢା ହାତକୁ ଯେ ଛଟ ଛଟ କରୁଥିଲା ସେ ମଧ୍ୟ ଖୋଜେ ।

 

ଯଦି ଏମାନେ ଚାଉଳ କିମ୍ୱା ପଇସା ମନମୁତାବକ ପାଇଲେ, ତା ହେଲେ ଯାତ୍ରୀମାନଙ୍କ ଉପରେ ଖୁସିହେଇ ଆନନ୍ଦ ପ୍ରକାଶ କରି, ପଇସାକୁ ମୁଣ୍ଡରେ ଛୁଁଆନ୍ତି । ଚାଉଳକୁ ଗୋଟେଇ ଗୋଟିଏ ମୁଣିରେ ପୂରାନ୍ତି, ଯଦି ମନମୁତାବକ କିଛି ନ ପାଇଲେ, ଯାତ୍ରୀଙ୍କ ଉପରେ ବିରକ୍ତ ହୋଇ କୁହାକୁହି ହୁଅନ୍ତି–ଏ ଖଡ଼ାଖିଆ ଯାତ୍ରୀ କଉଁ ରାଇଜରୁ ଆସିଛନ୍ତି ? ତୁଚ୍ଛା ଖଡ଼ାଖିଆ ଗୁରାକ, ଚୋରଗୁରାକ କୁଆଡ଼ୁ ଆସିଛନ୍ତି ?.....

 

ସମୁଦ୍ରର ଢେଉପରି ଥୋକେ ଯାତ୍ରୀ ଚାଲିଗଲେତ, ଆଉ ଥୋକେ ଆସିଲେ । କୁଷ୍ଠରୋଗୀମାନେ ଯାତ୍ରୀମାନଙ୍କ ଆସିବାର ଦେଖି ପୁଣି–ଯେ ଯେମିତି ଉପାୟରେ ଭିକ ମାଗୁଥିଲା, ସେହିପରି ମାଗିବାକୁ ଆରମ୍ଭ କରନ୍ତି–ସେଇ ଅଖା ଘୋଡ଼ିହେଇ, ଛାତି ଉପରେ ନିଆଁ ଆଟିକା ଥୋଇ, କଣ୍ଟା ଉପରେ ଶୋଇ, କନାଗୁରା ହେଇଥିବା ରକ୍ତ ଲାଗିଥିବା ମୁଣ୍ଢା ହାତକୁ ବାହାରକୁ କାଢ଼ି ଛଟ ଛଟ କରି, ସେଇ ପୂର୍ବପରି ଚିତ୍କାର, ଆର୍ତ୍ତନାଦ, କାକୁତିମିନତିଭରା କଣ୍ଠରେ–ଦିଅ, ଦେଇଯା, ହେ ବାବୁ, ହେ ମା......

 

ଏଥର ଯାତ୍ରୀମାନଙ୍କ ଭିତରୁ କିଏ ପଇସା, କିଏ ଚାଉଳ, କିଏ ଟଙ୍କା ଦେଇଗଲେ, କିଏ ଠିଆହେଲେ, କିଏ ଠିଆହେଇ ପାରିଲେ ନାହିଁ; ବାଟକାଟି, ପାଖେଇ, ନାକ ଟେକି ଚାଲିଗଲେ । କାହା ମନ ଦୁଃଖରେ ଭରି ଉଠିଲା–ଭାବିଲା–ମଣିଷ ହେଇ ଏମାନେ କି କଷ୍ଟ ଭୋଗ କରୁଛନ୍ତି !! ଜୀବନଟା ଅଛି, ଇମିତି ଆଜୀବନ ଥାଇ ବା ଲାଭ କଣ ?

 

ଯାତ୍ରୀଙ୍କ ଭିତରେ ଦୁଇଜଣ ସାଙ୍ଗହେଇ ସମୁଦ୍ରଆଡ଼େ ବୁଲିବାକୁ ଯାଉଥିଲେ । ଏ କୁଷ୍ଠରୋଗୀ ଭିକାରୀଙ୍କ କରୁଣ ଦୃଶ୍ୟ ଦେଖି ଜଣେ ଜଣକୁ କହିଲା–ଦେଖୁଛୁତ, ଏମାନଙ୍କ ଜୀବନରେ କଣ ଅଛି ? ଏମାନେତ ଆତ୍ମହତ୍ୟା କରୁନାହାନ୍ତି, ଏମାନେ ଆତ୍ମହତ୍ୟା କଲେ କରିପାରନ୍ତେ । ଏ କଷ୍ଟରୁ ମୁକ୍ତି ପାଇପାରନ୍ତେ, ଆଉ ତୁ କହୁଛୁ–ଆତ୍ମହତ୍ୟା କରିବୁ, କେଡ଼େ ଭୁଲ ଧାରଣା ! ତୋର କଣ ହେଇଛି ଯେ ? ପରୀକ୍ଷାରେ ଫେଲ୍‌ ହେଇଯାଇଛୁ, କଣ ହେଲା ? ପୁଣି ପଢ଼ିବୁ, ପାସ୍‌ କରିବୁ । ଏ ଦୁଃଖ କଣ ସବୁଦିନ ଥିବ ? ଏମାନଙ୍କଠୁଁ ତୁ କଣ ବେଶି ଦୁଃଖୀ ? ମଣିଷ ଜନ୍ମ ପାଇ, କେହି ଚାହେଁ ଜୀବନଟାକୁ ନଷ୍ଟ କରିଦବା ପାଇଁ ?ଯେ ଆତ୍ମହତ୍ୟା କରେ, ତା’ଠାରୁ ବଡ଼ ଅପରାଧୀ ଏ ଜଗତରେ କେହି ନାହିଁ... ।

 

ଯେଉଁ ସାଙ୍ଗ ଆତ୍ମହତ୍ୟା କରିବାକୁ ଭାବୁଥିଲା, ତାର ମନର ପ୍ରକୃତ କିଛି ପରିବର୍ତ୍ତନ ଅନୁଭବ କଲା । ସେ ଭାବିଲା–ସତେତ, ଏମାନେ କି କଷ୍ଟରେ ଜୀବନ ରଖିଛନ୍ତି । ତଥାପି ତ ମରିବାକୁ ଚାହୁଁନାହାନ୍ତି....

 

ଯାତ୍ରୀମାନଙ୍କ ମଧ୍ୟରେ ଜଣେ ତରୁଣ, ଜଣେ ତରୁଣୀ ସାଙ୍ଗ ହେଇ ସମୁଦ୍ର ଆଡ଼କୁ ଯାଉଥିଲେ । ସେମାନେ ଏ କୁଷ୍ଠରୋଗୀମାନଙ୍କ ଭିତରେ ଗୋଟିଏ ଦୃଶ୍ୟ ଦେଖି ଅବାକ୍‌ ହେଇ ଠିଆହେଲେ,–ଗୋଟାଏ ବଡ଼ କାଠର ବାକ୍‌ସଭଳି ହେଇଛି । ସେଥରେ ଚାରିଟା ଚକ ଲାଗିଛି । ତାକୁ ଠେଲି ଠେଲି ନବାପାଇଁ ପଛପଟେ କାଠର ଦଣ୍ଡା ଲାଗିଛି । ସେ ଦଣ୍ଡାକୁ ଧରି ଗୋଟିଏ ପ୍ରୌଢ଼ା ସ୍ତ୍ରୀଲୋକ ଠିଆହେଇଛି । ସେ ଠେଲାଗାଡ଼ି ଭିତରେ ଗୋଟିଏ ବୃଦ୍ଧ କୁଷ୍ଠରୋଗୀ ଶୋଇଛି-। ହାତ ଦୁଇଟା ମୁଣ୍ଡା, ଆଙ୍ଗୁଳି ନାହିଁ । ତାର ପିଠି ଆଡ଼ଟା ଲାଲ, କଳା ରଙ୍ଗ ମିଶି ସିଝି ଛାଲ ଉତୁରିଗଲାପରି ଦିଶୁଛି । ଡାଆଁଣ ଗୋଡ଼ର ମଝିରେ ଗୋଟାଏ ଅଂଶ ପଚି ଘା ପରି ହେଇଛି-। ହାଡ଼ ଦିଶିଲା ପରି ଜଣାଯାଉଛି । ସେଥିରୁ କିମିତିଆ ଗୋଟାଏ ଗନ୍ଧ ବାହାରୁଛି....

 

ଯାତ୍ରୀ ତରୁଣ, ତରୁଣୀ ଉଭୟେ ଠେଲାଗାଡ଼ିକୁ ଧରିଥିବା ସ୍ତ୍ରୀଲୋକକୁ ପଚାରିଲେ–ଏ ରୋଗୀ ତୁମର କଣ ହୁଏ ?

 

ସ୍ତ୍ରୀଲୋକ ଉତ୍ତର ଦେଲା–ସ୍ୱାମୀ....

 

ତରୁଣୀ ଯାତ୍ରୀ ଅବାକ୍‌ ହେଇ ମନେ ମନେ ଭାବିଲା–ସେ ନିଜେ କଣ କରିଛି ? ତାର ସ୍ୱାମୀର ଦେହର ଗୋଟାଏ ଫାଳ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବାରୁ, ସେ ସ୍ୱାମୀକୁ ଛାଡ଼ି ଏ ତରୁଣ ଜଣକ ସଙ୍ଗେ ପଳେଇ ଆସିଛି । ଏ ସ୍ତ୍ରୀଲୋକତ ଇମିତି ଗଳିତକୁଷ୍ଠ ରୋଗୀକୁ ଛାଡ଼ିଯାଉନି.....

 

ଏ ଯାତ୍ରୀ ତରୁଣ ତରୁଣୀ ସ୍ୱାମୀ, ସ୍ତ୍ରୀ ନୁହନ୍ତି । ତରୁଣୀ ଜଣକ ନିଜର ରୁଗ୍‌ଣ ସ୍ୱାମୀକୁ ଛାଡ଼ି ଏ ତରୁଣ ସଙ୍ଗେ ଦେଶାନ୍ତର ହୋଇଛି । ତରୁଣୀ ଆହୁରି ଭାବିଲା–ଏମାନେତ ଭିକାରୀ, ଗରିବ । ପରର ଦୟା ଦାକ୍ଷିଣ୍ୟ ଉପରେ ଏମାନେ ଜୀବିକାନିର୍ବାହ କରୁଛନ୍ତି । ତାର ତ ସିମିତି ଅବସ୍ଥା ନ ଥିଲା । ସେମାନେ ତ ଗରୀବ ନ ଥିଲେ । ସ୍ୱାମୀର ଗୋଟାଏ ଅଙ୍ଗ ଅଚଳ ହେଇ ଯାଇଥିଲା । ସେ କଣ କରିଛି । ଏ ଭିକାରୁଣୀ ସ୍ତ୍ରୀ ଲୋକ ପାଖରେ ସେ କେତେ ହୀନା ! କେତେ ସ୍ୱାର୍ଥପରାୟଣା ।

 

ଜଣେ ସେଠ ସପରିବାରରେ ତୀର୍ଥ ଦର୍ଶନକୁ ଆସି ସମୁଦ୍ର ଆଡ଼କୁ ଯାଉ ଯାଉ ଏ କୁଷ୍ଠରୋଗୀମାନଙ୍କୁ ପ୍ରତ୍ୟେକଙ୍କୁ ଗୋଟାଏ ଗୋଟାଏ ଟଙ୍କା, ଖଣ୍ଡେ ଖଣ୍ଡେ ଲୁଗା ଦାନ କରି ଚାଲିଗଲେ । ଆଉ କେତେକ ଯାତ୍ରୀ ପଇସା, ଚାଉଳ ଦାନ କରି ଚାଲିଗଲେ ।

 

ଏ ଯାତ୍ରୀଦଳକ ଗଲା ପରେ କୁଷ୍ଠରୋଗୀମାନେ ଉଠିପଡ଼ି ଦେଖିଲେ–ଟଙ୍କା, ଲୁଗା, ପଇସା ଚାଉଳ ଏଥର ସବୁ ମିଳିଛି । ଭାରି ଖୁସି, ଏ ଯାତ୍ରୀ ଦଳକୁ ଭାରି ପ୍ରଶଂସା–ଯାତ୍ରୀ କହିବ ୟାଙ୍କୁ । ଆଉ ଏ ଖଡ଼ାଖିଆ ଗୁରାକ, ଖାଲି ବାହାରକୁ ସଜବାଜ ହୋଇ ଧନୀଲୋକ ପରି ଦିଶୁଛନ୍ତି-। ଦେଲା ବେଳକୁ କିଛି ନାହିଁ, ଶୁଖା ଖଡ଼ ଖଡ଼.....

 

ଆଉ କେତେକ ରାସ୍ତାର ଆର ପାଖେ ବସିଥିବା କୁଷ୍ଠରୋଗୀ, ରାସ୍ତା ଏ ପାଖର କୁଷ୍ଠରୋଗୀଙ୍କ କଥାକୁ ସମର୍ଥନ କରି କହିଲେ–ଭାଇ, ସେଇ ବିଦେଶୀ ଯାତ୍ରୀମାନେ ଯା’ ଦାନ କରନ୍ତି, ଆଉ କେହି ନୁହେଁ । ଆଉ ସବୁ ଦରିଦ୍ର ଗୁଡ଼ାକ, କାହାରିକୁ ହାତ ଟେକି ପଇସାଟାଏ ଦବା କଥା ନୁହଁ, ଖାଲି ଚକ ଚିକିଣିଆ ଗୁଡ଼ାକ.....

 

କେତେକ ଯାତ୍ରୀ ଏମାନଙ୍କୁ ଦେଖି ସମୁଦ୍ର କୂଳରେ ଯାଇ ବସିଲେ ମଧ୍ୟ କେତେକ ସମୟ ଏଇ କୁଷ୍ଠରୋଗୀଙ୍କ କଥା ଭାବନ୍ତି–କି ବିପଦ ! କାହିଁକି ସେ ବାଟରେ ଆସିଲେ । କେଉଁଦିନ ଯଦି ଆମକୁ ଏ ରୋଗ ଧରେ । ଆମେମାନେ ତ ୟାଙ୍କରିପରି ହବୁ । ମଣିଷ ଶରୀର, କିଏ କହିବ-? ସେମାନେ ତ ଆମରିପରି ଦିନେ ପୁଣି ସୁସ୍ଥ ସବଳ ଥିବେ, ନା ପିଲାଦିନରୁ କୁଷ୍ଠରୋଗୀ ହୋଇ ଜନ୍ମ ହେଇଛନ୍ତି ? ତା କିମିତି ହବ ?

 

ପୁଣି ଭାବନ୍ତି–ଏ ତାଙ୍କର ପାପର ଫଳ ଭୋଗ କରୁଛନ୍ତି, ଆମେ କଣ ପାପ କରିଛୁ ଯେ କୁଷ୍ଠ ରୋଗରେ ଭୋଗିବୁ ? ଏଇ ଦୁନିଆରେ ତ ପୁଣି ସୁସ୍ଥ ସବଳ ଲୋକ ଅଛନ୍ତି, ସୁଖରେ ଅଛନ୍ତି-। ଦୁନିଆରେ ଏମାନଙ୍କର ସଂଖ୍ୟା କେତେ ? ଭଲ ମଣିଷର ସଂଖ୍ୟାତ ବେଶି.....

 

ପୁଣି ଭାବନ୍ତି–ଏ ଜଗତରେ ପାପ ପୁଣ୍ୟର ଫଳାଫଳ ନିଶ୍ଚୟ ଅଛି । ଯେଉଁମାନେ ପୁଣ୍ୟବନ୍ତ, ସେଇମାନେହିଁ ସୁଖୀ, ନିରୋଗୀ । ଯେଉଁମାନେ ପାପୀ, ସେଇମାନେହିଁ ଦୁଃଖୀ, ରୋଗଗ୍ରସ୍ଥ । ଯେଉଁମାନେ ଐଶ୍ୱର୍ଯ୍ୟରେ ଭାସୁଛନ୍ତି, ସେମାନେ ସ୍ୱର୍ଗସୁଖ ଭୋଗ କରୁଛନ୍ତି । ଯେଉଁମାନେ ଏଇ କୁଷ୍ଠରୋଗୀମାନଙ୍କ ପରି ଦୁଃଖ ଭୋଗ କରୁଛନ୍ତି, ସୁଖୀମାନଙ୍କ ତୁଳନାରେ ଏମାନେ ନର୍କ ଭୋଗ କରୁଛନ୍ତି । ସ୍ୱର୍ଗ, ନର୍କ ଏଇଠି । ମଣିଷ ନିଜ ନିଜର କର୍ମାନୁସାରେ ତାର ଫଳ ଭୋଗ କରେ....

 

ଯେଉଁ ଯାତ୍ରୀମାନେ ସମୁଦ୍ରଆଡ଼କୁ ଯାନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଆଉ ଏ ବାଟରେ ଫେରନ୍ତି ନାହିଁ । କାରଣ–ଏମାନଙ୍କର ଦୁଃଖ ଦେଖି ସହ୍ୟ କରି ପାରନ୍ତି ନାହିଁ, ପୁଣି କୁଷ୍ଠ ରୋଗରେ ଆକ୍ରାନ୍ତ ହେବାର ଭୟ, ପୁଣି ଘୃଣାରେ ମଧ୍ୟ ।

 

ଯେତେବେଳେ ଯାତ୍ରୀମାନଙ୍କ ଯିବା ଆସିବା ଟିକିଏ କୋହଳ ପଡ଼ିଯାଏ ସେତେବେଳେ ଏମାନଙ୍କ ମଧ୍ୟରେ ଚାଲେ ଗପ, କଳି କଜିଆ । ଯାତ୍ରୀମାନଙ୍କ ବିଷୟରେ ସମାଲୋଚନା, ଆଉ ଆୟ ବ୍ୟୟର ଆଲୋଚନା....

 

ଗପ ହୁଏ–ଭାଇ ବୁଝିଲୁ, ଆମେ ଏକ ପ୍ରକାର ଭଲରେ ଅଛୁ । ଯେ ସିନା ଆମ ଅବସ୍ଥାକୁ ଦେଖି ଡରୁଛି, ତାର ଭୟ । ଆମର କଣ ଅଛି ? ଆମେ ତ କୋଢ଼ି ହେଲୁଣି । ଆମେ ତ ତଳକୁ ଆସିଲୁଣି । ଆମର ଆଉ ତଳ ବୋଲି ତ କିଛି ନାହିଁ । ଆମର ଦିଅଁ ଦେବତା ନାହିଁ, କେବଳ ଗୋଟାଏ ଚିନ୍ତା–ପେଟ । ଯେତେଦିନ ଯାଏ ବଞ୍ଚିବା, ଖାଇବା । ଖଟଣି ତ ନାହିଁ । ମାଗିଲେ ମିଳିଲା, ମଲାଦିନ ତ ମରିବା....

 

କଳି କଜିଆ ହୁଏ–ଜଣେ ଜଣକୁ କୁହେ–ତୁ ଘୁଞ୍ଚି ବ’, ମୋ ଗୋଡ଼ରେ ତୋ ଗୋଡ଼ ବାଜୁଛି....

 

ଅନ୍ୟ ଜଣକ ପ୍ରତ୍ୟୁତ୍ତରରେ କହେ–ମୋ ଗୋଡ଼ ତୋ ଗୋଡ଼ଠୁଁ ଢେର ଭଲ ଅଛି । ମୋ ଗୋଡ଼ରେ ଯୋଡ଼ାଏ ଆଙ୍ଗୁଳି ଛିଡ଼ି ଥିଲେ, ତୋ ଗୋଡ଼ରେ ଆଦୌ ଆଙ୍ଗୁଳି ନାହିଁ, ତୁ ଘୁଞ୍ଚି ଯା....

 

ଆହୁରି ଲାଗେ–ମୁଁ ଭିକାରୀ ହେଲେ, ତୁ ବି ଭିକାରୀ । ମୁଁ ଭିକ ମାଗି ଖାଉଛି, ତୁ ବି ଭିକ ମାଗି ଖାଉଛୁ । ହେଲେ, ମୁଁ କଣ ତୋରି ପରି ଖାଉଛି ? ମୋର ଆଳୁ ପୋଟଳ ନ ହେଲେ ମୁଁ ଖାଏ ନା । ମୁଁ କଣ ତୋରି ପରି ହେଇଛି ? ବାଇଗଣ ପୋଡ଼ା ଦେଇ ଭାତ ଖାଉଛି ?

 

ସମାଲୋଚନା ପଡ଼େ–ଜଣେ ଜଣକୁ କହେ–ଭାଇ, ଶୁଣିଛୁ କି ନାହିଁ । ଦି’ଜଣ ଯାତ୍ରୀ କଥାବାର୍ତ୍ତା ହେଇ ଯାଉଛନ୍ତି–ଏମାନଙ୍କୁ ଗୁଳିକରି ମାରିଦେବା ଉଚିତ୍‌ । ଖାଲି ରୋଗ ବଢ଼େଇବା ଛଡ଼ା ୟାଙ୍କ ଦ୍ୱାରା ଆଉ କିଛି ହବାର ଅଛି ? ଜାଣିଲୁ ଭାଇ, ଯେଉଁମାନେ ଆମରି ସାମନା ଦେଇ ଯାଉଛନ୍ତି, ଭଲ ମଣିଷ ବୋଲାଉଛନ୍ତି, ତାଙ୍କ ଭିତରେ କଣ କୁଷ୍ଠ ରୋଗୀ ନ ଥିବେ ? ଖାଇ ପିଇ ଭଲରେ ଅଛନ୍ତି । ଜାମା, ଯୋତା ମଡ଼େଇଛନ୍ତି, ଅର୍ଥବଳ ଅଛି, ବାହାରକୁ ଜଣା ପଡ଼ୁ ନାହିଁ । ଆମେ ରାସ୍ତା କଡ଼ରେ ବସିଛୁ ବୋଲି ଆମକୁ ସମସ୍ତେ କହୁଛନ୍ତି–କୋଢ଼ିଆ ଗୁରାକ, ଭିକାରୀ ଗୁରାକ, ନାକ ଟେକୁଛନ୍ତି । ଆମେ ମରିଗଲେ କଣ ଏ ରାସ୍ତାର ଦି’କଡ଼ ଖାଲି ପଡ଼ିଯିବ ? ଏମିତି ଆମରି ପରି ପୁଣି ଆହୁରି କେତେ ଏଇ ରାସ୍ତା କଡ଼କୁ ଆସିବେ....

 

ଆୟ ବ୍ୟୟ ହିସାବ ଚାଲେ–ଜଣେ ଆଉ ଜଣକୁ ପଚାରେ–ତୋର ଆଜି କେତେ ହେଲା-?

 

ଅନ୍ୟ ଜଣକ ଉତ୍ତର ଦିଏ–କଣ ଏମିତି ବେଶି ହେଇଛି ? ଟଙ୍କା ତିନିଟା, ଆଉ ଖଣ୍ଡେ ଲୁଗା ତ, ତୋର କଣ ହେଲା ! ଆର ଜଣକ ଉତ୍ତର ଦିଏ–ମୋର ପ୍ରାୟ ସେଇଆ । ପୁଣି କହେ–ଜାଣିଲୁ ଭାଇ, ସେଇ ମାଇପିଟା । ଯେ ତା ସ୍ୱାମୀକୁ ଗୋଟାଏ କାଠର ଠେଲା ଗାଡ଼ିରେ ନେଇ ଠିଆ ହେଇଛି, ସେଇ ବେଶି ପାଇଛି । ତାକୁ ଯାତ୍ରୀମାନେ ବେଶି ପଇସା ଦଉଛନ୍ତି..

 

ଅନ୍ୟ ଜଣକ କହେ–ଆଉ ଜଣେ ଆମ ଭିତରେ ବେଶି ପଇସା ପାଉଛି....

 

–କିଏ କହିଲୁ ?

 

–ସେଇ ବୀର ଭାଇ, ଯେ ଏବେ ଗୋଟାଏ ମାଇପିକୁ ଆଣିଛି । ସେଇ ମାଇପିଟା ଆସିଲା ଦିନଠୁଁ ତା’ ଭାଗ୍ୟ ବଦଳି ଯାଇଛି । ଯେ ଯାତ୍ରୀ ଆସିଲେ, ତାକୁ ଆଗେ ଦେଲେ । ତାରି କତିରେ ବେଶି ପଇସା ଅଜାଡ଼ିଲେ.....

 

–ସେ ମାଇପିଟାକୁ କେଉଁଠୁ ପାଇଲା ? ଆମକୁ ଗୋଟାଏ ସେମିତି ମାଇପି ମିଳନ୍ତା କି-! ସେ ମାଇପିଟା ତାକୁ ଭାରି ସାହାଯ୍ୟ କରୁଛି । ରାନ୍ଧିବା, ପାଣି ଆଣିବା, ସବୁ କାମ କରୁଛି......

 

–ସେ ଯା କରୁ ଭାଇ, ବୀର ତ ଆମ ଭିତରେ ମୁରବି ହୋଇ ସବୁ କଥା ବୁଝୁଛି । ବେଳ ପଇଲେ ଆମକୁ ଚଳେଇ ନଉଛି....

ବୀରଭଦ୍ର ସାମଲ, କୃଷ୍ଣ ରୋଗୀ । ତାକୁ ସମସ୍ତେ ବୀର ବୋଲି ଡାକନ୍ତି । ଏ ରାସ୍ତା କଡ଼ରେ ଯେତେ କୁଷ୍ଠରୋଗୀ ବସି ଭିକ ମାଗନ୍ତି, ସମସ୍ତେ ତାକୁ ମୁରବି ଭଳି ମାନନ୍ତି । ଯା’ର ଯା ହେଲା, ସମସ୍ତେ ତାକୁ କହନ୍ତି । ସେ ସବୁକଥା ବୁଝେ, ଆଉ ତା କତିରେ ଯେଉଁ ମାଇପିଟା ବସି ଭିକ ମାଗେ, ତାର ନାଁ ପାର୍ବତୀ । ତାକୁ ସମସ୍ତେ ‘ପାର’ ବୋଲି ଡାକନ୍ତି ।

ବୀରର ଗୋଡ଼ ହାତର ଆଙ୍ଗୁଳି ନାହିଁ । ପାରର ହାତର ଆଙ୍ଗୁଳି ସବୁ ଅଛି, ଗୋଡ଼ର ଆଙ୍ଗୁଳି ଗୁରା ନାହିଁ ।

ବୀର ତାକୁ ଗୋଟାଏ ମେଳାରୁ ପାଇ ଆଣିଥିଲା । ଦିହେଁ ସ୍ୱାମୀ, ସ୍ତ୍ରୀ ହୋଇ ଚଳନ୍ତି । ଏଇ କୁଷ୍ଠରୋଗୀମାନଙ୍କ ମଧ୍ୟରେ ଯେଉଁମାନଙ୍କର ସ୍ତ୍ରୀ ଅଛି କିମ୍ୱା ଯେଉଁମାନେ ଏମିତି ଜଣେ ଜଣେ ମାଇପି ରଖିଛନ୍ତି, ସେମାନଙ୍କ ଭିତରେ ପାର ସୁନ୍ଦରୀ । ବୟସ ଅଳ୍ପ, ଆଉ ଭଲ କାଇଦାରେ କହି ପୋଛି ପାରେ । ଭାରି ଖଟି ପାରେ, ଆଉ ଯେଉଁ ମାଇପିମାନେ ତାରି ପରି ରାସ୍ତା କଡ଼ରେ ବସି ଭିକ ମାଗୁଛନ୍ତି, ଦେଖିବାକୁ ତା ପରି କେହି ନୁହନ୍ତି । ସେମାନେ ବେଶି ଖଣ୍ଡିଆ ଖାବରା ହୋଇ ଗଲେଣି ।

ବୀର କୁଷ୍ଠରୋଗୀମାନଙ୍କ ମଧ୍ୟରେ ଭେଣ୍ଡା, ଅଳ୍ପପାଠ ପଡ଼ିଛି, ଓଡ଼ିଆ କହିପାରେ, ବଙ୍ଗଳା ଅଳ୍ପ ଅଳ୍ପ କହି ପାରେ । ସେ କଲିକତାରେ ଗୋଟିଏ ହୋଟେଲରେ କେତେ ବର୍ଷ ଚାକିରୀ କରିଥିଲା । ରୋଗ ବଳେଇଲାରୁ ଆଉ କାମ କରି ପାରିଲା ନାହିଁ । ଦେଶକୁ ଚାଲି ଆସିଲା । ଏବେ ଭିକ ମାଗିବା ଛଡ଼ା ଆଉ କିଛି କରି ପାରେ ନା । ବୀର ଭାରି କୁହାଳିଆ । ଏ କୁଷ୍ଠରୋଗୀମାନଙ୍କର ସବୁ କଥା ବୁଝେ । ସବୁ କାମକୁ ଆଗେ ବାହାରି ପଡ଼େ । କାହାରି ଦିହ ମୁଣ୍ଡ ଖରାପ ହେଲେ ସେମାନଙ୍କ ପାଇଁ ଡାକ୍ତରଖାନାରୁ ଔଷଧି ଆଣିଦିଏ । ପାର ମଧ୍ୟ ସେମିତି ନିଜ କାମ କରି ଅନ୍ୟମାନଙ୍କୁ ବେଳ ପାଇଲେ ସାହାଯ୍ୟ କରେ ।

ସମୁଦ୍ର ଆଡ଼କୁ ଯାତ୍ରୀ ଚାଲନ୍ତି, ବଡ଼ି ସକାଳୁଁ ସୂର୍ଯ୍ୟୋଦୟ ଦେଖିବା ପାଇଁ । ସେହି ଅନନ୍ତ କାଳରୁ ଦିଗ୍‌ବଳୟରେ ନୀଳ ଜଳରାଶି ଉପରେ ପ୍ରକାଣ୍ଡ ଲାଲ ରଙ୍ଗର ଗୋଲାକାର ସୂଯ୍ୟ ଉଠନ୍ତି । ସେହି ଗୋଟିଏ ଦିଗରେ । ସେହି ପୂର୍ବଦିଗ, ବିରକ୍ତି ନାହିଁ, ଅବସାଦ ନାହିଁ । କେବଳ ମନେ ହୁଏ–ଲଜ୍ଜାରେ ମୁହଁ ଲାଲ ପଡ଼ି ଯାଇଛି । କାରଣ–ସେଇ ଧରଣୀ, ସମୁଦ୍ର, ମରୁଭୂମି, ପାହାଡ଼, ପର୍ବତ, ନଦୀ, ହ୍ରଦ ନେଇ ପଡ଼ିଛି । ତାକୁ ସକାଳ ହେଲେ, ପୂର୍ବ ଦିଗରେ ଉଠି ପଶ୍ଚିମ ଦିଗରେ ଅସ୍ତ ହେବାକୁ ପଡ଼ୁନି । ସୂର୍ଯ୍ୟ ଯୁଗ ଯୁଗ ଧରି ସେଇ ଧରିତ୍ରୀ ଉପରେ ପଇଁତରା ମାରୁଛି, ତାକୁ ଆକୃଷ୍ଟ କରିବା ପାଇଁ । ଧରିତ୍ରୀର ଭ୍ରୂକ୍ଷେପ ନାହିଁ । ଦିନେ ହେଲେ ସୂର୍ଯ୍ୟକୁ କହିଲା ନାହିଁ–ତୁମେ ରୁହ, ଯାଅନା ମୋତେ ଛାଡ଼ି....ତଥାପି ନିଲଠା ସୂର୍ଯ୍ୟ ପୂର୍ବ ଦିଗରେ ନିତି ଉଠେ । ଲଜ୍ଜାରେ ମୁହଁ ଲାଲ, ପୁଣି ପଶ୍ଚିମ ଦିଗରେ ନିଲଠା ମୁହଁ ନେଇ ବିଦାୟ ନିଏ । ସେଇ ଲାଲ ରଙ୍ଗର ସଳଜ୍ଜ ମୁହଁ । ଧରଣୀ ଯେମିତି ସେମିତି । ସକାଳର ସୂଯ୍ୟୋଦୟ, ସକାଳ ସମୁଦ୍ର, ଲହରି, ଫେଣ, ସେଇ ବେଳାଭୂଇଁ । ତାରି ଉପରେ ଲହରି ଗୁରାକର ଉଠିବା ପଡ଼ିବା ସଙ୍ଗେ ସଙ୍ଗେ ମଣିଷ ଗୁରାକର ଆସିବା, ଯିବା, ବୁଲିବା ବସିବା.....

ଯେମିତି ବେଳ ବଢ଼ିଲା, ସମୁଦ୍ର କୂଳରେ ଲୋକଙ୍କ ଗହଳି କମିଲା, ପୁଣି ଯାଇ ବେଳବୁଡ଼କୁ ଥଣ୍ଡା ପଡ଼ିଲେ ଲୋକଙ୍କର ଗହଳି ହେବ । ଲୋକ ଚାଲିବେ । ସୂର୍ଯ୍ୟସ୍ତ ଦେଖିବେ ।

ରାସ୍ତା କଡ଼ର କୁଷ୍ଠରୋଗୀମାନେ ମଧ୍ୟ ବେଳ ବଢ଼ିବା ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କ ଗହଳି କମିଲେ ଯେଉଁମାନେ ଚାଲବୁଲକରି ପାରୁଛନ୍ତି, ସେମାନେ ସହର ବଜାର ଆଡ଼କୁ ବାହାରି ଯାନ୍ତି ବୁଲି ଭିକ୍ଷା କରିବା ପାଇଁ । ଆଉ ଯେଉଁମାନେ କୁଆଡ଼େ ବେଶି ଯାଇ ଆସି ପାରନ୍ତିନି, ସେମାନେ ସେଇ ରାସ୍ତା କଡ଼ରେ ଗୋଟିଏ ଗୋଟିଏ ଗଛର ଛାଇରେ ପଡ଼ି ରହନ୍ତି । ଭିକମାଗନ୍ତି, ଯେ ଯାହା ଦେବେ ଯାହା ମିଳିବ....

 

ବେଳ ବୁଡ଼େ । ପୁଣି ଲୋକ ଚାଲିବାକୁ ଆରମ୍ଭ କରନ୍ତି ସମୁଦ୍ରଆଡ଼କୁ । ପୁଣି କୁଷ୍ଠରୋଗୀମାନେ ରାସ୍ତାର ଦି’କଡ଼ରେ ଯୁଟି ଯାନ୍ତି ଯେ ଯାର ଉପାୟରେ ଯାତ୍ରୀମାନଙ୍କଠାରୁ ଭିକ୍ଷା ସଂଗ୍ରହ କରିବା ପାଇଁ । ସେଇ ଆର୍ତ୍ତନାଦ, ଚିତ୍‌କାର, କାକୁତି, ମିନତି, ଦୁଃଖର ବର୍ଣ୍ଣନା, କାନ୍ଦଣା......

 

ଯାତ୍ରୀମାନେ ଗଲାପରେ, ଯା କିଛି ମିଳିଗଲା ସେଇଥିରେ କାର ଆନନ୍ଦ, କାର ଅସନ୍ତୋଷ । ଭଲ ଭାବରେ ମିଳିଲେ, ଯାତ୍ରୀମାନଙ୍କୁ ପ୍ରଶଂସା–ସେମିତି ସୁଖରେ ଥାଅ, ପିଲାଙ୍କର କୋଟି ପରମାୟୁ ହେଉ.....

 

ସନ୍ତୋଷଜନକ ଯଦି କିଛି ନ ମିଳିଲା, ଯାତ୍ରୀମାନଙ୍କୁ ନିନ୍ଦା ଗାଳି–ଚୋର ଗୁଡ଼ାକ, କୁଆଡ଼ୁ ଆସିଛନ୍ତି । ଏଗୁଡ଼ାକ କଣ ଦେବେ ମ ? ଖାଲି ସଜବାଜ ହୋଇ ଚାଲିଛନ୍ତି । ହାତ ଟେକି ପଇସାଟାଏ କି ଚାଉଳ ମୁଠାଏ ଦବାକୁ ମରି ଯାଉଛନ୍ତି......

 

ବେଳବୁଡ଼କୁ ଯେଉଁ ଯାତ୍ରୀମାନେ ସମୁଦ୍ର ଆଡ଼କୁ ଯାନ୍ତି ସେଇ ନିତିଦିନିଆ ଘଟଣା–ବାଲି ଉପରେ ବସିବା, ବୁଲୁ ବୁଲୁ ଦୂରକୁ ଚାଲିଚାଲି ଯିବା, କେତେ ଦୂରକୁ ଆସିଲେଣି, ଜଣାନାହିଁ । ବାଲି ଉପରେ ବୁଲୁ ବୁଲୁ ଶାମୁକା ଗୋଟେଇବା, ସମୁଦ୍ରର ଢେଉ ସଙ୍ଗେ ଖେଳିବା ।

 

ମଣିଷ ଠିଆ ହୋଇ ଗପ କରୁଛି, କେତେବେଳେ ସମୁଦ୍ରର ଢେଉ ଆସି ଲୁଗାପଟା ତିନ୍ତେଇ ଦେଇଗଲା । କିଏ ପଳେଇ ଆସୁ ଆସୁ ପଡ଼ିଗଲା ପରି ହେଇ ଅଟକି ଗଲା । କାର ଯୋତା କାର ଚଟି ପଟେ ଭାସିଗଲା । କିଏ ଖାଲି ବାଲି ଉପରେ ବସିଛନ୍ତି । ଦେଖୁଛନ୍ତି–ସାମନାରେ ଦିଗନ୍ତବିସ୍ତାରୀ ସମୁଦ୍ରର ଜଳ, ଖାଲି ଜଳ । କେତେ ଦୂରରେ ଆକାଶ, ସମୁଦ୍ର ଲଗାଲଗି ହେଇ ରହିଛନ୍ତି । ଆଉ କିଛି ନାହିଁ । ସମୁଦ୍ରର ଢେଉ ଉପରେ କେତେକ ସାମୁଦ୍ରିକ ପକ୍ଷୀ ଉଡ଼ି ବୁଲୁଛନ୍ତି, ଆକାଶରେ କାଁ ଭାଁ ମେଘ ଖଣ୍ଡେ ଦି’ଖଣ୍ଡ ଭାସି ବୁଲୁଛନ୍ତି । ସେହି ଆକାଶ, ସେହି ସମୁଦ୍ର, ସେଇ ବେଳାଭୂମି ପଡ଼ିଛି । ସେହି ସୂର୍ଯ୍ୟ, ନିତି ଗୋଟିଏ ଦିଗରେ ଉଠି ଗୋଟିଏ ଦିଗରେ ବୁଡ଼ୁଛି । ସମୁଦ୍ରର ସେଇ ଅସ୍ଥିରତା । ଢେଉ ଗୁଡ଼ାକର ନାଚ, କୁଦ, ବାଲି ଉପରେ ଗଡ଼ାଗଡ଼ି । ସବୁତ ପୁରୁଣା । ଦୃଶ୍ୟର କିଛି ନୂତନତ୍ୱ ନାହିଁ । ପଟ୍ଟ ପରିବର୍ତ୍ତନ ନାହିଁ । ତଥାପି ସବୁ ନୂଆ ପରି ଦିଶୁଛି । ନୂଆ ନୂଆ ଲୋକେ ଦେଖୁଛନ୍ତି । ନୂଆ ନୂଆ ଆସୁଛନ୍ତି । ପୁରୁଣା ଲୋକେ ଦେଖୁଛନ୍ତି–ସବୁ ପୁରୁଣା, ନୂଆ ଲୋକେ ଦେଖୁଛନ୍ତି–ସବୁ ନୂଆ, କି ଚମତ୍‌କାର ଦୃଶ୍ୟ ! –ସୂର୍ଯ୍ୟ ବୁଡ଼ିଲେ, ସମୁଦ୍ରର ନୀଳଜଳ, ଦିଗ୍‌ବଳୟରେ ଲାଲ ରଙ୍ଗ ହୋଇଗଲା । ଯେମିତି ଗୁଡ଼ାଏ କିଏ ରକ୍ତ ଢାଳି ଦେଲା । କି ଲାଲ ରଙ୍ଗର କାଚ ହଣ୍ଡା ପରି ଗୋଲାକାର ସୂର୍ଯ୍ୟ ! ବୁଡ଼ିଲେ, ଧୀରେ ଧୀରେ ବୁଡ଼ିଲେ-। ସମସ୍ତଙ୍କର ଆଖି ସେଇଠି । କେତେକ ତନ୍ମୟ, କାର ମୁଣ୍ଡ ସେହି ବିଶ୍ୱସ୍ରଷ୍ଟାଙ୍କ ଚରଣ ତଳେ ନଇଁପଡ଼ୁଛି । ଏ ଦୃଶ୍ୟକୁ ଯେ ରୂପ ଦେଇଛି ସେ ଶିଳ୍ପୀଙ୍କର ତୂଳିର କି ବାହାଦୁରୀ ! ଯେ ନାସ୍ତିକ ତାର ମନରେ ମଧ୍ୟ ସମୁଦ୍ରର ଢେଉପରି ଦ୍ୱନ୍ଦ ଉଠୁଛି, ପଡ଼ୁଛି–କିଏ ଏତେ ସୌନ୍ଦର୍ଯ୍ୟର ସ୍ରଷ୍ଟା-? ବାହାରେ ନାସ୍ତିକ ହେଲେ ମଧ୍ୟ ଅନ୍ତରର ଗଭୀରତମ ଗୁପ୍ତ ସ୍ଥଳରୁ ଚୈତସତ୍ତା ମନରେ ବାରମ୍ୱାର ଚେତେଇ ଦଉଛି, କହୁଛି–କହ ମୂର୍ଖ ନମାମିତେ ଦେହି ପଦ ପଲ୍ଳବ ମୁଦାରଂ Oh ! Bend my head beneath the dust of thy feet. କହ–ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ, କହ ମୂର୍ଖ–ମାମେକଂ ଶରଣଂ ବ୍ରଜ......

 

ସୂର୍ଯ୍ୟ ବୁଡ଼ିଗଲେ । ସମୁଦ୍ରକୂଳରୁ ଲୋକେ ଫେରିବାକୁ ଆରମ୍ଭ କଲେ । ସଂସାରର ଜ୍ୱାଳା ଅଳ୍ପ କିଛି ଶାନ୍ତ ପଡ଼ିଲା । ପୁଣି ସେହି ଲୋକାଳୟ, ସହରର କୋଳାହଳ, ଝକମିକି.....

 

ରାସ୍ତା କଡ଼ର ସେଇ କୁଷ୍ଠରୋଗୀମାନେ ରାସ୍ତା କଡ଼ରୁ ଫେରିଲେ ରାସ୍ତା କଡ଼ର ଅଦୂରରେ ଗୋଟିଏ ବଗିଚା ଭିତରକୁ । ବଗିଚା–ଲଙ୍କା ଆମ୍ୱ (କାଜୁବାଦାମ)ର ବଗିଚା । ଅଳ୍ପ ଉଚ୍ଚା ଉଚ୍ଚା ଗଛ, ତଳେ ବିସ୍ତୀର୍ଣ୍ଣ ବାଲି । ବାଲି, ଆଉ ବାଲି, ଲଗାଲଗି ହୋଇ ଗଛଗୁଡ଼ିଏ......

 

ରାତିର ଅନ୍ଧାରରେ ଏଇ ବାଦାମ ବଗିଚାରେ କେତେକ ଆଲୁଅ ଜଳିବାର ଦୂରରୁ ଦିଶେ-। ଏ ଆଲୁଅ ଗୁଡ଼ିକ ହେଲା–ଲଣ୍ଠଣର ଆଉ ଡିବିରିର ଆଲୁଅ, ଆଉ ଚୁଲୀ ଜଳିବାର ଆଲୁଅ-। ଏହି ଆଲୁଅରେ ଦୂରରୁ ଅସ୍ପଷ୍ଟ ଭାବରେ କେତେକ ସଚଳ ଛାୟାମୂର୍ତ୍ତି ଭଳି ଏଇ କୁଷ୍ଠରୋଗୀମାନଙ୍କୁ ଚଳାଚଳ ହବାର ଦେଖାଯାଏ ।

 

ଏ ବାଦାମ ବଗିଚା ଭିତରକୁ କେହି ଆସନ୍ତି ନାହିଁ । ସମସ୍ତଙ୍କର ଧାରଣା–ଏଠି କୁଷ୍ଠରୋଗୀମାନେ ରହନ୍ତି ।

 

କେତେକ କୁଷ୍ଠରୋଗୀ ଏଠି ଛୋଟ ଛୋଟ କୁଡ଼ିଆ କରି ରହିଛନ୍ତି । କୁଡ଼ିଆଗୁରିକ ତାଳପତର, ନଡ଼ିଆଚଟା, ଟିଣପତର, ଛିଣ୍ଡା ଅଖାରେ ତିଆରି । ଯେଉଁମାନେ କୁଡ଼ିଆ କରି ପାରି ନାହାନ୍ତି, ସେମାନେ ରାତିରେ ବେଶି ଥଣ୍ଡା ପଡ଼ିଲେ କିମ୍ୱା ବର୍ଷା ହେଲେ ଆଉ ଟିକିଏ ଦୂରରେ ଖଣ୍ଡେ ଭଙ୍ଗା କୋଠା ଘରକୁ ଉଠିଯାନ୍ତି । ଏ କୋଠା ଘରର ମାଲିକ କିଏ, ଜଣା ନାହିଁ ।

 

ବୀର ଆଉ ପାର ଗୋଟିଏ କୁଡ଼ିଆରେ ରହନ୍ତି । ବୀର ବାହାରେ ବାଲି ଉପରେ ପଡ଼ିଥାଏ । ରାତିରେ ଶୋଇବାବେଳେ କୁଡ଼ିଆ ଭିତରକୁ ଯାଏ ।

 

ପାର କୁଡ଼ିଆ ଭିତରେ ରନ୍ଧାବଢ଼ା କରେ, କୁଡ଼ିଆଟିକୁ ପାର ଲିପାପୋଛା କରି ବେଶ ସୁନ୍ଦର କରିଥାଏ ।

 

ଅନ୍ୟ କୁଷ୍ଠରୋଗୀ ଯେଉଁମାନେ କୁଡ଼ିଆ କରି ସସ୍ତ୍ରୀକ କିମ୍ୱା ଗୋଟିଏ ଗୋଟିଏ ରକ୍ଷିତା ନେଇ ସସ୍ତ୍ରୀକ ଭଳି ଚଳୁଛନ୍ତି, ସେମାନଙ୍କ କୁଡ଼ିଆ ସଫାସୁତୁରା ହେଲେ ମଧ୍ୟ ବୀର କୁଡ଼ିଆପରି ନୁହେଁ ।

 

ବୀର କୁଡ଼ିଆ ଭିତରେ ଖଣ୍ଡେ ଠାକୁରଙ୍କ ପଟି ରଖିଥାଏ । ତାକୁ ବୀର ଆଉ ପାର ଦୁହେଁ ପୂଜା କରନ୍ତି । ପ୍ରାର୍ଥନା କରନ୍ତି–ପ୍ରଭୁ, ଏ ସଂସାରରୁ ଉଦ୍ଧାର କରନ୍ତୁ, କ୍ଷମା କରନ୍ତୁ, ଆମେ ମହାପାପୀ, ଆମେ ପାପର ଫଳ ଭୋଗ କରୁଛୁ, ଆମକୁ ଏ ରୋଗରୁ ମୁକ୍ତ କରନ୍ତୁ.....

 

ଅନ୍ୟାନ୍ୟ କୁଷ୍ଠରୋଗୀମାନେ ବୀର ଆଉ ପାରର ଏ ଠାକୁର ପୂଜା, ପ୍ରାର୍ଥନା କରିବାର ଦେଖି ପରସ୍ପର ଭିତରେ ବୀର ଆଉ ପାରର ଅଲକ୍ଷ୍ୟରେ ବେଳେବେଳେ କୁହାକୁହି ହୁଅନ୍ତି–ବୀର ଠାକୁର ପୂଜା କରୁଛି, ପୁଣି ଭଲ ମଣିଷ ହୋଇଯିବ । ହଇରେ, ଯୋଉ ଠାକୁର ଦଣ୍ଡ ଦେଲା, ଆମକୁ କୋଢ଼ିଆ କଲା, ତାକୁ ଆଉ ପୂଜା କରିବାକୁ ଅଛି ? ତା ମୁହଁ ଚାହିଁବାକୁ ଅଛି ? ଏ ଜନ୍ମରେ ତ କୋଢ଼ି ହେଲୁ, ଲୋକେ ଆମକୁ ବିଲେଇ, କୁକୁରପରି ବ୍ୟବହାର କଲେ । ସେମାନେ ଯୋଉ ମଣିଷ, ଆମେ ସେଇ ମଣିଷ; କିନ୍ତୁ ଆମେ ଗୋଟାଏ ରୋଗରେ ଭୋଗୁଛୁ ବୋଲି ଆମେ ତ ମଣିଷଙ୍କଠାରୁ ମଣିଷପରି ବ୍ୟବହାର ପାଉନୁ । ଆମେ ମଣିଷ ହେଲେ ବି, ଯେମିତି ଆମେ ଆଉ ଗୋଟାଏ କି ପ୍ରାଣୀ......

 

ପୁଣି କୁହାକୁହି ହୁଅନ୍ତି–ଠାକୁରେ ଯଦି ଅଛନ୍ତି, ସେ ଯା’ଙ୍କୁ ଭଲରେ ରଖିଛନ୍ତି ସେମାନେ ତାକୁ ପୂଜା କରନ୍ତୁ, ଆମର କି ଦରକାର ?

 

ଅନ୍ୟାନ୍ୟ କୁଷ୍ଠରୋଗୀମାନଙ୍କ ଏ ଧରଣର ଆଲୋଚନା ଯେତେବେଳେ ବୀର କାନରେ ଯାଇ ପହଁଚେ, ବୀର କହେଠାକୁରେ କଣ କହୁଛନ୍ତି—ମୋତେ ପୂଜା କର । ସେମିତି ଦିଅଁ ଦେବତା ନ ମାନି, ଉଦ୍ଧତପଣରୁ ତ ଏ ଅବସ୍ଥା ଭୋଗୁଛ, ଆଉ କାହିଁକି ? ମଣିଷ ଆମକୁ ଖରାପ ବ୍ୟବହାର କରୁଛନ୍ତି, ପୁଣି ସେହି ମଣିଷ ତ ଆମକୁ ସାହାଯ୍ୟ କରୁଛନ୍ତି । କେତେ ଆମ ପାଇଁ ଦାନ ଖଇରାତ କରୁଛନ୍ତି । ଆମେ ବଞ୍ଚିଛୁ କିମିତି ? ଆମକୁ ଯୋଉ ରୋଗ ହେଇଛି, ଆମକୁ କଣ ପାଖରେ ବସାନ୍ତେ ? କଣ ଏ ରୋଗ ଆହୁରି ଯେମିତି ମାଡ଼ିବ ? ସମସ୍ତେ ଆମରିପରି ହେବେ ? ସମସ୍ତେ ଆମରିପରି କୁଷ୍ଠରୋଗୀ ହୋଇ ରାସ୍ତା କଡ଼ରେ ବସି ଭିକ ମାଗିବେ ? ସମସ୍ତେ ଯଦି ଆମରିପରି କୁଷ୍ଠରୋଗୀ ହୋଇ ଭିକ ମାଗିବେ, ଭିକ ଦବ କିଏ ?

 

ଏହାର ପ୍ରତ୍ୟୁତ୍ତରରେ ବୀର ଶୁଣେ–ହଉ, ଠାକୁର ପୂଜା କର, ଭଲ ହୋଇଯିବୁ । ହାତ, ଗୋଡ଼ର ଆଙ୍ଗୁଳି ପୁଣି କଅଁଳିବ । ତୋତେ ସରମ ନାହିଁ ?

 

ବୀର ଏହାର ପ୍ରତ୍ୟୁତ୍ତରରେ କହେ–ଭଲ ନ ହେଲେ ନାହିଁ । ଇମିତି କୁଷ୍ଠରୋଗୀ ହୋଇ ମରେ, ଠାକୁରଙ୍କୁ ପୂଜା କରି ପ୍ରାର୍ଥନା କରିବାରେ କଣ ଖରାପ ହୋଇଗଲା ? ଏ ଜନ୍ମରେ ଯା ପାପର ଫଳ ଭୋଗୁଛି । ଏ ପାପରୁ ମୁକ୍ତି ପାଇବି, ଆର ଜନ୍ମରେ କିମିତି ଭଲ ହେବି, ଏଇ କଥା ଠାକୁରଙ୍କୁ ଜଣେଇଲେ କଣ ଦୋଷ ହେଲା ?

 

ଦୂରରେ ବସି ଅଗାଧୁ ଗୋଟାଏ କଣ କରୁଥିଲା । ସେ ଏସବୁ କଥା ଶୁଣି କହିଲା–ବୀରଭାଇ ଯା’ କହୁଛି, ଠିକ୍‌ କହୁଛି । ଯେଉଁମାନେ ଦିଅଁ ଦେବତା ମାନି ଚଳୁଛନ୍ତି, ଠାକୁରଙ୍କୁ ଆଶ୍ରା କରିଛନ୍ତି, ଠାକୁରଠି ଭକ୍ତି ରଖି କାମ କରୁଛନ୍ତି, ସେମାନେତ ଭଲରେ ସୁଖରେ ଚଳୁଛନ୍ତି । ଆମେତ ଦେଖୁଛୁଁ....

 

ଆଉ ଜଣେ କୁଷ୍ଠରୋଗୀ ଅଗାଧୁକୁ ପଚାରିଲା–ତୁ ସେଠି କଣ କରୁଛୁ କିରେ ?

 

ଅଗାଧୁ ଉତ୍ତର ଦେଲା–ଭାଇ, ଯୋଉ ମୁଣ୍ଢା ହାତଟା ତିଆରି କରିଥିଲି ତାକୁ ଆଉ ଜଣେ ଚୋରେଇ ନେଇ ପଳେଇଲା । ଆଜି ଖଣ୍ଡେ କଦଳି ବାସୁଙ୍ଗା ଯୋଗାଡ଼ କରି ଆଣିଛି । ଛିଣ୍ଡା କନାତ ଅଛି, ଅଳତା ଟିକିଏ ଥିଲା, ତାକୁ ବସି ଆଉ ଗୋଟାଏ ମୁଣ୍ଢା ହାତ ତିଆରି କରୁଛି......

 

ଅଗାଧୁ ଖଣ୍ଡେ କଦଳି ବାସୁଙ୍ଗାରେ କନା ଗୁରେଇ, ଅଳତା ଟିକିଏ ଢାଳି, ସେଥିରୁ ରକ୍ତ ବୋହିଲା ପରି ବେଶ୍‌ ଗୋଟାଏ ମୁଣ୍ଢାହାତ ତିଆରି କଲା । ଯେ ବାହାରୁ ଦେଖିବ, ତାକୁ ଠିକ୍‌ ଜଣାଯିବ–ଲୋକଟାର ହାତ ନେଡ଼ିକତିରୁ ଛିଣ୍ଡି ଯାଇଛି । ସେଥିରେ ଘା ଥିବା ଯୋଗୁଁ କନା ଗୁରେଇଛି ।

 

ଅଳତା ଢଳା ହେଇଥିବା ଯୋଗୁଁ ଭାବିବେ–ରକ୍ତ ବୋହି, କନା ଭିଜି ବାହାରକୁ ରକ୍ତ ଦେଖାଯାଉଛି ।

 

ଅଗାଧୁ ଲୋକଙ୍କୁ ଭଣ୍ଡିବାପାଇଁ, ଗୋଟାଏ ମିଛ ମୁଣ୍ଢାହାତ ତିଆରି କରିବା ଦେଖି ଆଉ ଦି’ ଜଣ କୁଷ୍ଠରୋଗୀ ପରିହାସ କରି କହିଲେ–ଶଶୁର ପୁଅ, ହାତ ଦି’ଟା ଭଲ ଥାଉ ଥାଉ କୋଢ଼ିଆ ସାଜି ଲୋକଙ୍କୁ ଭଣ୍ଡି ପଇସା ଆଦାୟ କରୁଛି ।

 

ପୁଣି କହିଲେ–ଭଲ ଉପାୟ କରିଛି–ଖଣ୍ଡେ ଅଖାରେ ପୂରା ଘୋଡ଼ି ହୋଇ, ଏ ମିଛ ମୁଣ୍ଢା ହାତଟାକୁ ଧରି ବାହାରକୁ ଦେଖେଇ ଛଟପଟ କରୁଛି । ଯାତ୍ରୀମାନେ ଏ ଘଟଣା ଦେଖି ବିକଳ ହୋଇ ପଇସା ପକେଇ ଦେଇ ଯାଉଛନ୍ତି ।

 

ପୁଣି କହିଲେ–କିରେ ଗୋଡ଼ ଦି’ଟା ସିନା ଖରାପ ହେଇ ଯାଇଛି, ହାତଦି’ଟା ତ ଭଲ ଅଛି । ଏଥିରେ ପୁଣି ଏମିତି ଭଣ୍ଡୁଛୁ କାହିଁକି ?

 

ବୀର ଏକଥା ଶୁଣି କହିଲା–ଦେଖ, ଯୋଉ ପାପ କରିଛ, ତାର ତ ଫଳ ଭୋଗୁଛ । ପୁଣି ସେଥିରେ ଆହୁରି ଯାତ୍ରୀଙ୍କୁ ଭଣ୍ଡି ଖାଇବା । ଭଗବାନ କଣ ଆମକୁ ଦଣ୍ଡ ଦେଇଛନ୍ତି ମିଛରେ....

 

ଏତିକିବେଳେ ଦୂରରୁ ଶୁଣାଗଲା–ଦୀନବଂଧୁ ଦଇତାରି, ଦୁଃଖ ନ ଗଲା ମୋହରି....

 

ଜଣେ କୁଷ୍ଠରୋଗୀ ଗୀତ ବୋଲି ବୋଲି ଠେଙ୍ଗାଟାଏ ଠକର ଠକର କରି ଆସୁଛି ବାଦାମ ବଗିଚା ଆଡ଼କୁ ।

 

ବାଦାମ ବଗିଚାରେ କେତେକ କୁଷ୍ଠରୋଗୀ ଏ ଗୀତ ଶୁଣି କୁହାକୁହି ହେଲେ–ଏ ଅନାଦି ବରାଳ ଗୀତ ବୋଲି ବୋଲି ଆସୁଛନ୍ତି । ଆଜି କୁଆଡ଼େ ଯାଇଥିଲା ସେ ? ସେ ତ ଆଜି ଦିନରୁ କୁଆଡ଼େ ଯାଇଥିଲା, ଅଭିକା ଫେରୁଛି । ଆସୁ ତାକୁ ପଚାରିବା ।

 

ଅନାଦି ଆସି ପହଞ୍ଚିଲାରୁ ତାକୁ ଦି’ତିନିଜଣ କୁଷ୍ଠରୋଗୀ ପଚାରିଲେ–ଅନାଦି କୁଆଡ଼େ ଯାଇଥିଲୁ କି ? ଆଜି ତ କଣ ଭାରି ଗୀତ ଛାଡ଼ି ଆସୁଛୁ ? ମନଟା ବି ଭାରି ଖୁସି ଅଛି ।

 

ଅନାଦି ଆସି ଅଳ୍ପ ଦୂରରେ ତାର ଠେଙ୍ଗା ଆଉ ବୁଜୁଳାଟାକୁ ବାଲି ଉପରେ ଥୋଇ ଦେଇ ଗୋଟାଏ ବାଦାମ ଗଛକୁ ଆଉଜି ବସି କହିବାକୁ ଆରମ୍ଭ କଲା–ଭାଇ, ଆଜି ଦିନସାରା ଯା ଭିକ ମାଗିବାର ମାଗିଲି, ଭାରି ଥକା ଲାଗିଲା, ଗୋଟାଏ ଗଛ ମୂଳରେ ବସୁ ବସୁ ଶୋଇ ପଡ଼ିଲି । ଉଠିଲା ବେଳକୁ ସଞ୍ଜ ହୋଇଗଲା । ଆସୁ ଆସୁ ଦେଖିଲି, ଗୋଟାଏ ଜାଗାରେ ପୁରାଣପାଠ ହେଉଛି । ଅନେକ ଲୋକ ବସି ଶୁଣୁଛନ୍ତି; ମୋର ମନ କାହିଁକି ଡାକିଲା, ସେଇଠି ବସି ଟିକିଏ ଶୁଣିବା ପାଇଁ, ବସି ପଡ଼ିଲି । ଜଣେ ପଣ୍ଡିତଶ୍ରେଣୀ ଭେଣ୍ଡିଆ ଲୋକ, ଦାଢ଼ି ରଖିଛନ୍ତି । ସେଇ ପୁରାଣ ପଢ଼ି, ସମସ୍ତଙ୍କୁ ବୁଝେଇ ଦଉଛନ୍ତି, ବହୁତ ଲୋକ ବସି ଶୁଣୁଛନ୍ତି । ମୁଁ ସେଇଠି ଟିକିଏ ଦୂରରେ ବସି ଶୁଣିଲି । ଭାଇ, ମନଟା ଯେମିତି ଥଣ୍ଡା ହେଇଗଲା, ପୁରାଣ ବୋଲା ସରିଲାରୁ ପ୍ରସାଦ ଖାଇବାକୁ ଦିଆଗଲା । ଖିରି, ଖେଚଡ଼ି, ଆହୁରି କେତେ କଣ, ମୁଁ ଆଜି ପେଟଭରି ଖାଇ ଆସିଛି । ମୁଁ ଏଣିକି ରୋଜି ସେଇଠିକି ଯିବି । ଆମେତ ମହାପାପୀ, ମୂଢ଼ ଗୁଡ଼ାକ, ହେଲେ ଭଗବାନଙ୍କ ନାଁ ଟିକିଏ କାନରେ ବାଜୁ, ଆମର ପାପ କ୍ଷୟ ହେଉ ।

 

ଅନାଦିର ଏକଥା ଶୁଣି ଯେଉଁ ଦି’ଜଣ ତାକୁ ଏତେ ଡେରିରେ ଫେରିବାର କାରଣ ପଚାରୁଥିଲେ, ପରିହାସ କଲାପରି ଅଳ୍ପ ହସି ପକେଇ କହିଲେ–ହଇରେ, ପାପକ୍ଷୟ ହେବ ବୋଲି ଯେ କହୁଛୁ, ଏ ଦୁନିଆରେ ପାପ କିଏ ନ କରୁଛି ? ଚୋରି ସମସ୍ତେ କରନ୍ତି । ଯେ ଧରା ପଡ଼େ, ସମସ୍ତଙ୍କ ଆଖିରେ ସେ ଏକା ଚୋର ବୋଲି ଚିହ୍ନା ପଡ଼େ । ଆଉ ସମସ୍ତେ ଭଲ ।

 

ସେ ଦି’ଜଣ ଅଗାଧୁକୁ ଶୁଣେଇ ପରସ୍ପର ଭିତରେ ପୁଣି କୁହାକୁହି ହେଲେ–ବୁଝିଲୁ ଭାଇ, ଏ ଆମ ବୀରଭାଇ ସାଙ୍ଗକୁ ଆଉ ଜଣେ ଭକ୍ତ ଯୁଟିଲେ......

 

ବୀର ଅଳ୍ପ ଦୂରରେ ଶୋଇଥିଲା । ଏକଥା ଶୁଣି ଉତ୍ତର ଦେଲା–ବୁଝିଲ, ତୁମେ ଅନାଦିକୁ ଥଟ୍ଟା କରୁଛ କାହିଁକି ? ତା’ ମନ ଯୁଆଡ଼େ ଡାକିଲା, ସେ କରୁ । ତାକୁ ଥଟ୍ଟା କରି ଆହୁରି ପାପ ଅରଜୁଛ କାହିଁକି ?

 

ମୋ ମନ ଯା’ ଡାକୁଛି, ମୁଁ କରୁଛି । ତୁମମାନଙ୍କ ମନ ଯା ଡାକୁଛି ତୁମେ କର । ସେଇ ଢଙ୍ଗରୁତ ଆମର ଆଜି ଏ ଅବସ୍ଥା, ସେ ମୋ ସାଙ୍ଗକୁ ଯୁଟିଲେ କଣ ହେଲା ?

 

ବୀର ପୁଣି କହିଲା–ହଇରେ, ଏଇ ଦୁନିଆରେ ତ ମଣିଷ ମରିବାକୁ ଚାହୁଁ ନାହାନ୍ତି । ଆମେ କାହିଁକି ଖୋଜୁଛୁ–ଶୀଘ୍ର କେମିତି ମରିଯାନ୍ତୁ କି ଉଦ୍ଧାର ପାଇଯାନ୍ତୁ । କାହିଁକି ? ଏ ଦୁନିଆକୁ କିଏ ଛାଡ଼ି ଯିବାକୁ ଚାହୁଛି ? ଏ ଦୁନିଆ କେଡ଼େ ସୁନ୍ଦର । କେଡ଼େ ସୁଖରେ ମଣିଷ ଏଇ ଦୁନିଆରେ ଅଛନ୍ତି । ଦେଖୁଛତ, ନିତି ସକାଳ ହେଲେ କେତେ ଲୋକ ସମୁଦ୍ର ଆଡ଼କୁ ଦଉଡ଼ୁଛନ୍ତି । କେତେ ପଇସା ଖର୍ଚ୍ଚ କରି କେତେ ଦୂରରୁ ଲୋକେ ଆସୁଛନ୍ତି ତୀର୍ଥ କରିବାକୁ । କେତେ ଦାନ ଖଇରାତ କରୁଛନ୍ତି, କାହିଁକି ? ପୁଣ୍ୟ କାମ କରିବାକୁ ଆସୁଛନ୍ତି ନା ପାପ କରିବାକୁ ଆସୁଛନ୍ତି ।

 

ବୀର ପୁଣି କହିଲା–ହଇରେ, ତୁମେ ଯୋଉ କଥା କହୁଛ, ଆମ କେଇ ଜଣକୁ ତ ଭଲ ଲାଗୁନାହିଁ । ଆଉ ସେଠି ପୁରାଣ ଖଣ୍ଡେ ବୋଲା ହଉଛି ବୋଲି ଶହ ଶହ ଲୋକ ବସି କାହିଁକି ଶୁଣୁଛନ୍ତି ? ସେ ପୁରାଣରେ ଯାହାଙ୍କ ଘଟଣା ଲେଖାଅଛି, ସେ କଣ ଅଛନ୍ତି ? ସେମାନେ ଭଲ କାମ କରି ଯାଇଥିବାରୁ, ତାକୁ ବସି ଲୋକେ ଶୁଣୁଛନ୍ତି । ଅନାଦି ମନ ଡାକିଲା । ଅନାଦି ବସି ଶୁଣିଲା....

 

ସେ ଦି’ଜଣ ବୀରର ଏ କଥା ଶୁଣି କହିଲେ–ଅନାଦି ପୁରାଣ ଶୁଣିବାକୁ ବସିଥିଲା, ନା ପ୍ରସାଦ ଖାଇବା ଉଦ୍ଦେଶ୍ୟରେ ବସିଥିଲା ? ପ୍ରସାଦ ଖାଇବା କଥା ଶୁଣି ତା ପାଟିରୁ ଲାଳ ଗଡ଼ିଥିବ-

 

ଅନାଦି ଏ କଥା ଶୁଣି ରାଗରେ ଉଠିପଡ଼ି ସେ ଦି’ଜଣକୁ ଠେଙ୍ଗାରେ ପାହାରେ ପାହାରେ ପକେଇ ପଚାରିଲା–ହଇରେ, ଆଉ କହିବୁ ? ହଇରେ ଶଶୁର ପୁଅ, ତୁମେ ତ ବହୁତ ବଢ଼ି ବଢ଼ି କଥା କହିଲଣି ?

 

ଅନାଦି ପୁଣି ପାହାରେ ପକେଇ ପଚାରିଲା–ଆଉ ଇମିତି କଥା କହିବ ?

 

ଅନାଦି ସେମାନଙ୍କୁ ଆହୁରୀ ଦି’ଚାରି ପାହାର ପକେଇବାକୁ ଠେଙ୍ଗା ଉଠେଇ, ବୀରକୁ ଲକ୍ଷ୍ୟ କରି କହିଲା–ବୀର ଭାଇ, ଜାଣିଲୁ, ଏ ଯୋଡ଼ାଙ୍କର ହାତ ଗୋଡ଼ର ଅବସ୍ଥା ଯା ହେଲାଣି, ଆଉ କେତେ ଦିନ ପରେ ସବୁ ଛିଡ଼ିଯିବ । ଶଶୁର ପୁଅ ମାଦଳ ହୋଇ ଗଡ଼ିବେ । ଖାଲି ସେତିକି ନୁହେଁ, ପୋକ ଫୁଟି ମରିବେ.....

 

ଅନାଦି ଆହୁରି ପାହାରେ ପାହାରେ ପକେଇଲାରୁ, ସେ ଦି’ଜଣ କହିଲେ–ଏ ଆଉ ପାପ ନୁହେଁ । ଆଜି ପୁରାଣ ଶୁଣି ଆସିଛି । ତେଣୁ ପୁଣ୍ୟ କାମତକ ଆମରି ଉପରେ ଚଳେଇଛି.....

 

ବୀର ବାଧା ଦେଇ କହିଲା–ଥାଉ ଅନାଦି, ଆଉ ମାରନା । ସେ ଦି’ଟାତ ସେମିତି ଖରାପ ପ୍ରକୃତିର ଲୋକ.....

 

ପାହାର ବନ୍ଦ ହେଲାରୁ, ସେ ଦି’ଜଣ ଦୁଃଖ କରି କହିଲେ–ଜାଣିଲୁ ଅନାଦି, ଆମହାତ ଗୋଡ଼ ଭଲଥିଲେ ତୋ ବେକ ଆଜି ମୋଡ଼ି ଛିଣ୍ଡେଇ ଦେଇଥାନ୍ତୁ.......

 

ଅନାଦି ପୁଣି ଧମକ ଦେଇ କହିଲା–ଦେଖିବୁ, ଉଠିବି, ପାଟି ବନ୍ଦ ହଉନି.....

 

ରାତି ବଢ଼ିଲା । ଦୂରରେ ରାସ୍ତାରେ ସାଇକେଲ ରିକ୍‌ସାର ଶବ୍ଦ, କାର୍‌ ଶବ୍ଦ, ଲୋକଙ୍କର ଯିବା ଆସିବାର ଶବ୍ଦ, କଥା ବାର୍ତ୍ତାର ଶବ୍ଦ, ଧନୀ ଲୋକଙ୍କ କୋଠାଘରୁ ରେଡିଓର ଶବ୍ଦ ସବୁ କ୍ରମଶଃ କମିଗଲା ।

 

ବାଦାମ ବଗିଚାର କୁଷ୍ଠରୋଗୀମାନେ ଜଣେ ଜଣେ ହେଇ ଶୋଇବାକୁ ଆରମ୍ଭ କଲେ । ସେମାନଙ୍କ ଭିତରେ ଯେ ଯାହା ଆଲୁଅ ଜାଳୁଥିଲେ, ଲିଭେଇ ଦେଲେ । କେବଳ ଗୋଟାଏ ବାଦାମ ଗଛରେ ଗୋଟାଏ ଲଣ୍ଠଣ ଝୁଲୁଥାଏ । ତାକୁ ପ୍ରତିଦିନ ଜଣେ ଜଣେ ପାଳି କରି ଜାଳନ୍ତି । କେତେକ କୁଷ୍ଠରୋଗୀଙ୍କ ବୁଜୁଳା ଇତ୍ୟାଦି ଗଛରେ ଟଙ୍ଗା ହୋଇଥାଏ । କୁଷ୍ଠରୋଗୀଙ୍କ ଜିନିଷ ବୋଲି ସେ ସବୁ ଜିନିଷ କେହି ଛୁଅନ୍ତି ନାହିଁ । ବାହାର ଚୋରଙ୍କ ଉପଦ୍ରବ ନାହିଁ । ସବୁ ନିରାପଦ ।

 

ସହର ଯେତେ ନିଶବଦ ହୋଇ ଆସିଲା, ବାଦାମ ବଗିଚା ସେତେ ନିଶବଦ ହେଲା । ସମୁଦ୍ରର ଗର୍ଜନ ସେତିକି ବଢ଼ିଲା ।

 

ଯେଉଁ କୁଷ୍ଠରୋଗୀମାନଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ, ସେମାନେ ବେଳେ ବେଳେ ପରସ୍ପର ଭିତରେ ଆସ୍ତେ ଆସ୍ତେ ପଚରାଉଚରା ହୁଅନ୍ତି–ଭାଇ, ଏ ସମୁଦ୍ରଟା ରାତି ହେଲେ କାହିଁକି ଏତେ ଗର୍ଜେ ? ଏ କଉଁଦିନ ମାଡ଼ିଆସି ଆମକୁ ଭସେଇ ନେଇ ଯିବ....

 

ଆଉ ଜଣେ ଉତ୍ତର ଦିଏ–ଭସେଇ ନେଲେ ଭଲ ହୁଅନ୍ତା । ଆମେ ଏ କଲବଲରୁ ରକ୍ଷା ପାଇଯାନ୍ତୁ । ସେ କଣ ଆମକୁ ଛୁଇଁବ ଯେ ମାଡ଼ିଆସି ଆମକୁ ଭସେଇ ନେବ ? ଆମେ ଏଠି ରହୁଛୁ ବୋଲି ସେ ମାଡ଼ି ଆସୁ ନାହିଁ । ତୋତେ କଣ ସମୁଦ୍ର ଭସେଇ ନେଲେ ମରିଯିବୁ ବୋଲି ଭୟ ହଉଛି.....

 

ଆର ଜଣକ କହିଲା–ଭାଇ, ମରିବାକୁ ଡର ମାଡ଼ୁଛି ବୋଲି କହୁଛୁ ଯେ, ଶୁଣିବୁ ତୁମେମାନେ କେହି ଜାଣିନା । ଥରେ ଆହୁରି ବେଶି ରାତି ହବ, ଏକା ଏକା ସମୁଦ୍ର କୂଳକୁ ବାହାରି ଗଲି । ଭାବିଲି, ସମୁଦ୍ରରେ ବୁଡ଼ିମରି ପ୍ରାଣ ହରେଇ ଦେବି । ଜହ୍ନ ପଡ଼ିଥାଏ, ବାଲି ଉପରେ ଏକା ବସିଲି । ଜହ୍ନ ଆଲୁଅରେ ସମୁଦ୍ରଟା ଯେମିତି ସୁନ୍ଦର ଦିଶୁଥାଏ, ସେମିତି ଭୟ ଲାଗୁଥାଏ । ଭାବୁଛି–ପାଣି ଭିତରକୁ ପଶିଯିବି, ଭାରି ଡର ମାଡ଼ିଲା । ଯେମିତି କିଏ ଗିଳି ଦବକି ମନେ ହେଲା । ଖାଲି ମାଡ଼ି ମାଡ଼ି ପଇଲା । ଭୟରେ ପାଣି କତିରୁ ପଳେଇ ଆସି ଦୂରରେ ପୁଣି ବାଲି ଉପରେ ବସିଲି । ଭାବୁଛି–ଫେରିବି କାହିଁକି ? ମରିବାକୁ ତ ଆସିଛି...ଏତିକି ବେଳେ ଗୋଟାଏ ପୁଲିସବାଲା କୁଆଡ଼ୁ ଠେଙ୍ଗାଟାଏ ଧରି ଆସିଲା । ମୋତେ ଦେଖି ଧମକେଇଲା–ଏଠି କାହିଁକି ବସିଛୁ ? ଗଲୁ ଏଠୁଁ ନା ଦେଖିବୁ........

 

ମୁଁ କହିଲି–ବସିଲେ ଏଠି କଣ ଦୋଷ ହେଲା ? ଭାଇ ଏତିକି ଯେମିତି କହିଛି, ଆଉ ଯିବି କୁଆଡ଼େ ? ଠେଙ୍ଗାରେ ପାହାରେ ପକେଇଲା । ଆଉ ପାହାରେ ପକେଇବାକୁ ଉଞ୍ଚେଇଛି, ମୁଁ ଉଠି ପଳେଇ ଆସିଲି । ମୋର ସମୁଦ୍ରରେ ବୁଡ଼ି ମରିବା ସେଇଦିନଠୁଁ ବନ୍ଦ.....

 

ଆରଜଣକ କହିଲା–ମରିବାକୁ ତ ଯାଇଥିଲୁ, ଏତେ ଡର ମାଡ଼ିଲା କାହିଁକି ? ବୁଡ଼ି ମରିବାକୁ ସମୁଦ୍ରକୁ ଯାଉଥିଲୁ କାହିଁକି ? କୂଅ ପୋଖରୀ କଣ ନ ଥିଲା ?

 

–ଭାଇ, କୂଅ ପୋଖରୀରେ ବୁଡ଼ି ମଲେ ଲୋକେ କେତେ ଅସୁବିଧାରେ ପଡ଼ିବେ । ମୁଁ ତ ପୁଣି ଜଣେ କୁଷ୍ଠରୋଗୀ । ସମୁଦ୍ରରେ ବୁଡ଼ି ମଲେ କାହାରି ଅସୁବିଧା ହବ ନାହିଁ । ଏଇ କଥା ଭାବି, ସମୁଦ୍ରକୁ ଯାଇଥିଲି । ସେଥିରେ ବି ମରି ପାରିଲି ନାହିଁ......

 

ଗଭୀର ଜହ୍ନ ରାତିରେ ବାଦାମ ବଗିଚା ଭିତରେ ଦୁଇଜଣ କୁଷ୍ଠରୋଗୀ ଯେତେବେଳେ ଉଭୟେ ଇମିତି କଥାବାର୍ତ୍ତା ହେଉଛନ୍ତି, ସିଆଡ଼େ ଦୂରରେ ସମୁଦ୍ର କୂଳରେ ଗୋଟିଏ ତିନିତାଲା କୋଠାର ଗୋଟିଏ ବଖରା ଭିତରେ ସ୍ୱାମୀ ସ୍ତ୍ରୀକୁ ଅନୁରୋଧ କରି କହିଲେ–ଚାଲ, ଛାତ ଉପରେ କିଛି ସମୟ ବସି ଆସିବା । ଜହ୍ନ ରାତିରେ ସମୁଦ୍ରର ଦୃଶ୍ୟ ଦେଖିବା....

 

ଉଭୟେ ଛାତ ଉପରକୁ ଆସି ଦେଖିଲେ–ଦୂର ଦିଗ୍‌ବଳୟ ଠିକ୍‌ ବାରି ହେଉନି, ଆକାଶ ଆଉ ପାଣି ମିଶି ଯାଇଛନ୍ତି । ଖଣ୍ଡ ଖଣ୍ଡ ବାଦଲ ଆକାଶରେ କେତେକ ଜାଗାରେ ଦଳ ବାନ୍ଧି ଭାସି ଚାଲିଛନ୍ତି । ନୀରବ ସମୁଦ୍ରରେ ପ୍ରବଳ ଜୁଆର ଉଠିଛି । କି ଉତ୍ତାଳ ସମୁଦ୍ର !! କି ଭୟଙ୍କର ! ନି ନିର୍ଜନ ! ତଥାପି ଦେଖିବାକୁ ମନ ହେଉଛି ଅତଳ ସମୁଦ୍ର । କାହିଁକି ଏ ଢେଉ ପରେ ଢେଉ ? ଗୋଡ଼ାଗୋଡ଼ି ହେଇ ଆସି ବେଳାଭୂମିରେ ଗଡ଼ି ଯାଉଛନ୍ତି ?

 

ସମୁଦ୍ରକୁ ଦେଖୁ ଦେଖୁ ସ୍ୱାମୀ ସ୍ତ୍ରୀକୁ ପ୍ରଶ୍ନ କଲେ–ରେବା, ତୁମେ ଦେଖିଛ ତ, ଭଗବାନଙ୍କ ସୃଷ୍ଟିରେ କେତେ ସୌନ୍ଦର୍ଯ୍ୟ ଭରି ରହିଛି । କି ଚମତ୍‌କାର ଏ ଧରିତ୍ରୀ । ଦେଖୁଛ ତ, କଣ ତୁମର ମତ ?

 

ସ୍ତ୍ରୀ କହିଲେ–ଏ ଧରଣୀକୁ ଅସୁନ୍ଦର କରୁଛି ମଣିଷ । ଭଗବାନ ତାଙ୍କ ସୃଷ୍ଟିକୁ ଯଦି ଏତେ ସୁନ୍ଦର କରି ଗଢ଼ିଲେ, ସେଠି ତାଙ୍କରି ସୃଷ୍ଟିରେ ଶ୍ରେଷ୍ଠ ଜୀବ ମଣିଷକୁ ଦୁଃଖ ଦେଉଛନ୍ତି କାହିଁକି ? ଯା’ ଫଳରେ ମଣିଷ ନିଜେହିଁ ଅସୁନ୍ଦର ହେଉଛି, ଆଉ ଧରଣୀକୁ ମଧ୍ୟ ଅସୁନ୍ଦର କରୁଛି । ଧରଣୀର ଯେତେ ସୌନ୍ଦର୍ଯ୍ୟ, ସୁଖୀଙ୍କ ପାଇଁ । ଦୁଃଖୀ ପାଇଁ ନୁହେଁ...

 

ସ୍ତ୍ରୀ ପୁଣି କହିଲେ–ଆମେ ସୁଖରେ ଅଛୁଁ । ସେଇଥି ପାଇଁ ଗଭୀର ଜହ୍ନ ରାତିରେ ସମୁଦ୍ରର ଶୋଭା ଦେଖିବାକୁ ମନ ଡାକିଲା । ଯେ ଦୁଃଖୀ, ସେ ଏ ସମୁଦ୍ରକୁ ଚାହୁଁନି, ଚାହିଁଲେ ମଧ୍ୟ ଆମକୁ ଯେମିତି ଦେଖା ଯାଉଛି, ତାକୁ ସେମିତି ଦିଶୁନି । କଣ ମିଳିବ ଏ ସୌନ୍ଦର୍ଯ୍ୟରୁ ? ଚାଲ ଯିବା ଚାଲ, ମୋତେ ଆଉ ଏଠି ଭଲ ଲାଗୁନି.....

 

ସ୍ୱାମୀ ପ୍ରଶ୍ନ କଲେ–କଣ କହୁଛ ରେବା ? ଏ ସୌନ୍ଦର୍ଯ୍ୟ ତୁମକୁ ଭଲ ଲାଗୁନି କାହିଁକି ?

 

ସ୍ତ୍ରୀ ଉତ୍ତର ଦେଲେ–ଲାଗୁନି ତ କାହିଁକି କଣ ? ଚାଲ ଉଠ, ଯିବା, ତୁମେ ଯଦି ବସିବ, ବସ । ମୁଁ ଆଉ ବସିବି ନାହିଁ......

 

ସ୍ୱାମୀ ବୁଝି ପାରିଲେ ନାହିଁ, ରେବାର ଏ ମନୋଭାବ । ସେହି ରାତ୍ରିରେ ଆଉ ଗୋଟାଏ ବିରାଟ ହୋଟେଲର ଗୋଟାଏ ବିରାଟ ହଲ୍‌ ମଧ୍ୟରେ ପୁରୁଷ, ସ୍ତ୍ରୀ, ଅଧିକାଂଶ ଯୁବକ, ଯୁବତୀ ମିଶି ବଲ୍‌ଡ୍ୟାନସ୍‌ କରୁଛନ୍ତି, ସବୁ ପାଶ୍ଚାତ୍ୟ ରୀତିରେ । ଜୁଆ ଖେଳ, ମଦର ଆଡ଼୍‌ଡ଼ା, ସବୁ ଚାଲିଛି । ବାଜା ବାଜୁଛି, ଯୁବକ, ଯୁବତୀ ଉଭୟେ ଧରା ଧରି ହେଇ ବାଜାର ତାଳେ ତାଳେ ନୃତ୍ୟ କରୁଛନ୍ତି । ବାହାରେ ସମୁଦ୍ର ଗର୍ଜୁଛି । ଗର୍ଜୁ, ସେଟା ସେମିତି ଗର୍ଜେ । ଏ ଯେ ଭିତରେ ସୁରା–ସିନ୍ଧୁ ଗର୍ଜୁଛି, ଏଥିରେ କି ଅଫୁରନ୍ତ ଆନନ୍ଦ । ଖାଲି ସୁରା ନୁହେଁ, ଶାକୀ ମଧ୍ୟ । ସେଇ ସୁରା–ସିନ୍ଧୁରେ କେତେକ ବୁଡ଼ି ଯାଉଛନ୍ତି ତ କେତେକ ପୁଣି ମୁଣ୍ଡ ଟେକି ଉଠୁଛନ୍ତି । ଏମାନେ ଭାବୁ ନାହାନ୍ତି–ଏଇ ସମୁଦ୍ର କୂଳରେ ଗୋଟାଏ ବାଦାମ ବଗିଚା ଅଛି । ସେଠି କେତେକ ମଣିଷ ଅଛନ୍ତି । ତାଙ୍କର ଜୀବନ ଅଛି, ଅନୁଭୂତି ଅଛି, ଚେତନା ଅଛି.....

 

ଏମାନେ ଭାବୁଛନ୍ତି–ୟାଙ୍କର ମୃତ୍ୟୁ ନାହିଁ, ଏମାନେ ଅମର । ଇମିତି ନାଚି କୁଦି ଆନନ୍ଦଉଲ୍ଲାସରେ ଅନନ୍ତକାଳ ଭୋଗ କରି ଚାଲିଥିବେ । ଏମାନେ ଯଦି ବାଦାମ ବଗିଚାର ମଣିଷ ଗୁଡ଼ାଙ୍କୁ ଦେଖିବେ, ଭାବିବେ–ଏମାନେ ମଣିଷ ନୁହନ୍ତି । ଏମାନେ ରାସ୍ତା କଡ଼ର ପ୍ରାଣୀ....

 

ଆଉ ଗୋଟାଏ ଜାଗାରେ ନୃତ୍ୟ ଗୀତ ଚାଲିଛି । ଏ ହେଲା ଏକ ବାରାଙ୍ଗନାର ଆସର-। ଆମର ଭାରତୀୟ ରୀତିରେ ଏଠି ପାଶ୍ଚାତ୍ୟର ଗନ୍ଧ ନାହିଁ । କେତେକ ରଙ୍ଗରାଜ ରସିକ ଚୂଡ଼ାମଣିଙ୍କ ଏଠି ଆଡ଼୍‌ଡ଼ା ଜମିଛି । ସମସ୍ତଙ୍କ ଗଳାରେ ଫୁଲମାଳ ପଡ଼ିଛି । ସାମନାରେ କାଚର ଗ୍ଳାସ୍‌, ବୋତଲରେ ରଙ୍ଗିନ୍‌ ସୁରା । କେତେକ ମଝିରେ ମଝିରେ ବୋତଲରୁ କାଚ ଗ୍ଳାସ୍‌ରେ ଢାଳି ସୁରାପାନ କରୁଛନ୍ତି । କିଏ ସୁରା–ସିନ୍ଧୁରେ ଭାସି ଭାସି ଚାଲିଛି, କିଏ କୂଳରେ ଠିଆ ହେଇ ଦେଖୁଛି–ଭାବୁଛି–ଢେଉ ଭାଙ୍ଗିବ ଏକା ଏକା, ନୋଳିଆର ଦରକାର ନାହିଁ । ଏଥିରେ ବୁଡ଼ିମଲେ କି ଆନନ୍ଦ !! କେତେକ ବୁଡ଼ି ଯାଉ ଯାଉ ପୁଣି ଉଠି ପଡ଼ି ନୃତ୍ୟରତା ବାରାଙ୍ଗନାର ଶାଢ଼ୀର ଅଞ୍ଚଳକୁ ଧରି ପକଉଛନ୍ତି । କେତେକ ବାରାଙ୍ଗନାର ଗୋଟିଏ ପାଦକୁ ଧରି ଗଡ଼ି ଯାଉଛନ୍ତି । ବାରାଙ୍ଗନା ବେଳକେ ନାଚି ନାଚି ଦୂରକୁ ଚାଲି ଯାଉଛି, ଧରା ଦଉନି, ହସୁଛି, ଆଖି ଠାରୁଛି ।

 

ଏ ସୁରା–ସିନ୍ଧୁର ଗର୍ଜନର ତାଳେ ତାଳେ ବାୟକ ଦଳର ବାଦ୍ୟଯନ୍ତ୍ର ସଙ୍ଗେ ସଙ୍ଗେ ବାରାଙ୍ଗନାର ପାଦର ଘୁଙ୍ଗୁରର ଶବ୍ଦ । ଆଉ ତାର ସାବଲୀଳ ଅଙ୍ଗ ଭଙ୍ଗୀ ଇମିତି ସମନ୍ୱୟ ରକ୍ଷାକରି ଏକ ଉନ୍ମାଦନାପୂର୍ଣ୍ଣ ଅନୁପମ ଛନ୍ଦ ସୃଷ୍ଟି କରୁଛନ୍ତି । ଯାର ପରିବେଶ ମଧ୍ୟରେ କେତେକ ମାତାଲ ରସିକ ଚୂଡ଼ାମଣି ଉନ୍ମାଦ ହେଇ ପାଟି କରି ଉଠୁଛନ୍ତି–ତୋଫା ତୋଫା....

 

ଏ ଆସର ଦେଖି ମନେ ହେବ–ଏଠି ମୃତ୍ୟୁର ପ୍ରବେଶ ନିଷେଧ । ଏଠି ଯେଉଁ ଜୀବନର ସ୍ରୋତ ଚାଲିଛି, ମୃତ୍ୟୁକୁ କୁଆଡ଼େ ଭସେଇ ନେଇଯିବ, ତାରା ଇୟତ୍ତା ନାହିଁ । ମୃତ୍ୟୁ ପଶି ପାରେ ବାଦାମ ବଗିଚାରେ । ସେଠି ଜୀବନର ସ୍ରୋତ ଏତେ ପ୍ରଖର ନୁହେଁ । ମୃତ୍ୟୁକୁ ଭସେଇ ନବାର ତାର ଶକ୍ତି ନାହିଁ, କିନ୍ତୁ ମୃତ୍ୟୁ ସେଠିକି ଯିବାକୁ ଅନିଚ୍ଛୁକ । ସେଗୁରାଙ୍କୁ କିଏ ନବ ? ସେଗୁରାଙ୍କୁ ଛୁଇଁବା ଉଚିତ ନୁହେଁ । ଅପରିଷ୍କାର, ଦୁଃଖୀ ଗୁରାକ । ଜୀବନହିଁ ତାଙ୍କର ଏକମାତ୍ର ସମ୍ୱଳ । ଇମିତି ସୁନ୍ଦର ପରିଷ୍କାର ସୁଖୀମାନଙ୍କୁ ନେଲେ ମୃତ୍ୟୁର ବାହାଦୁରୀ । ସେଇଥିପାଇଁ ସୁଖୀକି ଆୟୁଷ ନାହିଁ କି ଦୁଃଖୀକୁ ମରଣ ନାହିଁ......

 

ସେମାନେ ମୃତ୍ୟୁକୁ ଖୋଜିଲେ ମଧ୍ୟ ମୃତ୍ୟୁ ସେଠିକି ଯାଉ ନାହିଁ । ସେ ବାଦାମ ବଗିଚାକୁ କିଏ ଯାଏ ?

 

ସେମାନେ ଯଦି ବେକରେ ଦଉଡ଼ି ନେଇ ଡାକିବେ କିମ୍ୱା ବିଷ ଖାଇ ଡାକିବେ, ତେବେ ମୃତ୍ୟୁ ସେଠିକି ଯାଇ ପାରେ ।

 

ଏ ବାରାଙ୍ଗନାର ଆସରରେ ଯେଉଁମାନେ ଉବେଇ ଟୁବେଇ ହେଉଛନ୍ତି, ସେମାନେ କେତେକ ଆକୁଳ ହେଇ ନୃତ୍ୟରତା ବାରାଙ୍ଗନାକୁ ଚାହୁଁଛନ୍ତି । ଭଲକରି ଚାହିଁପାରୁ ନାହାନ୍ତି । ଆଖି ଲାଲ, ପତା ମାଡ଼ି ମାଡ଼ି ପଡ଼ୁଛି, ବାରାଙ୍ଗନା ନାଚି ନାଚି ପାଖକୁ ଚାଲିଆସି ରସିକ ଚୂଡ଼ାମଣିଙ୍କ ଓଠରେ ହାତ ଛୁଇଁଦେଲା ବେଳକୁ ସେମାନେ ତଳେ ଲୋଟିଯାଇ ତାର ପାଦ କିମ୍ୱା ଶାଢ଼ିର ଅଞ୍ଚଳକୁ ଧରିପକେଇବାକୁ ଚେଷ୍ଟା କଲାବେଳକୁ ବାରାଙ୍ଗନା ନାଚି ନାଚି ଦୂରକୁ ପାଖେଇ ଯାଉଛି, ଧରା ଦଉନି, ଘୂରି ଯାଉଛି । ରସିକ ଚୂଡ଼ାମଣିଙ୍କ ତରଫରୁ ଏତେବେଳେ ପୁଣି ପାଟି ଉଠୁଛି–ଲୁଟଲିଆ, ଲୁଟଲିଆ........

 

କେତେକ ରସିକ ଉନ୍ମାଦ ହେଇ ଟଙ୍କା ବନ୍ଧା ହେଇଥିବା ସୁଗନ୍ଧମୟ ରୁମାଲ, ଆଉ ନିଜ ଗଳାର ଫୁଲମାଳକୁ କାଢ଼ି ବାରାଙ୍ଗନା ଉପରକୁ ଫୋପାଡ଼ୁଛନ୍ତି ।

 

ଜଣେ ଏ ମଜଲିସରେ ଗାଲିଚା ଉପରେ ମାତାଲ ହେଇ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଗଡ଼ୁଛି । ତାକୁ ଯେମିତି ସୁରାସିନ୍ଧୁର ଢେଉ ଆଣି କୂଳରେ ବେଳାଭୂମିରେ ଫୋପାଡ଼ି ଦେଇଛି । ଅଚୈତନ୍ୟ ଅବସ୍ଥାରେ ଗଡ଼ୁଛି । ତାର ଏ ଅବସ୍ଥାରେ ତାକୁ ଟିକିଏ ସାଷ୍ଟାମ କରି ସଜାଡ଼ି ବସେଇବା ପାଇଁ ତାର କାନ ପାଖରେ ଜଣେ ଡାକୁଛି–ଶୁନିୟେ ବାବୁଜୀ....

 

ଏତିକିବେଳେ ଦୂରରେ ବାଦାମ ବଗିଚାରେ ଆଲୁଅ ଛାଇ ମଧ୍ୟରେ ଜଣେ ଡାକୁଛି–ଶୁଣୁଛ, କିଏ ଶୋଇଛି ଏଠି ? ଉଠିବ ଟିକିଏ, ଶୁଣୁଛ......

 

ବାନା ପରିଡ଼ାର କାନରେ ଏ ଡାକ ବାଜିଲା । ବାନା ପରିଡ଼ା ପ୍ରଥମେ ଭୟକରି ଗଲା–କିଏ ? ଏତେ ରାତିରେ ଏ ବାଦାମ ବଗିଚାରେ କିଏ ଆସି ଡାକୁଛି ? ପୁଣି ତାଙ୍କପରି କୁଷ୍ଠରୋଗୀଙ୍କ ପାଖକୁ ଆସି !!

 

ବାନା ପରିଡ଼ା ଉଠି ଚାହିଁ ଦେଖିଲା–ଗୋଟାଏ ବଡ଼ ମଣିଷ । ଆଲୁଅ ଆଉ ବାଦାମ ଗଛର ଛାଇରେ ଭଲକରି ଚିହ୍ନିହଉନି । ତଥାପି ବାନା ପରିଡ଼ା ସାହସ କରି ନିଜ ଠେଙ୍ଗା ଖଣ୍ଡକ ଖୋଜୁ ଖୋଜୁ ପଚାରିଲା–କିଏସେ ?

 

ଅଚିହ୍ନା ମଣିଷଟା ଉତ୍ତର ଦେଲା–ଭୟ କରନା, ମୁଁ ଡାକୁଛି, ମୁଁ ମହାଜନ ସୁଦାମ ବାବୁ ।

 

ବାନା ପରିଡ଼ା ସୁଦାମ ବାବୁଙ୍କ ଭଲକରି ଜାଣେ । ତାଙ୍କ ଗୋଦାମକୁ ପ୍ରାୟ ମଝିରେ ମଝିରେ ଯାଏ ଭିକ ମାଗିବାକୁ । ବାନା ପରିଡ଼ା ଆଶ୍ଚର୍ଯ୍ୟ ହେଇ ପଚାରିଲା–ବାବୁ, ଆପଣ କାହିଁକି ଏଠିକି ଆସିଛନ୍ତି ଏତେରାତିରେ ?

 

ସୁଦାମ ବାବୁ ବଡ଼ ସତର୍କ ହେଇ ଡାକିଲେ–ଚୁପ୍‌, ପାଟି କରନା, ଏଣିକି ଆସିବୁ.....

 

ବାନା ପରିଡ଼ା ଉଠି ଯାଉ ଯାଉ ତା’ ଛାତିଟା ଧଡ଼ ଧଡ଼ ହେଲା । କାହିଁକି ଏତେ ରାତିରେ ଏଡ଼େବଡ଼ ମହାଜନ ଲୋକ ଆମ ପାଖକୁ ଆସି ଡାକୁଛନ୍ତି ? କି ବିପଦ କଥା ଏ !!

 

ସୁଦାମ ବାବୁ ଆଉ ବାନା ପରିଡ଼ା ଉଭୟେ ପଦାକୁ ଗଲେ । ବାନା ପରିଡ଼ା ଦିହଟା ଥରୁଥାଏ, ସେ ସୁଦାମ ବାବୁଙ୍କ ପାଖରୁ ଟିକିଏ ଦୂରେଇ ଠିଆହେଲା । ଗୋଟାଏ ନିଛାଟିଆ ଜାଗା, କେହି ନାହାନ୍ତି, ସୁଦାମ ବାବୁ, ଆଉ ସେ ।

 

ସୁଦାମ ବାବୁ ପଚାରିଲେ–ତୋ’ ନାଁ କଣ ?

 

ବାନା ପରିଡ଼ା ଉତ୍ତରରେ ନିଜର ନାଁ ଥକମକ ହେଇ କହିଲା । ସୁଦାମ ବାବୁ କହିଲେ–କିଛି ଭୟ କରନା, ଗୋଟାଏ କାମ କରିପାରିବୁ ?

 

ବାନା ପରିଡ଼ା ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଇ ଭାବିଲା–ତା ଦ୍ୱାରା କି କାମ ହେବ ? ପୁଣି ଏଡ଼େବଡ଼ ମହାଜନଙ୍କର କାମ ! କି କାମ ସେ ? ତା’ପରି କୁଷ୍ଠରୋଗୀ ଜଣେ କରି ତୁଲେଇବ, ଏ ଆଶାରେ ଜଣେ ମହାଜନ ଆସି ତାକୁ କହୁଛନ୍ତି ! ପୁଣି ଏତେ ରାତିରେ !!

 

ସୁଦାମ ବାବୁ ଦେଖିଲେ–ବାନା ପରିଡ଼ା ଦ୍ୱାରା ତାଙ୍କ କାମ ହେଇପାରିବ । ବାନା ପରିଡ଼ା ଅଧୁଆଡ଼ି ଲୋକ, ମଜବୁତ ଦିହ, କିନ୍ତୁ ହାତ, ଗୋଡ଼ର ଆଙ୍ଗୁଳି କେତେଟା ଛିଣ୍ଡିଯାଇଛି । ମୁହଁଟା ଅନ୍ଧାରରେ ଭଲ ଦେଖା ଯାଉନି । ଅସ୍ପଷ୍ଟ ଜଣା ପଡ଼ୁଛି ।

 

ସୁଦାମ ବାବୁ ଟର୍ଚ୍ଚ ପକେଇ ବାନା ପରିଡ଼ା ମୁହଁକୁ ଦେଖିଲେ–ବାନା ପରିଡ଼ା ମୁହଁଟା ଫୁଲା ଫୁଲା ଦେଖାଯାଉଛି । ଭୁରୁ ବାଳଗୁଡ଼ା ଉପୁଡ଼ି ଯାଇଛି, ନାକ ଚେପଟା ଦିଶୁଛି ।

 

ସୁଦାମ ବାବୁ କହିଲେ–ଦେଖ ବାନା, ମୁଁ ତୋତେ ଗୋଟାଏ କାମ ବତେଇବି । ତୁ ଯଦି କରି ପାରିବୁ, ତୁ ଯା କହିବୁ, ମୁଁ ସେଇୟା ଦେବି....

 

ବାନା ପରିଡ଼ା ଭୟ ଭୟରେ ପଚାରିଲା–ବାବୁ, କି କାମ ? ସୁଦାମ ବାବୁ ଚାରି ଆଡ଼କୁ ଅନେଇ ସତର୍କ ଭାବରେ ତୁନି ତୁନି ହେଇ କହିଲେ–ଦେଖ ବାନା, ତୁ କାହାରି ଆଗରେ କହିବୁ ନାହିଁ, କାମ ହେଲା–ଦି’ ସେର ଅଫିମ ଗୋଟାଏ ଜାଗାରେ ପହଁଚେଇ ଦେଇ ଆସି ପାରିବୁ ?

 

ବାନା ଏତେବେଳେ ଗୋଟାଏ ସ୍ୱସ୍ତିର ନିଶ୍ୱାସ ମାରି, ତଥାପି ଭୟଭୀତ ହେଇ କହିଲା–ବାବୁ, ମୁଁ ନେଇ ଯାଉ ଯାଉ ମୋତେ ବାଟରେ ଅବଗାରୀ ବିଭାଗର ଲୋକ ଯଦି ଧଇଲେ, ମୋ ଅବସ୍ଥା କଣ ହବ ? ଅଫିମତ ଛଡ଼େଇ ନେବେ, ଆଉ ସଜା ତ ପୁଣି ହବ......

 

ସୁଦାମବାବୁ କହିଲେ–ତୁ ତ ହେଲୁ କୁଷ୍ଠରୋଗୀ, ତୋତେ କଣ କେହି ସନ୍ଦେହ କରିବେ-? ଯଦି ସନ୍ଦେହ କରି କେହି ଧରେ, ତୋତେ ଜେଲକୁ କେହି ନେବେ ନାହିଁ ।

 

ଏତେବେଳେ ବାନା କହିଲା–ବାବୁ, ଜେଲକୁ ସିନା ନେବେ ନାହିଁ, ମାଡ଼ ଦେବେ । ବାବୁ, ମୁଁ ଆପଣଙ୍କ ଗୋଡ଼ତଳେ ପଡ଼ୁଛି, ମୁଁ କରି ପାରିବି ନାହିଁ । ମୋତେ କ୍ଷମା ଦିଅନ୍ତୁ ।

 

ବାନା ପୁଣି କହିଲା–ବାବୁ ଦେଖନ୍ତୁ, ଆମ୍ଭେମାନେ କୁଷ୍ଠ ରୋଗୀ । ଆମେ ଅଫିମ ନେଲେ ଲୋକେ ଖାଇବେଟି ?

 

ସୁଦାମବାବୁ–ଇମିତି କେତେ ଅଫିମ କୁଷ୍ଠରୋଗୀମାନଙ୍କ ଦ୍ୱାରା ଚାଲାନ ହେଉଛି, ତାକୁ ତ ପୁଣି ଲୋକେ ଖାଉଛନ୍ତି । ଯଦି ଖାଉନାହାନ୍ତି, ସେ ଅଫିମ ସବୁ କୁଆଡ଼େ ଯାଉଛି ? ବୋକା ଲୋକଟା ତୁ, ଭୟ କରୁଛୁ କାହିଁକି ? ଆ ମୋ ଗୋଦାମ ପାଖକୁ ଆ । ମୁଁ ତୋର ସବୁ ସୁବିଧା କରି ପଠେଇ ଦଉଛି । ଏଇ ଭୋର ଗାଡ଼ିରେ ବାହାରି ଯିବୁ । ମୁଁ ତୋର ଖାଇବା ଖର୍ଚ୍ଚ, ଯିବା ଆସିବା ସବୁ ଖର୍ଚ୍ଚ ଦେବି, ଟିକେଟ କରି ଦେବି । ଏଇ ଭୋରରେ ଟ୍ରେନ୍‌ ଯିବ, ସେଇଥିରେ ତୁ ଚାଲିଯା... ।

 

ବାନା କହିଲା–ବାବୁ, ଆମେ ଏଠି ଯେତେ ଜଣ କୁଷ୍ଠରୋଗୀ ଅଛୁଁ, ଆମ ଭିତରେ ଜଣେ ବୀର ବୋଲି ଲୋକ ଅଛି । ତାକୁ ଆମେ ମାନୁ । ତାରି କଥାରେ ଆମେ ଚଳୁ । ସେ ଆମର ଭଲ ମନ୍ଦ ସବୁ କଥା ବୁଝେ । ତାକୁ ନ ଜଣେଇ, ମୁଁ କିମିତି ଯିବି ? ତାକୁ ପଚାରିବି, ସେ ଯଦି କହିବ ତା ହେଲେ ଯିବି......

 

ସୁଦାମ ବାବୁ ବାନାର ଏ କଥା ଶୁଣି କହିଲେ–ଏ କଥା ଆଉ କାହାରି ଆଗରେ କହିବାର ନୁହେଁ । ତୁ ଜାଣିଲୁ କି ମୁଁ ଜାଣିଲି । ଆଉ କେହି ଜାଣିବା ଉଚିତ୍‌ ନୁହେଁ । ତାକୁ କିଛି ନ କହି ଚୁପ୍‌ରେ ଚାଲିଆ । ସେ ଗୋଟାଏ କଣ କହିବ ? ତୁ ଏ ଅଫିମତକ ପହଁଚେଇ ଦେଇ ଆସିଲେ, ତୋ ମନ ଖୁସି କରିଦେବି । କିଛି ଭାବନା, ଯୋଉଠି ପହଁଚେଇବୁ ସେଠା ଠିକଣା ଇତ୍ୟାଦି ତୋତେ ଦେବି । ମୁଁ ଆଗରୁ ତାଙ୍କୁ ଜଣେଇ ଦେଇଛି ଯେ–ଜଣେ କୁଷ୍ଠରୋଗୀ ହାତରେ ଅଫିମ ପଠଉଛି । କିଛି ନ ଭାବି ଚାଲ ମୋ ଗୋଦାମକୁ, ମୁଁ ଆଗେ ସାଇକେଲ୍‌ରେ ଯାଉଛି….

 

ବାନା ପରିଡ଼ା କହିଲା–ହଉ, ଚାଲନ୍ତୁ ଆପଣ, ମୁଁ ଯାଉଛି.....

 

ସୁଦାମ ବାବୁ–ଶୀଘ୍ର ଆ, ଡେରି କଲେ ଗାଡ଼ି ମିଳିବ ନାହିଁ ।

 

ସୁଦାମବାବୁ ସାଇକେଲ୍‌ରେ ଉଠି ଆଗେ ବାହାରି ଗଲେ ।

 

X X X

 

ପୁଣି ସକାଳ ହେଲା । ସମୁଦ୍ରର ସେହି ନାଚ କୁଦ, ବେଳା ଭୂଇଁରେ ଗଡ଼ା ଗଡ଼ି, ସେହି ସୂର୍ଯ୍ୟୋଦୟ । ଯାତ୍ରୀମାନଙ୍କର ସମୁଦ୍ର କୂଳକୁ ଦଉଡ଼–ସୂର୍ଯ୍ୟୋଦୟ ଦେଖିବେ । ଯୁଗ ଯୁଗ ଧରି ସେହି ପୁରାତନ ସୂର୍ଯ୍ୟ ଗୋଟିଏ ଦିଗରେ ଉଠୁଥିଲେ ମଧ୍ୟ ବିରକ୍ତି ନାହିଁ; ଅବସାଦ ନାହିଁ, ଲଜ୍ଜା ନାହିଁ-। ସେମିତି ନିର୍ଲଜ୍ଜ ମୁହଁକୁ ସମୁଦ୍ରର ଜଳରେ ଧୋଇ ଦେଇ ନୂତନ ରୂପେ ଦେଖାଦବ । ଲୋକଙ୍କର ମଧ୍ୟ ବିରକ୍ତ ନାହିଁ, ଅବସାଦ ନାହିଁ । ସେହି ପୁରୁଣା ସୂର୍ଯ୍ୟକୁ, ସମୁଦ୍ରକୁ ନୂଆ କରି ଦେଖିବେ । ସକାଳର ସମୁଦ୍ର କୂଳର ହାଓ୍ୱାରେ ବୁଲିବେ । ଯାତ୍ରୀ ଚାଲିଲେ.....

 

ବାଦାମ ବଗିଚାର କୁଷ୍ଠରୋଗୀମାନେ ରାସ୍ତାର ଦୁଇ ପାଖରେ ଯେ ଯା’ର ସୁବିଧା କରି ବସି ପଡ଼ିଲେ । ନିତି ଯେ ଯଉ ଜାଗାରେ ବସେ, ସେଠି ସେ ବସିବା ଛଡ଼ା ଆଉ କେହି ବସିଲେ ଗାଳି ଗୁଲଜ, କଜିଆ, ମରାମରି.....

 

ସମସ୍ତେ ବସିବା ପରେ ବୀର ସମସ୍ତଙ୍କୁ ନଜର କଲା–ସମସ୍ତେ ଅଛନ୍ତି କି’ନା ? କିଏ’ ଆସିନାହିଁ, କିଏ କୁଆଡ଼େ ଗଲା ? ନଜର କରି ବୀର ଦେଖିଲା–ବାନା ପରିଡ଼ା ଜାଗା ଖାଲି ପଡ଼ିଛି-। ସେ କୁଆଡ଼େ ଗଲା ! ସେ ତ ଯୁଆଡ଼େ ଯାଏ ତାକୁ କହିଯାଏ । ଆଜି କାହିଁକି ତାର ଦେଖା ନାହିଁ-?

 

ଯାତ୍ରୀଙ୍କୁ ଦେଖି ସେହି ଆର୍ତ୍ତନାଦ, ଚିତ୍‌କାର, କାକୁତି ମିନତି । ମିଛରେ ଅଖାରେ ମୁହଁ ଢାଙ୍କି କରୁଣ ସ୍ୱରରେ କାନ୍ଦିବା, କୃତ୍ରିମ ମୁଣ୍ଢା ହାତକୁ ଛଟ ଛଟ କରିବା ।

 

ବୀର ଆଉ ପାର କତିରେ କତିରେ ଲଗା ଲଗି ହେଇ ବସନ୍ତି । ଦୁହିଁକ ସାମନାରେ କନା ବିଛା ହୋଇଥାଏ । ଉଭୟେ ଯାତ୍ରୀମାନଙ୍କୁ କହନ୍ତି–ଦେଇଯାଅ, ଦେଇଯାଅ, ଭଗବାନ ଆପଣଙ୍କର ମଙ୍ଗଳ କରିବେ.....

 

ଆଉ କିଏ କେତେ ପ୍ରକାର ଡାକ ଦିଅନ୍ତି । ଯେମିତି ଦଳେ ଯାତ୍ରୀ ଚାଲିଗଲେ, ଯେ ଯାର ଦେଖିବାରେ ଲାଗି ପଡ଼ନ୍ତି–କିଏ କଣ ଦେଲା, କଣ ମିଳିଲା ?

 

ପାଇଲେ ପ୍ରଶଂସା, ଆଶୀର୍ବାଦ, ନ ମିଳିଲେ ନିନ୍ଦା, ଗାଳି....ଦଳେ ଲୋକ କୀର୍ତ୍ତନ କରି ଝାଞ୍ଜ ମୃଦଙ୍ଗ ବଜେଇ ନାଚି ନାଚି ଆସିବାର ଦୂରରୁ ଦେଖି କୁଷ୍ଠରୋଗୀମାନେ କୁହାକୁହି ହେଲେ–ଏ କୀର୍ତ୍ତନିଆ ଦଳ ଯେ ଆସୁଛନ୍ତି, ଏମାନଙ୍କଠାରୁ ଭାଇ କିଛି ମିଳିବ ନାହିଁ । ଏ ଗୁରାକ ଭାଇ ବାନାଖାଡ଼ିଆ ଦଳ କଉଠୁଁ ଆସିଛନ୍ତି ? ସମୁଦ୍ରକୁ ଯାଉଛନ୍ତି ଗାଧୋଇବାକୁ......ଆଉ ଜଣେ ଦି’ଜଣ କହିଲେ–ନା, ଏମାନେ ତ ଭଲ ଦାନ କରନ୍ତି । ତେବେ ଗାଧେଇ ଫେରିବାବେଳେ......

 

କୀର୍ତ୍ତନୀଆଦଳ ବାଜା ବଜେଇ ଭଜନ କରୁ କରୁ କୁଷ୍ଠରୋଗୀଙ୍କୁ ଅତିକ୍ରମ କରି ଚାଲିଗଲେ । କେବଳ କୁଷ୍ଠରୋଗୀମାନେ ଶୁଣିଲେ–

 

ରଘୁପତି ରାଘବ ରାଜାରାମ,

ପତିତପାବନ ସୀତାରାମ......

 

କୀର୍ତ୍ତନୀଆଦଳ ଚାଲିଗଲା ପରେ କୁଷ୍ଠରୋଗୀମାନେ ବିରକ୍ତ ହୋଇ କୁହାକୁହି ହେଲେ–ଭାଇ, ଦେଖିଲତ, କିଛି ମିଳିଲା ? ଆମେ ସିନା କୋଢ଼ିଆ ହେଇଛୁ, ଆମର ହାତ ଗୋଡ଼ ଛିଣ୍ଡି ଖଣ୍ଡିଆ ଖାବରା ହେଇ ଗଲାଣି । ଏଗୁଡ଼ାଙ୍କର ହାତ ଗୋଡ଼ ଥାଇ ସୁଦ୍ଧା ଏମାନେ କୋଢ଼ିଆ । ଏମାନଙ୍କର କିଛି କାମ ନାହିଁ । ଖାଲି ଠାକୁର ସେବା ପୂଜା ନାଁ କରି ଅନ୍ନ ଧ୍ୱଂସ କରୁଛନ୍ତି । ଏଗୁରାକ ତୁଚ୍ଛା କର୍ମକୋଢ଼ିଆଗୁରାକ । ସେମାନଙ୍କର ଦେହ ଦେଖିଲତ, କିମିତିଆ ଗୋଟାଏ ଗୋଟାଏ ମାଲ ପରି ହୋଇଛନ୍ତି ! ଦେହରେ ମାଛି ବସିଲେ ମାଛି ଖସି ପଡ଼ିବ....

 

ଏଇ ସମୟରେ ସମୁଦ୍ରଆଡ଼ୁ ଗୋଟାଏ ଦାମି କାର୍‌ ହର୍ଣ୍ଣ ଦେଇ ଆସ୍ତେ ଆସ୍ତେ ଆସିଲା-। କାର୍‌ ଭିତରେ ବସିଛି ରେବା ଆଉ ତାର ସ୍ୱାମୀ ବିନୟ ବାବୁ । ଆଧୁନିକ ସାଜ ସଜ୍ଜା–ଶାଢ଼ି, ସୁନାର ଅଳଂକାର, ମୁଣ୍ଡର କୁଞ୍ଚିତ କେଶ । ଦେହର ସୌରଭରେ କାର୍‌ ଭିତରଟା ଝଲସି ଉଠୁଛି-। ବିନୟ ବାବୁ ମଧ୍ୟ ତଦ୍ରୁପ ସୁନ୍ଦର ସୁଠାମ ପୁରୁଷ, ରେବାର ଯୋଗ୍ୟ ସ୍ୱାମୀ ।

 

କାର୍‌ ଯେତେବେଳେ ଆସି କୁଷ୍ଠରୋଗୀମାନଙ୍କ ଅଳ୍ପ ଦୂରରେ ହେଲା, କୁଷ୍ଠରୋଗୀମାନେ ଯେ ଯାର ଉପାୟରେ କାତରୋକ୍ତ କରି ଭିକ ମାଗିବାରେ ଲାଗି ପଡ଼ିଲେ । କୁଷ୍ଠରୋଗୀମାନଙ୍କ ନିକଟରେ କାର୍‌ ପହଞ୍ଚିଲାରୁ ବିନୟ ବାବୁ ଡ୍ରାଇଭର୍‌କୁ କାର୍‌ ଠିଆ କରିବାକୁ କହିଲେ । କାର୍‌ ବନ୍ଦ ହେଲା । ବିନୟ ବାବୁ, ରେବା ଉଭୟେ କାର୍‌ ଭିତରୁ ଓହ୍ଲେଇ ପଡ଼ି ରାସ୍ତାର ଦି’କଡ଼ରେ ବସିଥିବା କୁଷ୍ଠରୋଗୀମାନଙ୍କୁ ଟଙ୍କା ଦବାକୁ ଆରମ୍ଭ କଲେ । ରାସ୍ତାର ଗୋଟିଏ ପାଖର ରୋଗୀଙ୍କୁ ବାଣ୍ଟି ସାରି, ରାସ୍ତାର ଅନ୍ୟ ପାଖରେ ବସିଥିବା ରୋଗୀମାନଙ୍କୁ ଟଙ୍କା ବାଣ୍ଟିବା ଆରମ୍ଭ କଲେ । ପ୍ରତ୍ୟେକଙ୍କୁ ଦୁଇଟଙ୍କା ଲେଖାଁଏ ।

 

କୁଷ୍ଠରୋଗୀମାନେ ଆନନ୍ଦରେ ପାଟି କରୁଥାନ୍ତି–ବାବୁଙ୍କର ଜୟ ହେଉ, ମା ଅଇ ସୁଲକ୍ଷଣୀ ହୁଅନ୍ତୁ । ବାବୁଙ୍କର ଉନ୍ନତି ହେଉ....

 

ଟଙ୍କା ବାଣ୍ଟୁ ବାଣ୍ଟୁ ବିନୟ ବାବୁ ଆଉ ରେବା ଯେତେବେଳେ ବୀର ଓ ପାର ବସିଥିବା ଜାଗାରେ ଅଳ୍ପ ଦୂରରେ ଆସି ପହଞ୍ଚିଲେ, ବୀର ରେବାକୁ ଦୂରରୁ ଚିହ୍ନି ପାରିଲା–ଏ ତ ସେଇ ଝିଅ......

 

ବୀର ପାରକୁ କହିଲା–ମୁଁ ଟିକିଏ ଆସୁଛି, ସେମାନେ ଯା’ ଟଙ୍କା ଦେବେ ତୁ ରଖିବୁ.....

 

ବୀର ଉଠି ପଳେଇଲା ଭଳି ତରବରରେ ଦୂରକୁ ଯାଇ ଗୋଟାଏ ଗଛ ଉଢ଼ାଳରେ ଲୁଚି ଠିଆ ହେଇ ରେବାକୁ କେତେଥର ଅନେଇଲା–ସେଇ ଝିଅ ତ ! କଣ ହେଇଛି ୟା ରୂପ ! ଗୋଟାଏ ଧନୀ ଲୋକକୁ ବାହା ହେଇଛି । ବୀର ଆଖିରୁ ଲୁହ ଗଡ଼ି ପଡ଼ିଲା । ମନେ ମନେ ଭାବିଲା–ତାର ନିଜର ଅବସ୍ଥା ଆଜି କଣ ହେଇଛି !

 

ବିନୟ ବାବୁ ରେବା ଆସି ବୀର ବସିବା ଜାଗାରେ ପହଞ୍ଚି ପାରକୁ ଦୁଇଟଙ୍କା ଦେଲେ । ବୀର ଜାଗାରେ କେହି ନ ଥିବାର ଦେଖି ସେଠୁଁ ଅନ୍ୟ ଜଣକ ପାଖକୁ ଗଲାବେଳେ ପାର କହିଲା–ସେ କହି ଯାଇଛି–ତା’ ଟଙ୍କା ମୋତେ ଦେଇଯିବା ପାଇଁ । ବାବୁ, ବାବୁ ଦେଇଯାନ୍ତୁ, ଦେଇଯାନ୍ତୁ.....

 

ବିନୟ ବାବୁ ଆଉ ରେବା ଦୂରକୁ ଚାହିଁ ଦେଖିଲେ–ଲୋକଟା ଦୂରରେ ଗଛ ଉଢ଼ାଳରେ ଠିଆ ହେଇ ଥରେ ତାଙ୍କୁ ଚାହୁଁଛି, ପୁଣି ଲୁଚି ଯାଉଛି । ରେବା ବୀରକୁ ଚିହ୍ନି ପାରିଲା ନାହିଁ । ବୀରର ମୁହଁ କୁଷ୍ଠ ରୋଗରେ ବିକୃତ ହେଇ ଯାଇଛି ।

 

ଅନ୍ୟାନ୍ୟ କୁଷ୍ଠରୋଗୀମାନଙ୍କ ମଧ୍ୟରୁ କେତେକ ଡାକ ପକେଇଲେ,–ବୀର ଭାଇ, ଆ ଏଣିକି....

 

ବୀର ଆସିଲା ନାହିଁ ।

 

ଅନ୍ୟାନ୍ୟ କୁଷ୍ଠରୋଗୀମାନେ ଆଶ୍ଚର୍ଯ୍ୟ ହେଲେ–ବୀର ଭାଇ କାହିଁକି ଇମିତି କଲା ? ନିଜ ଜାଗାରୁ କାହିଁକି ଉଠି ପଳେଇଲା ? କେଡ଼େ କେଡ଼େ ବଡ଼ ଧନୀ ଲୋକ ତ ସାଙ୍ଗରେ ତାଙ୍କ ସ୍ତ୍ରୀକୁ ଘେନି ଏକା ସଙ୍ଗେ ଟଙ୍କା ବାଣ୍ଟି ଯାଉଛନ୍ତି । ବୀରଭାଇ ତ ବସିଥାଏ, କେଭେ ଉଠି ଚାଲି ଯାଏନି । କଣ ଏ ଘଟଣା ! ବୀର ଭାଇ କଣ ଭୟରେ ଉଠି ପଳେଇଲା ? ନା, ବୀର ଭାଇତ ଭୟ କରିବାର ଲୋକ ନୁହେଁ.....

 

ବିନୟ ବାବୁ ଆଉ ରେବା ଟଙ୍କା ବାଣ୍ଟି ସାରି କାର୍‌ରେ ବସି ଚାଲିଗଲେ ।

 

ବୀର ଫେରି ଆସିଲା ନିଜ ଜାଗାକୁ । ସମସ୍ତେ ବୀରକୁ ପଚାରିଲେ–ବୀର ଭାଇ, କାହିଁକି ଉଠି ଚାଲିଗଲୁ ? ତୁ ତ କେଭେ ଇମିତି ଉଠି ପଳେଇନୁ, କଣ କଥା କିରେ ?

 

କାର୍‌ ଭିତରେ ବିନୟ ବାବୁ ଆଉ ରେବା କଥାବାର୍ତ୍ତା ହେଲେ–ସେ କୁଷ୍ଠରୋଗୀଟା ଆମକୁ ଦେଖି କାହିଁକି ଦୂରରେ ଯାଇ ଲୁଚିଲା ?

 

ଅନ୍ୟାନ୍ୟ କୁଷ୍ଠରୋଗୀମାନେ ଇମିତି ପଚାରିବାର ଦେଖି ବୀର ମନକଥା ମନରେ ରଖି କଥାକୁ ବାଁଆରେଇ ଦେଇ ସେମାନଙ୍କ କଥା ନ ଶୁଣିଲାପରି ଅନ୍ୟ କେତେକ କୁଷ୍ଠରୋଗୀଙ୍କୁ ପଚାରିଲା–ହଇରେ, ତୁମେ କେହି ଜାଣିନା ବାନା ପରିଡ଼ା କୁଆଡ଼େ ଯାଇଛି । କାଲିଠୁଁ ମୁଁ ବାନା ପରିଡ଼ାକୁ ତ କାହିଁ ଦେଖୁ ନାହିଁ......

 

କାର୍‌ ଭିତରେ ବିନୟ ବାବୁ ଆଉ ରେବା ଉଭୟେ କଥାବାର୍ତ୍ତା ହଉ ହଉ ସେ କୁଷ୍ଠରୋଗୀ ଲୁଚିବା ବିଷୟରେ କିଛିସ୍ଥିର କରି ପାରିଲେ ନାହିଁ ।

 

ରେବା ଉତ୍ତରରେ କହିଲା–ମୁଁ ତ ତାକୁ ଆଦୌ ଦେଖିନାହିଁ । ମୁଁ ତ କିଛି ଠିକ୍‌ କରି ପାରୁନି ।

 

ରେବାର ଯେଉଁ ଅତୀତର ଘଟଣା ମନେ ପଡ଼ିଲା, ସେଥିରୁ କିଛି ଠିକ୍‌ କରିପାରିଲା ନାହିଁ ।

 

ରେବା ମନେ ମନେ ଭାବିଲା–ସେ କ’ଣ ଆଉ ସେଇ ଲୋକ ? ତାକୁ ଆଉ ଥରେ ଆସି ଦେଖିଲେ ହବ । କିନ୍ତୁ ଯଦି ସେଇ ଲୋକ ହେଇଥାଏ, ତା’ହେଲେ କଥାତ ଗୁରୁତର ହୋଇଯିବ । କାରଣ ସେତ ସବୁବେଳେ ପ୍ରାୟ ସ୍ୱାମୀ ସହିତରେ ବୁଲିବାକୁ ବାହାରୁଛି....

 

ରେବା ମନେ ମନେ ସ୍ଥିର କଲା–ଥରେ ଏକାଆସି ତାକୁ ଦେଖିବ, ସେ ଲୋକଟାକୁ କଣ କୁଷ୍ଠରୋଗ ହେଇଗଲା ?

 

ବୀରର ବାନା ପରିଡ଼ା ବିଷୟରେ ଉତ୍ତର ଦେବାକୁ ଯାଇ କେତେକ କୁଷ୍ଠରୋଗୀ ଉତ୍ତର ଦେଲେ–ଆମେ ତା’ ବିଷୟରେ କିଛି କହି ପାରିବୁନି । ସେ କୁଆଡ଼େ ଆଉ ମଲା କି ? କୋଉଠି ପ୍ରାଣ ହରେଇ ଦେଲା କି ?

 

ଆଉ ଜଣେ ଏକଥା ଶୁଣି କହିଲା–ସେ କାହିଁକି ପ୍ରାଣ ହରେଇ ଦଉଥିଲାମ ? ସେ କୋଢ଼ିଆ ହେଇଛି ସତ, କିନ୍ତୁ ତା’ ଦିହରେ କମ ବଳ ଅଛି ? ମୋତେ ତ ଦିନେ କହୁଥିଲା–ତା’ପାଇଁ କଉଠୁଁ ଗୋଟାଏ ମାଇପି ଯୋଗାଡ଼ କରି ଆଣିବାକୁ ଯିବ ବୋଲି, ବୋଧେ ସେଇଥିପାଇଁ କୁଆଡ଼େ ଯାଇଥିବ...

 

ଗାଡ଼ି ଚାଲିଛି, ବାନା ପରିଡ଼ା ଗୋଟିଏ ତୃତୀୟ ଶ୍ରେଣୀର ଡବାର ଚଟାଣ ଉପରେ ତଳେ ବସିଛି । ତାର ବ୍ୟାଗ ଭିତରେ ଅଫିମ । ଆଉ ତାର ଲୁଗାପଟା, ପଇସା ଇତ୍ୟାଦି କାଇଦାରେ ପୂରେଇ ସତର୍କରେ ଜଗିବସିଛି । ପାଖରେ ଖାଲି ଟିଣ ଡବାଟିଏ ଥୁଆହେଇଛି । ତା’ପାଖରେ ଆଉ ଦି’ଚାରିଟା ଅଚିହ୍ନା କୁଷ୍ଠରୋଗୀ ବସିଛନ୍ତି । ଏମାନେ ବାଟରୁ ଗାଡ଼ିରେ ଉଠିଛନ୍ତି-

 

ଯେଉଁ ଯାତ୍ରୀମାନେ ସେ ଡବାରେ ବେଞ୍ଚ ଉପରେ ବସିଛନ୍ତି ଏ କୁଷ୍ଠରୋଗୀମାନଙ୍କୁ ଦେଖି ଘିନ୍‌ ଘିନ୍‌ ହେଇ କୁହାକୁହି ହଉଛନ୍ତି–ଏ ଡବାଟାରେ ବସିବା ବଡ଼ ଭୁଲ ହେଲା । ଏ ଡବାରେ କୁଷ୍ଠରୋଗୀଗୁଡ଼ା ପଶିଛନ୍ତି....

 

–ଆର ଷ୍ଟେସନରେ ଅନ୍ୟ ଡବାକୁ ଚାଲିଗଲେ ହବ.....

 

–ଆଜି କାଲି ଥାର୍ଡକ୍ଲାସ୍‍ ରେ କଉଁଠିକି ଯିବା ଭାରି ବିପଦ । ଖାଲି କୁଷ୍ଠରୋଗୀଗୁଡ଼ାକ ଥାର୍ଡକ୍ଲାସ୍‍ ରେ ଯିବା ଆସିବା କରୁଛନ୍ତି.....

 

–ଆଜିକାଲି ଥାର୍ଡକ୍ଲାସ୍‍ ରେ ଯିବା ମାନେ ରୋଗ କିଣିବା...

 

–କେଡ଼େ ଜବର ହେଇ ବସିଛନ୍ତି !

 

–ସେମାନେତ ବସିଛନ୍ତି, କାର କଣ କ୍ଷତି କରୁଛନ୍ତି ?

 

–କ୍ଷତି କରୁ ନାହାନ୍ତି ? ରୋଗର ବୀଜ ଚାରିଆଡ଼େ ବୁଣି ବୁଣି ଯାଉଛନ୍ତି....

 

–ସେମାନେତ ଆମରିପରି ମଣିଷ, ତାଙ୍କୁ ରୋଗ ଧରିଛି, ତେବେ କଣ ସେମାନେ ଆଉ କଉଠିକି ଯିବା ଆସିବା କରିବେ ନାହିଁ ?

 

–ସେମାନଙ୍କର କଉଁଠିକି ଯିବା ଆସିବା କରିବା ଉଚିତ ନୁହେଁ....

 

–ଉଚିତ୍‌ ନୁହେଁ ସତ, କିନ୍ତୁ କଣ କରିବେ ? ଜୀବନଟାତ ଅଛି । ଯିବା ଆସିବାକୁ ତ ମନ ଡାକୁଛି....

 

ଜଣେ ଯାତ୍ରୀ ବାନା ପରିଡ଼ାକୁ ଲକ୍ଷ୍ୟକରି ପଚାରିଲା–ହଇରେ, ଏ ଡବାରେ କାହିଁକି ପଶିଛ ?

 

ବାନା ପରିଡ଼ା କିଛି ଉତ୍ତର ଦେଲା ନାହିଁ । ତା’ପାଖରେ ଆଉ ଜଣେ କୁଷ୍ଠରୋଗୀ ବସିଥିଲା । ସେ ଉତ୍ତର ଦେଲା–କଣ ହେଲା ପଶିଲେ ? ଆମେ କଣ ତୁମ ପାଖରେ ବସିଛୁ ? ଆମେତ ତଳେ ବସିଛୁ । ତୁମର ଏତେ ପଚାରିବାର କଣ ବିସ୍‌ ପଡ଼ିଛି ?

 

ଯାତ୍ରୀଜଣକ ରାଗରେ ଉତ୍ତର ଦେଲା–ଆହୁରି ପାଖରେ ବସିବାକୁ ମନ ? ତୁମେମାନେ ଏ ଡବାରେ ଆଦୌ ପଶିବା ଉଚିତ ନୁହେଁ । ତଳେ ବସ, ଯଉଁଠି ବସ.....

 

କୁଷ୍ଠରୋଗୀ ଜଣକ ପ୍ରତ୍ୟୁତ୍ତରରେ କହିଲା–ଆଜି ତୁମକୁ ଯଦି ଆମରିପରି ରୋଗ ହେଇଥାନ୍ତା, ତୁମେ କଣ କରନ୍ତ ?

 

ଯାତ୍ରୀଜଣକ କୁଷ୍ଠରୋଗୀର ଇମିତିଆ ଉତ୍ତର ଶୁଣି ପାଖରେ ବସିଥିବା ଆଉ ଜଣେ ଦି’ଜଣ ଯାତ୍ରୀଙ୍କୁ ସାକ୍ଷୀ କରି କହିଲାପରି କହିଲା–ଶୁଣୁଛ, ତା ମୁହଁ କେତେ ଜୋର । କିମିତି ଜବାବ ଦଉଛି....

 

ଯାତ୍ରୀଜଣକ ପୁଣି ଉତ୍ତର ଦଉଥିବା କୁଷ୍ଠରୋଗୀକୁ ଧମକ ସୂଚନା କଣ୍ଠରେ କହିଲା–ଆଚ୍ଛା, ହଉ, ଆର ଷ୍ଟେସନ୍‌ରେ ଗାଡ଼ି ଠିଆହଉ । ତୁମମାନଙ୍କୁ ଦେଖୁଛି, ଚାଲ ଟିକିଏ.....

 

ଯାତ୍ରୀଜଣକ ଇମିତି ଧମକ ଦବାର ଶୁଣି ବାନା ପରିଡ଼ା ଛାତିଟା ଧଡ଼ କରି ହେଲା । ଭାବିଲା–ଯାତ୍ରୀ ଜଣକ ଯଦି ପୁଲିସ ଡାକିଆଣେ ଆମକୁ ତଡ଼ିବା ପାଇଁ, ପୁଲିସ ଯଦି ଆମକୁ ତଡ଼ିବା ପାଇଁ ଆସି ଆମ ଜିନିଷପତ୍ର ସନ୍ଦେହରେ ଖୋଜେ–ଆମ ପାଖରେ ସବୁ କଣ ଅଛି, ତା’ହେଲେ ଅବସ୍ଥା କଣ ହବ ? ଯଦି ଧରା ପଡ଼ିଲି, ତା ହେଲେତ ମରିଯିବା କଥା, ଆର ଷ୍ଟେସନ୍‌ରେ ଏ ଡବାରୁ ଓହ୍ଲେଇଗଲେ ହବ.....

ଯେଉଁ ଯାତ୍ରୀ ଜଣକ ଧମକ ଦେଲା ତାକୁ ଆଉ ଜଣେ ଦି’ଜଣ ଯାତ୍ରୀ ବୁଝେଇବା ଭଳି କହିଲେ–କଣ ମିଳିବ ? ତାଙ୍କ ସଙ୍ଗେ ବରାବର ହବା, ସେମାନେ ତ ତାଙ୍କ କର୍ମଫଳ ଭୋଗୁଛନ୍ତି । ମଣିଷ କୋଢ଼ି ହବାକୁ ଡରେ, ଯେ କୋଢ଼ିଆ ହେଲାଣି ତାର ଆଉ ଡର କ’ଣ ? ଗରିବ ଲୋକଗୁରାକ, କୁଷ୍ଠରୋଗୀଗୁରାକ । ଯାଉଛନ୍ତି, ଯାନ୍ତୁ; କଣ ମିଳିବ ତାଙ୍କୁ ହଇରାଣ କରି ? ବରଂ ଆମେ ଏ ଡବାରୁ ଅନ୍ୟ ଷ୍ଟେସନ୍‌ରେ ଆଉ ଗୋଟାଏ ଡବାକୁ ଚାଲିଯିବା ଭଲ....

ସେଇଆ ହେଲା । ପରବର୍ତ୍ତୀ ଷ୍ଟେସନ୍‌ରେ ଗାଡ଼ି ପହଞ୍ଚିଲାରୁ କେତେକ ଯାତ୍ରୀ ଅନ୍ୟ ଡବାରେ ବସିବା ପାଇଁ ଏ ଡବାରୁ ଓହ୍ଲେଇ ଗଲେ । ବାନା ପରିଡ଼ା ଟିକିଏ ଆଶ୍ୱସ୍ତ ହେଲା । ତାକୁ ଆଉ ଓହ୍ଲେଇବାକୁ ପଡ଼ିଲା ନାହିଁ ।

ଯେଉଁ ଯାତ୍ରୀମାନେ ଏ ଡବାରୁ ଓହ୍ଲେଇଗଲେ, ସେମାନେ ଗୋଟିଏ ଫାଙ୍କା ଡବା ଦେଖି ପଶିଗଲେ । ଅଳ୍ପ କେତେକ ଯାତ୍ରୀ ସେ ଡବାରେ ବସିଛନ୍ତି । ଯାତ୍ରୀ କେତେଜଣ ବେଶ ଆରାମରେ ଗୋଟାଏ ବେଞ୍ଚ ଉପରେ ବସିପଡ଼ିଲେ । ଅନ୍ୟ ପାଖରେ ଗୋଟାଏ ବେଞ୍ଚ ପୂରା ଖାଲି ପଡ଼ିଛି । ଯାତ୍ରୀମାନେ ପରସ୍ପର କୁହାକୁହି ହେଲେ–ଯା’ହଉ, ଏଠି ଟିକିଏ ମଣିଷ ଆରାମରେ ବସି ପାରିଲା । ସେ ଡବାରେ ଖାଲି କୁଷ୍ଠରୋଗୀଗୁରାକ । ଛିଃ–ଛିଃ.....

 

ଯାତ୍ରୀମାନେ ଇମିତି କୁହାକୁହି ହଉଛନ୍ତି ଗାଡ଼ି ଛାଡ଼ିବା ଉପରେ । ଏଇ ସମୟରେ ଷ୍ଟେସନ୍‌ର ବିପରୀତ ଆଡ଼ୁ ଡବାର ଅନ୍ୟ ବାଟ ଦେଇ ଚାରିଜଣ ନୂଆ କୁଷ୍ଠରୋଗୀ ସେଇ ଡବା ଭିତରକୁ ପଶି ଆସି ଖାଲି ପଡ଼ିଥିବା ବେଞ୍ଚ ଉପରେ ବେଶ ଛଡ଼ାଛଡ଼ି ହୋଇ ବସି ପଡ଼ିଲେ । ଗାଡ଼ି ଛାଡ଼ିଲା ।

 

ଯେଉଁ ଯାତ୍ରୀମାନେ ଅନ୍ୟ ଡବାରୁ ଆସି ଏ ଡବାରେ ବସିଥିଲେ, ସେମାନେ ପରସ୍ପର କୁହାକୁହି ହେଲେ–କି ହୋ ଏ କ’ଣ ? ଏ ଡବାରେ ତ କୁଷ୍ଠରୋଗୀଗୁଡ଼ାକ ପଶି ଆସିଲେ । ସେ ଡବାରେ ତ କୁଷ୍ଠରୋଗୀଗୁଡ଼ାକ ହେଲେ ଟିକିଏ ତଳେ ବସିଥିଲେ । ଏମାନେ ତ କଣ ଆସି ବେଞ୍ଚ ଉପରେ ଭଲ ମଣିଷ ପରି ବସିଲେଣି । ଛିଃ–ଛିଃ, ଏ ଥାର୍ଡକ୍ଲାସ୍‍ ରେ ଯିବା କି କଦର୍ଯ୍ୟ କଥା !!

 

ଗାଡ଼ି ଚାଲିଛି । ଜଣେ ଯାତ୍ରୀ ବେଞ୍ଚରେ ବସିଥିବା କୁଷ୍ଠରୋଗୀଙ୍କୁ କହିଲା–ହଇରେ, ସେ ବେଞ୍ଚ ତୁମରି ପାଇଁ ହେଇଛି ?

 

ଏ କଥାର ଉତ୍ତର ଦବାକୁ ଯାଇ ଜଣେ କୁଷ୍ଠରୋଗୀ କହିଲା–ଏ ବେଞ୍ଚ ଆଉ କାହା ପାଇଁ ହେଇଛି ? ତୁମରି ପାଇଁ ଏକା ହେଇଛି ?

 

କେତେକ ଯାତ୍ରୀ ଏ କୁଷ୍ଠରୋଗୀର ଇମିତିଆ ଉତ୍ତର ଶୁଣି କୁହାକୁହି ହେଲେ–ଦେଖୁଛ, ସେ କେଡ଼େ ଦମ୍ଭରେ ଉତ୍ତର ଦଉଛି । କୁଷ୍ଠରୋଗୀଗୁଡ଼ାକ ବେଞ୍ଚ ଉପରେ ବସିଛନ୍ତି, ଯେଉଁଠି ଭଲ ମଣିଷ ବସିବାର କଥା । ଏମାନେ ଖାଲି ରୋଗ ବାଣ୍ଟୁଛନ୍ତି.....

 

ଯାତ୍ରୀମାନେ ପୁଣି କୁହାକୁହି ହେଲେ–ତାକୁ ପୁଣି ଥରେ ପଚାର, ସେ କଣ କହୁଛି । ଯଦି ଆଉ କିଛି ଉଦ୍ଧତ ହେଇ ଉତ୍ତର ଦିଏ, ତା’ ହେଲେ ସେଗୁଡ଼ାକୁ ବାଡ଼େଇ ତଳେ ବସେଇବା । ଦେଖିବା, ସେମାନେ କଣ କରିବେ.....

 

ଆଉ ଜଣେ ଦି’ଜଣ ଯାତ୍ରୀ କହିଲେ–ଦେଖ, ସେ ଗୁରାତ କୁଷ୍ଠରୋଗୀ । ତାଙ୍କୁ ତ ହାତରେ ବାଡ଼େଇ ହବନି । ଠେଙ୍ଗା କି ଖଣ୍ଡେ ବାଡ଼ି କା ପାଖରେ ନାହିଁ । ଛତାରେ ବାଡ଼େଇଲେ ଛତା ଆଉ ବ୍ୟବହାର କରି ହବନି । କୁଷ୍ଠରୋଗୀଙ୍କ ଦେହରେ ଯେଉଁ ଛତାରେ ମାଡ଼ ବସିବ, ସେ ଛତା ଆଉ ବ୍ୟବହାର କରିବାକୁ ଅଛି ?

 

ଗାଡ଼ି ଚାଲୁଥିଲା । ହଠାତ୍‌ ଗାଡ଼ି ବନ୍ଦହେଲା ପରି ହୋଇ ଆସ୍ତେ ଆସ୍ତେ ଗାଡ଼ି ବନ୍ଦ ହେଲା ।

 

ଏ ଆକସ୍ମିକ ଗାଡ଼ି ବନ୍ଦ ହବାର କାରଣ ବୁଝା ବୁଝି କରି ଜଣାଗଲା–କିଏ ଚେନ୍‌ ଭିଡ଼ି ଗାଡ଼ି ବନ୍ଦ କରିଛି । କଣ ଘଟଣା ! ସମସ୍ତଙ୍କ ମନରେ ଗୋଟାଏ ପ୍ରଶ୍ନ–କାହିଁକି ? କିଏ ଚେନ୍‌ ଭିଡ଼ିଲା ?

 

ଏଇ ମସୟରେ ବେଞ୍ଚ ଉପରେ ବସିଥିବା କୁଷ୍ଠରୋଗୀମାନଙ୍କୁ କେତେକ ଯାତ୍ରୀ ଧମକ ଦେଇ କହିଲେ–ଦେଖୁଛୁ, ରୁହ ତୁମକୁ....

 

ଜଣେ ଦି’ଜଣ ଯାତ୍ରୀ କୁହାକୁହି ହେଲେ–ଯାଅ ତ, ଜଣେ ଟି. ଟି. ଆଇକୁ ଡାକି ଆଣତ-। ଦେଖିବା, କିମିତି ଏମାନେ ଜବରଦସ୍ତ ବେଞ୍ଚ ଉପରେ ବସିଛନ୍ତି......

 

ଜଣେ ଦି’ଜଣ ଟି. ଟି. ଆଇକୁ ଡାକିବା ପାଇଁ ବାହାରିଲା ବେଳକୁ, ସେଇ ଡବାରେ କେତେକ ଲୁଚି ବିନା ଟିକେଟ୍‌ରେ ଯାଉଥିବା ଯାତ୍ରୀମାନେ ଭାବିଲେ–ଏମାନେ କଣ ଟି. ଟି. ଆଇକୁ ଡାକିବାକୁ ବାହାରିଲେଣି । ଟି. ଟି. ଆଇ, ଆସିଲେ ଆମ ଅବସ୍ଥା କଣ ହବ ! ଆମେ ତ ଧରା ପଡ଼ିବୁ......

 

ଉକ୍ତ ଯାତ୍ରୀମାନେ ମନ କଥା ମନରେ ରଖି ବାହାରକୁ ଭଦ୍ରାମୀ ଦେଖାଇ ଟି. ଟି. ଆଇକୁ ଡାକିବା ପାଇଁ ବାହାରିଥିବା ଯାତ୍ରୀଙ୍କୁ ପ୍ରବର୍ତ୍ତାଇ କହିଲେ–କଣ ମିଳିବ ଭାଇ ସେଥିରୁ ? ଗରିବ, ଦୁଃଖୀ ଲୋକ ସେମାନେ । ସେମାନଙ୍କୁ ମାଇଲେ କଣ ହବ ? ଟି. ଟି. ଆଇକୁ ଡାକିଲେ କଣ ହବ ? ଟି. ଟି. ଆଇ ଆସିଲେ ଅଭିକା ତାଙ୍କୁ ବାହାର କରିଦେବ । ଏ ଅପନ୍ତରା ଜାଗାରେ ଗାଡ଼ି ଅଟକିଛି । ସେମାନଙ୍କୁ ଏଠି ଗାଡ଼ିରୁ ଓହ୍ଲେଇ ଦେଲେ, ସେମାନେ କୁଆଡ଼େ ଯିବେ ?

 

ଯେଉଁ ଯାତ୍ରୀମାନେ ଟି. ଟି. ଆଇକୁ ଡାକିବାକୁ ବାହାରି ଥିଲେ, ସେମାନେ କହିଲେ–ସେ କଥା ହବନାହିଁ । ତାଙ୍କୁ ଏ ଡବାରୁ ବାହାର କରିବାକୁ ହେବ, ନା ଟି. ଟି. ଆଇକୁ ଡାକିବା ନିହାତି ଦରକାର । ତାଙ୍କର କେଡ଼େ ମୁହଁ ଶୁଣୁନାହାନ୍ତି । ନା, ଆମେ ଟି. ଟି. ଆଇକୁ ଡାକିବୁ.....

 

ସେମାନେ ଟି. ଟି. ଆଇକୁ ଡାକିବା ପାଇଁ ବାହାରିଲା ବେଳକୁ କୁଷ୍ଠରୋଗୀମାନେ ଗୋଟି ଗୋଟି ହେଇ ସେ ଡବାରୁ ଓହ୍ଲେଇ ପଳେଇବାକୁ ଆରମ୍ଭ କଲେ ।

 

କୁଷ୍ଠରୋଗୀମାନଙ୍କ ପଳେଇବାର ଦେଖି କେତେକ ଯାତ୍ରୀ କୁହାକୁହି ହେଲେ–ଦେଖ, ଗୋଟି ଗୋଟି ହେଇ କିମିତି ଖସୁଛନ୍ତି......

 

‘‘ଆମର ଦାବୀ ପୂରଣ କର’’–‘‘ଆମର ଦାବୀ ପୂରଣ କର’’, ‘‘Students–unite’’ ‘‘ଆମର ଦାବୀ ପୂରଣକର’’...

 

ସବୁଦ୍ର ଆଡ଼କୁ ଯିବାର ରାସ୍ତାର ଦି’କଡ଼ର କୁଷ୍ଠରୋଗୀମାନେ ଏ ପାଟି ଶୁଣି ଦୂରକୁ ଅନେଇ ଦେଖିଲେ–ଖାଲି ଯବାନ ପୁଅ ପିଲା ଝିଅ ପିଲାଗୁରାକ ପାଟି କରି କରି ଆସୁଛନ୍ତି–‘‘ଆମର ଦାବୀ ପୂରଣ କର ‘‘Students–unite’’......

 

କୁଷ୍ଠରୋଗୀମାନେ ବୁଝି ପାରିଲେ–ଏମାନେ କେହି ଗୋଟାଏ ପଇସା ଦେବେ ନାହିଁ । ଏମାନେ ପାଠପଢ଼ା ପିଲାଗୁରାକ ।

 

ତଥାପି କିଏ ପ୍ରତାରଣା କରି, କିଏ ସତରେ ଚିତ୍‌କାର, ଆର୍ତ୍ତନାଦ, କାକୁତି ମିନତି କରି ପଇସା ମାଗିଲେ–ଦିଅ ବାବୁମାନେ, ଦେଇଯାଅ । ଧର୍ମ ହେବ । ଦିଅ, ଦିଅ.....

 

ଛାତ୍ରମାନଙ୍କର ଶୋଭାଯାତ୍ରା ଯେତେବେଳେ କୁଷ୍ଠରୋଗୀମାନଙ୍କ ମଝି ଦେଇ ଅତିକ୍ରମ କଲା କେତେକ ଛାତ୍ର କୁହାକୁହି ହେଲେ–ଏ ବାଟରେ କାହିଁକି ଆସିଲ ? ଖାଲି କୁଷ୍ଠରୋଗୀଗୁଡ଼ାକ-! କି ବିଭତ୍ସ ଦେଖା ଯାଉଛନ୍ତି ! ଛି–ଛି, ଏ ବାଟରେ ଆସିବାର ଅଛି ?

 

କେତେକ କୁହାକୁହି ହେଲେ–ସେମାନଙ୍କୁ ସେମିତି ଘୃଣା କରିବା ଠିକ୍‌ ନୁହେଁ । ସେମାନେ ଶୁଣିଲେ ତାଙ୍କ ମନରେ କଷ୍ଟ ହେବ । ସେମାନେ ଦୁଃଖ କରିବେ । ଆଜି ଆମକୁ ଯଦି ସେମିତି ରୋଗ ଧରେ, ସେମିତି ଲୋକେ ଘୃଣା କରିବେ ।

 

ପୁଣି ପାଟି ଉଠିଲା–ଆମର ଦାବୀ ପୂରଣ କର, ‘Students–unite’......

 

ପଟୁଆର ଅତିକ୍ରମ କରି ଚାଲିଗଲା । କାଁ ଭାଁ କା’ ପାଖରେ କେତେଟା ପଇସା ପଇଲା, ଆଉ କିଛି ନାହିଁ ।

 

ପଟୁଆର ଗଲା ପରେ କୁଷ୍ଠରୋଗୀମାନେ କୁହାକୁହି ହେଲେ ଦେଖିଲ ତ । ଇମିତି ନିତି ଯଦି ଦଳେ ଦଳେ ପାଠପଢ଼ା ପିଲା ପାଟିତୁଣ୍ଡ କରି ଆମ ସାମନା ଦେଇ ଯିବେ ଆମର ଆଉ ଦୁଃଖ ରହିବ ନାହିଁ ରେ ଭାଇ !

 

ପୁଣି କହିଲେ–ଏ ପାଠପଢ଼ା ପିଲାମାନେ କଣ କୁହାକୁହି ହୋଇ ଗଲେ ଶୁଣିଲ ତ ?

 

ଜଣେ ଦି’ଜଣ କୁଷ୍ଠରୋଗୀ କୁହାକୁହି ହେଲେ–କଣ ପାଟିକରି ଗଲେ–ଆମର ଦାବୀ ପୂରଣ କର । ଆଉ କଣ କହିଲେ, ଆମେ କିଛି ବୁଝି ପାରିଲୁ ନାହିଁ ।

 

ଆଉ ଜଣେ କହିଲା–କଣ ସେମାନଙ୍କର ଦାବୀ ? ଦାବୀ ପୂରଣ କରିବା ପାଇଁ ଏମିତି ଦଳ ବାନ୍ଧି ଚାଲିଛନ୍ତି । ଏ ସମୁଦ୍ର କୂଳକୁ କୁଆଡ଼େ ଯାଉଛନ୍ତି ? ସମୁଦ୍ର କୂଳରେ କଣ ଦାବୀ ପୂରଣ ହବ ?

 

ଆଉ ଜଣେ ଦି’ଜଣ କୁଷ୍ଠରୋଗୀ କୁହାକୁହି ହେଲେ–ଚାଲ, ଆମର ଦଳ ବାନ୍ଧି ଏମିତି ପଟୁଆର ନେଇ ‘‘ଆମର ଦାବୀ ପୂରଣ କର’’ ପାଟିକରି ସହରଯାକ ବୁଲିବା.....

 

ଆଉ ଜଣେ ଦି’ଜଣ କୁଷ୍ଠରୋଗୀ କହିଲେ–କଣ ଆମର ଦାବୀ ଠିକ୍‌ କଲେ ସିନା ଦାବୀ ପୂରଣ ଲାଗି ଦଳ ବାନ୍ଧି ବୁଲିବା, ନାହିଁ ତ ସହର ଭିତରେ ଦଳ ବାନ୍ଧି ଗଲେ, ଖାଲି ପିଠିରେ ଦାବୀ ପୂରଣ ହବା ଛଡ଼ା ଆଉ କିଛି ଫଳ ମିଳିବ ନାହିଁ......

 

ଏହି ସମୟରେ ପୁଣି ଶୁଣାଗଲା–ରାମ ନାମ ସତ୍ୟ ହୈ, ରାମ ନାମ ସତ୍ୟ ହୈ.....

 

କୁଷ୍ଠରୋଗୀମାନେ ଦୂରକୁ ଅନାଇଁ ଦେଖିଲେ–ଗୋଟାଏ ଶବକୁ କେତେ ଜଣ କାନ୍ଧେଇ ଆସୁଛନ୍ତି । ଶବର ଆଗରେ ପଛରେ ବହୁତ ଲୋକ ଚାଲିଛନ୍ତି । କୀର୍ତ୍ତନ ହଉଛି, ବାଜା ବାଜୁଛି......

 

ଯେତେବେଳେ କୁଷ୍ଠରୋଗୀମାନଙ୍କ ନିକଟକୁ ଶବ ଆସିଗଲା, କୁଷ୍ଠରୋଗୀମାନେ ଦେଖିଲେ–ଟଙ୍କା, ଅଧୁଲି, ସୁକି ଫୋପଡ଼ା ହଉଛି । ମଝିରେ ମଝିରେ ପୁଣି ‘‘ରାମନାମ ସତ୍ୟ ହୈ’’ ଧ୍ୱନି ଉଠୁଛି । କୁଷ୍ଠରୋଗୀମାନେ ଟଙ୍କା ପଇସା ଗୋଟେଇବାରେ ଲାଗି ପଡ଼ିଲେ । ଟଙ୍କା ପଇସା କେତେକ କୁଷ୍ଠରୋଗୀମାନଙ୍କ ଦେହରେ ଆସି ବାଜିଲା । କୁଷ୍ଠରୋଗୀମାନେ ରାସ୍ତାରେ ଆସି ଟଙ୍କା ପଇସା ଗୋଟେଇବା ଦ୍ୱାରା ଏତେ ଭିଡ଼ ହେଲା ଯେ, ମୁର୍ଦାର ନେଇ ଲୋକେ ଯାଇ ପାରିଲେ ନାହିଁ-। ମୁର୍ଦାର ନେଇ ଯାଉଥିବା ଲୋକଙ୍କ ଦେହରେ କୁଷ୍ଠରୋଗୀମାନଙ୍କ ଧକ୍‌କା ବାଜିଲା ।

 

କେତେକ ସମୟ ରାସ୍ତାରେ ମୁର୍ଦାର ନେଇ ଯିବାରେ ଅଚଳ ଅବସ୍ଥା ସୃଷ୍ଟି ହେଲା । କୌଣସି ପ୍ରକାରେ ଲୋକେ ମୁର୍ଦାର ନେଇ କୁଷ୍ଠରୋଗୀମାନଙ୍କୁ ଅତିକ୍ରମ କରି ଚାଲି ଯାଉଁ ଯାଉଁ କୁଷ୍ଠରୋଗୀମାନେ ପଚରାଉଚରା କରି ବୁଝି ନେଲେ–ମହାଜନ ସୁଦାମ ବାବୁ ମରିଗଲେ ।

 

ମୁର୍ଦାର ନେଇ ଲୋକେ ଗଲା ପରେ କୁଷ୍ଠରୋଗୀମାନେ ଦେଖିଲେ–କିଏ କେତେ ପାଇଲା । ହିସାବରୁ ଜଣାଗଲା–ଜଣ ଜଣକେ ତିନି ଟଙ୍କା, ଚାରି ଟଙ୍କା, କିଏ ପାଞ୍ଚଟଙ୍କା ପର୍ଯ୍ୟନ୍ତ ପାଇଛନ୍ତି । ପରସ୍ପର ଭିତରେ କୁହାକୁହି ହେଲେ–ଆଜି ଭାଇ ଭଲ ରୋଜଗାର ହେଲା......

 

ଜଣେ କହିଲା–ଭାଇ, ଏ ଜୀଅନ୍ତା ମଣିଷ ଅପେକ୍ଷା ମଲା ମଣିଷ ଗଲେ ବେଶି ପଇସା ମିଳୁଛି । ବେଶୀ ରୋଜଗାର ହଉଛି । ଏମିତି ରୋଜ କିଛି କିଛି ମଲା ମଣିଷ ଏ ରାସ୍ତାରେ ଲୋକେ ନେଇ ଯାଆନ୍ତେ କି ଭାରି ଭଲ ରୋଜଗାର ହୁଅନ୍ତା.....

 

ଆଉ ଜଣେ କହିଲା–ଏ ସିନା ମହାଜନ ସୁଦାମ ବାବୁ ମଲା ବୋଲି ପଇସା ଫୋପାଡ଼ି ଗଲେ । ଆଉ ଯଦି ଗରିବଟିଏ ମରିବ, ସେ କଣ ପଇସା ବୁଣି ବୁଣି ଯିବ ? ଧନୀ ଲୋକଟା ମଲା ବୋଲି ପଇସା ପାଇଲୁ......

 

ଆଉ ଜଣେ କହିଲା–ସେହି କଥା, ରୋଜି ଧନୀଲୋକେ ଦି’ଚାରିଟା ମରି ଏ ବାଟରେ ଗଲେ, ଆମ ରୋଜଗାର ଭଲ ହୁଅନ୍ତା....

 

ଆଉ ଜଣେ କହିଲା–ଗରିବ ତ ବେଶୀ ମରୁଛନ୍ତି । ଧନୀ କଣ ସହଜେ ମରୁଛନ୍ତି ? ତାଙ୍କୁ ବଞ୍ଚେଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହଉଛି, କେତେ ଚେଷ୍ଟା ହଉଛି, ସେ କଣ ସହଜେ ମରିବେ ? ସେମାନେ କଣ ମରିବାକୁ ଖୋଜୁଛନ୍ତି ? ଆମେ ମରିବାକୁ ଖୋଜୁଛୁ, ମରଣ ଆମକୁ ଛୁଁ ନାହିଁ.....

 

ଆଉ ଜଣେ କହିଲା ସୁଦାମ ବାବୁଟା ବଢ଼ିଆ ଲୋକ ଥିଲା । କଣ ହୋଇଥିଲା, ଏତେ ଶୀଘ୍ର ମରିଗଲା । ଯେତେବେଳେ ଆମେ ତା’ ଗୋଦାମକୁ ଯିବୁ, କେବେ ଖାଲି ହାତରେ ଫେରାଇବ ନାହିଁ । ଆମକୁ କେବେ ସେ ଖରାପ ବ୍ୟବହାର କରି ନାହିଁ । ଭାରି ଦିଲ୍‌ଦାର ଲୋକଟା ଥିଲା......

 

ସକାଳର ସୂର୍ଯ୍ୟ ମଥାନକୁ ଉଠିଲେ । ଲୋକଙ୍କର ସମୁଦ୍ର କୂଳ ରାସ୍ତାରେ ଯିବା ଆସିବା କ୍ରମଶଃ କମିଲା । କେତେକ କୁଷ୍ଠରୋଗୀ ରାସ୍ତା କଡ଼ରୁ ଉଠି କିଏ କୁଆଡ଼େ ସହର ବଜାର ଆଡ଼କୁ ଗଲେ । କେତେକ ସେହି ରାସ୍ତା କଡ଼ର ଗଛ ମୂଳରେ ପଡ଼ି ରହିଲେ ।

 

ଯେଉଁ କୁଷ୍ଠରୋଗୀମାନେ ଟ୍ରେନ୍‌ରୁ ଅପନ୍ତରା ଜାଗାରେ ଓହ୍ଲେଇ ପଇଲେ, ସେମାନେ ପ୍ରାୟ ବାରଜଣ ହେବେ । ସେମାନଙ୍କ ଭିତରେ ବାନା ପରିଡ଼ା ମଧ୍ୟ ଗାଡ଼ିରୁ ଓହ୍ଲେଇ ପଡ଼ିଥିଲା । କାରଣ, ସେ ଗାଡ଼ିରୁ କୁଷ୍ଠରୋଗୀମାନଙ୍କୁ ବାହାର କରି ଦିଆଗଲା । ତାର କାରଣ ସ୍ୱରୂପ ଦୁଇଜଣ କୁଷ୍ଠରୋଗୀ କହିଲେ–ଆମେ ଯଉ ଡବାରେ ଥିଲୁ, ସେଥିରେ ଦି’ଜଣ ଧନୀଲୋକ ଆସି ବସିଲେ । ସେମାନେ ଆମକୁ ଗାଳିଗୁଲଜ କଲେ । ଆମେ ମଧ୍ୟ ତାଙ୍କୁ ଗାଳିଦେଲୁ । ସେମାନେ ଆମକୁ ମାରିବାକୁ ଉଠିଲାରୁ, ଆମେ ବି ତାଙ୍କୁ ମାଇଲୁ । ଆମେ ଦି’ଜଣ ତାଙ୍କ ଦିହରେ ଆଚ୍ଛାକରି ଆମ ହାତରୁ ବୋହୁଥିବା ରକ୍ତ ଲଗେଇ ଦେଇଛୁ.......

 

ଜଣେ କହିଲା–ମୁଁ ଗୋଟାକୁ କାମୁଡ଼ି ଦେଇଛି, ସେଇଥିପାଇଁ ସେ ଲୋକଟା ଚେନ୍‌ ଭିଡ଼ି ଗାଡ଼ି ଅଟକେଇ ଦେଲା......

 

ଆଉ ଜଣେ ଏ କଥା ଶୁଣି କହିଲା–ଭାଇ, ଭଲ କରିଛୁ । ତାକୁ ଯେମିତି ହେଲେ କୁଷ୍ଠରୋଗ ଧରିବ....

 

ସେଇ ଦି’ଜଣ ପୁଣି କହିଲେ–ଭାଇ, ଯଉ ମାଡ଼ ଦେଲେ ସେ ଦି’ଜଣ ଆମକୁ, ଖାଲି ଯୋତାରେ ପିଟିପକେଇଲେ । ପୁଣି ଗୋଇଠା, ବିଧା, ଚାପୁଡ଼ା । ଗାଡ଼ି ଅଟକିଲା ପରେ ଟି. ଟି. ଆଇ ଆଉ ଜଣେ ଦି’ ଜଣ ଯେମିତି ସେ ଡବାରେ ପଶିଗଲେ, ଆଉ ମାଡ଼ ଦେଇ ଆମକୁ ତଳେ ପକେଇ ଦେଲେ । ଦିହ, ହାତ ପରାଶ ହେଇ ଯାଇଛି......

 

ସେ ଦି’ଜଣଙ୍କର କଥାର ଉତ୍ତର ଦବାକୁ ଯାଇ ବାନା ପରିଡ଼ା, ଆଉ କେତେ ଜଣ କୁଷ୍ଠରୋଗୀ କହିଲେ–ତୁମରି ଗଣ୍ଡଗୋଳ ଯୋଗୁଁ ଗାଡ଼ି ଅଟକିଲାରୁ ଆମେ ମଧ୍ୟ ଗାଡ଼ିରୁ ଓହ୍ଲେଇ ପଡ଼ିଲୁ । କି ଭୁଲ କାମ । ଆମେ ତ ଜାଣି କୁଷ୍ଠରୋଗୀ ଗୁରାକ, ଟିକିଏ ନିଜ ଅବସ୍ଥାକୁ ଜଗି ନିଊନ ହେଇ ଚାଲିଗଲେ ଗଲା । ଖାଲି ଉଦ୍ଧତ ପଣ, ଆମକୁ ତ ଲୋକ ଦେଖି ନିଶ୍ଚୟ ଘୃଣା କରିବେ । କୁଷ୍ଠ ରୋଗ, ନା ଆଉ କିଛି ହେଇଛି ? ଆମେ ଯଉ ଡବାରେ ବସିଥିଲୁ, ଆମେ ଅବଶ୍ୟ ତଳେ ବସିଥିଲୁ, ତଥାପି ଯାତ୍ରୀମାନେ ଆମ ଉପରେ ରାଗୁଥିଲେ, ତେବେ ମାଡ଼ ଦବା ଯର୍ଯ୍ୟନ୍ତ ଯାଇନାହିଁ......

 

ବାନା ପରିଡ଼ା ସାଙ୍ଗରେ ଆଉ ଯେଉଁ କୁଷ୍ଠରୋଗୀମାନେ ବସିଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ କହିଲା–ତୁମେ ତ ଯଉଁ ଜବାବ ଦଉଥିଲ, ମାଡ଼ ଖାଇଥାନ୍ତ । ଯାତ୍ରୀଗୁରା ଖାଲି କୁଷ୍ଠରୋଗୀ ଦେଖି ମାଡ଼ ନ ଦେଇ ସମାଳି ଗଲେ......

 

ଯେଉଁ ଦି’ଜଣ କୁଷ୍ଠରୋଗୀଙ୍କ ଯୋଗୁଁ ଗଣ୍ଡଗୋଳ ହେଇ ଗାଡ଼ି ଅଟକିଲା, ସେ ଦି’ଜଣ କହିଲେ–ଆମେ ପୁଣି ଗୋଟାଏ ଭଲ ଡବାରେ ପଶିଥିଲୁ । ସେ ଡବା କେଡ଼େ ସଫାସୁତୁରା ହେଇଛି । ବେଞ୍ଚ ଉପରେ ସବୁ ଗଦି ପଡ଼ିଛି କାନ୍ଥରେ ଅଇନା ଲାଗିଛି.......

 

ଆଉ ଜଣେ କୁଷ୍ଠରୋଗୀ ଏ କଥା ଶୁଣି କହିଲା–ତା ହେଲେ ଫାଷ୍ଟକ୍ଲାସ୍‍ କି ସେକେଣ୍ଡକ୍ଲାସ୍‍ ଡବାରେ ପଶିଥିଲ । ଅଭିକା ତା ପରିଣାମ ଭୋଗୁଛ । ଯେତିକିର ଲୋକ ସେତିକିରେ ଚଳିବା ଦରକାର । ଏଥିରେ ମାଡ଼ ଦେବେନାହିଁ, ଛାଡ଼ିଦେବେ ? ତୁମେ ଦୋଷ କରିବ, ଆମେ ତୁମ ପାଇଁ ଦଣ୍ଡ ଭୋଗିଲୁ ।

 

ବର୍ତ୍ତମାନ ଏ ଅପନ୍ତରା ଜାଗାରେ କୁଆଡ଼େ ଯିବୁ ? ତୋହପଟ ଖରାବେଳ । ଗାଁ ଗଣ୍ଡା ତ ଆଖ ପାଖରେ କିଛି କାହିଁ ଦିଶୁନାହିଁ । ଦୂରରେ ଯେଉଁ ପାହାଡ଼ ତଳେ ତୋଟା ଭଳି ଦେଖା ଯାଉଛି, ସେଇଠିକି ଯାଇ ପାରିଲେ ଭଲ ହୁଅନ୍ତା । ସେଠି ବୋଧେ ଗାଁ ଗଣ୍ଡା ଥାଇ ପାରେ । ଭୋକରେ ପେଟ ଜଳିଲାଣି । ଏଣେ ଶୋଷ ବି ହେଲାଣି । କି କଷ୍ଟ ! ମଣିଷ ତ କେଡ଼େ ସୁଖରେ ଅଛନ୍ତି । ଆମରି କପାଳେ ଯେତିକି ଦୁଃଖ । ଜୀବନଟା ଯାଉନାହିଁ କାହିଁକି ?

 

କୁଷ୍ଠରୋଗୀମାନେ କିଛି ବାଟ ଗଲାପରେ ଗୋଟାଏ ଗଛ ହାବୁଡ଼ିଲେ । ଝଙ୍କା ବରଗଛ-। ଛାଇ ଛାଇଆ ଜାଗା ।

 

ସମସ୍ତେ କଥା ବାର୍ତ୍ତା ହେଇ ଠିକ୍‌ କଲେ–ଏଇ ଗଛ ମୂଳରେ ଆଶ୍ରା ନେବେ । ବେଳ ବୁଡ଼ିଲେ ଯୁଆଡ଼େ ଯିବେ, ଆଉ ଯାଇ ପାରିବେ ନାହିଁ ।

 

ବେଳ ବୁଡ଼ିଲା । ମଥାନର ସୂର୍ଯ୍ୟ ତଳକୁ ଖସିଲେ । ଥଣ୍ଡା ପଡ଼ି ଆସିଲା । ସମସ୍ତେ ଶୋଇ ପଡ଼ିଥିଲେ । ଗୋଟାଏ ଶଗଡ଼ର ଶବ୍ଦରେ ଦୁଇ ତିନି ଜଣଙ୍କର ନିଦ ଭାଙ୍ଗିଗଲା । ସମସ୍ତେ ଡକାଡକି ହୋଇ ଉଠିଲେ । ଠିକ୍‌ କଲେ–ଏଇ ଶଗଡ଼ର ପିଛା ଧରି ଯିବେ ।

 

ଜଣେ କୁଷ୍ଠରୋଗୀ ଶଗଡ଼ିଆକୁ ପଚାରିଲା–ଭାଇ, ଏଠୁଁ ଗାଁ କେତେ ବାଟରେ ? ପାଣି ମନ୍ଦାଏ କେଉଁଠି ପିଇବାକୁ ମିଳିବ ନାହିଁ ?

 

ଶଗଡ଼ିଆ ଉତ୍ତର ଦେଲା–ଗାଁ ଏଠୁ ଆହୁରି ମାଇଲିଏ ବାଟରେ । ତୁମେମାନେ କ’ଣ ପାଣି ପିଇବାକୁ ପାଉନା ?

 

ଜଣେ କୁଷ୍ଠରୋଗୀ କହିଲା–ନାହିଁ ଭାଇ, ଆଜି ଦିନସାରା ଆମେ ପାଣି ପିଇନାହୁଁ ।

 

ଶଗଡ଼ିଆ କହିଲା–ଆଚ୍ଛା ହଉ, ଆସ । ଆଉ କିଛି ବାଟ ଗଲେ ଗୋଟାଏ ମହାଦେବଙ୍କ ମନ୍ଦିର ପଡ଼ିବ । ସେଠି ଗୋଟାଏ ଝରଣା ଅଛି, ସେ ଝରଣାରୁ ପାଣି ଆସି ଗୋଟାଏ ପୋଖରୀ ପରି ହୋଇଛି, ସେଇଠି ପାଣି ମିଳିବ । ସେଠି ତୁମମାନଙ୍କ ପରି କେତେକ ଲୋକ ମଧ୍ୟ ମହାଦେବଙ୍କ ଆଶ୍ରାରେ ଅଛନ୍ତି । ସେଇଠି ତୁମେମାନେ ପାଣି ପିଇ ପାରିବ, ରହି ପାରିବ ମଧ୍ୟ.......

 

ଜଣେ ଦି’ଜଣ କୁଷ୍ଠରୋଗୀ ପୁଣି ଶଗଡ଼ିଆକୁ ପଚାରିଲେ–ସେଠି କିଛି ଖାଇବାକୁ ମିଳିବ-? ଆମେ କହୁଥିଲୁ କଣ କି–ଗାଁ ଗଣ୍ଡାକୁ ଯାଇଥିଲେ କେଉଁଠି ହେଲେ ମୁଠାଏ ଭାତ ମାଗି ଖାଇଥାନ୍ତୁ । ଯା ଚୁଡ଼ା, ମୁଢ଼ି ଥିଲା, ଦିନଟା ସେଇଥିରେ କଟିଗଲା, ଭୋକରେ ହଂସା ଉଡ଼ିଯାଉଛି.......

 

ଶଗଡ଼ିଆ କହିଲା–ଆଚ୍ଛା ହଉ ଆସ ସେହି ମହାଦେବଙ୍କ ଦେଉଳ ପାଖକୁ । ସେଇଠି ମହାଦେବଙ୍କ ଧୂପ ସରିଲେ, ସେଠି ଯେଉଁମାନେ ତୁମରିପରି କୁଷ୍ଠରୋଗୀ ଅଛନ୍ତି, ସେମାନଙ୍କୁ ପ୍ରସାଦ ଖାଇବାକୁ ଦିଆଯାଏ । ତୁମମାନଙ୍କୁ ପ୍ରସାଦ ମଧ୍ୟ ଖାଇବାକୁ ଦିଆଯିବ । ସେ ଦେଉଳ ପାଖରୁ ଗାଁ ଆହୁରି ପାଏ ବାଟ ହବ ।

 

ଜଣେ ଦି’ଜଣ କୁଷ୍ଠରୋଗୀ ଶଗଡ଼ିଆକୁ ପଚାରିଲେ–ଭାଇ, ତୁମ କତିରେ ପାଣି ନାହିଁ ?

 

ଶଗଡ଼ିଆ ଏ ଲୋକମାନଙ୍କୁ ଶୋଷରେ ଆକୁଳ ହବାର ଦେଖି ନିରୁପାୟ ହେଇ ବଡ଼ ଦୁଃଖରେ କହିଲେ–ନାହିଁ ଭାଇ, ମୋ ପାଖରେତ ପାଣି ନାହିଁ । ଆଉ ଅଳ୍ପ ବାଟରେ ସେ ଦେଉଳ ପଡ଼ିବ । ସେଇଠି ପାଣି ମିଳିବ, ମୁଁ ମଧ୍ୟ ସେଇଠି ଶଗଡ଼ ଖୋଲି ବଦଳଙ୍କୁ ଖୋଇବି.....

 

ସୂର୍ଯ୍ୟ ବୁଡ଼ିବାକୁ ଆରମ୍ଭ କଲେ । ଉପରେ ପ୍ରଶାନ୍ତ ନୀଳ ଆକାଶ । ଦୂର ଦିଗ୍‌ବଳୟରେ ଶ୍ୟାମଳ ବର୍ଣ୍ଣର କେତେକ ପାହାଡ଼ । ତାରିପାଖରେ ପ୍ରକାଣ୍ଡ ଲାଲ ରଙ୍ଗର ଗୋଲାକାର ସୂର୍ଯ୍ୟ । ତା’ପାଖ ଦେଇ ଘର ମୁହାଁ ଚଢ଼େଇ ଗୁରାଏ ବେଳେ ବେଳେ ଉଡ଼ି ଯାଉଛନ୍ତି । କି ଦୃଶ୍ୟ ଏ !

 

ବାନା ପରିଡ଼ା ସମୁଦ୍ରରେ ସୂର୍ଯ୍ୟର ଉଠିବା, ବୁଡ଼ିବା କେତେ ଥର ଦେଖିଛି । ସେ ସୂର୍ଯ୍ୟକୁ କେଭେ ସେ ଏତେ ଭୋକ ଶୋଷରେ ଦେଖିନାହିଁ । ସେ ଭିକ ମାଗୁ, ଯା କରୁ । ତା’ପେଟ ଅନ୍ନଜଳରେ ପୂରିଥାଏ । ଆଜି ସାରାଦିନଟା ତା’ ପେଟରେ ଅନ୍ନଜଳ ପଡ଼ିନାହିଁ । ତା’ପରେ ପୁଣି ସୂର୍ଯ୍ୟଙ୍କୁ ସେ ଆଜି ଇମିତି ପାହାଡ଼ ପାଖ ଦେଇ ବୁଡ଼ିବାର ଦେଖୁଛି ।

 

ଆଜି ବାନା ପରିଡ଼ା ଭୋକ ଶୋଷରେ ଜଳିପୋଡ଼ି ହଉଛି । ତା’ପରେ ପୁଣି ବାଧ୍ୟ ହେଇ ବାଟ ଚାଲୁଛି । କି ଭୁଲ କଲା ସେ । ସେତ ଭଲରେ ଥିଲା, କାହିଁକି ସୁଦାମ ବାବୁଙ୍କ କଥାରେ ପଡ଼ିଲା ? ବାନା ପରିଡ଼ାର ମୁଣ୍ଡ ଘୁରିଯାଉଛି । ଆଉ କେତେ ବାଟ ? ଆଉ ଚାଲିପାରିବ ନାହିଁ । ଯଦି ବାଟରେ ପଡ଼ି ମରିଯାଏ ତା ସାଙ୍ଗ ସାଥିମାନେ ତ କେହି ଜାଣିପାରିବେ ନାହିଁ ।

 

ଯଉଁ ଦି’ସେର ଅଫିମ ତା’ପାଖରେ ଅଛି, ତାକୁତ କିଏ ନେଇଯିବ ? ସଞ୍ଜ ହେଲା ।

 

ରାସ୍ତା କଡ଼ର କୁଷ୍ଠରୋଗୀମାନେ ଏଥର ବାଦାମ ବଗିଚା ଭିତରକୁ ଚାଲିଲେ ଯେ ଯାର କୁଡ଼ିଆରେ ଆଶ୍ରା ନେବେ, କିଏ ବାଲି ଉପରେ ପଡ଼ି ପଡ଼ି ରାତି କଟେଇବେ ।

 

ବୀର ସମସ୍ତଙ୍କୁ ନଜର କଲା–ସମସ୍ତେ ଅଛନ୍ତି କି ନା ? ବୀର ଦେଖିଲା–ସମସ୍ତେ ଅଛନ୍ତି । ଅନାଦି ବରାଳ ନାହିଁ, ସେ ବୋଧେ ପୁରାଣ ପାଠ ଶୁଣିବାକୁ ସହର ଭିତରେ ଅଛି । ରାତିହେଲେ ଫେରିବ, ଆଉ ବାନା ପରିଡ଼ା ? ସେତ କୁଆଡ଼େ ଯାଇଛି, ବଡ଼ ଆଶ୍ଚର୍ଯ୍ୟ କଥା ! କୁଆଡ଼େ ଗଲା ସେ ଲୋକଟା ?

 

ବୀର ଆଉ କେତେଜଣ କୁଷ୍ଠରୋଗୀଙ୍କୁ ପଚାରିଲା–ହଇରେ, ତୁମେ କେହି ଜାଣିନା ବାନା ପରିଡ଼ା କୁଆଡ଼େ ଗଲା ? ଆଉ ତାକୁ ଗାଡ଼ି ମାଡ଼ି ଦେଲାକି କଉଁଠି ?

 

ବୀର ପରିଡ଼ା ପୁଣି ଭାବିଲା–ଲୋକଟା ଇମିତି ଡଠାତ୍‌ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା କାହିଁକି ? କଣ ତା’ର ଉଦ୍ଦେଶ୍ୟ ? ସେ ତ ଏମିତି ଖରାପ ଧରଣର ଲୋକ ନ ଥିଲା, ନିରୀହ ଲୋକଟାଏ । ସେ କଣ ଆଉ କଉଁଠି ପ୍ରାଣ ହରେଇ ଦେଲା କି ?

 

ବାନା ପରିଡ଼ା ଅନ୍ୟାନ୍ୟ କୁଷ୍ଠରୋଗୀମାନେ ମହାଦେବଙ୍କ ଦେଉଳ ନିକଟରେ ପହଞ୍ଚି ଝରଣାରୁ ବାହାରେ ବୋହି ଯାଉଥିବା ପାଣିରୁ ପେଟେ ପେଟେ ପିଇ ବସି ପଡ଼ିଲେ । କେତେକ ମାଟି ଉପରେ ଶୋଇ ଜାଗାଟାର ଚାରିଆଡ଼କୁ ଅନେଇ ଦେଖିଲେ–ବେଶ ସୁନ୍ଦର ଜାଗାଟିଏ । ଦେଉଳ, ଦେଉଳ ସାମନାରେ ଗୋଟାଏ ପଥର ବୃଷଭ ମୁହଁରୁ ପାଣି ଝରୁଛି । ସେଠି ପଥର ଗାନ୍ଥିଣି ହେଇ ଗୋଟିଏ ଚାରିକଣିଆ କୁଣ୍ଡପରି ହେଇଛି । ଦେଉଳର ବାଁ ଆଡ଼େ ଗୋଟିଏ ପକ୍‌କା ଧର୍ମଶାଳା ପରି ହେଇଛି । ସେଥିରେ ଲୋକମାନେ ଅଛନ୍ତି । ବୋଧେ ଯାତ୍ରୀ ହେବେ । ଦେଉଳର ପଛପଟେ ପାହାଡ଼, କେତେ ରକମର ଗଛ–ଆମ୍ୱ, ପଣସ, ନଡ଼ିଆ, ଅମୃତଭଣ୍ଡା କେତେ ପ୍ରକାର ଫୁଲଗଛ–ନାଗେଶ୍ୱର ଫୁଲର ଗନ୍ଧରେ ଚାରିଆଡ଼ ମହକି ଉଠୁଛି । ଦେଉଳର ବାଁ ଆଡ଼େ ଦୂରକୁ କେତେଗୁରାଏ ଛୋଟ ଛୋଟ ଚାଳଘର ହେଇଛି ।

 

ବାନା ପରିଡ଼ା ମନଟା ଖୁସି ହୋଇଗଲା ଜାଗାଟାକୁ ଦେଖି । କି ଶାନ୍ତି ଲାଗୁଛି ଏଠି !

 

ଏହି ଆଗନ୍ତୁକ ନୂଆ କୁଷ୍ଠରୋଗୀମାନଙ୍କୁ ଦେଖି ସେଠାରେ ମହାଦେବଙ୍କ ଆଶାରେ ପଡ଼ିଥିବା କେତେକ କୁଷ୍ଠରୋଗୀମାନେ ଆସି ଚିହ୍ନା ପରିଚ ହବାକୁ ପହଞ୍ଚି ପାଖରେ ବସିପଡ଼ି କେତେ କଥା ପଚାରିଲେ–କୁଆଡ଼ୁ ଆସିଲ ? କାହିଁକି ଆସିଲ ? କିମିତି ଏ ଜାଗାର ଠିକଣା ଜାଣିଲ-?

 

ଏହାର ଉତ୍ତର ଦବାକୁ ଯାଇ ଆଗନ୍ତୁକ କୁଷ୍ଠରୋଗୀମାନଙ୍କ ମଧ୍ୟରୁ କେତେ ଜଣ କହିଲେ–ଭାଇ, ତୁମମାନେ ତ ଏଠା ବାସିନ୍ଦା ! ଭାଇ, ଆମକୁ ମୁଠାଏ ମୁଠାଏ ଭାତ ଖାଇବାକୁ ଦେଇ ପାରିବ ? ଆମର ହଂସା ଉଡ଼ି ଯାଉଛି, ଆଜି ସାରା ଦିନ ଭାତ ଗଣ୍ଡାଏ ଖାଇନୁ.....

 

ସେଠା କୁଷ୍ଠରୋଗୀମାନେ କହିଲେ–ବର୍ତ୍ତମାନ ଠାକୁରଙ୍କ ଧୂପ, ଆଳତି ସରିଲେ ଆମମାନଙ୍କୁ ଅନ୍ନ ପ୍ରସାଦ ଖାଇବାକୁ ଦିଆଯିବ । ତୁମେମାନେ ଆମରି ସାଥିରେ ଖାଇବାକୁ ବସିବ-। ଏଠି ଆମର ଖାଇବାର ଅଭାବ ନାହିଁ । କେତେ ଦାତା ଆସୁଛନ୍ତି । କିଏ ଟଙ୍କା, କିଏ ଲୁଗା, କିଏ ଖାଇବାକୁ ଦଉଛନ୍ତି । ଆମେ ଏଠି ଭାରି ଭଲରେ ଅଛୁଁ । ଆମକୁ ଭିକ ମାଗିବା ପାଇଁ କୁଆଡ଼େ ଯିବାକୁ ହୁଏନା । ଜଣେ ସେଠ ଏଠିକି ଦର୍ଶନ ପାଇଁ ଆସିଥିଲେ । ସେ ଆମମାନଙ୍କ ପାଇଁ ଚାଳ ଘର କରି ଦେଇ ଯାଇଛନ୍ତି । ଆମେ ତ ଏଠି ଅଳ୍ପ କେତେଜଣ ଅଛୁଁ । ଆହୁରି କେତେଘର ଖାଲି ପଡ଼ିଛି । ଏଠି କେତେକ କୁଷ୍ଠରୋଗୀ ଆସି ରହୁଛନ୍ତି । ପୁଣି କିଛିଦିନ ପରେ କୁଆଡ଼େ ଚାଲି ଯାଉଛନ୍ତି......

 

ମହାଦେବଙ୍କର ଧୂପ ହେବ, ଭୋଗବୁହା ଆରମ୍ଭ ହେଲା । ଲୋକେ ଆସି ରୁଣ୍ଡ ହେଲେ-। ଝାଞ୍ଜ, ମୃଦଙ୍ଗ, କାହାଳି, ଘଣ୍ଟା, କଂସାଳ ବାଜିଲା, କୀର୍ତ୍ତନ ହେଲା । ଏ କୀର୍ତ୍ତନ ହେଲାବେଳେ ବଣ, ପାହାଡ଼, ଝରଣା ସବୁ ଯିମିତି ଆନନ୍ଦରେ ଭରି ଉଠିଲା । ପାଖେ ଯାତ୍ରୀ ଗ୍ରାମବାସୀ, ଅନ୍ୟ ପାଖରେ ନୂଆ ପୁରୁଣା କୁଷ୍ଠରୋଗୀଏ ଧାଡ଼ି ବାନ୍ଧି ଠିଆ ହେଲେ । ଧୂପ ଲାଗିଲା, ଆଳତି ହେଲା-। ଜଣେ ସନ୍ନ୍ୟାସୀ ମହାଦେବଙ୍କର ପୂଜା କଲେ । ସୁନ୍ଦର ରୂପ, ମୁଣ୍ଡରେ ଜଟା, ମୁହଁରେ ଦାଢ଼ି, ନିଶ, ଦେହରେ ପଇତା......

 

ନୂଆ କୁଷ୍ଠରୋଗୀମାନଙ୍କ ମଧ୍ୟରୁ କେତେକ ମହାଦେବ ସନ୍ନ୍ୟାସୀ, ବାସୁଆ ବଦଳକୁ ଦେଖୁ ଦେଖୁ କେତେକ ନଜର କଲେ–ଏଠା କୁଷ୍ଠରୋଗୀମାନଙ୍କ ମଧ୍ୟରେ କେତେକ ମାଇପି କୁଷ୍ଠରୋଗୀ ମଧ୍ୟ ଅଛନ୍ତି–ଯବାନ, ଅଧୁଆଡ଼ୀ, ବୁଢ଼ୀ ସବୁ ପ୍ରକାରର ଅଛନ୍ତି ।

 

ଆଳତି ଶେଷ ହେଲା । ଶିଙ୍ଗା ବାଜିଲା, ବେଲପତ୍ରୀ, ପାଦୁକ, ବଣ୍ଟା ହେଲା । ସମସ୍ତେ ଓଳଗି ହେଲେ । ତା’ପରେ ପ୍ରସାଦ ବଣ୍ଟା ହେଲା ।

 

ନୂଆ, ପୁରୁଣା କୁଷ୍ଠରୋଗୀମାନେ ଧାଡ଼ି ହେଇ ପତର ପକେଇ ଖାଇବାବୁ ବସିଗଲେ ।

 

ବାଦାମ ବଗିଚାରେ ବୀର ଭାବୁଛି–ବାନାଟା ନିଶ୍ଚୟ ମରିଗଲା । ତା’ ନ ହେଲେ, ଲୋକଟା ଆସନ୍ତାନି ?

 

ନିତି ସନ୍ଧ୍ୟା ପରେ ଯେମିତି ବାଦାମ ବଗିଚା ଆଲୁଅ, ଛାଇରେ ଦିଶେ, ଆଜି ମଧ୍ୟ ସେମିତି । କିଏ କେଉଁଠି ବାଲିରେ ଗଡ଼ୁଛୁ କିଏ ଥକା ହୋଇ କେଉଁଠି ବାଦାମ ଗଛକୁ ଆଉଜି ବସିଛନ୍ତି । କିଏ ରୋଷେଇରେ ଲାଗିଛନ୍ତି । ପୁରୁଷଙ୍କ ଅପେକ୍ଷା ମାଇପି ବେଶି ରୋଷେଇ କରୁଛନ୍ତି-

 

ପାର ରୋଷେଇ କରୁ କରୁ ବୀରକୁ ଅଳ୍ପ ସ୍ୱରରେ ପଚାରିଲା–କହିଲ ନାହିଁ ? କେତେଥର ଆଉ ପଚାରିଲେ କହିବ ? ତୁମର ଯଦି ମୋ ପ୍ରତି ମାୟା ଥିବ, ତୁମେ ମୋତେ ଯେମିତି ହେଲେ କହିବ....

 

ବୀର ଉତ୍ତରରେ କହିଲା–ତୋତେ ପରା କହିଲି, ମୁଁ କହିବି ନାହିଁ । ତୋର ଏତେ ଜିଗର କାହିଁକି ଲାଗିଛି ? ତୁ ସେ କଥା ଶୁଣିଲେ ତୋର କଉ ଲାଭ ହବ ? ମିଛରେ ସେଇ କଥା ବାରଂବାର ପଚାରୁଛୁ ?

 

ପାର ବୀରକୁ କହିଲା–ହଉ, ନ କହିଲେ ନାହିଁ, ମୁଁ ଆଉ ତୁମ ପାଖରେ ରହିବି ନାହିଁ । ମୋତେ ତୁମେ ଗୋଟାଏ କଥା କହିବାକୁ ଯଦି ତୁମ ମନରେ ଏତେ କୂଟ, ତୁମ କତିରେ ରହିବି କଉ କାରଣକୁ ? ତୁମର ମୋ ପ୍ରତି ଆଉ କି ମାୟା ଅଛି ?

 

ପାର ଆଉ ରହିବ ନାହିଁ ବୋଲି କହିବାର ଶୁଣି ବୀର ଚମକି ପଡ଼ିଲା–କଣ କହିଲା ପାର ! ଆଉ ମୋ ପାଖରେ ରହିବ ନାହିଁ ! ଏଡ଼େ ସାହସ ହେଲାଣି ତାର !

 

ବୀର ରାଗରେ ପାରକୁ ଧମକ ଦେଲା ପରି କହିଲା–ହଇଲୋ, ତୁ କଣ ମୋତେ ଧମକ ଦେଲୁଣି, କଣ କହିଲୁଣି–ମୋ ପାଖରେ ରହିବୁ ନାହିଁ । ହଇଲୋ, ତୁ କା ଶିକ୍ଷାରେ ପଇଲୁଣି କି ? ମୁଁ ମନା କଲି, ଯଉକଥା କହିବାର ନୁହେଁ, ସେ କଥା ତୋତେ କାହିଁକି କହିବି ? ତୁ ପୁଣି ମୋତେ ଧମକ ଦେଲୁଣି ! ଛତରଖାଇ ବୁଲୁଥିଲୁ, ତୋତେ ଆଣି ମୁଁ ଭଲରେ ରଖିଲାରୁ ତୁ ପୁଣି ମୋତେ ନେଉଟ ଜବାବ ଦଉଛୁ ?

 

ଦି’ଜଣ କୁଷ୍ଠରୋଗୀ ବାଲି ଉପରେ ଗଡ଼ୁଥିଲେ । ବୀର ଆଉ ପାରର ଇମିତି କଥାବାର୍ତ୍ତା ହବାର ଶୁଣି ଜଣେ ଜଣକୁ କହିଲା–ଶୁଣୁଛୁ, ବୀର ଭାଇ, ପାର କଣ କୁହାକୁହି ହଉଛନ୍ତି । ଯଦି ପାର ବୀରକୁ ଛାଡ଼େ, ମୁଁ ତାକୁ ନେଇ ଏଠୁଁ ପଳେଇବି....

 

ଆର ଜଣକ ଏହାର ଉତ୍ତର ଦବାକୁ ଯାଇ କହିଲା–ଛିଃ, ସେମିତି କରିବା ଭଲ ନୁହେଁ । ସେମାନେ ତାଙ୍କର ଚଳୁଛନ୍ତି । ତୋର ଯଦି ଦରକାର ହଉଛି, ତୁ ଗୋଟାଏ ମାଇପି କୁଆଡ଼ୁ ଯୋଗାଡ଼ କରି ଆଣୁନୁ......

 

ଅନ୍ୟ ଜଣକ କହିଲା–ଭାଇ, ପାର ଭଳି ଘରଣୀଟାଏ ଆଉ ମିଳିବ କି ?

 

ଆର ଜଣକ କହିଲା–ଆହୁରି ଭଲ ଘରଣୀ ଖୋଜୁଛୁ ? ନିଜେ ଯେମିତି ଘରୁଆଟାଏ, ତୋ ମନ ହଉଛି–ଗୋଟାଏ ଅପସରୀଟାଏ ମିଳନ୍ତା କି । ହାତ ଗୋଡ଼ ଛିଡ଼ି କୋଢ଼ି ହେଲୁଣି, ଆଉ କେତେ ଦିନ ଗଲେ କଣ ହବୁ, ଜଣା ନାହିଁ, ସେଥିରେ ପୁଣି ଗୋଟାଏ ମାଇପି ଲୋଡ଼ା ହଉଛି......

 

ଅନ୍ୟ ଜଣକ ଏହାର ଉତ୍ତରରେ କହିଲା–ଭାଇ, ଏ ଶରୀରଟା ସିନା ବାହାରୁ ଖଣ୍ଡିଆ ଖାବରା ହେଇଗଲାଣି, ହେଲେ ମନଟା କଣ ଭିତରେ ଖଣ୍ଡିଆ ଖାବରା ହେଇଛି ? ବୟସ ଅନୁସାରେ ମନ ସେମିତି କଞ୍ଚା ଅଛି । ମନ ଚାହୁଁଛି କେତେ କଣ......

 

ଆରଜଣକ କହିଲା–ମନଟା କଞ୍ଚା ଥିଲେ କଣ ହବ ? ଦେହତ ପଚି ଛିଣ୍ଡିଲାଣି । ଲୋକେ ତ ଦୁଆରେ ଠିଆକରି ଦଉନାହାନ୍ତି......

 

ଅନ୍ୟଜଣକ କହିଲା–ଠିକ୍‌ କହିଛୁ ଭାଇ । ମୁଁ ଦିନେ ଜଣେ ବଡ଼ ଲୋକ ଘରକୁ ଭିକ ମାଗିବାକୁ ଯାଇ ତଳେ ଠିଆ ନ ହେଇ ତା’ ବାରନ୍ଦା ଉପରକୁ ଯେମିତି ଉଠିଯାଇଛି, ସେ ବାବୁଟା ସେ ବାରନ୍ଦାରେ ବସି ଟେବୁଲ ଉପରେ ଚା ଖାଉଥିଲା । କଣ କହିବି ଭାଇ, ସେ ବାବୁଟା ସେ ଗରମ ଚା ଗୁରାକ ରାଗରେ ମୋ ଉପରକୁ ଛାଟିଦେଲା । ଆଉ ଯିବି କୁଆଡ଼େ ! ମୋ ଦେହଟା ଯେମିତି ପାଚି ଫୋଟକା ହେଇଗଲା ପରି ଜଣାଗଲା.......

 

ଆରଜଣକ କହିଲା–ମୁଁ ଦିନେ ସେମିତି ଜଣକ ଘରକୁ ଭିକ ମାଗିବାକୁ ଯାଇ, ତଳେ ଠିଆ ନ ହେଇ ତା’ ପାହାଚ ଉପରକୁ ଉଠି ଠିଆହେଲି । ସେଠି ସେ ଘର ମାଲିକଟା ମୋ ଗୋଡ଼କୁ ଦି’ତିନିଥର ଅନେଇଲା । ସେ ଦେଖିଲା–ମୁଁ କୁଷ୍ଠରୋଗୀଟାଏ । ପାଦ ଆଙ୍ଗୁଳିଗୁରା ଛିଣ୍ଡିଗଲାଣି । ମୁଁ କିମିତି ତା’ ପାହାଚ ଉପରକୁ ଉଠି ଠିଆହେଲି ? ସେ ଯଉଁଠୁ ମୋ ଗୋଡ଼କୁ ଦି’ତିନିଥର ଅନେଇଲା, ମୁଁ କହିଲି–କଣ ବାବୁ, ମୋ ପାଦକୁ କାହିଁକି ଏତେ ଥର ଅନଉଚ ?

 

ସେ ବାବୁ ରାଗରେ ମୋତେ ପରିହାସ କଲାପରି କହିଲା–ତୋ ପାଦ–ପଦ୍ମ କିମିତି ସୁନ୍ଦର ଦିଶୁଛି, ଦେଖୁଛି । ଓହ୍ଲେଇ ତଳକୁ ଯା ନା ଦେଖିବୁ । ମୋ ପିଲାମାନେ ଏଠି ବୁଲୁଛନ୍ତି, ଖେଳୁଛନ୍ତି । ଆମେ ଏଠି ଚଳାଚଳ ହଉଛୁ । ତୋତେ କିଏ କହିଲା ମୋ ପାହାଚ ଉପରେ ଠିଆହବାକୁ ? ଓହ୍ଲେଇଲୁ ନା ଦେଖିବୁ ଅଭିକା.......

 

ମୁଁ ଭୟରେ ତଳକୁ ଓହ୍ଲେଇ ଠିଆହେଲି । ଭାଇ, ଆମକୁ କଣ ଲୋକେ ଆଉ ମଣିଷ ବୋଲି ଭାବୁଛନ୍ତି । ଏ ଜୀବନଟା ଚାଲିଯାଆନ୍ତା କି, ମଣିଷ ତ୍ରାହି ପାଇଯାନ୍ତା । କି କଲବଲ ହଉଛି ଏ ଜୀବନଟା.......

 

ଅପନା ପୁଣି କହିଲା–ଜାଣିଲୁ ଗୋପୀଆ, ମଣିଷକୁ ଆଉ ଯେତେ ରୋଗ ହଉ ପଛେ କୁଷ୍ଠରୋଗ ଯେମିତି କାହାରିକି ନହଉ.....

 

ଗୋପୀଆ କହିଲା–କଣ ତୁ କହୁଛୁ ? ମୁଁ କହୁଛି, ସମସ୍ତଙ୍କୁ କୁଷ୍ଠରୋଗ ହଉ । ଆମରି ପରି ସମସ୍ତେ ହୁଅନ୍ତୁ । ଆମକୁ ଯେତେ ଘୃଣା କରୁଛନ୍ତି, ତାଙ୍କୁ ଏ ରୋଗ ହେଲେ ସେମାନେ ବୁଝିପାରିବେ......

 

ଗୋପିଆ ପୁଣି କହିଲା–ବୁଝିଲୁ ଅପନା, ମୁଁ ଯଉଠି ଲୋକ ଗହଳି ଦେଖେ, ତାଙ୍କ ଭିତରେ ଭିକ ମାଗିବାକୁ ପଶିଯାଇ ତାଙ୍କ ଅଜାଣତରେ ତାଙ୍କ ଦେହରେ ଯେତେ ରକ୍ତ ପୂଜ, ରସାଣି ସବୁ ଲଗେଇଦିଏ । ହଉ ତାଙ୍କୁ କୁଷ୍ଠରୋଗ । ମୁଁ ଜାଣେ, ଆମ ଦେହର ରକ୍ତ, ପୁଜ ଯା ଦିହରେ ଲାଗିବ ତାଙ୍କୁ ନିଶ୍ଚୟ କୁଷ୍ଠରୋଗ ଧରିବ । କୁଷ୍ଠରୋଗ ଧଇଲେ ମଲେ, ଆମରିପରି ହେବେ......

 

ଅପନା ଏକଥା ଶୁଣି କହିଲା–ସମସ୍ତଙ୍କୁ ଯଦି କୁଷ୍ଠରୋଗ ଧରେ, ସମସ୍ତେ କଣ ଆସି ଆମରିପରି ରାସ୍ତା କଡ଼ରେ ବସିବେ ନା ବାଦାମ ବଗିଚାକୁ ଆଶ୍ରା କରିବେ । ଆମେ ଗରିବ ଲୋକ ବୋଲି ଇମିତି ଅବସ୍ଥା ଭୋଗୁଛୁ । ବର୍ତ୍ତମାନ କଣ ଆମରିପରି କେତେ କୁଷ୍ଠରୋଗୀ କେତେ ଘରେ ନାହାନ୍ତି ? ସେମାନେ ଧନୀ ବୋଲି ବାହାରକୁ ଜଣା ପଡ଼ୁନାହିଁ । ଘରେ ଥାଇ ତାଙ୍କର ଚିକିତ୍ସା ଚାଲିଛି । ଲୁଚି ଛପି ରହିଛନ୍ତି । ଜାମା ଯୋତା ମଡ଼େଇ ଭଲରେ ଅଛନ୍ତି । କୁଷ୍ଠରୋଗୀ ଜାଣିଲେ ମଧ୍ୟ ତାଙ୍କୁ କେହି କିଛି କହି ପାରୁ ନାହାନ୍ତି । ଯେ ଯାର ହୁସିଆରରେ ଆଡ଼େଇ ଆଡ଼େଇ ହେଇ ଚଳୁଛନ୍ତି, କଣ କହିବେ....

 

ଅପନା ପୁଣି କହିଲା–ଆମେତ ସହର ବଜାର, ବାର ଦୁଆର ଭିକ ମାଗି ବୁଲୁଛୁ । ଆମେ ଦେଖୁନାହୁଁ ଯେ ଜଳଖିଆ ଦୋକାନ, ହୋଟେଲ, ଚାଉଳଡ଼ାଲି ଦୋକାନ ଇମିତି କେତେ ଜାଗାରେ କୁଷ୍ଠରୋଗୀମାନେ କାମ କରି ଚଳୁଛନ୍ତି । ଏଗୁରା କଣ ? ଆମେ ବରଂ ଭଲ କରିଛୁ । ଆମର ଆମେ ନିଜ କପାଳକୁ ଆଦରି ସମସ୍ତଙ୍କ ଠାରୁ ଅଲଗା ହେଇ ଚଳୁଛୁ । ସେମାନେତ ରୋଗ ମାଡ଼ିବାରେ ସାହାଯ୍ୟ କରୁଛନ୍ତି ।

 

ଅପନା ପୁଣି କହିଲା–ତୁ କାହିଁକି ସେମିତି କାମ କରୁଛୁ ? ଲୋକଙ୍କ ଦିହରେ ରକ୍ତ, ପୂଜ ଅଜାଣତରେ ଲଗେଇ ଦଉଛୁ ? କଉ ଭଲ କାମ କରୁଛୁ ? ପାପର ଫଳ ତ ଭୋଗୁଛୁ । ଆହୁରି ପାପ କରୁଛୁ ?

 

ଜହ୍ନ ପଡ଼ିଥିଲା, କୁଆଡ଼ୁ ମେଘ ପୁଳାଏ ମାଡ଼ିଆସିଲା । ପବନ ପିଟିଲା, ଜହ୍ନ ଆଲୁଅ କୁଆଡ଼େ ଉଭେଇ ଗଲା । ଘଡ଼ଘଡ଼ି ଶବ୍ଦରେ ଚାରିଆଡ଼ କମ୍ପିଉଠିଲା । ବିଜୁଳି ଚମକିଲା । ବାଦାମ ବଗିଚା ଅନ୍ଧାର ହେଇଗଲା, ଝଡ଼ ପରି ପବନରେ ବାଦାମଗଛଗୁରାକ ଦୋହଲିଲା ।

 

କୁଷ୍ଠରୋଗୀଙ୍କର କେତେକ ଆଲୁଅ ଲିଭିଗଲା । ବାଲି ଉଡ଼ିଲା, ସମୁଦ୍ରର ଗର୍ଜନ ଆହୁରି ଜୋରରେ ଶୁଣାଗଲା । ସେତିକି ମାଡ଼ିଆସିବ ।

 

କୁଷ୍ଠରୋଗୀମାନେ କେତେକ ଏ ଝଡ଼ ଆଉ ଉଡ଼ନ୍ତା ବାଲିରେ ଗଡ଼େଇ ତଡ଼େଇ ହେଇଗଲେ । କେତେକ ଅଦୂରରେ ଥିବା ଭଙ୍ଗା କୋଠା ଘରକୁ ପଳେଇଲେ । କେବଳ ବୀର ଆଉ ପାର ତାଙ୍କ କୁଡ଼ିଆ ଭିତରେ ଥାନ୍ତି । ଅନ୍ୟାନ୍ୟ କୁଷ୍ଠରୋଗୀମାନେ ହା ହୁତାଶ ହେଇ ଭାବିବାକୁ ଲାଗିଲେ–କିମିତି ଏ ରାତି କଟିବ ? କଣ ଖାଇବେ ? ଯାର ଯାହା ରୋଷେଇ ହଉଥିଲା ସେତକ ତ ଆଉ ଖାଇହବନି । ଚୂଲ୍ଲୀ ଲିଭିଗଲା, ରନ୍ଧା ଜିନିଷରେ ବାଲି ଉଡ଼ି ପଡ଼ିଲା । କଣ କରିବେ ? କେତେକ କୁହାକୁହି ହେଲେ–ଆଜି ସକାଳୁ ଭାଇ କା’ ମୁହଁ ଚାହିଁଥିଲୁ ? ରନ୍ଧା ଭାତ ଗଣ୍ଡାକ ଖାଇ ହେଲାନି !

 

କେତେକ ମନେ ମନେ ଭଗବାନଙ୍କୁ ଡାକିଲେ–ପ୍ରଭୁ, ରକ୍ଷାକର । ଏତିକିରେ ବନ୍ଦ କରିଦିଅ ପ୍ରଭୁ । ଯା’ କଷ୍ଟ ଦେଲ ଦେଲ, ଏ ଝଡ଼ ବତାସ ପ୍ରଭୁ ବନ୍ଦ କରିଦିଅ......

 

ଜଣେ ଦି’ଜଣ ଅନ୍ୟ କୁଷ୍ଠରୋଗୀମାନଙ୍କ ଭଗବାନଙ୍କୁ ଏ ପ୍ରାର୍ଥନା କରିବାର ଶୁଣି କହିଲେ–କିରେ, ଠାକୁରତ ମାନୁ ନ ଥିଲ । ପୁଣି ଭଗବାନଙ୍କୁ କଣ ଡାକୁଛ ? ବୀର ଭାଇତ ଠାକୁର ପଟି ପୂଜା କରୁଛି–ବୋଲି ତାକୁ ଥଟ୍ଟା କରୁଛ । ଅଭିକା ପୁଣି ଏ କି କଥା ? ବୁଝ ଏଇଥିରୁ, ବୀରଭାଇ ଠାକୁର ପୂଜା କରୁଛି ବୋଲି, ସେ ତା’ କୁଡ଼ିଆ ଖଣ୍ଡକରେ ଭଲରେ ଅଛି । ଆମେ ଯେମିତି ଠାକୁର ପୂଜା କରୁନାହୁଁ, ସେମିତି ଭୋଗୁଛୁ......

 

ଏହାର ଉତ୍ତରରେ ଆଉ ଜଣେ ଦି’ଜଣ କହିଲେ–ସେଗୁରା ମିଛ କଥା । ଏଡ଼େବଡ଼ ସହର ଏ । ଏଥିରେ ଯେତେ ଲୋକ ଅଛନ୍ତି ସମସ୍ତେ କଣ ଠାକୁର ପୂଜା କରୁଛନ୍ତି ? ଆମରି ପରି ନିହାତି ଗରିବ ଯେ, ସେମାନେ ଠାକୁରଙ୍କୁ ଭାବୁଛନ୍ତି । ପ୍ରାର୍ଥନା କରୁଛନ୍ତି । ଠାକୁର ବୋଲି ମାନୁଛନ୍ତି-। ଆଉ ଯେ ଖୁବ୍‌ ଧନୀଲୋକ, ସେ କଣ ଠାକୁରଙ୍କ କଥା କେଭେହେଲେ ଭାବୁଛି ? ଠାକୁରଙ୍କ ବିଷୟରେ ଯଉଠି କଥା ପଡ଼ୁଛି ତାଙ୍କୁ ହସ ମାଡ଼ୁଛି । ସେମାନେ ଭାବୁଛନ୍ତି–ଠାକୁର କିଏ-? ଯା’ହବାର ତା ହବ, ହେଉଛି । ଯା କରିବାର ଯା’କରିଛି, ମୁଁ କରିଛି......

 

ଝଡ଼ ବନ୍ଦ ହେଇଗଲା, ସମୁଦ୍ରର ଗର୍ଜନ ଆଗ ଅପେକ୍ଷା କମିଗଲା । ଆକାଶର ଜହ୍ନ ଯେମିତି ବାଦଲ–ଉରୁଣା ଆଡ଼େଇ ଦେଇ ପୁଣି ମୁହଁ ଦେଖେଇଲା, ପୁଣି ଜହ୍ନ ପଡ଼ିଲା । ବାଦାମ ବଗିଚା ଶାନ୍ତ ପଡ଼ିଲା । କୁଷ୍ଠରୋଗୀମାନେ ହାଣ୍ଡିକୁଣ୍ଡି ଚଳନୀୟ ଜିନିଷ ନେଇ ପୁଣି ବାଦାମ ବଗିଚାକୁ ଫେରି ଯେ ଯାର ରୋଷେଇ କରିବାର ଯୋଗାଡ଼ରେ ଲାଗିଲେ । ଦୂରରୁ ଶୁଣାଗଲା–

 

ଚକାଡୋଳା କିମ୍ପା ଡକା ନ ଶୁଣ......

 

ଅନାଦି ବରାଳ ଠେଙ୍ଗାଟାଏ ଠକର ଠକର କରି ଗୀତ ଗାଇ ଗାଇ ଆସିବାର ବାଦାମ ବଗିଚାରେ କୁଷ୍ଠରୋଗୀମାନେ ଅନୁମାନ କଲେ ।

 

କିଛି ସମୟ ପରେ ଅନାଦି ବରାଳ ବାଦାମ ବଗିଚା ଭିତରକୁ ଆସି ନିଜର ପୁଟୁଳା, ଟିଣ ଡବା ଇତ୍ୟାଦି ବାଲି ଉପରେ ଥୋଇ ଦେଇ ଗୋଟାଏ ବାଦାମ ଗଛକୁ ଆଉଜି ବସିବା ମାତ୍ରେ କେତେ ଜଣ କୁଷ୍ଠରୋଗୀ ଅନାଦିକୁ ପ୍ରଶ୍ନ କଲେ–କିରେ ଅନାଦି, ଆଜି ଝଡ଼ ତୋଫାନ ବେଳେ କଉଁଠି ଥିଲୁ ? ଆମେ ତ ଭାଇ ଯା ଅବସ୍ଥା ଭୋଗିଲୁଣି ।

 

ଅନାଦି ନିଜ ପେଟକୁ ଆଉଁସୁ ଆଉଁସୁ ଦି’ଟା ହାକୁଟି ମାରି କହିଲା–

 

ଭାଇ, ଯେଉଁଠି ରାମାୟଣ ପାଠ ହଉଥିଲା ସେଇଠି ଥିଲି । ରାମାୟଣ ପାଠ ସରିବାପରେ ପ୍ରସାଦ ବଣ୍ଟା ହେଲା । ସମସ୍ତଙ୍କ ଖାଇବା ପ୍ରାୟ ସରି ଆସିଥିଲା, ଏଇ ସମୟରେ ତ ଝଡ଼ ବତାସ କୁଆଡ଼ୁ ଆସିଲା, ମୁଁ ଖାଉ ଖାଉ ଆଉ ଅଳ୍ପ ବାକି ଥିଲା । ଝଡ଼ ଯେମିତି ଆସିଲା, ମୁଁ ପତର ସୁଦ୍ଧା ଟେକି ନେଇ ଗଲି ରାସ୍ତା କଡ଼ର ଗୋଟାଏ କେବିନ ତଳକୁ, ସେଇଠି ବସି ଖାଇଲି । ଗୋଟାଏ କଳରୁ ପାଣି ମନ୍ଦାଏ ପିଇ ତ ଆସୁଛି । ଆଜି ଭାଇ ଟିକିଏ ବେଶି ଖାଇଦେଲି.......

 

ଅନ୍ୟ ଜଣେ ଦି’ଜଣ କୁଷ୍ଠରୋଗୀ ପରିହାସ କରି କହିଲେ–ରାମାୟଣ ଶୁଣିବା ମିଛ, ପ୍ରସାଦ ଖାଇବାଟା ହେଲା ଅସଲ କଥା, ସେଇ ଲୋଭରେ ଖାଲି ରାମାୟଣ ପାଠ ଶୁଣିବାକୁ ଯାଉଛୁ......

 

ଅନାଦି ଏମାନଙ୍କର ଇମିତି ପରିହାସ କରିବାର ଦେଖି ରାଗରେ କହିଲା–ହଇରେ, ତୁମେମାନେ ପୁଣି ଥଟ୍ଟା କରୁଛ ? କାଲି ପରା ଏଇଥିପାଇଁ ସେ ଦି’ଟାଙ୍କୁ ବାଡ଼େଇ ଥିଲି ଦେଖିନା.....

 

ସେ ଦି’ଜଣ କୁଷ୍ଠରୋଗୀ ଉତ୍ତର ଦେଲେ–କଣ ତାଙ୍କୁ ବାଡ଼େଇଲୁ ବୋଲି ଆମକୁ ବାଡ଼େଇବୁ ? ଆମର ଗୋଡ଼ ଆଙ୍ଗୁଳିଗୁରା ସିନା ଛିଣ୍ଡି ଯାଇଛି, ହାତ ସବୁ ଠିକ୍‌ ଅଛି । ଆମକୁ ଆଉ ତାଙ୍କରି ପରି ଭାବିଲୁ କି ? ତୁ ରାମାୟଣ ଶୁଣି ଆସି ଯଉ ମିଜାଜ ଦେଖଉଛୁ, ସେ ସବୁ ଚଳିବନି । ଦେଖ ଆମକୁ ବାଡ଼େଇ କଣ ହବ ପୁଣି.......

 

ଅନାଦି ବରାଳ ଏମାନଙ୍କର ଇମିତି କଥା ଶୁଣି ରାଗରେ କହିଲା–ଆଉ ଥରେ ତୁମେ ଥଟ୍ଟା କରି କୁହ । ଦେଖ, ବାଡ଼ଉଛି କି ନା ? ଆଜି ଏଇଠି ତୁମ ଦି’ଜଣକୁ ସାବାଡ଼ ନ କରିଛି । ଆଜି ଏଇଠି ଯଦି ଲଙ୍କାକାଣ୍ଡ ନ ଭିଆଇଛି । ପୁଣି ମୋତେ ଚିହ୍ନିବ କିଏ ବୋଲି । ରୋଜି ଆସିବା ମାତ୍ରେ ଗୋଟାଏ ଥଟ୍ଟା ପରିହାସ, ଭଲ କଥା ନାହିଁ । କିରେ, ମୋର ଯା ମନ ହେଲା, ମୁଁ କଲି, ଖାଇବା ଲୋଭରେ ଯାଉଛି କି ରାମାୟଣ ଶୁଣିବା ଲାଗି ଯାଉଛି । ତୁମର ଏତେ ଅହନ୍ତା ? ଏତେ ରିହ କାହିଁକି ? ତୁମେ ଯୋଡ଼ାକ ତ ଚାଲି ପାରୁନା, କୁଆଡ଼େ ଯାଇ ଆସି ପାରୁନା, ତୁମର ଏତେ କଥା ?

 

ବୀର ଅଳ୍ପ ଦୂରରେ ଟିକିଏ ଶୋଇ ଯାଇଥିଲା । ଅନାଦି ବରାଳ ଆଉ ଦୁଇଜଣ କୁଷ୍ଠରୋଗୀଙ୍କ ବାଦାନୁବାଦ ମାଡ଼ପିଟ ହବାର ଉପକ୍ରମ ଦେଖି ପାର ବୀରକୁ ହଲେଇ ଦେଇ କହିଲା–ଶୁଣୁଛ, ଉଠିଲ......

 

ବୀର ଉଠିପଡ଼ି ପାରକୁ ପଚାରିଲା–କଣ ମ ? କଣ ହେଲା ? ପାର କହିଲା–ଅନାଦି, ଆଉ ଦି’ଜଣ ରୋଗୀ ବାଡ଼ିଆବାଡ଼ି ହବାକୁ ଉହୁଁକା ଉହୁଁକି ହଉଛନ୍ତି । ମୋତେ ଭାରି ଭୟ ଲାଗୁଛି........

ବୀର ଅନାଦିକୁ ଡାକି ପଚାରିଲା–କଣ କିରେ ଅନାଦି ? କଣ ହେଇଛି । କେତେବେଳେ ଆସିଲୁ ?

ଅନାଦି ବୀରକୁ ଉତ୍ତର ଦବାକୁ ଯାଇ କହିଲା–କାଲି ରାତିରେ ଯେମିତି ଯୋଡ଼ାକୁ ବାଡ଼େଇଥିଲି, ଆଜି ଏ ଯୋଡ଼ାକୁ ସେମିତି ବେଡ଼େଇଲେ ମୋର ମନ ଥୟ ହେବ.......

ବୀର–କଣ ହେଲା କଣ ?

ଅନାଦି–ମୁଁ ବଜାରେ ରାମାୟଣ ଶୁଣି, ପ୍ରସାଦ ବଣ୍ଟା ହଉଥିଲା ଖାଇ ପିଇ ଆସିଲା ପରେ ଏ ହରିଆ ଆଉ କଣ୍ଡୁରିଆ ମୋତେ ଥଟ୍ଟା କରୁଛନ୍ତି । ଭଲ କଥା ନାହିଁ, ଆଗେ ଥଟ୍ଟା......

ହରିଆ, କଣ୍ଡୁରିଆକୁ ବୀର ପଚାରିଲା–କାହିଁକି ଅନାଦିକୁ ଥଟ୍ଟା କରୁଛ କିରେ ? ଅଭିକା ମାଡ଼ ଗୁରାଏ ଖାଇବ । ଭଲ ହବ ? ଯଦି ଆଉ ପଦେ ତାକୁ କିଛି କହିଛ, ମୁଁ ଅନାଦିକୁ କହିବି ତୁମକୁ ଭଲ କରି ପରସ୍ତେ ଛେଚିବ.....

ବୀର ପୁଣି ଅନାଦିକି ପଚାରିଲା–ହଇରେ ଅନାଦି, ତୁ ତ ବଜାରକୁ ଯାଉଛୁ, ବହୁତ ଜାଗା ବୁଲୁଛୁ । ବାନା ପରିଡ଼ାକୁ କଉଠି ଦେଖୁନୁ ? ସେ କୁଆଡ଼େ ଗଲା ? ବଡ଼ ଆଶ୍ଚର୍ଯ୍ୟ କଥା । ଲୋକଟା ନିଶ୍ଚୟ କଉଠି ମରିଗଲା, ତା ନ ହେଲେ ସେ ତ ଏମିତି କେଭେ କଉଠି ରହେ ନାହିଁ......

 

ବାନା ପରିଡ଼ାର ନାକ ଡାକୁଛି । ମୁଣ୍ଡ ତଳେ ତାର ବୁଜୁଳାକୁ ରଖି ତା ଉପରେ ମୁଣ୍ଡ ରଖି ଶୋଇଛି । ଦିନ ସାରା ବାଟ ଚଲା, ଭୋକ କଷ୍ଟରେ ବାନା ପରିଡ଼ା ହାଲିଆ ହେଇ ଶୋଇ ପଡ଼ିଛି । ଆଉ ଯେଉଁମାନେ ବାନା ପରିଡ଼ା ସାଥିରେ ବାଟ ଚାଲି ଚାଲି ଆସିଥିଲେ, ସମସ୍ତେ ଶୋଇଛନ୍ତି, ହାଲିଆ ହେଇ ପଡ଼ିଛନ୍ତି ।

 

ପାହାଡ଼ ଉପରେ ମହାଦେବଙ୍କ ମନ୍ଦିର ନିକଟର ସ୍ଥାୟୀ ବାସିନ୍ଦା କୁଷ୍ଠରୋଗୀମାନେ ମଧ୍ୟ ଶୋଇଛନ୍ତି । ଯେ ସସ୍ତ୍ରୀକ ସେମାନେ ତାଙ୍କ ବଖରାରେ କବାଟ କିଳି ଶୋଇଛନ୍ତି ।

 

ଯେଉଁମାନେ ଏକା, ସେମାନେ ଗୋଟି ଗୋଟି ହେଇ ଯଉଠି ସେଠି ପଡ଼ିଛନ୍ତି । ଯେଉଁ କୁଷ୍ଠରୋଗୀ ସ୍ତ୍ରୀ ଲୋକମାନେ ଏକା ଥାନ୍ତି ସେମାନେ ତାଙ୍କ ବଖରାରେ ଶୋଇଛନ୍ତି । କିଏ କବାଟ କିଳିଛି ତ, କାର କବାଟ ଖୋଲା । ନିରବ ନିସ୍ତବ୍ଦ ରାତ୍ରୀ, ଚାରିଆଡ଼େ ଜଙ୍ଗଲ, କେବଳ ଝରଣାର କଳଧ୍ୱନି, ପାଣି କେଉଁଠୁ ଆସୁଛି ଜଣା ନାହିଁ । ମନ୍ଦିରର ଅଳ୍ପ ଦୂରରେ ଥିବା ଗୋଟିଏ ପଥର ବୃଷଭ ମୁହଁରୁ ପାଣି ଝରି ଗୋଟିଏ ଛୋଟିଆ ପୋଖରୀ ପରି କୁଣ୍ଡରେ ପଡ଼ୁଛି । ଝିଣ୍ଟିକା ଡାକୁଛି, ଆହୁରି କେତେ ରକମର ଜଙ୍ଗଲିଆ ଚଢ଼େଇ ମଝିରେ ମଝିରେ ରାବି ଉଠୁଛନ୍ତି । ପେଚା ରାବୁଛି, ଗଛର ଫାଙ୍କରେ ଆକାଶ ଦେଖା ଯାଉଛି । ଛାପ ଛାପିକିଆ ଜହ୍ନ ପଡ଼ିଛି । ନିଶା ଗର୍ଜୁଛି, ଦୂରରେ ପାହାଡ଼ିଆ ଜଙ୍ଗଲ ଭିତରୁ ଗୋଟାଏ ଗର୍ଜନ ଶୁଣାଗଲା । ପାହାଡ଼ ସାରା ଏ ଗର୍ଜନରେ କମ୍ପି ଉଠିଲା-। ଯେମିତି ଭୂମିକମ୍ପ ହେଲା ପରି ଜଣାଗଲା । କଣ ଏ ! ନୂଆ ଆଗନ୍ତୁକ କୁଷ୍ଠରୋଗୀମାନଙ୍କ ଏ ଗର୍ଜନରେ ନିଦ ଭାଙ୍ଗିଗଲା । ସମସ୍ତେ ଚମକି ଉଠି ପଡ଼ିଲେ । ବାସିନ୍ଦା କୁଷ୍ଠରୋଗୀଙ୍କ ମଧ୍ୟରୁ କେତେ ଜଣ ଉଠିଲେ । ନୂଆ କୁଷ୍ଠରୋଗୀମାନେ ଏ ଗର୍ଜନକୁ ଠିକ୍‌ ବାରି ନ ପାରି ବାସିନ୍ଦା କୁଷ୍ଠରୋଗୀଙ୍କୁ ପଚାରିଲେ–ଭାଇ, ଏଡ଼େ ବଡ଼ ଶବ୍ଦ କଣ ହେଲା ?

 

ବାସିନ୍ଦା କୁଷ୍ଠରୋଗୀମାନେ ସାହସ ଦେଇ କହିଲେ–ବାଘ ଗର୍ଜୁଛି । ଭୟ କରନା, ସେ ଝରଣାକୁ ପାଣି ଖାଇବାକୁ ଆସେ । ମହାଦେବଙ୍କ ପାହାଚ ଉପରେ ଶୁଏ । ସେ କାହାରି କିଛି କ୍ଷତି କରେ ନାହିଁ । ପାଣି ଖାଏ, ବୁଲେ, ଶୁଏ, ପୁଣି ତା ଗୁମ୍ପାକୁ ସେ ଚାଲିଯାଏ । ଆମେ ଇମିତି କେତେ ବର୍ଷ ହେଲା ଏଠି ଚଳୁଛୁ । ବାଘ ଦିନେ କାହାରି କ୍ଷତି କରିବା ଏଠି ଶୁଣା ନାହିଁ । ତା ରାଜ୍ୟ, ସେ ଗର୍ଜିବ ନାହିଁ ? ତା ଭୟରେ ଅନ୍ୟ ଜନ୍ତୁଜୁନ୍ତା ଏଠି ପଶି ପାରନ୍ତି ନାହିଁ । ତୁମେମାନେ ଭୟ କରନା । ଆମେ ତ ଇମିତି ଅନେଇଥିବୁ, ବାଘ ପାଣିଖାଇ ଯାଏ । କାହାରିକୁ ଅନାଏ ନାହିଁ । ମହାଦେବଙ୍କ ମହିମାରେ ସେ ଏଠି ବିଲେଇ ପରି ଅଛନ୍ତି । ତୁମେ ବସ, ଦେଖ, ସେ ଅଭିକା ଏଠିକି ପାଣି ଖାଇବାକୁ ଏ ଝରଣା କୂଳକୁ ଆସିବ ।

 

ଗର୍ଜନ ପୁଣି ଶୁଣାଗଲା । ନିକଟରେ, ଆହୁରି ନିକଟରେ, ଶୁଖିଲା ପତର ଉପରେ ବାଘର ଖୋଜ ପଡ଼ିବା ଦ୍ୱାରା ଖଡ଼ଖଡ଼ ଶବ୍ଦ ଶୁଣାଗଲା । ବାଘ ବୋଧେ ନିକଟକୁ ଆସିଗଲା । ଏ ନୂଆ କୁଷ୍ଠରୋଗୀମାନେ ଭୟରେ ଅଧୈର୍ଯ୍ୟ ହୋଇ ଗୋଟାଏ ଗୋଟାଏ ଖୋଲା ପଡ଼ିଥିବା କୁଡ଼ିଆ ଭିତରକୁ ପଶି ଦୁଆର କିଳି ଦେଲେ । ବାନା ପରିଡ଼ା ଭୟରେ ଗୋଟାଏ କୁଡ଼ିଆ ଭିତରକୁ ପଶିଯାଇ କବାଟ କିଳି ଦେଲାରୁ କୁଡ଼ିଆ ଭିତର ଅନ୍ଧାର ଭିତରୁ ଗୋଟାଏ ଅଳ୍ପ ହସର ଶବ୍ଦ ଶୁଣାଗଲା ।

 

ବାନା ପରିଡ଼ା ଆହୁରି ଛାନିଆ ହୋଇଗଲା । ଅନ୍ଧାର ଭିତରେ କିଏ ହସୁଛି ? କିଏ ଭୂତ କି ? ପୁଣି ହସ....

 

ହସର ପରେ ବାନା ପରିଡ଼ା ଶୁଣିଲା–ତୁମେ ଏଡ଼େ ଭୟ କରୁଛ କାହିଁକି ? ଆମର ଏଠି କିଛି ଭୟ ନାହିଁ ।

 

ଅନ୍ଧାରରେ ବାନା ପରିଡ଼ା କାହାକୁ ଜଣେ ହାବୁଡ଼ି ଗଲା ପରି ମନେ ହେଲା । ଯାକୁ ହାବୁଡ଼ିଲା, ସେ ଜଣେ ମାଇପି ବୋଲି ତାର ମନେ ହେଲା । ବାନା ପରିଡ଼ା ପୁଣି ଶୁଣିଲା–କିଛି ଭୟ ନାହିଁ । ଏଇଠି ଶୋଇପଡ଼....

 

ପୁଣି ଗର୍ଜନ ଶୁଣାଗଲା ଆହୁରି ନିକଟରେ...

 

ବାନା ପରିଡ଼ା ଭୟଭୀତ ହୋଇ ପଚାରିଲା–ତୁ କିଏ ? ହେଇ ବାଘ ପୁଣି ଗର୍ଜିଲା । ଆହୁରି ନିକଟକୁ ଆସିଲା, କଣ କରିବି ?

 

ନାରୀ କଣ୍ଠରେ ପୁଣି ସେହି ଅନ୍ଧାର ଘର ଭିତରୁ ଆସ୍ତେ ଆସ୍ତେ ଶୁଣାଗଲା–ମୁଁ ନଖୀ, ଚୁପକରି ଶୋଇ ରୁହ । ବାଘ ଆସୁ, କିଛି କରିବ ନାହିଁ । ସେ ପାଣି ପିଇ ଚାଲିଯିବ, କାହାରି କିଛି କ୍ଷତି କରିବ ନାହିଁ.....

 

ବାନା ପରିଡ଼ା ନୀରବ ରହିଲା । ଝାଟିମାଟି କାନ୍ଥର ଫାଙ୍କ ଦେଇ ଦେଖିଲା–ପ୍ରକାଣ୍ଡ ମହାବଳ ବାଘ ଆସିଲା, ପାଣିକୁଣ୍ଡର ପାହାଚକୁ ଓହ୍ଲେଇଲା । ବାଘ ପାଣି ପିଇବାର ଦେଖି ବାନା ପରିଡ଼ା ନଖୀକୁ ଜାବୁଡ଼ି ଧଇଲା ।

 

ବାଘ ପାଣି ପିଇସାରି ପୁଣି ଗୋଟାଏ ଗର୍ଜନ କଲା । ପାହାଚରୁ ଉଠି ମନ୍ଦିର ଆଡ଼କୁ ଗଲା । ଗଛର ଉଢ଼ାଳରେ ଆଉ ଦେଖାଗଲା ନାହିଁ । ପାହାଡ଼ ସାରା ନୀରବ, ନିସ୍ତବ୍‌ଧ ।

 

ନଖୀ ବାନା ପରିଡ଼ାକୁ କହିଲା–ଦେଖିଲ, ବାଘ କଣ କଲା ? ତୁମେ କଣ ଆଗରୁ କେବେ ବାଘ ଦେଖି ନ ଥିଲ ?

 

ବାନା–ଦେଖିଥିଲି, ସେ ଚିଡ଼ିଆଖାନାର ବାଘ । ଇମିତି ଖୋଲା ଜାଗାରେ କେବେ ଦେଖି ନ ଥିଲି । ଇମିତି ଗର୍ଜନ କେବେ ଶୁଣି ନ ଥିଲି ।

 

ବାନା ପୁଣି କହିଲା–ନଖୀ, ତୋତେ ତ ମୁଁ ଅନ୍ଧାରରେ ଦେଖି ପାରୁନି । ତୋତେ ଗୋଟାଏ କଥା ପଚାରିବି, କହି ପାରିବୁ କି ?

 

ନଖୀ ସେହି ଅନ୍ଧାର ଭିତରେ ଉତ୍ତର ଦେଲା–କଣ ପଚାରୁନା–

 

ବାନା–ଏଠୁଁ ଷ୍ଟେସନ କେତେ ବାଟ ?

 

ନଖୀ–କାହିଁକି ?

 

ବାନା–ମୁଁ ଏଠୁଁ କାଲି ସକାଳେ ପଳେଇବି.....

 

ନଖୀ ହସି ପକେଇ କହିଲା–କାହିଁକି ଏଠୁଁ କାଲି ସକାଳେ ପଳେଇବ ?

 

ବାନା–ମୋର କାମ ଅଛି, ଏଠି ରହିଲେ ବାଘ ଖାଇଯିବ....

 

ଏଠି ବାଘ କେବେ ଖାଇବ ନାହିଁ–ବାଘ ଖାଉଥିଲେ, ଆମେ ଏଠି ଅଛୁଁ କିମିତି ? ଏଠୁ ଷ୍ଟେସନ ଦି’ମାଇଲ ଦୂର ହେବ । ତୁମେ ଚାଲିଯାଇ ପାରିବ ?

 

ହଁ, ଚାଲି ଯାଇ ପାରିବି, ମୋର କାମ ଅଛି......

 

ନଖୀ ଏ କଥାର ଉତ୍ତର ଦେଇ କହିଲା–ତୁମର ଯେତେ କାମ ଥିଲେ, ତୁମେ କାଲି ଏଠୁ ଯାଇ ପାରିବ ନାହିଁ । ତୁମର ଯେତେ କାମ ଥାଉ, ମୋର ତୁମଠାରେ ଗୋଟାଏ କାମ ଅଛି । ସେ କାମ ସରିଲେ, ତୁମେ ଯାଇପାର......

 

ବାନା ପରିଡ଼ା ଆଶ୍ଚର୍ଯ୍ୟ ହୋଇ ପଚାରିଲା–ମୋ ପାଖରେ ତୋର କି କାମ ? ମୁଁ ନୂଆଲୋକ, ଏଠିକି ଆଜି ଆସିଛି । ତୋତେ, ମୁଁ ଚିହ୍ନି ନାହିଁ, ଜାଣି ନାହିଁ, ମୋ ପାଖରେ କି କାମ ?

 

ନଖୀ–ମୋତେ ଚିହ୍ନିନା, ଜାଣି ନା ? ଆଉ ଆଜି ଠାକୁରଙ୍କ ଆଳତିବେଳେ ମୋତେ କେତେଥର ଚାହୁଁଥିଲ କାହିଁକି ?

 

ବାନା ଏ କଥା ଶୁଣି ମନେ ମନେ ଭାବିଲା–ଏ କଣ ସେଇ ମାଇପି ? ସେ ତ ୟାକୁ କେତେଥର ଚାହିଁଥିଲା, ସେ ତ ବେଶ ସୁନ୍ଦରୀ ଦେଖିବାକୁ.......

 

ବାନା ପରିଡ଼ା ପଚାରିଲା–କି କାମ କହିଲୁ ?

 

ନଖୀ–ମୋତେ ତୁମ ସାଙ୍ଗରେ ନେଇଯାଇ ପାରିବ ?

 

ବାନା ପରିଡ଼ା ଚମକ ପଡ଼ି ପଚାରିଲା–ମୁଁ ତୋତେ ମୋ ସାଙ୍ଗରେ ନେଇଯିବି, କାହିଁକି-?

 

ନଖୀ–ହଁ, ମୁଁ ତୁମ ସାଙ୍ଗରେ ଯିବି, ମୋର ମନ ଡାକୁଛି । ତୁମେମାନେ ଯେତେ ଜଣ ଏଠିକି ଆସିଛ, ମୋର ତୁମକୁ ମନ ଡାକୁଛି.......

 

ବାନା ପରିଡ଼ା ମନଟା ଆନନ୍ଦରେ ଫୁଲି ଫୁଲି ଉଠିଲା, ତଥାପି ଆଶ୍ଚର୍ଯ୍ୟ ହୋଇ ପଚାରିଲା–ତୁ ଯେ ମୋ ସାଙ୍ଗରେ ଏଠୁ ଯିବୁ କହୁଛୁ, ଏଠୁ ତୋତେ ଛାଡ଼ିବେଟି ? କେହି ବାଧା ଦେବେ ନାହିଁ । ତୋର କଣ କେହି ନାହିଁ ?

 

ନଖୀ ଉତ୍ତର ଦେଲା–ନା, ମୋର ଏଠି କେହି ନାହିଁ । ମୋର ଯୁଆଡ଼େ ଇଚ୍ଛା, ମୁଁ ସିଆଡ଼େ ଯିବି । ଖାଲି ଏଠି ଆମ ଭିତରେ ଯେ ମୁରବୀ ଅଛି, ତାଙ୍କୁ ଜଣେଇ ଦେଇ ଯିବାକୁ ହେବ-। ଆଉ କିଛି ବାଧା ନାହିଁ ।

 

ବାନା ପୁଣି ପଚାରିଲା–ଏଠି କେତେଦିନ ହେଲା ଅଛୁ ? ତୋତେ କଣ କେହି ଆଦରି ନାହିଁ ?

 

ନଖୀ ଉତ୍ତର ଦେଲା–ନା, ମୋତେ କେହି ଆଦରି ନାହିଁ । ମୋର ଗୋଟାଏ ଦୋଷ ଅଛି-। ସେଇଥିପାଇଁ ମୋତେ କେହି ଆଦରି ନାହାନ୍ତି....

 

ବାନା ପରିଡ଼ା ଆଶ୍ଚର୍ଯ୍ୟ ହୋଇ ପଚାରିଲା–ଦୋଷ କଣ ?

 

ନଖୀ କହିଲା–ମୋର ଦୋଷ ହେଲା–ମୁଁ ରୋଜି ଅଫିମ ଖାଏ । ଏଠି ଯେତେ କୁଷ୍ଠରୋଗୀ ଅଛନ୍ତି, କେହି କିଛି ନିଶା ଦରବ ଖାନ୍ତି ନାହିଁ । ମୁଁ ଏକା ଖାଏ । କିଏ ବା ଦବ ? କଉଠି ମିଳୁଛି ? ମୋତେ ନେଇ ଚଳେଇବ କିଏ ? ଆଉ ଗୋଟାଏ କଥା–ଏଠି ଆମର ଯେ ବାବାଜୀ ଅଛନ୍ତି, ସେ ନିୟମ କରିଛନ୍ତି–ଏଠି କୁଷ୍ଠରୋଗୀଙ୍କ ମଧ୍ୟରେ ଯେ ଯା’କୁ ବିଭା ହେଇଛି, ସେଇମାନେ ଏଠି ରହିବେ । ଆଉ ଯେଉଁମାନେ ଏକା ଅଛନ୍ତି, ସେମାନେ ଏକା ଚଳିବେ । ଏଠି କେହି କାହାକୁ ନେଇ ଚଳି ପାରିବ ନାହିଁ । ତା’ ହେଲେ ବାବାଜୀ ଏଠୁ ତାକୁ ବାହାର କରି ଦେବେ, ନ ହେଲେ ତାକୁ ବାଘ ନେଇଯିବ ବୋଲି ଗୋଟାଏ ଆଗରୁ କଥା ଅଛି । ସେମିତି ଘଟଣା ଏଠି ଘଟିଛି । ଯେଉଁମାନେ ସ୍ୱାମୀ ସ୍ତ୍ରୀ ନୁହନ୍ତି, ମିଛରେ ଏଠି ସ୍ୱାମୀ ସ୍ତ୍ରୀ କହି ରହିଛନ୍ତି, ତାଙ୍କୁ ବାଘ ଖାଇଛି.....

 

ବାନା ପରିଡ଼ା ନଖୀ ମୁହଁରୁ ଏ ବୃତ୍ତାନ୍ତ ଶୁଣି ତା’ର ପ୍ରଥମେ ଅଫିମ ବୁଜୁଳା ମନେ ପଡ଼ିଲା । କିନ୍ତୁ ସେତ ତା’ର ନୁହଁ, ତାକୁ ତ ଜଣକୁ ଦବାପାଇଁ ସେ ଆସିଛି ।

 

ନଖୀକୁ ଯଦି ସାଙ୍ଗରେ ନିଏ ତାକୁ ରୋଜି ଅଫିମ ଖୋଇବ କିମିତି ? ଆଉ ଏଠାର ଯଉ ନିୟମ ଶୁଣିଲା, ସେ କିଛି ନୁହେଁ, ଏଠି ନ ରହିଲେ ବା କଣ ଅଛି ? ସେତ ସମୁଦ୍ରକୂଳ ବାଦାମ ବଗିଚା ଲୋକ । ସେଠିତ ସେମାନେ କେଡ଼େ ଆରାମରେ ଚଳନ୍ତି, ଏଠି ନ ରହିଲେ କଣ ହୋଇଗଲା ? ସୁଦାମ ବାବୁ ଯେଉଁ ଲୋକକୁ ଅଫିମ ଦବା ପାଇଁ ତାକୁ ପଠେଇଛନ୍ତି, ସେ ତାକୁ ଅଫିମ ଦବ ନାହିଁ, ସେତକ ଅଫିମ ତ ନଖୀକୁ ଖୋଇ ପାରିବ, କଣ ହୋଇଗଲା ? କିନ୍ତୁ ସେ ଆଉ ତା ଜାଗାକୁ ଯିବଟି ? ସୁଦାମ ବାବୁ ତାକୁ ଆଉ ରଖିବେଟି ? ଭେଟ ପଡ଼ିଲେ ଜୀବନରୁ ମାରି ଦେବେ........

 

ବାନା ପରିଡ଼ା ପୁଣି ଭାବିଲା–ସେମିତି ଅସତ୍ୟ କରିବାଟା ଭଲ ନୁହେଁ । ଯାହାଙ୍କ ପାଇଁ ଅଫିମ ଆଣିଛି, ତାଙ୍କୁ ଦେଇ ଦବା ଉଚିତ । ଅସତ୍ୟ କରିବା ଭାରି ପାପ, କଣ ପାପ ? ପାପର ଫଳ ତ ଭୋଗୁଛି, ଆଉ ପାପକୁ ଭୟ କଲେ କଣ ହବ ? ନା, ସେ ଅଫିମ ଯାହାଙ୍କ ପାଇଁ ଆଣିଛି ତାଙ୍କୁ ଦବ ନାହିଁ । ସୁଦାମ ବାବୁ ଜାଣିଲେ କଣ କରିବେ ? ସେ ତ ଅଫିମ ଚୋରା ଚାଲାଣ କରୁଛନ୍ତି । କିଛି ଯଦି ତାକୁ ଧମକେଇବେ, ନିଜେ ଧରା ପଡ଼ିବେ । କିଛି ଭୟ ନାହିଁ । ସେ ଅଫିମ ସବୁ ନଖୀକୁ ଦବ, ତାର କେତେ ବର୍ଷ ଚାଲିଯିବ, ଇମିତି ସୁବିଧା ଛାଡ଼ିବାର ନୁହେଁ । ମାଇପିଟିଏ ଯେତେବେଳେ ଯୁଟିଛି, କଦାପି ଛାଡ଼ିବାର ନୁହଁ, ନଖୀ ହବ ତାର ସ୍ତ୍ରୀ, ସେ ହବ ତାର ସ୍ୱାମୀ । ଯେତେଦିନ ଚଳିବେ, ଚଳିବେ, କିଛିଦିନ ସୁଖରେ ବିତିଯିବ....

 

ବାନା ପରିଡ଼ା ସାହସରେ ନଖୀକୁ ପଚାରିଲା–ନଖି, ତୁ ସତ କହୁଛୁ ? ମୋର ହେଇ ମୋ ପାଖରେ ରହିବୁ ? କହ ସତ କଥା.....

 

ଯେତେ ଆଗନ୍ତୁକ, ବାସିନ୍ଦା କୁଷ୍ଠରୋଗୀମାନେ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି, କେବଳ ଝରଣାର କଳଧ୍ୱନି ଛଡ଼ା ଆଉ କିଛି ଶୁଣା ଯାଉନାହିଁ ।

 

ନଖୀ ବାନା ପରିଡ଼ାର ଏ ପ୍ରଶ୍ନ ଶୁଣି ଯେମିତି ଭାସି ଯାଉଥିବା ଲୋକ କୁଟା ଖଣ୍ଡକୁ ଆଶ୍ରା କରୁ କରୁ ବୋଇତଟାଏ ଭେଟିଲା ପରି ଅନନ୍ଦରେ କହି ଉଠିଲା–କଣ କହୁଛ ? ମୁଁ ତୁମକୁ ଦେଖିଲା ବେଳୁ ମୁଁ ମନେ ମନେ ଆଦରି ଯାଇଛି । ମୁଁ ଆଜି କବାଟ ଖୋଲା ରଖି ଶୋଇ ଭାବୁଥିଲି, ତୁମେ କିମିତି ମୋ ପାଖକୁ ଚାଲି ଆସିବ କି, ମୁଁ ସବୁ କଥା ତୁମକୁ ମନ ଖୋଲି କହିବି...

 

ନଖୀ ବାନା ପରିଡ଼ାର ହାତକୁ ଧରି ପକେଇଲା, କହିଲା ମୁଁ ତୁମକୁ ଛାଡ଼ି ବଞ୍ଚିଥିବା ଯାଏ ଆଉ କାହା ପାଖକୁ ଯିବି ନାହିଁ । ମହାଦେବଙ୍କ ଦ୍ୱାହୀ ଦେଇ ଏ କଥା ମୁଁ କହୁଛି.....

 

ଏତିକି ବେଳେ ସାରାପାହାଡ଼ ପକ୍ଷୀଙ୍କର କଳରବରେ ଝଂକୃତ ହୋଇ ଉଠିଲା । ଯେମିତି ବିବାହ ଉପଲକ୍ଷେ ନହବତରେ ମଙ୍ଗଳବାଜଣା ବାଜି ଉଠିଲା ।

 

ବିବାହରେ ରୋଷନି ପରି ନଖୀର କୁଡ଼ିଆର ଫାଙ୍କ ଦେଇ ଉଷାର ଆଲୋକରେ କୁଡ଼ିଆ ଭିତର ଆଲୋକିତ ହୋଇ ଉଠିଲା । ଭୋର ହେଲା, ରାତ୍ରି ବିଦାୟ ନେଲା । ଶଙ୍ଖଧ୍ୱନି ଶୁଣାଗଲା । ବାବାଜୀଙ୍କର ଦୈନିକ ଉଷାବେଳେ ନିଦ୍ରାଭଙ୍ଗ ହେଲେ ବାବାଜୀ ପ୍ରଥମେ ଶଯ୍ୟାରୁ ଉଠି ଶଙ୍ଖଧ୍ଵନି କରନ୍ତି । ଏ ସେହି ଶଙ୍ଖଧ୍ଵନି । ପୂର୍ବ ଦିଗରେ ଉଷାର ପ୍ରଥମ ଉନ୍ମେଷ କି ସୁନ୍ଦର ଦୃଶ୍ୟ ! ନବବଧୂର ସୀମନ୍ତର ସିନ୍ଦୁର ପରି ପୂର୍ବଦିଗରେ ଲାଲ ରଙ୍ଗର ଦୀପ୍ତି । କାହାର ଏ ତୁଳୀର ଖେଳ !! ପାହାଡ଼ ଉପରୁ ଦୂର ପୂର୍ବ ଦିଗରେ ଉଷାର ଏ କି ରୂପସଜ୍ଜା ! ଅନ୍ଧକାର କ୍ରମଶଃ ପାହାଡ଼ ଉପରୁ ଅପସରି ଯାଉଛି । ଗଛ ପତ୍ର କ୍ରମଶଃ ପରିସ୍ଫୁଟ ହୋଇ ଆସୁଛି । ପୂର୍ବଦିଗ ଆହୁରି ଗାଢ଼ ଲାଲ ରଙ୍ଗରେ ଉଦ୍‌ଭାସିତ ହେଇ ଉଠୁଛି ! କୌଣସି ଏକ ବିବାହ ବେଦୀରେ ବିବାହ ଶେଷରେ ବରକନ୍ୟା ଉଠିଲା ବେଳେ ହୁଳହୁଳି ଧ୍ୱନି ପରି ଝରଣାର କଳଧ୍ୱନି ଶୁଣାଯାଉଛି । କି ଅପୂର୍ବ ପରିବେଶ ! ଦୂର ଦିଗ୍‌ବଳୟରେ ଲାଲ ରଙ୍ଗର ପୃଷ୍ଠଭୂମିରେ କେତେକ ପକ୍ଷୀ ଉଡ଼ି ଯାଉଛନ୍ତି.....

 

ବାନା ପରିଡ଼ା ଉଷାର ଆଲୋକରେ ନଖୀକୁ ଭଲ କରି ଦେଖିଲା । ନଖୀ ମଧ୍ୟ ବାନା ପରିଡ଼ାକୁ ପାଖରେ ଦେଖିଲା । ରାତ୍ରିର ଜହ୍ନ ଆକାଶରେ ଗଛର ଫାଙ୍କରେ କ୍ରମଶଃ ମ୍ଳାନ ହେଇ ଆସିଲା, ସୂର୍ଯ୍ୟ ଉଠିଲେ,–ଧାରେ, ଟିକିଏ, ଆହୁରି ଟିକିଏ, ଅର୍ଦ୍ଧବୃତ୍ତ, ତା ଠାରୁ ବେଶି, ଆହୁରି ବେଶି, ଆହୁରି ଅଧିକ, ଶେଷରେ ବିରାଟ ଗୋଲାକାର ରକ୍ତ ପିଣ୍ତ, କି ସୌମ୍ୟ ! କି ମହାନ୍ ! କି ଚମତ୍‌କାର ! ଏ କଣ ସେଇ ସୂର୍ଯ୍ୟ ? ଯା’କୁ ବାନା ପରିଡ଼ା ସମୁଦ୍ରର ନୀଳ ଊର୍ମ୍ମିଳ ଜଲରାଶି ଉପରୁ ଦୂର ଦିଗ୍‌ବଳୟରେ ବହୁବାର ଉଠିବାର ଦେଖିଛି । ତାର ସୌନ୍ଦର୍ଯ୍ୟ ଭିନେ–ସବୁ ଖୋଲା ଖୋଲି, ବିସ୍ତୀର୍ଣ୍ଣ ଉଦାର ଜଳ ରାଶି, ଉନ୍ମୁକ୍ତ ବେଳାଭୂଇଁ, ଆଉ ସମୁଦ୍ରର ଗର୍ଜନ, ଉତ୍ତାଳ ତରଙ୍ଗ.....

 

ଏଠି ପାହାଡ଼ର ଫାଙ୍କରେ, ସବୁ ଲୁଚା ଛପା, ଲଗା ଲଗି ପାଡ଼ାଡ଼, ଘନ ଜଙ୍ଗଲ, ପକ୍ଷୀର କଳରବ, ଝରଣାର କଳଧ୍ୱନି, ବୁଦ୍‌ବୁଦ୍‌.....

 

ବାନା ପରିଡ଼ା ଦେଖିଲା–ସମୁଦ୍ରରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ଯେତେ ଲୋକଙ୍କର ସମାଗମ ହୁଏ, ଯେତେ ଗହଳି ହୁଏ, ଏଠିତ ସେମିତି କିଛି ନାହିଁ । କେହିତ ଏଠି ସୂର୍ଯ୍ୟୋଦୟ ଦେଖିବା ପାଇଁ ଆସୁ ନାହାନ୍ତି । ଯେତିକି ଲୋକ ଅଛନ୍ତି ସେତିକ । ଏଠିତ ସୂର୍ଯ୍ୟ ଉଠିବା କମ୍‌ ସୁନ୍ଦର ଦିଶୁ ନାହିଁ ! କିନ୍ତୁ ହବ କଣ ? ଏଠି ସୂର୍ଯ୍ୟ ତ ଖୋଲା ଖୋଲି ଦେଖା ଦଉ ନାହାନ୍ତି । ଏଠି ଢଙ୍କା ଘୋଡ଼ା, ଲୁଚା ଛପା, ସମୁଦ୍ର କୂଳରେ ସବୁ ଖୋଲା ଖୋଲି, ଲୁଚା ଚୋରା କିଛି ନାହିଁ । ସେଇଥି ପାଇଁ ସେଠି ଲୋକଙ୍କର ଏତେ ଆଗ୍ରହ ସୂର୍ଯ୍ୟ ଦେଖିବା ପାଇଁ । ଏଠି ଲୁଚା ଛପା ପାହାଡ଼ ଜଙ୍ଗଲର ଫାଙ୍କରୁ ସୂର୍ଯ୍ୟ ଆସ୍ତେ ଆସ୍ତେ ଦେଖା ଦଉଛନ୍ତି । ସେଇଥି ପାଇଁ ଲୋକେ ଏଠି ସୂର୍ଯ୍ୟୋଦୟ ଦେଖିବାକୁ ଆସୁ ନାହାନ୍ତି । ଯେମିତ ଜଣେ ମଣିଷ ସୁନ୍ଦର ହେଇଥିବ, ପୁଣି ଉଦାର ହେଇଥିବ, ତାକୁ ଯେମିତି ଲୋକେ ବେଶି ଭଲ ପାନ୍ତି । ଆଉ ଜଣେ ଲୋକ ସୁନ୍ଦର ହେଇଥିବ, କିନ୍ତୁ କୁଟିଳ ପ୍ରକୃତି ହେଇଥିବ, ତାକୁ ଯେମିତି ଲୋକେ ବେଶି ଭଲ ପାନ୍ତି ନାହିଁ, ଏ ସେଇୟା ।

 

ବାନା ପରିଡ଼ା ନଖୀକୁ ପଚାରିଲା–ତା’ ହେଲେ ଆଜି ତୁମର ଏଠା ପଧାନକୁ ତୋର ମୋ ପାଖରେ ରହିବା କଥା ଜଣେଇବା ?

 

ନଖୀ କହିଲା–ନିଶ୍ଚୟ ପକେଇବା । ତୁମେ ମୁଁ ଦିହେଁ ଯିବା....

 

ବାନା ପରିଡ଼ା ପୁଣି ପଚାରିଲା–ଆଚ୍ଛା ଯଉମାନେ ସ୍ଵାମୀ, ସ୍ତ୍ରୀ ମିଛରେ ସାଜି ଏଠିକି ଆସନ୍ତି ତାଙ୍କୁ ସିନା ଏଠି ବାଘ ଖାଇଯାଏ ବୋଲି କଥା ଅଛି, ଯେ ଏଇଠି ସ୍ଵାମୀ, ସ୍ତ୍ରୀ ହେବେ, ସେମାନେ ଏଠି ଚଳିଲେ କଣ ବିପଦ ଅଛି ?

 

ନଖୀ କହିଲା–ସେ କଥା ମୁଁ କହି ପାରିବି ନାହିଁ । ମୁଁ କେଭେ ଦେଖିନାହିଁ ବାଘ ନବାର, ଖାଲି ଶୁଣିଛି । କିନ୍ତୁ ଏଠି ଯଉଁମାନେ ସ୍ଵାମୀ, ସ୍ତ୍ରୀ ହୋଇ ଚଳୁଛନ୍ତି, ସେମାନେ ପ୍ରକୃତ ସ୍ଵାମୀ, ସ୍ତ୍ରୀ । ସେମାନେ ବେଶି ଦୂର ଗାଁର ନୁହନ୍ତି । ସେମାନଙ୍କୁ କୁଷ୍ଠରୋଗ ହୋଇଗଲାରୁ, ସେମାନେ ଏଠିକି ଚାଲି ଆସି ମହାଦେବଙ୍କ ଆଶ୍ରାରେ ପଡ଼ିଛନ୍ତି, ଆଉ ଏଠିକି ଯେଉଁମାନେ ନୂଆ ହେଇ ଆସିଛନ୍ତି, ରହୁ ରହୁ ଯଦି କାହାକୁ ଆଦରି ଗଲେ, ସ୍ଵାମୀ, ସ୍ତ୍ରୀ ହେଇ ଚଳିବାକୁ ମନ ହେଲା, ସେମାନେ ପଧାନଙ୍କୁ ଜଣେଇ ସାଙ୍ଗ ହେଇ ଏଠୁଁ ଚାଲିଯାନ୍ତି ! ଏଠି ଆଉ ରହନ୍ତି ନାହିଁ । କାଳେ କୋଉ ଅନିଷ୍ଟ ହବ, ଏଇ ଭୟରେ, କି ମନ ଇଚ୍ଛାରେ କିଛି କହି ପାରିବି ନାହିଁ । କିନ୍ତୁ ସେମିତି ଲୋକେ ଆଉ ଏଠି ରହିବାର ମୁଁ ଦେଖି ନାହିଁ....

 

ବାନା ପରିଡ଼ା ନଖୀର କଥା ଶୁଣି କହିଲା–ମୁଁ କଣ କହୁଛି କି–ଏଠି ସବୁ ସୁବିଧା ଅଛି । ଏଠି ରହି ସ୍ୱାମୀ, ସ୍ତ୍ରୀ ଭାବରେ ଚଳିଲେ ମନ୍ଦ କଣ ହୁଅନ୍ତା ? ତେବେ ଏଠି ବଡ଼ ଜନ୍ତୁଜୁନ୍ତାଙ୍କ ଭୟ । ମୁଁ ଯଉଠୁଁ ଆସିଛି, ସେଠି ସୁବିଧା ନାହିଁ । ତଥାପି ଆମେ ବେଶ ଅନନ୍ଦରେ ଥାଉ । ସମୁଦ୍ରକୂଳ, ଖୋଲାଜାଗା, ଆମେ ସେଠି କେତେ ଲୋକ ଥାଉ । କିଛି ଅଭାବ ନାହିଁ । ତୀର୍ଥ ଜାଗା, ଯାତ୍ରୀ ଯାଉଛନ୍ତି, ଆସୁଛନ୍ତି......

 

ନଖୀ ଏକଥା ଶୁଣି କହିଲା–ଆମେ ଏଠି ରହିବା ନାହିଁ । ପଧାନକୁ କହି ପଳେଇବା, ତୁମେ ଯଉ ଯଉ ଜାଗାରୁ ଆସିଛ, ସେଇଠିକି ଚାଲିଯିବା.....

 

ବାନା ପରିଡ଼ା ନଖୀର ଉତ୍ତର ଶୁଣି ମନେ ମନେ ଭାବିଲା–ଯଉଠୁଁ ଆସିଛି, ସେଠିକିତ ଏତେ ଶୀଘ୍ର ଯାଇ ପାରିବନି । କିଛି ଦିନ ଗତ ହେଲେ, ଯିବା ଭଲ । ତା’ ନ ହେଲେ, ସୁଦାମ ବାବୁ ଯଉଁ କାମରେ ତାକୁ ପଠେଇ ଥିଲେ, ସେ କାମ ତ ହବ ନାହିଁ, ସେ ଦେଖିଲେ ଛାଡ଼ି ଦେବେ ?

 

ବାନା ପରିଡ଼ା ମନ କଥା ମନରେ ରଖି ପୁଣି କହିଲା–ଦେଖ, ମୁଁ ଅଭିକା ତୋତେ ନେଇ ସେ ଜାଗାକୁ ଏତେ ଶୀଘ୍ର ଯିବି ନାହିଁ । କିଛିଦିନ ଗତ ହେଲେ ଯିବି । ବର୍ତ୍ତମାନ ମୁଁ ଭାବୁଛି–ତୁ କହୁଛୁ–ଏଠୁଁ ଷ୍ଟେସନ ଦି’ମାଇଲ ବାଟ ହବ, ଆମେ ଅଭିକା ସେଇ ଷ୍ଟେସନକୁ ଯିବା । ସେଠୁଁ କୁଆଡ଼େ ଯିବା ସ୍ଥିର କରିବା । ଆମେତ କୁଷ୍ଠରୋଗୀ, ଆମର କଣ ଅଛି ? ଆମେ ଯେଉଁଠି ରହିବା, ସେଇଠି ଆମେ ବସା ବାନ୍ଧିବା, ସେଇଠି ଆମର ଘର । ତା’ ଛଡ଼ା ମୁଁ ଏକା ଥିଲି, ଏଣିକି ତୁ ମୋ ସାଙ୍ଗକୁ ହେଲୁଣି । ଆଉ ଚିନ୍ତା କଣ ? ଯଉଠି ରହିବା, ଦି’ଜଣ ରହିବା, ଭିକ ମାଗି ଖାଇବା ତ ଆମର ବୃତ୍ତି, ଆମର ଗୋଟାଏ ଚିନ୍ତା କଣ ? ଭାବନା କଣ ?

 

ବାନା ପରିଡ଼ା ପୁଣି କହିଲା–ଆହୁରି ବେଳ ହଉ ତୁ ମୁଁ ଦିହେଁ ଯିବା ପଧାନ ପାଖକୁ, ସବୁ କଥା କହିବା । ତା’ପରେ ଖରା କମିଗଲେ ଆଜି ଏଠୁଁ ଷ୍ଟେସନକୁ ପଳେଇବା....

 

ନଖୀ ଆହୁରି ଖୁସି ହେଇ କହିଲା–ଭଲକଥା, ତୁମେ ଯେମିତି କହିବ, ସେମିତି କରିବ।......

 

ବାନା ପରିଡ଼ା ପୁଣି କହିଲା–ଆଚ୍ଛା ଏଠା ପଧାନକୁ କିଛି ନ କହି ସେମିତି ଚାଲିଗଲେ କଣ ହବ ?

 

ନଖୀ ଉତ୍ତର ଦେଲା–ସେମିତି କରିବା ଭଲ ନୁହଁ । ଭଲରେ ଆସିଛୁ, ଭଲରେ ଯିବୁ । ଲୁଚି ଚାଲିଯିବୁ କାହିଁକି ? ଆମକୁ କିଏ ବାଧା ଦଉଛି ? କହି ପୋଛି ଯିବା ଭଲ । ଆଉ ବେଳେ ଆସିଲେ ଏଠି ରହି ପାରିବା । ଲୁଚି ପଳେଇଲେ ଆଉ ଏଠି ରହି ପାରିବା ନାହିଁ । ସେମିତି ଯିବାଟା ଭଲ ହବ ନାହିଁ.....

 

ବେଳ ବଢ଼ିଲା । ଧର୍ମଶାଳାରୁ କେତେକ ଯାତ୍ରୀ ଗଲେ । କେତେକ ନୂଆ ଯାତ୍ରୀ ଆସିଲେ । କେତେକ ସସ୍ତ୍ରୀକ, କେତେକ ସପରିବାରରେ, କେତେକ ଏକା, କେତେକ ଖାଲି ପୁରୁଷଙ୍କ ଦଳ, ଦଳେ ପୁରୁଷ ଆସିଲେ । ଧନୀ ଲୋକପରି ଜଣା ଯାଉଛନ୍ତି । ତାଙ୍କ ହାତରେ ଖବର କାଗଜ କେତେକ ଧରିଛନ୍ତି । ଝରଣା ନିକଟରେ ଠିଆ ହେଇ କଥାବାର୍ତ୍ତା ହେଲେ–କେତେ ଅଳ୍ପ ବୟସରେ ଲୋକଟା ମରିଗଲା ।

 

–ଜଣେ କହିଲା–ହଠାତ୍ ହାର୍ଟ ଫେଲ୍ କଲା ।

 

ଆଉ ଜଣେ କହିଲା–ବଡ଼ ମିଳାପି ଲୋକ, ଦିଲଦରିଆ, ମହାଜନିଆଲୋକ । ଆଃ, ସୁଦାମ ବାବୁଟା ଏତେ ଅଳ୍ପ ବୟସରେ ମରିଯିବ ବୋଲି କିଏ ଭାବି ଥିଲା ?

 

–ତୁ କଉଠୁଁ ଜାଣିଲୁ ?

 

–ଖବର କାଗଜରେ ଦେଇଛି ।

 

–ପ୍ରକୃତ ସୁଦାମବାବୁ ପରି ଲୋକଟାଏ ମିଳିବା ସହଜ ନୁହେଁ........

 

ବାନା ପରିଡ଼ା ଝରଣାର ଅଳ୍ପ ଦୂରରେ ବସି ନିଜ ଅଣ୍ଟିରୁ କଣ ନେଇ ଚୋବୋଉ ଥିଲା । ସେ ସୁଦାମ ବାବୁଙ୍କ ହଠାତ୍‌ ମରିଯିବାର କଥା ଶୁଣି ଚମକି ପଡ଼ିଲା । କଣ ସୁଦାମ ବାବୁ ମରିଗଲେ-। ନା, ସେ ଭୁଲ ଶୁଣୁଛି, ଆଉ କିଏ ମରିଛି, ତାକୁ ସୁଦାମ ବାବୁ ମରିଗଲେ ବୋଲି ଭୁଲ ଶୁଣାଗଲା-

 

ବାନା ପରିଡ଼ା ଖାଇବା ବନ୍ଦକରି ପୁଣି କାନଡେରି ଶୁଣିଲା–

 

–ଭାଇ, ସୁଦାମ ବାବୁ ମରିଯିବାର କଥାଟା ମୁଁ ଆଜି ସକାଳେ ଖବର କାଗଜରୁ ପଢ଼ି ମନଟା କିଛି ଭଲ ଲାଗୁନାହିଁ । ସୁଦାମ ବାବୁଙ୍କ ପାଖରେ ମୁଁ ଦଶମଶ୍ରେଣୀଯାଏ ପଢ଼ିଥିଲି.......

 

–ସେ କଣ ପ୍ରଥମେ ଶିକ୍ଷକ ଥିଲେ ?

 

–ସେ କଣ ପ୍ରଥମେ ଶିକ୍ଷକତା କରୁଥିଲେ, ସେଥିରେ ସେ ବିଶେଷ ଅଭାବଗ୍ରସ୍ତ ହେଇ ପଡ଼ିଲେ । ଶେଷରେ ସେ ଶିକ୍ଷକତା ଛାଡ଼ି ଦେଇ, ଅଳ୍ପ ମୂଳ ଧନରେ ବ୍ୟବସାୟ ଆରମ୍ଭ କଲେ.......

 

ସୁଦାମବାବୁଙ୍କ ବିଷୟରେ ଇମିତିଆ ଆଲୋଚନା ଶୁଣିବା ପାଇଁ ବାନା ପରିଡ଼ା ଯେଉଁଠି ବସି ଖାଉଥିଲା, ଖାଇବା ବନ୍ଦ କରି, ସେଠୁଁ ଉଠି ଆସି ଆଉ ଟିକିଏ ନିକଟରେ ବାଁଆରେଇ ବସି ଶୁଣିଲା । ପ୍ରକୃତ ଘଟଣା କଣ ? ସେଇ ସୁଦାମବାବୁ ନା ଏ ଆଉ କଉ ସୁଦାମବାବୁ ? ପୁଣି ଆଲୋଚନା ପଡ଼ିଲା ।

 

ବ୍ୟବସାୟରେ ତ ସେ ବେଶ୍ ଉନ୍ନତି କରିଥିଲେ….

 

ହଁ, ମସ୍ତବଡ଼ ଗୋଦାମ, ଅଫିମ ଦୋକାନ କଂଟ୍ରାକ୍‌ଟରୀ, କେତେ କ’ଣ । ଲୋକଟା ଏତେ ଅଳ୍ପ ବୟସରେ ମରିଯିବ ବୋଲି କିଏ ଜାଣିଛି । ହଠାତ୍‌ ହାର୍ଟଫେଲ କରି ମଲେ....

 

–ହାର୍ଟଫେଲ କରି ମଲେ ?

 

–ହଁ, ଖବର କାଗଜରେ ଦେଇଛି–ହଠାତ୍ ତାଙ୍କର ହୃଦ୍‍ଯନ୍ତ୍ର କ୍ରୀୟା ବନ୍ଦ ହୋଇଗଲା…..

 

ଆଜି କାଲିତ ଏଇ ରୋଗରେ ଅନେକେ ମରୁଛନ୍ତି । ତାଙ୍କର ପ୍ରାୟ ଆଗରୁ ହୃଦଯନ୍ତ୍ରର ଦୁର୍ବଳତା ଥିଲା...

 

ବାନାପରିଡ଼ା ଏଥର ଦୃଢ଼ ଭାବରେ ଜାଣିଲା–ସେଇ ସୁଦାମବାବୁ, ଯେ ତାକୁ ଅଫିମ ଦେଇ ପଠେଇ ଥିଲେ । ବାନା ପରିଡ଼ା ଏ ସମ୍ୱାଦରେ ଯେତିକି ଆଶ୍ଚର୍ଯ୍ୟ ହେଲା, ସେତିକି ମଧ୍ୟ ଦୁଃଖିତ ହେଲା–କଣ ହେଲା ? ଲୋକଟା ସେଦିନ ମୋତେ ଅଫିମ ଦେଇ ପଠେଇଛି, ଆଜି ଶୁଣିଲା ବେଳକୁ ମରିଗଲାଣି । ହଁ, ସୁଖୀଲୋକ, ତାଙ୍କୁ ତ ଆଗେ ମରଣ । ଆମକୁ କିଏ ଛୁଉଁଛି ?

 

ବାନାପରିଡ଼ା ପୁଣି ଭାବିଲା–ଯା’ତ ହବାର ହେଲା, ସେ ଯେଉଁ ଅଫିମତକ ତାକୁ ଦେଇଥିଲେ, ଏଥର ସେତକ ଅଫିମର ସେ ମାଲିକ । ଆଉ ଯାଉଥିଲା ଦବାକୁ ? ଗୋଟାଏ ଜଞ୍ଜାଳ ତୁଟିଗଲା.....

 

ବାନା ପରିଡ଼ା ଖାଇବା ଶେଷ କରି ଅଣ୍ଟି ଛାଡ଼ିଦେଇ ଦୂରକୁ ଚାଲିଗଲା । ଝରଣାରୁ ବୋହି ଯାଉଥିବା ପାଣିରୁ କିଛି ପିଇ ଆହୁରି ଦୂରକୁ ବାହାରିଗଲା ।

 

ନଖୀ କୁଡ଼ିଆରେ ଥାଏ । ବାନା ପରିଡ଼ାର ଲୁଗାପଟା, ବୁଜୁଳା ଇତ୍ୟାଦି ସବୁ ଗୋଟେଇ ଏକାଠି କରି ନଖୀ ଗୋଟାଏ କୋଣକୁ ରଖିଲା । ନଖୀର ମନ ଡାକିଲା–ଲୋକଟା କଣ ସବୁ ଆଣିଛି ? ଦେଖିବ ।

 

ନଖୀ ଦୁଆର ବନ୍ଦ କରିଦେଲା । କାନ୍ଥର ଗୋଟାଏ କଣାରେ ଜଣେ କୁଷ୍ଠରୋଗୀ ଅନେଇଛି, ନଖୀକୁ ଜଣାନାହିଁ । ନଖୀ ବାନା ପରିଡ଼ାର ବୁଜୁଳାଟା କିଛି ଖେଳେଇଲା ବେଳକୁ, ତା’ ନାକକୁ ଅଫିମର ବାସନା ଆସିଲା । ନଖୀ ଆଉ କିଛି ଖେଲେଇଲା ବେଳକୁ ଦେଖିଲା–ଗୋଟାଏ ପ୍ରକାଣ୍ତ କଳା ଗୋଲିଆ ଜିନିଷ । ଅଫିମ ବାସନାରେ ନଖୀର ମନ ଖୁସି ହେଇଗଲା, ନଖୀ ତାକୁ ସୁଙ୍ଘିଲା । ଟିକିଏ ଛିଣ୍ତେଇ ପାଟିରେ ପକେଇଲା, ନଖୀ ଜାଣିଲା–ଏ ଅଫିମ । ଏତେ ଅଫିମ !! ଏ ଲୋକ ଏତେ ଅଫିମ ଆଣିଲା କୁଆଡ଼ୁ ? ନଖୀ ମନେ ମନେ ଯେତେ ଆନନ୍ଦ ଅନୁଭବ କଲା, ସେ ଆନନ୍ଦ ଏତିକି ବଡ଼ ସୁନା ମୁଣ୍ତା ପାଇଲେବି, ଏତେ ଆନନ୍ଦ ଅନୁଭବ କରିପାରି ନ ଥାନ୍ତା । ବୁଜୁଳାଟା ଯେମିତି ବନ୍ଧା ହେଇଥିଲା, ଅବିକଳ ନଖୀ ସେମିତି ବାନ୍ଧି ଥୋଇଲା ବେଳକୁ, ଯେଉଁ ଲୋକଟା କାନ୍ଥର କଣାବାଟେ ନଖୀର ଅଲକ୍ଷ୍ୟରେ ସବୁ ଦେଖୁଥିଲା, ସେ ଡାକିଲା–ନଖୀ, କବାଟ ଖୋଲିଲୁ......

 

ନଖୀ ଚମକିପଡ଼ି ପଛକୁ ଅନେଇଦେଇ ଦେଖେ–କାନ୍ଥର କଣାବାଟେ ଅନେଇଛି–କାଶିଆ ।

 

ନଖୀ କହିଲା–କାହିଁକି କବାଟ ଖୋଲିବି ? ତୋର କି ଦରକାର ମୋତେ ଡାକିବା ?

 

କାଶିଆ କହିଲା–ମୋର ଗୋଟାଏ କାମ ଅଛି ।

 

ନଖୀ ଚିଡ଼ିଉଠି କହିଲା–ତୋର ମୋ ପାଖରେ କି କାମ ଅଛି, କହୁନୁ ?

 

କାଶିଆ–ଯଉଁ କାମ ଅଛି, କବାଟ ଖୋଲ, କହିବି....

 

ନଖୀ–ତୁ ଏଡ଼ିକି ନିଲଠା, ହଇରେ ତୋତେତ କହିଲି, ମୋର ତୋତେ ରାଜି ନାହିଁ । ତୁ ଏତେଥର ମୋ ପାଖକୁ କାହିଁକି ଦଉଡ଼ୁଛୁ ?

 

କାଶିଆ ସେହି କଣାବାଟେ ରାଗରେ ପଚାରିଲା–ତୁ କାଲି ରାତି ତମାମ ସେ ଯଉଁ ନୂଆ ଲୋକଟା ଆସିଛି, ତାକୁ ଘରେ ପୂରେଇ କଣ ଭୁଟ୍‌ର ଭୁଟ୍‌ର ହଉଥିଲୁ ? ମୁଁ ସବୁ ଜାଣିଛି । ମୋତେ ରାଜି ନୁହଁ, ଆଉ ନୂଆ ଲୋକଟା ଆସୁ ଆସୁ ତାକୁ ରାଜି ହେଇଗଲୁ ? ତୁ ଗୋଟାଏ ଏଠି ଭଲ ପାଲା ଜମେଇଛୁ......

 

ନଖୀ ଉତ୍ତର ଦେଲ–ମୋ ମନ, ମୋର ଯାକୁ ରାଜି । ତୋର ତ ହାତଗୋଡ଼ ଛିଣ୍ତିଗଲାଣି । ସେଥିରେ ପୁଣି ଏତେ ରସିକପଣ କାହିଁକି ? ମଲୁନାହିଁ, ଏତେଲୋକ ମରୁଛନ୍ତି । ତୋତେ ମରଣ ହଉନାହିଁ ?

 

କାଶିଆ ପୁଣି ପଚାରିଲା–କବାଟ ଖୋଲିବୁ ନାହିଁ ?

 

Unknown

ନଖୀ ରାଗରେ ଉତ୍ତର ଦେଲା–ତୋତେ କବାଟ ଖୋଲାଯିବ ନାହିଁ । ତୁ କିଏ ତୁ ମୋ ଘରଭିତରକୁ ଆସିବୁ ? ମୋ ଦୁଆରେ ବସିବୁ ?

 

ଅକର୍ମାଟା ତୁ, ହାତ ଛିଣ୍ତିଲାଣି । ଗୋଡ଼ ଛିଣ୍ତିଲାଣି, ଖାଲି ଯବାନୀ ଦେଖେଇ ହଉଛୁ ? ବାହାର, କହିଲା–କବାଟ ଖୋଲ.....

 

କାଶିଆ ରାଗରେ ଜଳିଉଠି କହିଲା–ହଉ, ତୁ କାହିଁକି ତା ବୁଜୁଳା ଖୋଲୁଥିଲୁ ? କଣ ତା ବୁଜୁଳାରୁ କାଢ଼ି ପାଟିରେ ପକେଇଲୁ ? ମୁଁ ସବୁ ଦେଖିଛି । ଯାଉଛି ତାକୁ କହିବି......

 

ନଖୀ କାଶିଆର ଏ ଧମକ ଶୁଣି ଟିକିଏ ଚପିଗଲା । କାରଣ–ଲୋକଟା ଶୁଣିଲେ କଣ କହିବ ?

 

ତଥାପି ନଖୀ ସାହସ କରି ଉତ୍ତର ଦେଲା ଯା କହିବୁ, ମୁଁ ଯା’ ପାଟିରେ ପକେଇଲି, ମୋ ଜିନିଷ, ମୁଁ ପାଟିରେ ପକେଇଲି । ତୋ’ର ଏତେ ନଜର ? ଡାଆଁଣା, ଛତରା......

 

ନଖୀର ଇମିତିଆ କଥାଗୁରାକ କାଶିଆ ଦିହରେ ଛୁରି ବାଜିଲାପରି ମନେହେଲା । କାଶିଆ ରାଗରେ କହିଲା–ହଉ, ସେ ଲୋକଟା କୁଆଡ଼େ ଗଲା ? ତାକୁ ଦେଖୁଛି, ତୋତେ ଦେଖୁଛି, ରହ....

 

ନଖୀ କାଶିଆର ଧମକ ଶୁଣି ଭୟଭୀତ ହେଇ ଭାବିଲା–କୁଆଡ଼େ ଗଲା ଲୋକଟା, ଏତେବେଳ ଯାଏ ଦେଖାନାହିଁ ? ଏ ଖଣ୍ତିଆ ଧମକେଇଲାଣି, କଣ କରିବ, କିଛି ଜଣା ହଉନି......

 

ନଖୀ ବାନା ପରିଡ଼ାର ବୁଜୁଳା ଇତ୍ୟାଦିକୁ ତାର ଗୋଟାଏ ଢାବଲ ଭିତରେ ସଜାଡ଼ି ରଖି କବାଟ ଖୋଲି ପଦାକୁ ଆସିଲା, ଚାରିଆଡ଼କୁ ଚାହିଁଲା, ନିକଟରେ କଉଁଠି କାଶିଆ ତା’ ଆଖିରେ ପଡ଼ିଲା ନାହିଁ । ନଖୀ କିଛି ବାଟ ଏଣେ ତେଣେ ଯାଇ ଅନେଇଲା । କଉଠି କାଶିଆକୁ ଦେଖି ପାରିଲା ନାହିଁ । ନଖୀ ଆହୁରି ଆଗେଇ ଚାଲିଲା ।

 

ବାନା ପରିଡ଼ା ପାହାଡ଼ର ଘନ ଜଙ୍ଗଲ ଭିତରେ ଗୋଟାଏ ଉଚ୍ଚା ପଥର ଉପରେ ବସିଛି-। ସାମନାରେ କିଛି ହିମାଢିମା ପଥର କେତେଖଣ୍ତ । ତା’ପରେ ବିରାଟ ଖାଲ । ବହୁତ ଲମ୍ୱା, ସେ ଖାଲ ଭିତରଟା ଘିଟିଘିଟିଆ ଅନ୍ଧାର ଦୁ’ଛି । ଝରଣାର ପାଣି ଅତ କ୍ଷୀଣ ସ୍ରୋତରେ ସେଇ ଖାଲ ଭିତର ଦେଇ ବୋହିଯାଉଛି ।

 

ବାନା ପରିଡ଼ା ଏକା ବସିଛି । ଚାରିଆଡ଼କୁ ଚାହିଁ ଦେଖୁଛି–ଦୂରରେ ପାହାଡ଼ ତଳେ କେତେ ବଡ଼ ବଡ଼ କୋଠାଘର ଦୁ’ଛି । ବାନା ପରିଡ଼ା ଗୋଟାଏ ଗୋଟାଏ କୋଠାଘରକୁ ଦେଖି ଭାବୁଛି–ସେଇଟା ବୋଧେ ଇସ୍କୁଲ, ସେଇଟା ବୋଧେ ଡାକ୍ତରଖାନା ହବ, ସେଇଟା ବୋଧେ ଗୋଟାଏ ଆଶ୍ରମ ହବ, ସେଇଟା ବୋଧେ କଉ ଧନୀ ଲୋକର ରହିବା କୋଠା । କି ସୁନ୍ଦର ଦୁ’ଛି ପାହାଡ଼ ଉପରୁ ! ବାନା ପରିଡ଼ା ଭୁଲିଯାଇଛି–କେତେବେଳ ହେଲାଣି । ଗଛର ଛାଇରେ ବେଳ ଜଣା ପଡ଼ୁନି । ବିଭିନ୍ନ ପ୍ରକାର ପକ୍ଷୀର ଡାକରେ ଜାଗାଟାକୁ ଛାଡ଼ଯିବାକୁ ମନ ହଉନି । ମୟୂର ଏ ଗଛରୁ ଉଡ଼ିଯାଇ ସେ ଗଛରେ ବସୁଛନ୍ତି ।

 

ବାନା ପରିଡ଼ାକୁ ପାହାଡ଼, ଝରଣା, ପକ୍ଷୀର ଡାକ, ଗଛର ଛାଇ, ବଣୁଆ ଫୁଲର ଗନ୍ଧ ଯେତେ ଭଲ ଲାଗିଲେ ମଧ୍ୟ ବାଘର ଭୟରେ ତା ମନଟା ମଝିରେ ମଝିରେ ଚମକି ଉଠୁଥାଏ । ସେ ଚାରିଆଡ଼କୁ ମଝିରେ ମଝିରେ ଚାହୁଁଥାଏ । କିଛି ଗୋଟାଏ ଖଡ଼ ଖଡ଼ ଶବ୍ଦ ହେଲେ, ବାନା ପରିଡ଼ା ଚମକି ଚାହୁଁଥାଏ । ଥରେ ଇମିତି ଗୋଟାଏ ଶବ୍ଦରେ ବାନା ପରିଡ଼ା କିଛି ଦୂରକୁ ଅନେଇଲା ବେଳକୁ ଦେଖିଲା–ଜଣେ କୁଷ୍ଠରୋଗୀ ତା’ରି ଆଡ଼କୁ ଆସୁଛି । ସେ ଲୋକଟା ବାନା ପରିଡ଼ାର ନିକଟକୁ ଆସି ରାଗରେ ପଚାରିଲା–ହଇରେ ତୁ କଉଠୁଁ ଆସିଛୁ ? ତୁ କାଲି ସେ ନଖୀ ଘରେ ରାତିରେ କାହିଁକି ପଶିଥିଲୁ । ତୁ କିଏ ତୁ ? ତୁ କାଲି ଆସି ଏତେ ଲୀଳା ଲଗେଇ ଦେଇଛୁ ?

 

ବାନା ପରିଡ଼ା ଲୋକଟାକୁ ଜାଣେନା, ତଥାପି ସେ ତାକୁ ରାଗରେ ପଚାରିବାର ଦେଖି ବାନା ପରିଡ଼ା ତାର ରାଗର କାରଣ କେତେକ ଅନୁମାନରେ ଜାଣି ପାରି ରାଗରେ ଉତ୍ତର ଦେଲା ମୁଁ ଯଉ ଲୋକ ହୁଏ, ତୋର କଣ ଅଛି ? ତୁ କିଏ ପଚାରିବାକୁ ? ହଁ, ମୁଁ କାଲି ନଖୀ ଘରେ ପଶିଥିଲି, ତୋର କଣ ଗଲା ?

 

କାଶିଆ ଯେମିତି ଏ ନୂଆ ଲୋକଟା ମୁହଁରୁ ଇମିତିଆ ରୋକଠୋକ ଉତ୍ତର ଶୁଣିଛି, ଆହୁରି ରାଗରେ ଧମକ ମିଶା କଣ୍ଠରେ କହିଲା–ଦେଖ, ନଖୀ ମୋର । ତୁ ତାକୁ କଣ ଏଠୁଁ ନବାକୁ ବସିଲୁଣି ?

 

ବାନା ପରିଡ଼ା ଉତ୍ତର ଦେଲା–ଅଲବତ ନେବି......

 

କାଶିଆ ଆହୁରି ରାଗରେ ବାନା ପାଖକୁ ଲାଗି ଆସି ଛାତିକି ଛାତି ଲଗେଇ ପଚାରିଲା–ଅଲବତ ନବୁ ? କଥା ସାଙ୍ଗେ ସାଙ୍ଗେ କାଶିଆ ବାନାକୁ ପକେଇଲା ଗୋଟିଏ ଧକ୍‌କା, ବାନା ପରିଡ଼ା କାଶିଆର ଧକ୍‌କାରେ, ସାମନାରେ ଥିବା ଖାଲରେ ପଡ଼ିଯାଇଥାନ୍ତା । ଅକସ୍ମାତ୍‌ ଗୋଟାଏ ଗଛକୁ ଧରି ପକେଇ ରକ୍ଷା ପାଇଗଲା । ତା’ ପରେ ବାନା ନିଜକୁ ଟିକିଏ ସମାଳି ନେଇ କାଶିଆକୁ ଗୋଟାଏ ଜାବୁଡ଼ା ପକେଇଲା । ବାନାର ଅବ୍ୟର୍ଥ ଜାବୁଡ଼ାରେ କାଶିଆ ମୁଣ୍ତ ଘୁରିଗଲା । ତାକୁ ସବୁ ଅନ୍ଧାର ଦିଶିଲା । ବାନା ପୁଣି ଜାବୁଡ଼ା ପରେ ଜାବୁଡ଼ା ଦି ହାତରେ କସି ପକେଇଲା । କାଶିଆକୁ ଜଣାଗଲା–ପାହାଡ଼ ଘୁରୁଛି, ଗଛ, ବଣ ବୁଦା, ସବୁ ଓଲଟ ପାଲଟ ହେଇ ଯାଉଛି । ବାନା କାଶିଆର ବାଳ ଗୋଛାକୁ ଧରି ପକେଇ ପଚାରିଲା–କ’ଣ ? ଅଭିକା କୁଆଡ଼େ ଯିବୁ ? ମୋତେ ଖାଲ ଭିତରକୁ ଠେଲି ଦଉଥିଲୁ, ଦେଖିବୁ ?

 

ବାନା ଦି’ଚାରି ମୁଥ ପକେଇଲା, ବାଳ ଗୋଛାକୁ ଧରି ଥାଏ । କାଶିଆ ହାଲିଆ ହେଇ ଥରିବାକୁ ଆରମ୍ଭ କଲା ।

 

ନଖୀ ଆସି ପହଁଚି ଏ ଦୃଶ୍ୟ ଦେଖି ବାନାକୁ କହିଲା–ଭଲ କରି ମାର ତାକୁ । ମୋତେ କହି ଆସିଲା–ତମକୁ ଦେଖିବ, ମୋତେ ଦେଖିବ । ମୁଁ ସେହି ଭୟରେ ଦଉଡ଼ିଛି । କାଳେ ତୁମକୁ ଏ କଉଠି ହାବୁଡ଼ି ତୁମକୁ ମାରି ପକେଇବ......

 

ବାନା କାଶିଆର ବାଳ ଗୋଛାକୁ ଧରି ଦି’ ତିନିଥର ଘୂରେଇ ଦେଇ, ନଖୀକୁ କହିଲା–ଅଭିକା ତ ଏ ମୋତେ ମାରି ଦେଇଥିଲା !

 

ନଖୀ ଆଶ୍ଚର୍ଯ୍ୟ ହେଇ ପଚାରିଲା–କିମିତି ?

 

ବାନା ପରିଡ଼ା କାଶିଆ ଗାଲକୁ ଆହୁରି ଗୋଟାଏ ମୁଥ ପକେଇ, ନଖୀକୁ କହିଲା–ମୋତେ ଗୋଟାଏ ଧକା ଦେଇ ଖାଲ ଭିତରକୁ ଠେଲି ଦେଇଥିଲା । ମୁଁ କୌଣସି ମତେ ଏ ଗଛଟାକୁ ଧରି ପକେଇ ବଞ୍ଚିଗଲି । ମୁଁ ତ ମରି ସାରନ୍ତିଣି, ମୋତେ ତ ମାରି ଦେଇଥିଲା !

 

ନଖୀ କହିଲା–ତାକୁ ସେହି ଖାଲ ଭିତରକୁ ପେଲି ଦିଅ । ମରିଯାଉ......

 

ବାନା ନଖୀକୁ କହିଲା–ସେ କଣ କହୁଛି–ନଖୀ ମୋର, କିମିତି ନଖୀକୁ ଏଠୁଁ ନବୁ, ଦେଖିବି.......

 

ନଖୀ କହିଲା–ତାକୁ ଭଲ କରି ଆହୁରି ଥୋଡ଼ା ବାଡ଼େଇଲ । ସେ ମୋତେ ଏଠି ଜଳି ପୋଡ଼ି କରି ଖାଇଲାଣି । ଆଜି ଭଲ ଦାଉରେ ପଡ଼ିଛି । ବାଡ଼ାଅ ତାକୁ, ଠେଲି ଦିଅ ତାକୁ ସେ ଖାଲ ଭିତରକୁ........

 

ବାନା କହିଲା–ନଖୀ, ତାକୁ ମାରିଦବା ଅଭିକା କିଛି ନୁହଁ । ତାକୁ ଅଭିକା ଅଳ୍ପକରେ ଖାଲକୁ ପେଲି ଦେଲେ ମରିଯିବ, ତେବେ ତାକୁ ଜୀବନରୁ ମାରି ଦେଲେ ଆହୁରି ପାପ ଅର୍ଜିବା । ପାପର ଫଳତ ଭୋଗୁଛୁ । ରହ ତାକୁ ମୁଁ ସାବାଡ଼ କରୁଛି, ଦେଖ–ତୁ ଟିକିଏ ଚାରି ଆଡ଼କୁ ଅନା, କିଏ ଆସୁଛି କି ନା ?

 

ବାନା ପରିଡ଼ା କାଶିଆ ବାଳଗୋଛକୁ ବାଁ ହାତରେ ଧରି ପୁଣି ଗୋଟାଏ ବଜ୍ରମୁଥ ପକେଇ ପଚାରିଲା–କଣ କହୁଛୁ ? ଦେବି ପେଲି ଖାଲ ଭିତରକୁ, ଆହୁରି ଯୋଡ଼ାଏ ମୁଥ ବସେଇଲା ।

 

କାଶିଆ ହାଲିଆ ହେଇ ତା’ଦିହରୁ ଝାଳ ବୋହିବାକୁ ଆରମ୍ଭ କଲା । କାଶିଆ କାତର ହେଇ କରୁଣ ସ୍ୱରରେ କହିଲା–ଭାଇ, ମୋତେ କ୍ଷମା ଦିଅ, ମୁଁ ଆଉ କିଛି କରିବି ନାହିଁ....

 

ବାନା ପଚାରିଲା–ମୋତେ ଅଭିକା ଧକାଦେଇ ଖାଲ ଭିତରକୁ ପେଲି ଦଉଥିଲୁ ? ଅଭିକା ଥରୁଛୁ ?

 

କାଶିଆ ଅତି କାତର କଣ୍ଠରେ କହିଲା–ଭାଇ, ମୋର ଭୁଲ ହେଇଛି । ମୁଁ ତୁମ ଗୋଡ଼ତଳେ ପଡ଼ୁଛି, ମୋତେ କ୍ଷମା ଦିଅ.....

 

ବାନା କହିଲା–ନଖୀ ଗୋଡ଼ତଳେ ଆଗ ପଡ଼, ନାକ ଘସ ସେଠି, ତେବେ ଯାଇ ତୋତେ ଛାଡ଼ିବି, ନ ହେଲେ ମାରିଦେବି.....

 

କାଶିଆ କହିଲା–ହଉ ଭାଇ, ମୋତେ ଛାଡ଼ । ମୁଁ ଗୋଡ଼ତଳେ ପଡ଼ୁଛି.....

 

କାଶିଆ ଆଗ ନଖୀ ଗୋଡ଼ତଳେ ପଡ଼ିଲା । ଗୋଟାଏ ପଥରରେ ନାକ ଘଷିଲା । ତା’ପରେ ବାନା ପରିଡ଼ା ଗୋଡ଼ ତଳେ ପଡ଼ିଲା । ନାକ ଘଷିବାକୁ ଯାଉଛି, ଏଇ ସମୟରେ ମହାଦେବଙ୍କ ଧୂପ ଉଠିବାର ଘଣ୍ଟା ଶବ୍ଦ ଶୁଣାଗଲା ।

 

ନଖୀ ବାନାକୁ କହିଲା–ଆସ, ଯିବା ଆସ ! ପ୍ରସାଦ ବଣ୍ଟା ହବ । ଆମେ ନ ଗଲେ, ଆଉ ଖାଇବାକୁ ପାଇବୁନି.....

 

ନଖୀ ଗୋଟାଏ ବାଟରେ ଗଲା । ବାନା ଯଉଁ ବାଟରେ ଆସିଥିଲା, ସେଇ ବାଟରେ ଫେରିଲା ।

 

କାଶିଆ ବାନାର ମାଡ଼ରେ ହାଲିଆ ହେଇ ଆଉ ଚାଲି ଯାଇ ପାରିଲା ନାହିଁ । ସେଇଠି ଥକାହେଇ ବସି ରହିଲା । କାଶିଆ ବସି ନିଜ ଦେହରୁ ଝାଳ ପୋଛିଲା । ତା’ ଆଖିରୁ ଲୁହ ଗଡ଼ି ପଡ଼ିଲା, ଭାବିଲା–କି ଅପମାନ ! କି ମାଡ଼ ! ତା’ ହାତ ଆଙ୍ଗୁଳିଗୁଡ଼ା ଥିଲେ, ସେ ଆଜି ଛାଡ଼ି ଦେଇଥାନ୍ତା ? ଲୋକଟାକୁ ପେଲି ଦେଲା । ଖାଲ ଭିତରେ ପଡ଼ୁ ପଡ଼ୁ ରହିଗଲା । ଗଛଟାକୁ ଧରି ପକାଇ ବଞ୍ଚିଗଲା । ତା’ ହାତ ଦି’ଟା ଭଲ ଅଛି ବୋଲି ସେ ତ ଜାଣି ନ ଥିଲା । ସେ ଆଉ ଏଠି ରହିବ ନାହିଁ, କି କାହାରିକୁ ମୁହଁ ଦେଖେଇବ ନାହିଁ । ପୁଣି ଭାବିଲା–ଖାଲ ଭିତରକୁ ଡେଇଁପଡ଼ି ଜୀବନ ହରେଇ ଦବ....

 

ଖରାବେଳ, ସବୁ କୁଷ୍ଠରୋଗୀମାନେ ଖାଇସାରି ଯେ ଯା’ର କୁଡ଼ିଆରେ ପଶିଲେ । କୁଷ୍ଠରୋଗୀମାନଙ୍କ ପଧାନ ଆଦିକନ୍ଦ ଗୋଟାଏ ଗଛମୂଳରେ ବସି ଖଣ୍ତେ ବହି ଧରି କଣ ବୋଲୁଛି-। ଏଇ ସମୟରେ ବାନା ଆଉ ନଖୀ ଆସି ଆଦିକନ୍ଦକୁ ଓଳଗି ହେଲେ । ନଖୀ କହିଲା–ଭାଇ, ମୁଁ ୟାଙ୍କ ସାଙ୍ଗରେ ଯିବି....? ଆଦିକନ୍ଦ ବହିପଢ଼ା ବନ୍ଦକରି ଉପରକୁ ମୁହଁ ଟେକି ଅନେଇ ଦେଖେ–ନଖୀ ଆଉ ତା’ ସାଥିରେ ଜଣେ ନୂଆଲୋକ । କାଲି ଯେଉଁମାନେ ଆସିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ।

 

ଆଦିକନ୍ଦ ପଚାରିଲା–ତୁମ ନାଁ କଣ ?

 

–ବାନା ପରିଡ଼ା ।

 

–କଉଠୁଁ ଆସିଥିଲ ?

 

–ଗୋଟାଏ ସମୁଦ୍ର କୂଳିଆ ତୀର୍ଥ ଜାଗାରୁ ।

 

–ସେଠି ତୁମେମାନେ କେତେ ଜଣ ଥାଅ ?

 

–ଆମେ ଅନେକ ଲୋକ ଥାଉଁ........

 

–ସେଠି ତୁମମାନଙ୍କ ଭିତରେ ମୁରବୀ ହେଇ ସବୁକଥା କେହି ବୁଝେ ନା, ଯେ ଯାର ସବୁ ଏକା ଏକା କରନ୍ତି ?

 

–ନା, ଆମର ସେଠି ଜଣେ ମୁରବୀ ଅଛି.....

 

–ତା’ର ନାଁ କଣ ? ସେ କେମିତିଆ ଲୋକ ଦେଖିବାକୁ ?

 

ତା’ର ନାଁ ବୀରଭଦ୍ର ସାମଲ, ଶ୍ୟାମଳ ବର୍ଣ୍ଣ, ବେଶ୍‌ ମଜବୁତିଆ ଲୋକ । ତାର ହାତ ଗୋଡ଼ସବୁ ଛିଡ଼ି ଗଲାଣି । କୁଆଡ଼େ ଗଲେ ଭାରି କଷ୍ଟରେ ଯା’ ଆସ କରେ । ତଥାପି ସେ ଆମର ସବୁ ବୁଝେ । ଭାରି ଭଲ ମଣିଷ, ତାକୁ ଆମେ ବୀରଭାଇ ବୋଲି ଡାକୁ । ସେ ଭାରି ଧର୍ମପରାୟଣ ଲୋକ...

 

ଆଦିକନ୍ଦ ବୀରର ନାଁ ଶୁଣି ଟିକିଏ ଚମକି ପଡ଼ିଲା ପରି ହୋଇ ପୁଣି ପଚାରିଲା–ଆରେ ବୀର ! ସେ ଧର୍ମପରାୟଣ ଲୋକ ! କି ଧର୍ମକାମ ସେ କରୁଛି ? ତା’ ଇତିହାସ ମୋ କତିରେ । ତା କଥା ମୋତେ ଜଣା । ସେ ଏବେ ଧର୍ମପରାୟଣ ଲୋକ ହେଲାଣି........

 

ବାନା ପରିଡ଼ା ଆଶ୍ଚର୍ଯ୍ୟ ହୋଇ କହିଲା–ଭାଇ, ସେ କଣ ଭଲ ମଣିଷ ନୁହେଁ ? ସେ ତ ଏବେ ଠାକୁର ପୂଜା କେତେ କଣ କରୁଛି ? ସମସ୍ତଙ୍କୁ ଭଲ ଉପଦେଶ ଦିଏ, ହେଲେ ଏକା ଚଳୁଥିଲା । ଏବେ ବର୍ଷେ ଦି’ବର୍ଷ ହେଲାଣି, ଗୋଟାଏ ମାଇପି ଆଣି ରଖିଛି ?

 

ଆଦିକନ୍ଦ ଅଳ୍ପ ହସି ପକେଇ କହିଲା–ଗୋଟାଏ ମାଇପି ଆଣି ରଖିଛି ?

ଆଦିକନ୍ଦ ପୁଣି କହିଲା–ସେ ଏ ପର୍ଯ୍ୟନ୍ତ ବଞ୍ଚିଛି ? ମରି ନାହିଁ ? ସେ ଯାହା କରିଛି ନା, ମଲାବେଳକୁ ଆହୁରି କଷ୍ଟ ଭୋଗିବ....

ବାନା ପରିଡ଼ା ଏ କଥା ଶୁଣି ଅତି ଆଗ୍ରହ ସହିତରେ ପଚାରିଲା–କଣ ଭାଇ, ସେ ଏମିତି କାମ କରିଛି ?

ଆଦିକନ୍ଦ କିଛି ସମୟ ଗୁମ ମାରି ତଳମୁହାଁ ହେଇ ବସିରହି ପୁଣି ଆରମ୍ଭ କଲା–କଣ କହିବି ? ଗୋଟାଏ ଘରକୁ ସେ ସାରି ଦେଇଛି । କି ସାଙ୍ଘାତିକ କାମ କରିଥିଲା ସେ ! ଖସି ପଳେଇ ଗଲା, ତାଙ୍କ ଘରେ କେହି ମରଦ ମଣିଷ ନ ଥିଲେ । ମା ଆଉ ଝିଅଟିଏ । ଝିଅଟି ଗୋଟିଏ ଚାଉଳରେ ଗଢ଼ା, ଭାରି ଧନୀ ଘର, ବୀର ତାଙ୍କର ସବୁ ବୁଝୁଥିଲା । ସେମାନେ ବୀରକୁ ଭାରି ବିଶ୍ୱାସ କରୁଥିଲେ । ଧାନ ଚାଉଳ, ଟଙ୍କା, ପଇସା, ସୁନା, ରୂପା ସବୁ ତା’ ଜିମା । ଭାରି ବିଶ୍ୱାସୀ ହେଇ ଚଳୁଥିଲା । ମୁଁ ତାଙ୍କ ଘରେ ଚାକର ହେଇ ଥିଲି । କିଛି ଦିନପରେ ବୀର ବିଶ୍ୱାସରେ ବିଷ ଦେଲା । ବୀରଆଡ଼ୁ ସେ ଝିଅର ପାପଗର୍ଭ ହେଲା । କଣ କରିବେ ? ବୀର ପଳେଇ ଆସିଲା-। ବୀରର କେହି ନ ଥିଲେ, ତାଙ୍କରି ଘରେ ବୀର ପିଲା ଦିନଠୁଁ ମଣିଷ । ପାପଗର୍ଭ କଥା କାହାକୁ କହିବେ ? କିଛି କରିପାରିଲେ ନାହିଁ । ଶେଷରେ ଦିବ୍ୟ ପୁଅ ପିଲାଟିଏ ଜନ୍ମ ହେଲା । ମୁଁ ସେ ପିଲାଟିକି ନେଇ ଘଟିଘିଟିଆ ଅନ୍ଧାର ରାତିରେ ଆମ ଗାଁକୁ ଚାଲି ଆସିଲି । ଆମ ଘରେ କିଛିଦିନ ସେ ପିଲାଟିକୁ ମୋ ସ୍ତ୍ରୀ ପାଳିଲି । ମୋତେ ସେତେବେଳେ କୁଷ୍ଠରୋଗ ଧରି ନଥାଏ । ପରେ ମୋତେ ଆଉ ମୋ ସ୍ତ୍ରୀକୁ କୁଷ୍ଠରୋଗ ଆରମ୍ଭ ହେଲାରୁ ମୁଁ ସେ ପିଲାଟିକୁ ଆମର ଏଠା ବାବାଜୀଙ୍କୁ ଦେଇ ଦେଲି । ବାବାଜୀ ସେ ପିଲାଟିକି ଏବେ ଏଠା ଅନାଥ ଆଶ୍ରମରେ ରଖେଇ, ଏଠା ସ୍କୁଲରେ ପଢ଼ଉଥିଲେ.........

 

ବାନା ପରିଡ଼ା ବୀରର ପୂର୍ବ କୀର୍ତ୍ତି ସବୁ ଶୁଣି ଗାଲରେ ହାତ ଦେଇ ବସିଲା । ନଖୀ ପାଖରେ ବସି ସବୁ ଶୁଣୁଥାଏ ।

 

ବାନା ପରିଡ଼ାକୁ ଏକଥା ଗୁଡ଼ାକ ଗୋଟାଏ କାହାଣୀ ପରି ଜଣା ଯାଉଥାଏ । ସେ କିଛି ଜାଣି ପାରଲା ନାହିଁ । କେତେବେଳ ହେଲାଣି, ସେ କଉଠି ବଇଛି, ସେ କାହିଁକି ଆଦିକନ୍ଦ ପାଖକୁ ଆସିଥିଲା, କଣ ତାର କାମ ଥିଲା, ସବୁ ପାଶୋରି ଯାଇ ବାନା ପରିଡ଼ା କହିଲା–କଣ କହୁଛ ଭାଇ-? ସେ ପିଲାଟି ଏଠି ଅଛି ?

 

ଆଦିକନ୍ଦ ଗୋଟାଏ ଦୀର୍ଘ ନିଃଶ୍ୱାସ ପକେଇ ପୁଣି ଆରମ୍ଭ କଲା–ସେ ପିଲା ଏଇଠି ଦଶମ ଶ୍ରେଣୀରେ ପଢ଼ୁଥିଲା, ସେ ଆଉ ଏଠି ନାହିଁ । କେତେଦିନ ହେଲା କୁଆଡ଼େ ପଳେଇଛି । ବାବାଜୀ ସେ କଥା ଖବର କାଗଜରେ ଦେଇଥିଲେ । କିଛି ସନ୍ଧାନ ଏ ପର୍ଯ୍ୟନ୍ତ ମିଳି ନାହିଁ । ବାବାଜୀ ସେ ପିଲାର ନାଁ ଦେଇଥିଲେ–ଉଦୟ ଶଙ୍କର । ମୋର ସେ ପିଲାଟା ପାଇଁ ଭାରି ଦୁଃଖ ହେଉଛି । ପିଲାଟି ଭଲ ଥିଲା, ଭଲ ପଢ଼ୁଥିଲା, କଣ ହେଲା ତାର ? କିଛି କହିହବ ନାହିଁ, କାହିଁକି ସେ ପଳେଇଲା ? କୁଆଡ଼େ ଗଲା ? କିଛି ପତ୍ତା ମିଳୁ ନାହିଁ । ଆମର ଏଠା ବାବାଜୀ ଇମିତି ଅନେକ ପିଲାଙ୍କୁ ଅନାଥ ଆଶ୍ରମରେ ରଖେଇ ପଢ଼େଇ ଶୁଣେଇ ମଣିଷ କରି ଛାଡ଼ିଛନ୍ତି । ଅନାଥ ଆଶ୍ରମ, ଇସ୍କୁଲ, ଧର୍ମଶାଳା ସବୁ ବାବାଜୀ କରେଇଛନ୍ତି....

 

ବାନା ପରିଡ଼ା ଏସବୁ କଥା ଶୁଣି କହିଲା–ଭାଇ, ଆମେ ଶୁଣିଛୁ–ବୀର କଲିକତାରେ କଉଠି ଚାକିରୀ କରୁଥିଲା । ତାକୁ କୁଷ୍ଠରୋଗ ଧରିଲାରୁ କାମ ଛାଡ଼ି ଚାଲି ଆସିଲା....

 

ଆଦିକନ୍ଦ କହିଲା–ହଁ, ମୁଁ ଶୁଣିଥିଲି ସେ ତାଙ୍କ ଘରୁ ପଳେଇଥିଲା, ହେଇଥିବ......

 

ବାନା ପରିଡ଼ା ପଚାରିଲା–ଭାଇ, ସେ ଝିଅର ଖବର କଣ ? ସେ ଝିଅ ବଞ୍ଚିଛି ନା ?

 

ଆଦିକନ୍ଦ କହିଲା–ହଁ, ସେ ଝିଅ ପଢ଼ାଶୁଣା କରି ଗୋଟାଏ ଧନୀ ଲୋକକୁ ବାହା ହେଇଛି । ତା’ ଗେରସ୍ତ ଗୋଟାଏ ବଡ଼ ଓକିଲ । ଏଠିକି ସେ ସ୍ୱାମୀ, ସ୍ତ୍ରୀ ଦି’ଜଣ ଥରେ ଗୋଟାଏ ଦାମୀ କାର୍‌ରେ ବସି ବୁଲିବାକୁ ଆସିଥିଲେ । ବାବାଜୀଙ୍କ ସାଙ୍ଗରେ କେତେ ସମୟ ବସି କଥାବାର୍ତ୍ତା ହେଲେ । ସବୁ ବୁଲି ଦେଖିଲେ, ଦିନେ ରହିଲେ, ତା’ପରେ ଏଠୁଁ ଚାଲିଗଲେ । ଆଉ ଏଠିକି ଆସି ନାହାନ୍ତି । ମୁଁ ସେଇ ଥରକ ସେ ଝିଅକୁ ଦେଖିଥିଲି । ବାବାଜୀ ତାଙ୍କୁ ସାଙ୍ଗରେ ନେଇ ବୁଲେଇ ଦେଖେଇଲେ । ତାଙ୍କ କଥାବାର୍ତ୍ତାରୁ ମୁଁ ଶୁଣିଥିଲି–ତା ସ୍ୱାମୀ ଗୋଟାଏ ବଡ଼ ଓକିଲ । ମସ୍ତବଡ଼ ଧନୀ ଲୋକ, ରେବାର ଯୋଗ୍ୟ ସ୍ୱାମୀ । ରେବା ଯେମିତି ସୁନ୍ଦରୀ, ତା ସ୍ୱାମୀ ଦେଖିବାକୁ ସେମିତି.........

 

ଆଦିକନ୍ଦ ‘‘ରେବାର ଯୋଗ୍ୟ ସ୍ୱାମୀ’’ ହଠାତ୍ କହି ପକେଇବାର ଶୁଣି ବାନା ପରିଡ଼ା ପଚାରି ବସିଲା–ଭାଇ, ସେ ଝିଅନାଁ ରେବା କି ? ମୁଁ ଜାଣେ ତାଙ୍କର ରାଜପ୍ରାସାଦ ଭଳି ସମୁଦ୍ର କୂଳରେ ଗୋଟାଏ ବଡ଼ କୋଠା ଅଛି । ସେଇଥିରେ ସେ ଓକିଲ ଥାନ୍ତି । ତାଙ୍କ ନାଁ ବିନୟ ବାବୁ, ତାଙ୍କର ସ୍ତ୍ରୀର ନାଁ ରେବା, ସେ ଭାରି ଭଲ ମଣିଷ । ଭାରି ଦାନ ଧ୍ୟାନ କରନ୍ତି । ତାଙ୍କର କିଛି ପିଲାପିଲି ନାହିଁ । ସେଥିଲାଗି ସେମାନେ ଭାରି ଦୁଃଖିତ । ଭାଇ, ବୀର ଭାଇ ତାଙ୍କରି ଘରେ ରହି ଇମିତି କାମ କରିଛି !! ମୁଁ ଜାଣେ ବିନୟ ବାବୁ ତାଙ୍କ ଶଶୁର ଘରର ସମ୍ପତ୍ତି ପାଇଛନ୍ତି । ତାଙ୍କ ଶାଶୁ ବୁଢ଼ୀଟିଏ ଥିଲେ, ସେ ମରି ଗଲେଣି । ଆମେ ଅନେକବାର ଯାଇଛୁ ତାଙ୍କ ଘରକୁ ଭିକ ମାଗିବାପାଇଁ । ବିନୟବାବୁ ଯଦି କାମରେ ଲାଗିଥିବେ ସ୍ତ୍ରୀକୁ ଡାକିବେ–ରେବା, ଏମାନେ କଣ ମାଗୁଛନ୍ତି, ବୁଝ । ତାଙ୍କ ସ୍ତ୍ରୀ ମଧ୍ୟ ଭାରି ଉତ୍ତମ ଲୋକ । ଆମେ ଜାଣୁ, ଲୁଗା, ଚାଉଳ, ଟଙ୍କା ଯା ମାଗିବୁ, ତା ଦେବେ.......

 

ଆଦିକନ୍ଦ କହିଲା ଏଠି ବିନୟ ବାବୁ, ତାଙ୍କ ସ୍ତ୍ରୀ ଇସ୍କୁଲ ଆଉ ଡାକ୍ତରଖାନାକୁ କେତେ ଟଙ୍କା ଦାନ କରିଛନ୍ତି । ରେବା ଆଉ ମୋତେ ଚିହ୍ନି ପାରିଲା ନାହିଁ । ସେ କଣ ମୋତେ ଆଉ ଭଲ କରି ଅନେଇଛି ? ବର୍ତ୍ତମାନ ସେ କାହିଁରେ କଣ ! ଆମେ ତ ହେଲୁ କୁଷ୍ଠରୋଗୀ । ମଣିଷ ହେଲେ ବି ଆଉ ମଣିଷରେ ଆମକୁ କେହି ଗଣୁ ନାହାନ୍ତି । ଆମେ ହେଲୁ ରାସ୍ତା କଡ଼ର ପ୍ରାଣୀ । ସେ ଯା ହଉ ଭାଇ, ମୁଁ ଯଉ କଥାଗୁରା କହିଲି, ପେଟରେ ରଖିଥିବୁ, କାହାରିକୁ କିଛି କହିବାର ଦରକାର ନାହିଁ । ଯେ ଯା କରିଛି, ସେ ତା’ ଫଳ ଭୋଗୁଛି । ମୁଁ ହେଲେ କଣ ? ତୁମେ ହେଲେ କଣ ? ନିଜ କପାଳକୁ ଆଦରି ଜୀବନ କଟେଇବାର କଥା ।

 

...ଆଦିକନ୍ଦ ଆଉ ବେଶି କିଛି ନ କହି, କଥାର ଗତି ବଦଲେଇ ନଖୀକୁ ପଚାରିଲା–ତୁ ୟାଙ୍କ ସାଙ୍ଗରେ ଯିବୁ ?

 

ନଖୀ କହିଲା–ହଁ ।

 

ଆଦିକନ୍ଦ ବାନାକୁ ପଚାରିଲା–ତୁମେ ୟାକୁ ସାଙ୍ଗରେ ନେବ, ୟା ଗୁଣ ଜାଣିଛ ? ୟାର ରୋଜି ଅଫିମ ଲୋଡ଼ା, ତୁମେ ଚଳେଇ ପାରିବ ?

ବାନା ପରିଡ଼ା ଅତି ନ୍ୟୂନ ଭାବରେ ଉତ୍ତର ଦେଲା–ହଁ ଭାଇ ।

 

ଆଦିକନ୍ଦ କହିଲା–ହଉ ନିଅ, ମୁଁ କାହିଁକି ବା ବାଧା ଦେବି ? କୌଣସି ମତେ ଯେତେ ଦିନ ବଞ୍ଚିଛ ଭଲରେ ଭଲରେ କଟେଇ ଦେଲେ ଯାଏ । ଆମର ଆଉ ଏ ଜୀବନରେ କଣ ଅଛି ? ତୁମମାନଙ୍କର ଯଦି ଇଚ୍ଛା ହୁଏ, ପୁଣି କେତେବେଳେ ଏଠିକି ଚାଲି ଆସିବ.....

 

ବାନା ପରିଡ଼ା କହିଲା–ଭାଇ, ଆମେମାନେ ତେବେ ଯାଉଛୁ ?

 

ଆଦିକନ୍ଦ କହିଲା–କଣ ଅଭିକା ଚାଲିଯିବ ?

 

ବାନା ପରିଡ଼ା କହିଲା–ହଁ ଭାଇ, ଅଭିକା ଆମେ ଷ୍ଟେସନକୁ ବାହାରି ଯିବୁ ଭାବିଛୁ....

 

ଆଦିକନ୍ଦ କହିଲା–ଆଉ ଦିନେଖଣ୍ତେ ଏଠି ରହିଲ ନାହିଁ ? ତୁମ ସାଙ୍ଗରେ ଯେଉଁମାନେ ଆସିଥିଲେ, ସେମାନେ କଣ ତୁମ ସାଙ୍ଗରେ ଯିବେ ନା ରହିବେ ?

 

ବାନା ପରିଡ଼ା କହିଲା–ମୁଁ ତାଙ୍କ କଥା କହି ପାରିବି ନାହିଁ । ସେମାନେ ରହିଲେ ରହିବେ, ଗଲେ ଯିବେ......

 

ଆଦିକନ୍ଦ ଟିକିଏ ସଜାଡ଼ି ହେଇ ଉଠି ବସି କହିଲା–ହଉ ଯିବତ ଯାଅ......

 

ବାନା ପରିଡ଼ା, ନଖୀ ଆଦିକନ୍ଦକୁ ଓଳଗି ହେଲେ । ନଖୀ ଆଦିକନ୍ଦର ସ୍ତ୍ରୀ ଏବଂ ସେଠା ଅନ୍ୟାନ୍ୟ କୁଷ୍ଠରୋଗିଣୀ ମାଇପିମାନଙ୍କ ସଙ୍ଗେ ଦେଖା କରି ଓଳଗି ହେଇ ବିଦାୟ ନେଇ ବାହାରି ଆସିଲା ।

 

ନଖୀ ତାର ଖଣ୍ତେ କାଠ ବାକ୍‌ସ ଭିତରେ ତାର ନିଜର ଚଳନୀୟ ଜିନିଷ ଆଉ ବାନା ପରିଡ଼ାର ଜିନିଷ ସବୁ ଭର୍ତ୍ତି କରି, ଦିହେଁ ମହାଦେବଙ୍କୁ ଝରଣା କତିରେ ଠିଆ ହେଇ ଓଳଗି ହେଇ ବାହାରି ପଡ଼ିଲେ । ବାନା ପରିଡ଼ା ଆଗେ ଆଗେ ଚାଲିଲା । ନଖୀ କାଠ ବାକ୍‌ସକୁ ମୁଣ୍ତେଇ ପଛେ ପଛେ ଚାଲିଲା । ବାନା ପରିଡ଼ା ଖଣ୍ତେ ଲୁଗାକୁ ବାଁ କାଖରେ ଯାକି ଡାଆଁଣ ହାତରେ ଠେଙ୍ଗା ଧରି ଚାଲିଥାଏ ।

 

ବେଳ ବୁଡ଼ିଲା । ସୂର୍ଯ୍ୟ ଆକାଶରୁ ଖସିଲେ । ମଧ୍ୟାହ୍ନର ସେ ଆଉ ଚକଚିକିଆ ରୂପ ନାହିଁ । ଆକାଶରେ ଥିଲବେଳେ ସେ ଜ୍ୟୋତି, ସେ ତେଜ, ସେ ଆକାର ଆଉ ନାହିଁ ଯାର ପ୍ରତାପରେ ଆକାଶର ତାରା ଗୁରାକ ମୁହଁ ଦେଖେଇ ପାରୁ ନ ଥିଲେ । ବର୍ତ୍ତମାନ ରାଜୁତି ସରି ଆସିଲ । ବର୍ତ୍ତମାନର ବେଶ–ଆକାର ବଡ଼, ମୁହଁ ଲାଲ । ବିଲର ଶେଷରେ, ବହୁ ଦୂରରେ ତାଳଗଛ, ନଡ଼ିଆ ଗଛ, ଗାଁ ଗଣ୍ତାର ଉଢ଼ାଳରେ ଲୁଚିବାର ଆୟୋଜନ । ଖାଲି ଲୁଚିବାର ଆୟୋଜନ ନୁହେଁ, ଏକବାରେ ପଳାୟନ । ଶଗଡ଼ିଆ ଗୁଳା ଧରି ଶଗଡ଼ ନେଇ ଚାଲିଛି । ଗୋରୁପଲ ଚରିବୁଲି ନିଜ ନିଜର ଗୁହାଳକୁ ଦଳବାନ୍ଧି ଫେରୁଛନ୍ତି । ନୀଳ ଆକାଶ, ଲାଲ ସୂର୍ଯ୍ୟ, ତାରି ଆଖ ପାଖ ଦେଇ କଳା କଳା ପକ୍ଷୀମାନେ ନିଜ ନିଜର ବସାକୁ ଫେରୁଛନ୍ତି । ବାନା ପରିଡ଼ା, ନଖୀ ଚାଲିଛନ୍ତି କୁଆଡ଼େ ?

 

ସେମାନେ ମଣିଷ ହେଇ ତାଙ୍କର ବାସ ନାହିଁ । ବସା ବାନ୍ଧିବାକୁ ହେବ । ସେ ପୁଣି ରାତିବେଳେ ହୁଏତ ରାସ୍ତା କଡ଼ର କେଉଁ ଗଛ ମୂଳେ, ନ ହେଲେ ପରିତ୍ୟକ୍ତ କେଉଁ ଭଙ୍ଗା କୋଠା ଘରର ବାରନ୍ଦାରେ, ଚାଳିଆରେ । ଉପରେ ଆକାଶ, ତଳେ ମାଟି, ରାସ୍ତା, ତାର ଆରମ୍ଭ ଆଉ ଶେଷ ତାର ପ୍ରଶ୍ନ ନାହିଁ । ତାର ଉତ୍ତର ହେଲା–ରାସ୍ତା କଡ଼ରେ ଯେଉଁଠି ହେଲେ ଟିକିଏ ଜାଗା, କେହି ଡାକିବେ ନାହିଁ–ରାତିରେ ଥଣ୍ତାରେ ପଡ଼ିଛୁ, ଆ ଘର ଭିତରକୁ ଆ, ଏଇଠି ରହି ଯା । ରାତିରେ ଅଣ୍ତାରେ ଶୁଅନ୍ତି ? ରୋଗ ଧରି ପକେଇବ......

 

ବାଦାମ ବଗିଚାରେ ଜଣେ କହିଲା–ରୋଗ ତ ଧରିଛି, ଆଉ କି ରୋଗ ଧରିବ ? ସବୁଠୁଁ ବଡ଼ ରୋଗ ଧରିଛି । ଛୋଟ ଛୋଟ ରୋଗର ସେଠି ଆଉ ସ୍ଥାନ ନାହିଁ । ଧରିଲେ ତାକୁ ଛିଙ୍କି ଉଡ଼େଇ ଦବୁ, କାଶି ବାହାର କରି ଦେବୁ । ମଳ, ମୂତ୍ରରେ ବାହାରି ଯିବ । ଆମେ ହଂସୁଲି ଶେଯରେ ଶୋଉ ନାହୁଁ । ଆମେ ବାଲିରେ ଶୋଉଛୁ । ଆମେ ଚିକ୍‌କଣ ଚାକଣ ହେଇ ବାସନା ତେଲ, ସାବୁନ ଲଗେଇ ପାଇପ୍ ପାଣିରେ ଗାଧଉନୁ । ଆମେ ପଚା ଦଳୁଆ ପୋଖରୀରେ ଗାଧେଇବାର ଲୋକ, ଆମକୁ ଆଉ ଏଣୁ ତେଣୁ ରୋଗ ଧରିବାର ନୁହଁ । ଯା’ ଧରିଛି, ସେଇ ଆମ ଦେହକୁ ଜଗିଛି । ଦେହର ଯେଉଁ ଅଂଶଟା ରୋଗର କଡ଼ା ଶାସନ ମାନି ଚଳି ପାରୁ ନାହାନ୍ତି, ସେ ଅଂଶ ସବୁ ଛିଡ଼ି ଅଲଗା ହେଇ ଯାଉଛନ୍ତି ।

 

ସେ ପୁଣି କହିଲା–ଏ ଦେହୁରୁ ଛିଣ୍ତି ଛିଣ୍ତି ଯେତିକି ଅଂଶ ରହିବ, ଯେଉଁଦିନ ଏ ଦେହ ଏ ରୋଗର କଡ଼ା ଶାସନ ଆଉ ସହି ପାରିବ ନାହିଁ, ସେହି ଦିନ ଏ ଦେହଟା ଆତ୍ମାରୁ ଛିଣ୍ତି ଅଲଗା ହେଇଯିବ । ସେହିଦିନ ଏ ଦେହ ମାଟିରେ ମିଶିବ । ମାଟିରେ ଅଛୁଁ, ମାଟିରେ ମିଶିବୁ......

 

ସେ ପୁଣି କହିଲା–ଭାଇ, ଆମ ଲାଗି କେହି ହଇରାଣ ହେବେ ନାହିଁ । ଆମ ଲାଗି କାହାରିକୁ କାଠ ବାଉଁଶ ଯୋଗାଡ଼ କରିବାକୁ ପଡ଼ିବ ନାହିଁ । ଆମେ ରାସ୍ତା କଡ଼ର ପ୍ରାଣୀ । ରାସ୍ତା କଡ଼ରୁ ଟିକିଏ ଠେଲି ଆଡ଼େଇ ଦୂରକୁ ଗଡ଼େଇ ଦେଲେ ହେଲା । କୁକୁର, ଚିଲ, ଶାଗୁଣା ତେଣିକ ଆମ ପାଇଁ ଅଛନ୍ତି । ସେମାନଙ୍କର ସେଦିନ ପେଟ ପୂରା ଭୋଜି, ଆଉ କଣ କହୁଛୁ ? ଆମେ ଯେତେବେଳେ ମଣିଷ ହେଇ, ମଣିଷ ପଣିଆର ଶେଷ ପାହାଚକୁ ଖସିଛୁଁ, ତଳ ଏକବାରେ ତଳ, ଆଉ ସେଠି ତଳ ନାହିଁ । ଆମର ଗୋଟାଏ ଚିନ୍ତା କଣ ? ବଞ୍ଚିଛୁ, ମରିବୁ । ବଞ୍ଚିବାରେ ଆନନ୍ଦ ନାହିଁ, ମରିବାରେ ଦୁଃଖ ନାହିଁ । ଯେ ଯା ବ୍ୟବହାର କରୁଛନ୍ତି, କରନ୍ତୁ, ଯେ ଯା କହିବାରେ କହନ୍ତୁ । ଯେ କହୁଛନ୍ତି–ଆମେ ପାପର ଫଳ ଭୋଗୁଛୁ, ହେଲା ସେଇୟା, ସେ କଣ ମିଛ କଥା ? ପାପତ କରିଛୁ...

 

ବଳିଆ ଯେମିତ ଏତକ କହିଛି, ଆଉ ଜଣେ କୁଷ୍ଠରୋଗୀ ତାକୁ ପଚାରିଲା–ବଳିଆ ଭାଇ, ତୁ ପାପ କରିଛୁ ? କି ପାପ କରିଛୁ, କହ......

 

ସେହି ଲୋକଟା ପୁଣି କହିଲା–ବଳିଆ ଭାଇ, ମୁଁ ଶୁଣିଛି, ଯେ ଯଉ ପାପ କରି ଥାଏ, ସେ ନିଜେ ଯଦି ନିଜ ମୁହଁରେ ସେ ପାପକଥା ସବୁ ମାନି ଯାଏ, ଖୋଲି କହେ, ତା’ ହେଲେ ତା ପାପ କାର୍ଯ୍ୟର କେତେ ଦୋଷ କଟିଯାଏ । ତୁ କହ, କି ପାପ କରିଛୁ......

 

ବଳିଆ ଏ କଥା ଶୁଣି କହିଲା–ହଉ, ମୁଁ ଯଦି କହିବି ମୋ ପାପ କଥା, ମୋର କେତେକ ଦୋଷ ଛାଡ଼ିଯିବ । ତା’ ହେଲେ, ତୁମେମାନେ ସମସ୍ତେ ଜଣ ଜଣ କରି ତୁମମାନଙ୍କର ସବୁ ପାପର କଥା କୁହ, ତୁମକୁ ବି କେତେକ ଦୋଷ ଛାଡ଼ି ଯିବ......

 

ଆଉ କେତେଜଣ ବଳିଆକୁ ଉତ୍ତର ଦେଇ କହିଲେ–ହଁ, ଆମେ କହିବା, ତୁ ଆଗେ କହ.....

 

ବଳିଆ କହିଲା–ଆଗ ପଛ ବୋଲି କିଛି କଥା ନାହିଁ । ଯଦି କହିବତ କୁହ । ସବୁ କଥା ଆଜି ଏଇଠି ଖୋଲା ଖୋଲି କହିବା, ଆଉ ଶୁଣିବା । ଆଉ ଗୋଟାଏ କଥା–ପାପର କଥା ପେଟରେ ଲୁଚେଇ ରଖିବା ଆହୁରି ପାପ......

 

ବୀର ତା’ କୁଡ଼ିଆ ପାଖରୁ ଅଳ୍ପ ଦୂରରେ ଶୋଇ ଏମାନଙ୍କର ଏ ଆଲୋଚନା ଶୁଣୁଥିଲା ଯେ କେତେଜଣ ସେମାନଙ୍କ ପାପ କର୍ମର କଥା ସବୁ ଖୋଲା ଖୋଲି କହିବାକୁ ରାଜି ହେଲେଣି । ଯଦି ତାକୁ ପଚାରନ୍ତି–ବୀର ଭାଇ, ତୁ କି ପାପ କରିଛୁ କହ । ସେ କଣ କହିବ ? ସେ ଯା କରିଛି କଣ ସବୁ ଖୋଲି କହିବ ? ପାର ତ କେତେଥର ପଚାରିଲାଣି ଶୁଣିବା ପାଇଁ । ସେ କାହିଁକି ସେ ଦିନ ସେ ମାଇପିକୁ ଦେଖି ତା ପାଖରୁ ଉଠି ଯାଇ, ସେ ଗଛ ଉଢ଼ାଳରେ ଳୁଚିଥିଲା ?

 

ବୀର ମନେ ମନେ ସ୍ଥିର କଲା–ଏମାନଙ୍କୁ ଗୋଟାଏ ଧମକ ଦେଇ ଚୁପ୍‌ କରେଇ ଦେଲେ ସବୁ କଥା ଚପିଯିବ । ତାକୁ ମଧ୍ୟ ଆଉ କିଛି କହିବାକୁ ପଡ଼ିବ ନାହିଁ ।

 

ବୀର ଏଇ କଥା ସ୍ଥିର କରି ସେମାନଙ୍କୁ ଲକ୍ଷ୍ୟ କରି ଧମକ ମିଶା କଣ୍ଠରେ କହିଲା–ହଇରେ, ତମର ଆଉ କିଛି କାମ ନାହିଁ । ନିଜର ସବୁ ପାପକର୍ମ ଗୁରାକ ଆଲୋଚନା କରିବାକୁ ବସିଲଣି । ଯଉ ମହତ କାମ ଗୁରା କରିଛ, ସେଇ ଗୁରାକ ଖୋଲି କହିଲେ ଦୋଷ କଟିଯିବ, ନା ? ଆଉ ଭଲ କଥାର ଆଲୋଚନା ନାହିଁ ? ବସ ଚୁପ୍‍ କରି, ଆଉ କଉ କଥା ପକାଅ । ପାପକଥା ଗୁରାକ ଆଲୋଚନା କରି ଆହୁରି ପାପ ଅର୍ଜିବ କାହିଁକି ?

 

ବୀରକୁ ଉତ୍ତର ଦେଇ କେତେ ଜଣ କହିଲେ ପାପକୁ ଲୁଚେଇଲେ ବେଶି ପାପ, ନା ମାନିଗଲେ ବେଶି ପାପ ? ମାନିଗଲେ ଦୋଷ କଟିଯାଏ । ତୁ କାହିଁକି ଆମକୁ ବାଧା ଦଉଛୁ ? ଆମେ ଯା ବୁଝିଛୁ, ସେଇଆ କରିବୁ । ଆମ ମନରେ ସନ୍ଦେହ ହଉଛି ବୀର ଭାଇ, ତୁ ତା’ ହେଲେ ଆମ ସମସ୍ତଙ୍କଠୁଁ ଆହୁରି କିଛି ବଡ଼ ପାପ କରିଛୁ । ତୁ ସେଇଥିଲାଗି ଆମକୁ ଚପଉଛୁ କାଳେ ତୋତେ କହିବାକୁ ପଡ଼ିବ । ତୁ ସେଇଥି ଲାଗି ଠାକୁର ପୂଜା କରୁଛୁ । ତୋର ତ ବଡ଼ ପାପ । ତୁ ମୁହଁରେ ପାପ ମାନିଗଲେ ବି, ତୋ ପାପ କଟିବାର ନୁହେଁ । ହଉ ଭାଇ, ତୁ ନ କହିବୁ ତ ନ କହ, ଆମେ କହିବୁ । କିନ୍ତୁ ଜାଣିଥା ପାପ କେଭେ ଲୁଚି ରହିବ ନାହିଁ....

 

ବୀର କହିଲା–ବୁଝିଲ, ମୁଁ ବଡ଼ ପାପ କରିଥିଲେ ଯଉଠିକି ଆସିଛି, ତୁମେ ସାନ ପାପ କରି ସେଇ ରାସ୍ତାକଡ଼ ବାଦାମ ବଗିଚାକୁ ଆଶ୍ରା କରିଛ । ମୁଁ ଯଉଁ କୁଷ୍ଠରୋଗୀ, ତୁମେ ସେଇ କୁଷ୍ଠରୋଗୀ । ମୁଁ ଜାଣେ ମୁଁ ବଡ଼ ପାପୀ ନୁହଁ, କି ତୁମେ ସାନ ପାପୀ ନୁହଁ, ଆମେ ସମସ୍ତେ ମହାପାପୀ । ଆମେ ସମସ୍ତେ ଯଦି ମହାପାପୀ ନ ହୁଅନ୍ତୁ ଆମ ସମସ୍ତଙ୍କୁ ଏକା କୁଷ୍ଠରୋଗ ଧରିଲା କାହିଁକି ? ପୁଣି ଆମେ ସମସ୍ତେ ଏକା ଅବସ୍ଥା ଭୋଗୁଛୁ କାହିଁକି ? ମୁଁ ବଡ଼ ପାପୀ ହେଲି କିମିତି ?

 

ଦି’ ଚାରିଜଣ ଏହାର ଉତ୍ତରରେ କହିଲେ–ତୁ ତା’ ହେଲେ ତୋ ପାପ କଥା ଲୁଚେଇଛୁ କାହିଁକି ? ଆମେ ତ କହିବାକୁ ରାଜିଅଛୁ.......

 

ବୀର ଏହାର ଉତ୍ତରରେ କହିଲା ହଉ, ତୁମ ପାପ କଥା ସବୁ କହି ସାର, ମୁଁ ଶୁଣେ, ତା’ ପରେ ମୁଁ କି ପାପ କରିଛି କହିବି........

 

ବୀର ମୁହଁରୁ ଏତକ ଶୁଣିଲା ପରେ କେତେ ଜଣ କହିଲେ–ହଉ, ବଳିଆ ଭାଇ, ଆଗେ ତୁ କହ କି ପାପ କରିଛୁ......

 

ବଳିଆ ଏ କେତେ ଜଣକ ଅନୁରୋଧରେ ନିଜର ପାପ କର୍ମର କଥା କହିବାକୁ ଯାଇ କହିଲା–ବୁଝିଲ ଭାଇ ମୁଁ ମୋର ଯବାନୀ ବେଳେ ଗୋଟାଏ ଠାକୁର ମନ୍ଦିରର ମୂର୍ତ୍ତି ଦେହରୁ ସବୁ ସୁନା ଅଳଙ୍କାର ଚୋରି କରିଥିଲି । ତାକୁ ସବୁ ବିକି ଭାଙ୍ଗି ମହା ମଉଜରେ କେତେ ଦିନ ଧନୀ ଲୋକ ପରି ଚଳିଲି । ଗୋଟାଏ ବାହା ହୋଇ ପଡ଼ିଲି । କିନ୍ତୁ କଣ ହେଲା ଜାଣିଲ, କିଛିଦିନ ଗଲାପରେ ସ୍ତ୍ରୀ ମରିଗଲା, ବାପ, ମା, ମରିଗଲେ, ମୋତେ କୁଷ୍ଠରୋଗ ଧରିଲା । ତଳିତଳାନ୍ତ ହୋଇଗଲି, ଶେଷରେ ଆଜି ଏ ଅବସ୍ଥା ଭୋଗୁଛି.......

 

ବଳିଆ ମୁହଁରୁ ଏତକ ଶୁଣିଲା ପରେ ଶ୍ରୋତାଦଳଙ୍କ ଭିତରୁ କେତେକ କୁହାକୁହି ହେଲେ–ଆଉ ତେବେ ପାପର ଫଳ ନାହିଁ ବୋଲି କିମିତି କହୁଛ ?

 

ଆଉ ଜଣ ତା’ର ପାପକର୍ମର କଥା କହିବାକୁ ଯାଇ କହିଲା–ଭାଇ, ମୋ କଥା ଶୁଣିବ-? ମୁଁ ଜଣେ ଲୋକକୁ ଗୋଟାଏ ସୁନାହାର ବନ୍ଧା ରଖି ଟଙ୍କା ଧାର ଦେଇଥିଲି । କିଛି ବର୍ଷ ପରେ ସେ ଲୋକଟା ଟଙ୍କା ସୁଝିଦେଲା । କିନ୍ତୁ ମୋର କି ପାପ ବୁଦ୍ଧି ହେଲା, ମୁଁ ତାକୁ ତାର ସୁନା ହାରଟା ଆଉ ଫେରେଇ ଦେଲି ନାହିଁ । ସେ ଲୋକ ମୋ ନାରେ ମକଦ୍ଦମା କଲା । କଚେରୀରେ ମଧ୍ୟ ମାନିଲି ନାହିଁ । ମହାଦେବଙ୍କ ପାଦୁକ ଛୁଇଁ ନିୟମ କରି କହିଲି–ମୁଁ ସୁନାହାର ଫେରେଇ ଦେଇଛି । ଯଦି ନ ଫେରେଇ ଥାଏ, ମୁଁ ମହାଦେବଙ୍କ ପାଦୁକ ଛୁଇଁ ନିୟମ କରି କହୁଛି ମୋତେ କୁଷ୍ଠରୋଗ ହେଇଯିବ । ହାକିମ ବିଶ୍ୱାସ କରି ମୋତେ ଛାଡ଼ିଦେଲା । କିନ୍ତୁ ସେ ଲୋକଟା ମୋତେ କହିଲା–ଦେଖ, ତୁ ମହାଦେବଙ୍କ ପାଦୁକ ଛୁଇଁ ମିଛ କହିଲୁ, ତୋତେ କୁଷ୍ଠ ରୋଗ ହୋଇଯିବ । ସତକୁ ସତ କିଛି ବର୍ଷ ପରେ ମୋତେ କୁଷ୍ଠରୋଗ ଧଇଲା ! ଚାହୁଁ ଚାହୁଁତ ରୋଗ ମାଡ଼ିଗଲା । ଆଜି ଏ ଅବସ୍ଥା ଭୋଗୁଛି.....

 

ଏଇ କଥା କହୁ କହୁ ତା’ ଆଖିରୁ ଲୁହ ଗଡ଼ି ଆସିଲା । ଆଉ ଜଣେ ତା’ ପାପ କଥା କହିବାକୁ ଯାଇ କହିଲା–ଭାଇ, ମୁଁ ଥରେ ମେଘ ଅନ୍ଧାର ରାତିରେ ଗୋଟାଏ ନୂଆ ଜାଗାରେ ପହଞ୍ଚି କୋଉଠି ରହିବି, ରାତିଟା କଟେଇବି, ଭାବି ଭାବି ଜଣକ ଘରେ ଯାଇ ଡାକିଲି । ସେ ଲୋକଟି କବାଟ ଖୋଲି ପଚାରିଲା–କାହିଁକି ଡାକୁଛ ? କଣ ଦରକାର ?

 

ମୁଁ କହିଲି–ଏ ମେଘ ଅନ୍ଧାର ରାତିରେ, ମୁଁ ଟିକିଏ ରାତିଟା ଏଠି ରହି ପାରିବି କି ? କାଲି ସକାଳ ହେଲେ ଚାଲିଯିବି.....

 

ଲୋକଟି ମୋତେ ରାତିଟା ରହିବାକୁ ତା’ଘରେ ସ୍ଥାନ ଦେଲା । ନିଜେ ରାନ୍ଧି ମୋତେ ଖୋଇଲା । କିନ୍ତୁ, ମୋର କି ପାପବୁଦ୍ଧି ହେଲା, ସେ ଲୋକଟି ଏକା ଥିଲା । ଯେମିତି ଖାଇସାରି ସେ ଲୋକଟି ଶୋଇଲା, ମୁଁ ତାର ଟଙ୍କା ବାକ୍‌ସ ଭାଙ୍ଗି, ତାର ଯା ଟଙ୍କା, ସୁନା ଥିଲା ସବୁ ନେଇ ରାତି ରାତି ପଳେଇ ଆସିଲି । ମୋର ମନେ ହେଉଛି–ସେଇ ପାପରୁ ମୋତେ କୁଷ୍ଠରୋଗ ଧଇଲା-। କଣ କରିବି ଭାଇ, ବିନାଶ କାଳେ ବିପରୀତ ବୁଦ୍ଧି । ମୁଁ ଇମିତି ରୋଗରେ ଭୋଗିବି ବୋଲି ମୋତେ ସେ ଦୁର୍ବୁଦ୍ଧି ଦେଖାଗଲା । ସେ ଲୋକଟା କି ଦୁଃଖ ଭୋଗିଥିବ....

 

ଜଣେ ଏ କଥା ଶୁଣି କହିଲା–ଆଜି ସିନା ଏ କଥା ଭାବୁଛୁ, ଆଗେତ ଭାବିଲୁ ନାହିଁ ? ମୁଁ କି ପାପ କରିଛି ଶୁଣିବୁ ? ଗୋଟାଏ ଲୋକ ସାଙ୍ଗରେ ମୋର ବିବାଦ ଥିଲା । ଦିନେ ରାତିବେଳେ ଦେଲି ତା’ ଘରେ ନିଆଁ ଲଗେଇ । ତା’ଘର, ଧାନ ଅମାର, ଗାଈ ଗୋରୁ ସବୁ ପୋଡ଼ି ପାଉଁଶ ହେଇଗଲା । ସେ ଲୋକଟା କହିଥିଲା–ଯେ ଏ କାମ କଲା, ଯେ ମୋ ଘର ପୋଡ଼ିଦେଲା, ତାକୁ କୁଷ୍ଠରୋଗ ହେଇଯାଉ । ଠିକ୍‌ ତା କଥା ଫଳିଗଲା । କିଛିଦିନ ପରେ ମୋତେ କୁଷ୍ଠରୋଗ ଧଇଲା । ଆଜି ଏ ଅବସ୍ଥା ଭୋଗୁଛି.......

 

ବୀର ଅଳ୍ପ ଦୂରରେ ଶୋଇ ଏ ସବୁ ଆଲୋଚନା ଶୁଣି କହିଲା–ହଇରେ, ଖାଲି ପାପ କରିଛ ବୋଲି ଏ କୁଷ୍ଠ ରୋଗରେ ଭୋଗୁଛ ନା, ଆଉ କିଛି କୁଷ୍ଠରୋଗର କାରଣ ଜାଣିଛ ?

 

ମୁଁ ଡାକ୍ତରଙ୍କ ଠାରୁ ଶୁଣିଛି–ଏ କୁଷ୍ଠରୋଗର ମୂଳ କାରଣ ହେଲା–ଅପରିଷ୍କାର ହେଇ ଚଳିଲେ, କୁଷ୍ଠରୋଗ ଧରେ । ଯେତେ ଅପରିଷ୍କାର ହବ, ଅଖାଦ୍ୟ ଖାଇବ, ତାକୁ ମଧ୍ୟ କୁଷ୍ଠରୋଗ ଧରିବ । ଆଉ ଗୋଟାଏ କଥା ମଧ୍ୟ ଶୁଣିଛି–ଯାକୁ ଗର୍ମି ରୋଗ ଧରିବ, ତାକୁ କୁଷ୍ଠରୋଗ ଧରିବ । ଆଉ ଯାକୁ ଅନ୍ୟ କୋଉ କାରଣରୁ କୁଷ୍ଠରୋଗ ଧରିଥିବ ତାକୁ ଗର୍ମିରୋଗ ଛାଏଁ ଛାଏଁ ଧରିବ । ସେ ଦିଟା ରୋଗର ଇମିତି ସଂପର୍କ ଅଛି । ଆଉ ଗୋଟାଏ କଥା ଅଛି–ଲୋକଙ୍କୁ ଅତି ଦୁଃଖବେଳେ କୁଷ୍ଠରୋଗ ଆରମ୍ଭ ହେବାର ଦେଖାଯାଏ । ଲୋକ ଯେତେବେଳେ ଅତି ଉଦ୍ଧତ ହୁଏ, ତାକୁ ମଧ୍ୟ କୁଷ୍ଠରୋଗ ଧରେ । ଆଉ ମଧ୍ୟ ଆମର ପୂର୍ବରୁ ଗୋଟାଏ କଥା ଅଛି–ଅତି ପାପ କାମ କଲେ କୁଷ୍ଠରୋଗ ଧରେ ।

 

ବୀର ପୁଣି କହିଲା–ଡାକ୍ତରୀ ମତରେ ଆହୁରି ଗୋଟାଏ କଥା ଅଛି–ଯଦି ଜଣେ କୁଷ୍ଠରୋଗୀ ସଙ୍ଗେ ମିଶାମିଶି ହେଇ କିଛିଦିନ ଚଳିବ ତା’ହେଲେ କୁଷ୍ଠରୋଗ ଧରିବ......

 

ବୀର ଏଥର ନିଜର ମନ କଥା ମନରେ ରଖି, ବାହାରକୁ ସଫେଇ ଦେଇ ଶୁଣେଇଲା–ଯାର ବାପ, ମା’ର କୁଷ୍ଠରୋଗ ଥିବ, ତାର ପିଲାଙ୍କୁ ମଧ୍ୟ କୁଷ୍ଠରୋଗ ଧରେ । ଯେମିତି ମୋର ହେଇଛି । ମୋର ବାପର କୁଷ୍ଠରୋଗ ଥିଲା, ମୋତେ ହେଲା । ମୁଁ ତ କିଛି ପାପ କାର୍ଯ୍ୟ କରିନାହିଁ......

 

ପାପକାର୍ଯ୍ୟ କରିନୁ ? ନିଶ୍ଚୟ କରିଥିବୁ । ଲୁଚେଇଲେ କଣ ହବ ? କହ ସତ କଥା । ମୁଁ ଯେମିତି, ତୁ ସେମିତି । ମୁଁ ବି ପାପର ଫଳ ଭୋଗୁଛି । ତୁ ବି ପାପର ଫଳ ଭୋଗୁଛୁ । କହ ସତକଥା । ମୁଁ କଣ କାହା ଆଗରେ କହୁଛି ?

 

ବାନା ପରିଡ଼ା ନଖୀକୁ ବାରମ୍ୱାର ଇମିତି କଥା ପଚାରିବାରୁ, ନଖୀ ବାଧ୍ୟହେଇ କହିଲା–ମୁଁ ଯେତେବେଳେ ମୋ ଶାଶୁଘରେ ଥିଲି ଦିଅର ସହିତରେ ମୋର ପାପ ସମ୍ପର୍କ ଥିବାର ମୋ ଗେରସ୍ତ ସନ୍ଦେହ କରି ମୋତେ ଥରେ ମୋ–ମୁହଁରୁ ସତକଥା ଜାଣିବା ପାଇଁ କବୁଲେଇଲା । କିନ୍ତୁ ମୁଁ ମାନିଲି ନାହିଁ । ମୋ ଗେରସ୍ତ ସେତିକିବେଳେ ମୋତେ କହିଲା–ଦେଖ, ତୁ ତ ମାନୁନାହୁଁ । ଆଉ ଯଦି ତୁ ଏ କାମ କରି ମୋତେ ଲୁଚଉଥିବୁ, ତୋତେ କୁଷ୍ଠରୋଗ ହେଇଯିବ ।

 

ସତକୁ ସତ କେତେମାସ ପରେ ମୋତେ କୁଷ୍ଠରୋଗ ଧଇଲା । ତା’ପରେ ମୋତେ ମୋ ଗେରସ୍ତ ତଡ଼ିଦେଲା । ମୂଳ କଥା ହେଲା ଏଇୟା । ମୋ ଗେରସ୍ତ ମୋତେ ଯା କହିଥିଲା, ସେଇୟା ହେଲା....

 

ବାନା ପରିଡ଼ା ନଖୀର କଥା ଶୁଣି କହିଲା–ନଖୀ, ବୁଝିଲୁ, ଏ ଦୁନିଆରେ ଯେ ଯାହା କହୁ, ପାପ ପୁଣ୍ୟ ଯୋଡ଼ାଏ କଥା କେଭେ ମିଛ ନୁହେଁ । ପୁଣ୍ୟରେ ବୃଦ୍ଧି, ପାପରେ କ୍ଷୟ । ପୁଣ୍ୟରେ ଉନ୍ନତି, ପାପରେ ଅବନତି.......

 

–କଣ ପୁଣ୍ୟ କଲେ ଉନ୍ନତି, ପାପ କଲେ ଅବନତି ? ମୁଁ ତ ଦେଖୁଛି–ଏ କଳିଯୁଗରେ ଯେ ପାପ କରୁଛି, ସେତ ଦିନ ଦିନ ବଢ଼ୁଛି । ଯେ ପୁଣ୍ୟ କାମ କରୁଛି, ସେ ଦିନ ଦିନ ତଳକୁ ଯାଉଛି-। ଏ କଣ ମିଛ କଥା ? ତୁମେ କଣ ଇମିତିଆ ଘଟଣା ଦେଖୁନା ?

 

ହଁ, ଦେଖୁନାହିଁ କଣ ? ଗୋଟାଏ କଥା ଅଛି–

 

ଏ କଳିଯୁଗରେ ଯେ କରିବ ପାପ,

ସେ ହେବ ସାତ ପୁଅର ବାପ.....

 

ରେଲ ଷ୍ଟେସନର ତୃତୀୟ ଶ୍ରେଣୀ ମୁସାଫିର ଖାନାରେ ଇମିତି କେତେ ଯାତ୍ରୀ ବସି ଶୋଇ, ଯା’ ଆସକରି କେତେ କଥାର ଆଲୋଚନା କରୁଛନ୍ତି ।

 

ବିରାଟ ଷ୍ଟେସନ, ତାର ବିରାଟ ତୃତୀୟ ଶ୍ରେଣୀ ମୁସାଫିର ଖାନା, ବିଜୁଳି ଆଲୁଅ ଜଳୁଛି-। ମୁସାଫିରଖାନା ପାଖଦେଇ ଯେତେବେଳେ ଗାଡ଼ି ଚାଲି ଯାଉଛି, ମୁସାଫିରଖାନା ଦୁଲ୍ ଦୁଲ୍‌ ହେଇ କମ୍ପି ଉଠୁଛି ।

 

ତୃତୀୟ ଶ୍ରେଣୀ ମୁସାଫିରଖାନାରେ ସମସ୍ତଙ୍କର ଅବାଧ ଯିବା ଆସିବା । ଗାଉଁଲୀ ଲୋକ, ସହରୀ ଲୋକ, ଧନୀ, ଗରିବ, ପାଠୁଆ, ମୂର୍ଖ, ସାଧୁ, ଚୋର, ପକେଟମାର, କିଏ କେତେ ଉଦ୍ଦେଶ୍ୟରେ ଯାଉଛନ୍ତି, ଆସୁଛନ୍ତି, ବୁଲୁଛନ୍ତି, ଅପେକ୍ଷା କରୁଛନ୍ତି । ଯାତ୍ରୀ ଅପେକ୍ଷା କରୁଛନ୍ତି–ଗାଡ଼ି ଆସିଲେ, ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବେ । ଯାତ୍ରୀ ମୁସାଫିରଖାନାରେ ଗାଡ଼ିରୁ ଓହ୍ଲେଇ ବିଶ୍ରାମ କରୁଛନ୍ତି । ଆଉ ଟିକିଏ ପରେ ଘରକୁ ଯିବେ । ଚୋର, ପକେଟମାର ଅପେକ୍ଷା କରୁଛନ୍ତି–ଯାତ୍ରୀ ଶୋଇ ପଡ଼ିଲେ, ଟିକିଏ ଅସାବଧାନ ହେଲେ, ହାତେ ଦେଖିବେ, ଚିତା କାଟିବେ । ଖାଲି ମଣିଷ ନୁହନ୍ତି, ଗାଈ ପଶି ଆସି ହଗି ମୂତି ବୁଲି ବାହାରି ଯାଉଛି । ବୁଲା କୁକୁର ପଶି ଆସି ଚକ୍‌କର ମାରି ଚାଲି ଯାଉଛି, ବେଳ ଉଣ୍ତି ଯାତ୍ରୀଙ୍କର ଖାଇବା ଜିନିଷ ଖାଇଦେଇ ପଳଉଛି । ବିଲେଇ ପଇଁତରା ମାରି ବୁଲୁଛି । ବେଳ ଦେଖି ସେ ଯାତ୍ରୀଙ୍କର ଅସାବଧାନତାରେ ଖାଇବା ଜିନିଷ ନେଇ ପଳଉଛି । ଚଟାଣରେ ଗୋବର, ଗୋରୁମୂତ, ଲେମ୍ୱୁଚୋପା, ଚିନାବାଦାମ ଚୋପା, ଖଲିପତର, ଧୂଳି, ମାଟି, ପାନପିକ, ଖଣ୍ତିଆ ବିଡ଼ି, ଖଣ୍ତିଆ ଦରପୋଡ଼ା ସିଗାରେଟ,ବିଭିନ୍ନ ଯାଗାର ଯାତ୍ରୀଙ୍କ ପରି ସବୁ ଏକାଠି, କେହି କାହା ସଙ୍ଗେ ବିବାଦ କରୁନି । ହିଂସା ନାହିଁ, ମତାନ୍ତର ନାହିଁ, ଯିବା ଆସିବା ମଧ୍ୟରେ ଯେତିକି ଅବସର, ଯେତିକି ରହଣି, ସେତିକି ସମୟ ଭେଟ, ସହାବସ୍ଥାନ, କୋଳାହଳ, କଥାବାର୍ତ୍ତା, ଆଲୋଚନା, ଫେରିବାଲାଙ୍କର ନିଜର ପଣ୍ୟଦ୍ରବ୍ୟର ବିଜ୍ଞାପନର ପ୍ରଚାର । ମୁସାଫିରଖାନା ବାହାରେ ରାସ୍ତା କଡ଼ରେ ଦୋକାନୀ, ଆଉ ଗ୍ରାହକଙ୍କର ଗହଳି, ଟ୍ୟାକ୍‌ସି, ରିକ୍‌ସା, ଝଟକା, ଟ୍ରକ, କାର୍‌, ସାଇକେଲର ଶବ୍ଦ, ତା’ ଛଡ଼ା ଷ୍ଟେସନବଜାରର ଅଳ୍ପଦୂରରେ ଗୋଟାଏ ଆମ୍ୱତୋଟା, ତାରି ତଳେ କୁଷ୍ଠରୋଗୀଙ୍କ ଆଡ଼୍‌ଡ଼ା ।

 

ଏଇ ଆମ୍ୱତୋଟା ତଳେ ଜମିଥିବା ଅନ୍ୟ ମରଦ, ମାଇପି କୁଷ୍ଠରୋଗୀଙ୍କ ମେଳରେ ବାନା ପରିଡ଼ା ଆଉ ନଖୀ ମିଶିଗଲେ । ବାନା ପରିଡ଼ା ମନେ ମନେ ତାର ପୂର୍ବର ରହଣୀସ୍ଥଳ ବାଦାମ ବଗିଚା ସହିତରେ ଏ ଆମ୍ୱତୋଟାକୁ ତୁଳନା କରି ଦେଖିଲା–ଏଠି ବାଦାମ ବଗିଚା ପରି ବାଲି ନାହିଁ । ଘାସୁଆ ପଡ଼ିଆ ଜାଗା । ଏଠି କୁଷ୍ଠରୋଗୀଙ୍କ ସଂଖ୍ୟା ବହୁତ । ମାଇପି, ମରଦଭରା । କେହି କାହାର ଖବର ନବାକୁ ନାହିଁ । ଏଠି ବାଦାମ ଗଛ ତୁଳନାରେ ଆମ୍ୱଗଛ ବହୁତ । ସମୁଦ୍ରର ଗର୍ଜନ ବଦଳରେ ଏଠି ଟ୍ରେନ୍ ।ଚଳାଚଳର ଶବ୍ଦ । କାନ ଅତରା ପଡ଼ି ଯାଉଛି । ହାଓ୍ୟା କମ, ଚାରିଆଡ଼େ କୋଠାଘର, ପୁଣି ଷ୍ଟେସନ ନିକଟ ବୋଲି କୋଇଲା ଧୂଆଁ ଚାରିଆଡ଼େ; ତଥାପି ବାଦାମ ବଗିଚା ପରି ଏଠି ଶାନ୍ତି ନାହିଁ । ସେ ସେଠି ବଡ଼ ଆରାମରେ ଥିଲା ।

 

ବାନା ପରିଡ଼ା ଶୋଇଛି । ନଖୀ ବାନା ପରିଡ଼ାର ଗୋଡ଼ ଘଷୁ ଘଷୁ ପଚାରିଲା–ଏ ଜଗା କିମିତି ଲାଗୁଛି ତମକୁ ?

 

ବାନା ପରିଡ଼ା ନଖୀକୁ ଅନେଇ ହସି ହସି କହିଲା–କାହିଁକି ପଚାରୁଛୁ ? ତୋରି ଯୋଗୁଁ ଏ ଜାଗାଟା ମୋତେ ଆଜି ଇନ୍ଦ୍ରଭୁବନ ପରି ଜଣା ଯାଉଛି........

 

ନଖୀ ବାନା ପରିଡ଼ା ମୁହଁରୁ ଏତକ ଶୁଣିଲା ପରେ ଅଳ୍ପ ହସି ପକେଇ କହିଲା–କହିବ ତ ସ୍ୱର୍ଗପରି ଲାଗୁଛି, ଇନ୍ଦ୍ରଭୁବନ ପରା ସ୍ୱର୍ଗରେ.......

 

ବାନା ପରିଡ଼ା ନଖୀ କଥାର ଉତ୍ତର ଦେଇ କହିଲା–ଆମେ ଯୋଉ ପାପୀଲୋକ, ଆମେ ତା’ର ସୀମାକୁ ଯାଇ ପାରିବୁ ନା ? ମଲେ ତ ନର୍କକୁ ଯିବାଲାଗି ଧାଡ଼ି ବାନ୍ଧି କେତେ ସମୟ ଠିଆ ହବାକୁ ହବ.......

 

ନଖୀ କହିଲା–ତୁମର ତ ଦେଖୁଛି, ଖାଲି କଣ ପାପ କରିଛ, ତାରି ପରିଣାମକୁ ଡରୁଛ । ପରିଣାମ ଯା’ ହବାର ତା’ ହେଇ ସାରିଛି, ଆଉ କଣ ଡର ? ମଲାପରେ କଣ ହବ, କିଏ ପଚାରୁଛି, ସ୍ୱର୍ଗ କିଏ ? ନର୍କ କିଏ ? ସ୍ୱର୍ଗ ନର୍କ ଏଇଠି........

 

–ଏଇଠି ସ୍ୱର୍ଗ ନର୍କ ଦି’ଟାଯାକ ଅଛି ?

 

–କିମିତି ଏଠି ସ୍ଵର୍ଗ, ନର୍କ ଦି’ଟା ଅଛି ?

 

–ବୁଝୁନୁ, ଏଇ ଥାର୍ଡ କ୍ଲାସ୍‍ ମୁସାଫିରଖାନା ହେଲା–ନର୍କ । ଆମେ ନର୍କ ଭୋଗ କରୁଛୁ । ଆଉ ଇଆରି ଉପର ମହଲାରେ ଫାର୍ଷ୍ଟାକ୍ଲାସ୍‍ ଉଏଟିଂ ରୁମ ହେଲା ସ୍ୱର୍ଗ । ଆମେ ଥାର୍ଡ କ୍ଲାସ୍‍ ମୁସାଫିରଖାନାରେ ନର୍କ ଭୋଗ କରୁଛୁ । ଆଉ ଯେଉଁମାନେ ଉପର ମହଲାରେ ଫାଷ୍ଟ କ୍ଲାସ୍‍, ସେକେଣ୍ତ କ୍ଲାସ୍‍ ଉଏଟଂ ରୁମରେ ଅଛନ୍ତି, ସେମାନେ ସ୍ୱର୍ଗରେ ଅଛନ୍ତି । ସେମାନେ କେତେ ଐଶ୍ୱର୍ଯ୍ୟରେ, ସୁଖରେ ଅଛନ୍ତି ! ଆଉ ଆମେ ଏଠି କି ଦୁଃଖ ଭୋଗ କରୁଛୁ ? କି ଆବର୍ଜନା, କି ଅପରିଷ୍କାର ଏ ଥାର୍ଡ କ୍ଲାସ୍‍ ମୁସାଫିରଖାନା ହେଇଛି ? ଏ ଥାର୍ଡ କ୍ଲାସ୍‍ ମୁସାଫିରଖାନାରେ ଆମେ ବି ମଣିଷ । ଯେଉଁମାନେ ଉପର ମହଲାରେ ଫାଷ୍ଟକ୍ଲାସ୍‍ , ସେକେଣ୍ତ କ୍ଲାସ୍‍ ରେ ଅଛନ୍ତି, ସେମାନେ ବି ମଣିଷ । ସେମାନଙ୍କର ବେଳ ହେଲେ, ଗାଡ଼ି ଆସିଲେ, ସେମାନେ ଚାଲିଯିବେ । ଆମର ବି ବେଳ ହେଲେ ଗାଡ଼ି ଆସିଲେ ଆମେ ବି ଚାଲିଯିବୁ । କେହି ଏଠି ଚିରସ୍ଥାୟୀ ହେଇ ରହିବାକୁ ଆସିନୁ । ଇମିତି କେତେ ଆସି କେତେ ଯାଉଛନ୍ତି, କେହି ଏଠି ରହୁଛନ୍ତି ?

 

ଯାତ୍ରୀଙ୍କ ଭିତରେ ଆଲୋଚନା ଚାଲିଥିଲା ।

 

ଯେତେ ଯେ ଆସନ୍ତୁ, ଯାନ୍ତୁ, ଆମେ ଚିରସ୍ଥାୟୀ । ତୃତୀୟ ଶ୍ରେଣୀ ମୁସାଫିରଖାନା ହେଲା ଆମର । ଆମକୁ କିଏ ମନା କରିବ ?

 

କେତେ ଜଣ ଆମ୍ୱ ତୋଟାର କୁଷ୍ଠରୋଗୀଙ୍କ ସଙ୍ଗେ କଥାବାର୍ତ୍ତା କରୁଁ କରୁଁ ବାନା ପରିଡ଼ା, ନଖୀ ଆଉ ଯେତେ କୁଷ୍ଠରୋଗୀ, ରୋଗିଣୀ ମାଡ଼ି ଆସିଲେ ତୃତୀୟଶ୍ରେଣୀ ମୁସାଫିରଖାନା ଭିତରକୁ । ଶୋଇବା ପାଇଁ ନିଜର ପୁଟୁଳାପୁଟୁଳି, ବିଛଣା, ଟିଣଡବା ଇତ୍ୟାଦି ନେଇ ଗୋଟିଏ ଗୋଟିଏ ଜାଗା ମାଡ଼ି ବସିଲେ । ନିଜର କନାଚୂନା, ମସିଣା ବିଛେଇବାକୁ ଆରମ୍ଭ କରି ଦେଲେ । ଖାତିର ନାହିଁ, ଅନଉଁ ନାହାନ୍ତି, କଉଁଠି ଯାତ୍ରୀମାନେ ବସିଛନ୍ତି, ଶୋଇଛନ୍ତି, ଗପ କରୁଛନ୍ତି, ଖାଉଛନ୍ତି । କିଏ ପଚାରେ ? ତାଙ୍କୁ ଯଦି ଘୃଣା ହଉଛି, ସେମାନେ ପାଖେଇ ଯାନ୍ତୁ । ବଳେ ପାଖେଇ ଯିବେ । ନ ପାଖେଇଲେ, ତାଙ୍କରି ପାଖରେ ଶୁଅନ୍ତୁ, ବସନ୍ତୁ, ଖାନ୍ତୁ, ଗପ କରନ୍ତୁ । କିଏ ପଚାରେ ? ଗାଳି ଦେବେ ଦିଅନ୍ତୁ, ସେ ନିତିଦିନିଆ କଥା । ଆମେ ଶୋଇବୁ, ଆମେ ନିତି ଶୋଉଛୁଁ, ଯାତ୍ରୀ ଇମିତି କେତେ ଆସି କେତେ ଯାଉଛନ୍ତି । କିଏ ପଚାରେ ସେ ଗୁରାଙ୍କୁ ?

 

ଯେ କେତେ ଜଣ ଯାତ୍ରୀ ତୃତୀୟ ଶ୍ରେଣୀ ମୁସାଫିରଖାନାରେ ରାତିକ ଲାଗି ଆଶ୍ରୟ ନେଇ, ଟିକିଏ ବିଛଣା ପାରି ଶୋଇବାକୁ ଯାଉଥିଲେ, ଶୋଇ ଥିଲେ, ଖାଉଥିଲେ, ବସିଥିଲେ, ଗପ କରୁଥିଲେ, ଏ କୁଷ୍ଠରୋଗୀ ମାନଙ୍କ ଇମିତି ଆକସ୍ମିକ ମୁସାଫିରଖାନା ଭିତରକୁ ପଶି ଆସିବାର ଦେଖି, ଆଶ୍ଚର୍ଯ୍ୟ, ଘୃଣା ଆଉ କୁଷ୍ଠରୋଗର ଭୟରେ କେତେକ କହି ଉଠିଲେ–ଇସ୍‌ ଇସ୍‌, ଏ କୁଷ୍ଠରୋଗୀ ଗୁରାକ କଣ ଏ ମୁସାଫିରଖାନା ଭିତରକୁ ପଶି ଆଇଲେଣି ! ଇସ୍‌, ଏଠିତ ଆଉ ରହିବାର ନୁହେଁ । କଣ କରିବା ? ଏମାନେ ତ କଣ ମାନୁ ନାହାନ୍ତି ! ଛିଃ, ଛିଃ....

 

ଆଉ କେତେକ କୁଷ୍ଠରୋଗୀଙ୍କ ଉପରେ ବିରକ୍ତ ହେଇ ରାଗରେ ସେମାନଙ୍କୁ କହିଲେ–ବାହାର ଏଠୁ, କୁଷ୍ଠ ରୋଗୀ ଗୁରାକ, ମୁସାଫିରଖାନା ଭିତରକୁ କଣ ପଶି ଆସୁଛ ? ବାହାର ସିଆଡ଼େ......

 

ଏହାର ଉତ୍ତରରେ କୁଷ୍ଠରୋଗୀଙ୍କ ଆଡ଼ୁ ଶୁଣାଗଲା–ତୁମେ ବାହାର ଏଠୁଁ, ଘର କଉଠି, ଦୁଆର କଉଠି, ପୁଣି କହୁଛି–ବାହାର ଏଠୁଁ !

 

ଆଉ କେତେ ଜଣ ଯାତ୍ରୀ କୁହାକୁହି ହେଲେ–ଶୁଣୁଛ, କୁଷ୍ଠରୋଗୀଗୁରାଙ୍କର କେଡ଼େ ଚଢ଼ଉ କଥା ! ସେମାନେ ଓଲଟି ଯାତ୍ରୀଙ୍କୁ କହୁଛନ୍ତି–ବାହାର ଏଠୁଁ ।

 

ଆଉ କେତେଜଣ ଯାତ୍ରୀ କୁହାକୁହି ହେଲେ–ଆଜିକାଲି ଥାର୍ଡ କ୍ଲାସ୍‍ରେ ଯିବା ଆସିବା ଏ କୁଷ୍ଠରୋଗୀମାନଙ୍କ ଲାଗି ଯେମିତି ବିପଦ ! ଏ ଥାର୍ଡକ୍ଳାସ୍‌ ମୁସାଫିରଖାନାରେ ବିଶ୍ରାମ ନବା ସେମିତି ବିପଦ !! ଏମାନେ ଯଦି ଇମିତି ଏ ମୁସାଫିରଖାନାରେ ରୋଜି ରାତିରେ ଶୋଉଥିବେ ତା ହେଲେ ତ ଏ ମୁସାଫିରଖାନାରେ ଅଳ୍ପ ସମୟ ପାଇଁ ବିଶ୍ରାମ ନବା, ବସିବା ବିପଦ !! କାହାକୁ କେତେବେଳେ କୁଷ୍ଠରୋଗ ଧରିବ, କିଛି ଠିକ୍‌ ନାହିଁ । ତୁଚ୍ଛା ଗଳିତକୁଷ୍ଠ ରୋଗୀଗୁରାକ ! ଅଳ୍ପ କେତେଟା ୟାଙ୍କ ଭିତରେ ଭଲ ଅଛନ୍ତି । ରେଲବାଇ ପକ୍ଷରୁ କଣ କିଛି ଏମାନଙ୍କୁ ବାଧା ଦବାର ବ୍ୟବସ୍ଥା କରୁ ନାହାନ୍ତି ? କି ଆଶ୍ଚର୍ଯ୍ୟ କଥା !! ଏ ଯେ ଖାଲି କୁଷ୍ଠରୋଗ ବ୍ୟାପିବାର କଥା......

 

ଆଉ କେତେ ଜଣ ଯାତ୍ରୀ କୁହାକୁହି ହେଲେ–ଆମେ ଏ କଥା ଜାଣିଥିଲେ, ଏଠି ଆଦୌ ଆଜି ରାତିଟା ରହି ନ ଥାନ୍ତୁ......

 

ଜଣେ ଦି’ଜଣ ଯାତ୍ରୀ, ଜଣେ କୁଷ୍ଠରୋଗୀକୁ କହିଲେ–ହଇରେ, ଆମେ ଏଠି ଶୋଇଛୁ, ତୁ କଣ ଆସି ପାଖରେ ଶୋଇବାକୁ ବସିଲୁଣି ? ତୋର ତ କଣ ଭାରି ସାହସ ଦେଖୁଛି......

 

କୁଷ୍ଠରୋଗୀ ଏହାର ଉତ୍ତରରେ କହିଲା–କାହିଁକି ? କଣ ହେଲା ? ତୁମକୁ ଡରି ସାହସ ହବ ନାହିଁ । ତୁମର ତୁମେ ଶୋଇଛ, ମୋର ମୁଁ ଶୋଇବି, କଣ ହେଲା ?

 

–କଣ ହେଲା ପୁଣି କହୁଛୁ ? ଏ ମୁସାଫିରଖାନା ତୁମରି ପାଇଁ ହେଇଛି ?

 

–ଆଉ ତୁମରି ପାଇଁ ହେଇଛି ? କୁଆଡ଼ୁ ଆସିଛ, କୁଆଡ଼େ ଯିବ, କେଡ଼େ ବହପରେ କଥା କହୁଛି ?

 

କୁଷ୍ଠ ରୋଗୀଟାଏ ଇମିତି ଜବାବ ଦବା ଶୁଣି ରାଗରେ ଉତ୍ତେଜିତ ହେଇ ଧମକ ସୂଚକ କଣ୍ଠରେ ଯାତ୍ରୀ କହିଲେ–ଦେଖ, ଆଉ ଯଦି ପଦେ କଥା କହିଛୁ, ଅଭିକା ତୋ’ ଅବସ୍ଥା କଣ ହବ ପୁଣି ଦେଖିବୁ । ତୋ ବାପ, ଅଜା ଜାଗାପରି ଆସି ମାଡ଼ିବସି ଶେଯ ପାରିଲୁଣି, ପାଖରେ ଶୋଇବାକୁ.....

 

ଯାତ୍ରୀ ଆଡ଼ୁ ଜଣେ କୁଷ୍ଠରୋଗୀକୁ ଇମିତି ଧମକ ଦବାର ଶୁଣି, ଅଳ୍ପ ଦୂରରେ ବସିଥିବା ଆଉ ଜଣେ ଦି’ଜଣ ସେ କୁଷ୍ଠରୋଗୀକୁ ସମର୍ଥନ ଜଣେଇ ଉତ୍ତର ଦେଲେ–ହଇ ହୋ, ତୁମ ବୋପା, ଅଜା ଜାଗା ଏ ? ତୁମେ କଣ ଧମକେଇଲଣି ? ହଇ ହୋ, ତୁମ ଘର କଉଠି ?

 

କୁଷ୍ଠରୋଗୀଙ୍କର ଇମିତି ଔଦ୍ଧତ୍ୟପୂର୍ଣ୍ଣ ଉତ୍ତର ଶୁଣି ଆଉ କେତେକ ଯାତ୍ରୀ ସେ କୁଷ୍ଠରୋଗୀଙ୍କୁ କହିଲେ–କଣ କହିଲୁ ? କଣ ଯାତ୍ରୀଙ୍କ ପାଇଁ ଏ ମୁସାଫିରଖାନା ହେଇଛି, ନା ତୁମପରି କୁଷ୍ଠରୋଗୀଙ୍କ ପାଇଁ ହେଇଛି ? କଣ କହିଲୁ ? ତୁମ ବାପ, ଅଜା ଜାଗା ଏ ?

 

ମୁସାଫିରଖାନାରେ ଯେତେ ଜଣ ଯାତ୍ରୀ ଥିଲେ, ସମସ୍ତେ ପ୍ରାୟ କୁଷ୍ଠରୋଗୀଙ୍କର ମୁସାଫିରଖାନା ଭିତିରକୁ ଅନଧିକାର ପ୍ରବେଶ, ଔଦ୍ଧତ୍ୟ, ଜବାବ, ଯାତ୍ରୀଙ୍କ ପ୍ରତି ତାଚ୍ଛଲ୍ୟ ବ୍ୟବହାରରେ ଉତ୍ତେଜିତ ହୋଇ ପରସ୍ପର ଭିତରେ ଆଲୋଚନା କଲେ–ଏମାନଙ୍କୁ ବାଡ଼େଇବା ଦରକାର । କେଡ଼େ ଉଦ୍ଧତ ଏଗୁରାକ ! ଏମାନେ ନିଜେ ବୁଝୁ ନାହାନ୍ତି ? ୟାଙ୍କ ଅବସ୍ଥା ସରିଲାଣି, ତଥାପି ମୁହଁ କେଡ଼େ ଜୋର ! ସେ ଯାତ୍ରୀଙ୍କୁ କହୁଛନ୍ତି–ତୋ ବୋପା, ଅଜା ଜାଗା ! ମାଡ଼ ଛଡ଼ା ଏଙ୍କୁ ଆଉ କିଛି କାଟୁ କରିବ ନାହିଁ.....

 

ବାନା ପରିଡ଼ା ଏଠା କୁଷ୍ଠରୋଗୀମାନଙ୍କ ସଙ୍ଗେ ଯାତ୍ରୀଙ୍କର ପ୍ରାୟ ମାଡ଼ପିଟ ହବାର ସମ୍ଭାବନା ଦେଖି, ତାର ମନେ ପଡ଼ିଲା–ଟ୍ରେନ୍‌ରେ ଆସିବା ବେଳର କଥା, କି ହଇରାଣ ସେ ନ ହେଇଛି ! ! ପୁଣି ଏଠିତ ଦେଖୁଛି ସେଇ ଘଟଣା । ଏ ଯାତ୍ରୀମାନେ ମିଶି ଯଦି କୁଷ୍ଠରୋଗୀଙ୍କୁ ବାଡ଼ାନ୍ତି, ତା’ ହେଲେ ଏ କୁଷ୍ଠରୋଗୀଙ୍କ ଅବସ୍ଥା ହବ କଣ ? ସେ ତ ନୂଆ ଲୋକ, ସାଙ୍ଗରେ ମାଇପିଟାଏ, ତା ଅବସ୍ଥା ହବ କଣ ?

 

ଜଣେ ଦି’ଜଣ ଗୁଣ୍ତାଳିଆ ଯାତ୍ରୀ ଅନ୍ୟାନ୍ୟ ଯାତ୍ରୀଙ୍କୁ ଲକ୍ଷ୍ୟ କରି ବକ୍ତୁତା ଦବାଭଳି କହିଲେ–ଭାଇମାନେ, ତୁମେ ତ ସବୁ ଦେଖୁଛ, ଆଉ ଏ ମୁସାଫିରଖାନାରେ ରାତିଟା ରହି ହବନି, ଏ କୁଷ୍ଠରୋଗୀଙ୍କ ଯୋଗୁଁ । ମୁଁ ତୁମମାନଙ୍କୁ କହୁଛି–ତୁମେମାନେ ଭାରିଯା, ପିଲ ନେଇ ଏଠୁଁ ଚାଲିଯାଅ, ଆମେମାନେ ମଧ୍ୟ ଏଠୁଁ ଚାଲିଯିବୁ । କୋଉ ଦୋକାନ ବାରନ୍ଦାରେ ଶୋଇ ରାତିଟା କଟେଇ ଦବୁ; କିନ୍ତୁ ଏ କୁଷ୍ଠରୋଗୀ ଗୁରାଙ୍କୁ ପଟାଏ ଆଚ୍ଛା କରି ଛେଚି ଦେଇ ଯିବୁ । କେଡ଼େ ମୁହଁ ଏମାନଙ୍କର । କେଡ଼େ ବଡ଼ ବଡ଼ କଥା ଏମାନେ କହୁଛନ୍ତି । ଶୁଣୁଛ ତ.....

 

ଏଇ ସମୟରେ ମୁସାଫିରଖାନାର ବିଜୁଳି ଅଲୁଅ ଲିଭିଗଲା । ଅନ୍ଧାର, ଘୋର ଅନ୍ଧାର-। କିଏ କୁଷ୍ଠରୋଗୀ, ଆଉ କିଏ ଭଲ ମଣିଷ କିଛି ବାରି ହେଲା ନାହିଁ । ଅନ୍ଧାର ସବୁ ମିଶେଇ ଦେଲା । ସୁସ୍ଥ ଆଉ ରୋଗୀ, ଧନୀ, ଗରିବ, ଛୋଟ, ବଡ଼ ସବୁ ଏକାକାର । ଆଲୁଅ ଯାହା ଚିହ୍ନେଇ ଦଉଥିଲା, ଅନ୍ଧାର ତାକୁ ଘୋଡ଼େଇ ପକେଇଲା । ଯେଉଁମାନେ ଆଲୁଅରେ ଆନନ୍ଦ ଅନୁଭବ କରୁଥିଲେ, ଅନ୍ଧାରରେ ବିଷାଦ ଅନୁଭବ କଲେ । ସୁସ୍ଥଲୋକେ କୁଷ୍ଠରୋଗୀଙ୍କୁ ଯେଉଁ ଘୃଣା କରୁଥିଲେ, ଅନ୍ଧାରରେ ସୁସ୍ଥଲୋକେ ଆଉ କୁଷ୍ଠରୋଗୀଙ୍କୁ ଚିହ୍ନି ପାରିଲେ ନାହିଁ । ଧନୀଲୋକେ ଗରିବକୁ ଦେଖି ଯେଉଁ ଆତ୍ମବଡ଼ିମା ମନେ ମନେ ଅନୁଭବ କରୁଥିଲେ, ଅନ୍ଧାରରେ ଧନୀ ଗରିବକୁ ଦେଖି ପାରିଲେ ନାହିଁ । ବଡ଼ ଛୋଟକୁ ଦେଖି ମନେ ମନେ ଯେଉଁ ଅହମିକା ଅନୁଭବ କରୁଥିଲେ, ଅନ୍ଧାରରେ ବଡ଼ ଛୋଟକୁ ଆଉ ଦେଖି ପାରିଲେ ନାହିଁ; କିନ୍ତୁ ଆଲୁଅରେ ଯେଉଁ ମରଦ, ମାଇପିମାନେ ସରମରେ ଲଗାଲଗି ହେଇ ପାଖକୁ ପାଖ ଯୋଡ଼ି ହେଇ ବସି ପାରୁ ନ ଥିଲେ, ସେମାନେ ଅନ୍ଧାରରେ ପରସ୍ପରକୁ ଅଣ୍ତାଳି ଅଣ୍ତାଳି ଯୋଡ଼ି ହୋଇଗଲେ । ଏ ଶ୍ରେଣୀର ଲୋକମାନେ ଭାବିଲେ–ଆଉ ଆଲୁଅ ନ ଜଳୁ, ଏମିତି ଅନ୍ଧାର ବିରାଜୁ ଥାଉ । ଯେଉଁମାନେ ଧନୀ କୃପଣ ପ୍ରକୃତିର ଲୋକ, ସେମାନେ ନିଜ ନିଜର ସାଙ୍ଗରେ ଥିବା କେତେକ ମୂଲ୍ୟବାନ ଜିନିଷପତ୍ର ସବୁକୁ ଚୋରଙ୍କ ଦାଉରୁ ରକ୍ଷା କରିବା ପାଇଁ ମୁସାଫିରଖାନାରେ ଶୀଘ୍ର ଆଲୁଅ ଦବା ନିମିତ୍ତ ଚିତ୍‌କାର କଲେ । ଏଇ ଅନ୍ଧାରରେ ପକେଟ୍‌ମାର ଚୋରମାନେ ନିଶାଚର ଜନ୍ତୁ ଭଳି ମାତି ଉଠିଲେ, ଭାବିଲେ–ଚମତ୍‌କାର ବେଳ । ଏତିକି ବେଳେ ଭଲ ମଉକା ମିଳିଛି । ହାତ ବୁଲେଇ ଉଣ୍ତିଲେ, କିମିତି କିଛି ଝାମ୍ପ ମାରିବେ.....

 

ଏଇ ଅନ୍ଧାରରେ ବାନା ପରିଡ଼ା, ନଖୀ ପରସ୍ପରକୁ ଉଣ୍ତାଳି ଲଗାଲଗି ହେଇ ଏକା ଶେଯରେ ଶୋଇ ଭାବିଲେ–ଇମିତି ଅନ୍ଧାର ଥିଲେ ଭଲ । କାହିଁକି ଏ ଲୋକଗୁରା ଆଲୁଅ ଆଲୁଅ ପାଟି କରୁଛନ୍ତି ? ଅନ୍ଧାରରେ କଣ ଅସୁବିଧା ହଉଛି ୟାଙ୍କର ? ଆଲୁଅରେ ତ ଦିନ ସାରା କଟିଲା । ରାତିରେ ପୁଣି ଆଲୁଅ କଣ ?

 

ବାନା ପରିଡ଼ା, ନଖୀ ପରି ଆଉ କେତେକ ଏଇ ଅନ୍ଧକାର ମଧ୍ୟରେ ଭାବିଲେ–ରାତି ସବୁବେଳେ ଥା’ନ୍ତା କି । ପକେଟ୍‌ମାର, ଚୋର ମଧ୍ୟ ସେଇଆ ଭାବିଲେ । ଆଉ କେତେକ ଆଲୁଅ ଅଭାବରେ ବ୍ୟତିବ୍ୟସ୍ତ ହୋଇ ଆଲୁଅ ଲାଗି ଚିତ୍କାର କଲେ ।

 

ସେହି ଅନ୍ଧାର ଭିତରେ କେତେଜଣ ଯାତ୍ରୀଙ୍କର ଆଲୋଚନା ପଡ଼ିଗଲା–ବିଜୁଳି ଆଲୁଅ, ଆଉ କିରାସିନି ଆଲୁଅ ବିଷୟରେ । କିଏ ଭଲ, କିଏ ମନ୍ଦ ! ସୁବିଧା, ଅସୁବିଧା । ସହଜ, କଷ୍ଟ.....

 

ପୁଣି ମନ୍ତବ୍ୟ ହେଲା–ଯଉଥିରେ ଯେତିକି ସୁଖ, ବେଳକେ ସେଥିରେ ସେତିକ ଦୁଃଖ, ପୁଣି ବେଳକେ ସେତିକି ସୁଖ.......

 

ବାନା ପରିଡ଼ା ନଖୀକୁ ପଚାରିଲା–ନଖୀ, ବାକ୍‌ସ ଅଛିଟି ?

 

ନଖୀ କହିଲା–ବାକ୍‌ସ କୁଆଡ଼େ ଯିବ ? ମୁଁ ଥାଉ ଥାଉ...

 

ବାନା ପରିଡ଼ା କହିଲା–ତୁ ଟିକିଏ ମୋ ପାଖକୁ ଘୁଞ୍ଚି ଆସିବୁଟି........

 

ନଖୀ ବାନା ପରିଡ଼ା ପାଖକୁ ଆଉ ଟିକିଏ ଘୁଞ୍ଚି ଯିବାକୁ ଚେଷ୍ଟା କରୁଛି, ଏଇ ସମୟରେ ଆଲୁଅ ଜଳି ଉଠିଲା । ଅନ୍ଧାର ଯେଉଁମାନଙ୍କୁ ଭଲ ଲାଗୁଥିଲା, ସେମାନେ ଆଲୁଅ ଆସିବାର ଦେଖି ବିରକ୍ତ ହୋଇ ଅଲଗା ଅଲଗା ହେଇଗଲେ । ଅନ୍ଧାର ଯେଉଁମାନଙ୍କୁ ଭଲ ଲାଗୁ ନ ଥିଲା, ସେମାନେ ଆଲୁଅ ଆସିବାରେ ଆଗେ ଦେଖିଲେ–ତାଙ୍କର ଜିନିଷପତ୍ର ସବୁ ଠିକ୍‌ ଅଛି କି ନା ? କେତେଜଣ ଯାତ୍ରୀ ଦେଖିଲେ— ତାଙ୍କର କେତେକ ଜିନିଷ ଚୋରି ହୋଇ ଯାଇଛି । ଆଉ ସେ ଯେଉଁ ଗୁଣ୍ତାଳିଆ ଲୋକ କେଇଟା କୁଷ୍ଠରୋଗୀଙ୍କୁ ବାଡ଼େଇବା ପାଇଁ ଉଦ୍ୟମ କରୁଥିଲେ, ସେମାନେ ଆଉ ମୁସାଫିରଖାନାରେ ନାହାନ୍ତି ।

 

କୁଆଡ଼େ ଗଲେ ସେମାନେ ? କଉଦିନ ବାଦାମ ବଗିଚାରୁ କୁଷ୍ଠରୋଗୀମାନେ ଏତେ ନିଶବ୍ଦ ରାତିରେ ତ କୁଆଡ଼େ ଯାନ୍ତି ନାହିଁ । ବାନା ପରିଡ଼ା ତ କେତେଦିନ ଆଗରୁ କୁଆଡ଼େ ଯାଇଛି ଯେ ତାର ପତ୍ତା ନାହିଁ । ପୁଣି ଏ କୁଷ୍ଠରୋଗୀ ଗୁରା ଏତେ ରାତିରେ କୁଆଡ଼େ ଗଲେ ? ବୀରର ହଠାତ୍‌ ନିଦ ଭାଙ୍ଗିଗଲା ।

 

ବୀର ଦେଖିଲା–ସମସ୍ତଙ୍କର ଜିନିଷ ପତ୍ର ସବୁ ଯେ ଯେଉଁଠି ପଡ଼ିଛି, ଲୋକ ଗୁରା କୁଆଡ଼େ ଗଲେ ? ବୀର ପାରକୁ ଡାକିଲା । ପାରର ନିଦ ଭାଙ୍ଗିଗଲା ।

 

ବୀର ପାରକୁ ଆଶ୍ଚର୍ଯ୍ୟ ହେଇ ପଚାରିଲା–ପାର, ଏ ଲୋକ ଗୁରା କୁଆଡ଼େ ଗଲେ ? ଏ ବାଦାମ ବଗିଚାରେ ତ କେହି ନାହାନ୍ତି.......

 

ପାର ପଦାକୁ ଆସି ଚାରିଆଡ଼କୁ ଅନେଇଲା, କେହି ନାହାନ୍ତି । ପାର ଭୟରେ ବୀରକୁ ପଚାରିଲା–ଏ କଣ ? କେଭେତ ଇମିତି ହେଇ ନାହିଁ !! କଣ କଥା ଏ !! ତୁମକୁ ଏମାନେ କିଛି ଦିନବେଳେ କହି ନ ଥିଲେ ?

 

ବୀର କହିଲା–ନାହିଁ ତ, ମୋତେ କହିଥିଲେ । ମୁଁ କାହିଁକି ତାଙ୍କୁ ଏତେ ରାତିରେ ଉଠି ଖୋଜନ୍ତି ? ରାତି ଆଉ ବେଶି ନାହିଁ.......

 

ସମୁଦ୍ର ଗର୍ଜୁଛି । ଚାରିଆଡ଼ ନିଶ୍ଚଳ, ନିସ୍ତବ୍‌ଧ । କେବଳ ରାସ୍ତାରେ ଦୂରରେ କେତେଟା ବୁଲା କୁକୁର ମଝିରେ ମଝିରେ ଭୁକୁଛନ୍ତି ।

 

ବୀର ଆଉ ପାର ବାଦାମ ବଗିଚାରେ ଏକା । ଲଣ୍ଠନଟା ଗଛରେ ଝୁଲଛି, ଏଇ ସମୟରେ ଗୋଟାଏ ପେଚା ଆସି ନିକଟରେ ଗୋଟାଏ ବାଦାମ ଗଛରେ ବସି ରାବିଲା ।

 

ପାର ପେଚା ରାବିବା ଶୁଣି ଭୟରେ ବୀରପାଖକୁ ଘୁଞ୍ଚି ଯାଇ କହିଲା–ଏ ଭାରି ଅମଙ୍ଗଳ କଥା ! କେଭେତ ଏ ବାଦାମ ବଗିଚାରେ ପେଚା ରାବିନାହିଁ । ଏଇ ସମୟରେ ବାଦାମ ବଗିଚାର ଯେଉଁ ପାଖରେ ଦଳୁଆ ପଚା ପୋଖରୀ, ସେଇ ପୋଖରୀ ତୁଠରେ ଗୋଟାଏ ଭେରେଁଡ଼ା ବୋବେଇଲା ।

 

ପାର ଭୟରେ ବୀର ଦେହରେ ଲାଗି ଯାଇ କହିଲା–ଏ ନିଶ୍ଚେ ଗୋଟାଏ ଭାରି କଣ ଅମଙ୍ଗଳ ଘଟଣା ଘଟିଛି । ଏମାନେ କଣ ସବୁ ସମୁଦ୍ରରେ ଯାଇ ବୁଡ଼ିମଲେ କି ? ପ୍ରାଣ ହରେଇ ଦେଲେ କି ?

 

ଭେରେଁଡ଼ା ପୁଣି ବୋବେଇଲା । ପେଚା ପୁଣି ରାବିଲା ।

 

ବୀର ଏଥର ନିଜେ ଭୟ କଲା । ତାକୁ କିମିତି ମାଡ଼ି ମାଡ଼ି ପଡ଼ିଲା । ବାଦାମ ବଗିଚା ତାକୁ ଗୋଟାଏ ମଶାଣି ଭୂଇଁ ପରି ଜଣାଗଲା । ବୀର ଭୟରେ ପାରକୁ କହିଲା–ଚାଲ ଘର ଭିତରକୁ ଯିବା, ସକାଳ ହଉ, ତା’ ପରେ ବୁଝାଯିବ । ଆଉ ପଦାରେ ଠିଆ ହବା ନାହିଁ, ବଡ଼ ଭୟ ଲାଗୁଛି.....

 

ବୀର ଆଉ ପାର କୁଡ଼ିଆ ଭିତରକୁ ଯାଇ କବାଟ କିଳି ଦେଲେ । ବୀର ମନେ ମନେ ତାର କୁଡ଼ିଆ ଭିତରର ଠାକୁରଙ୍କୁ ନମସ୍ଥାର କରି ପ୍ରାର୍ଥନା କଲା–ଠାକୁରେ ରକ୍ଷାକର । ଏକି ବିପଦ-! ଭଲରେ କିମିତି ରାତିଟା ପାହୁ.....

 

ରାତି ପାହିଲା, ଦୂରର ସିଗିନାଲ୍‌ର ନେଲି ଲାଲି ଆଲୁଅ ନିଷ୍ପ୍ରଭ ହୋଇ ଆସିଲା । ବିଜୁଳିବତୀ ସବୁ ଯେ ଯେଉଁଠି ଲିଭିଗଲା । ଏଠି ପ୍ରଭାତର ସୂର୍ଯ୍ୟୋଦୟର ଶୋଭାକୁ ଲୁଚେଇ ରଖିବା ପାଇଁ ବଡ଼ ବଡ଼ କୋଠାଘର ସବୁ କାନ୍ଧକୁ କାନ୍ଧ ମିଳେଇ ଧାଡ଼ି ବାନ୍ଧି ଠିଆ ହେଇଛନ୍ତି । ଏ ସହର ଜାଗା, ଯୁଆଡ଼େ ଚାହଁ–କୋଠା, କୋଠା, ଖାଲି କୋଠା । ଏଠି ଧାନ କ୍ଷେତ, ପାହାଡ଼, ସମୁଦ୍ର କୂଳ କିଛି ନାହିଁ । ଏଠି ଧାନ କ୍ଷେତ, ପାହାଡ଼, ସମୁଦ୍ର କୂଳ କିଛି ନାହିଁ । ଏଠି ସୂର୍ଯ୍ୟ କେଉଁଠି ଉଠୁଛନ୍ତି କାହାର ନଜର ନାହିଁ । ସୂର୍ଯ୍ୟ ଉଠୁଛି, ଉଠିବ, ସେତ ଅତି ପୁରୁଣା କଥା । ତାର ଶୋଭା ଦେଖୁଛି କିଏ ? ଏଠି କେତେ ପ୍ରକାରର କୋଠାର ଡିଜାଇନ୍‌ ଦେଖ, ସାଇନ୍‌ବୋର୍ଡ଼ ଦେଖ, ବିଭିନ୍ନ ପ୍ରକାରର କାର୍‌ ଦେଖ, ବସ୍‌ ଦେଖ, ବଡ଼ ବଡ଼ ଦୋକାନର ସାଜସଜ୍ଜା ଦେଖ, ପାର୍କ ଦେଖ, ଚିମନିରୁ ଧୂଆଁ କିମିତି ବାହାରୁଛି ଦେଖ, ସୂର୍ଯ୍ୟୋଦୟର ଶୋଭା ଦେଖି ସମୟ ନଷ୍ଟ କରିବାର ଏଠି କାହାର ସମୟ ଅଛି ? ଦେଖିଲେ, ସେ କବି ପ୍ରକୃତିର ଲୋକଙ୍କୁ ପୋଷାଏ, ଭଲ ଲାଗେ । ସେମାନେ ଅଳସୁଆ । କର୍ମ କୋଢ଼ିଅ ଗୁରାକ । ଯା ଦେଖିବେ, ତାର ଚାରିଗୁଣ ବଢ଼େଇ ଲେଖିବେ-। ମିଛୁଆ ଆଉ ମୂର୍ଖ ବୋଲି ସରିଛନ୍ତି । ଧାନ ଗଛରେ ପବନ ବାଜି, ଧାନଗଛଗୁରା ଦୋହଲିଲେ ଲେଖିବେ–ଧାନ କ୍ଷେତରେ ଢେଉ ଖେଳୁଛି ! ପାହାଡ଼ ଉପରେ ଜଙ୍ଗଲ ମଝିରେ ଗୋଟାଏ ନାଲି ରଙ୍ଗର ରାସ୍ତା ଦେଖିଲେ, ଲେଖିବେ–ବନଦେବୀଙ୍କର ମଥାରେ ସିନ୍ଦୁର ଗାର ! ଗୋଟାଏ ବଡ଼ ହ୍ରଦ କୂଳରେ ହଂସ ଗୁରାଏ ଏକଯୁଟ ହେଲେ, ଉଡ଼ି ବୁଲିଲେ, ପାଣିରେ ପହଁରିଲେ, ଲେଖିବେ–ମରାଳମାଳିନୀ......

 

ଏ ସହର ଜାଗା । ରାତିରେ ଏଠି ଚନ୍ଦ୍ର ଆଉ ତାରାର କି କାମ ଅଛି ? ବିଜୁଳି ଆଲୁଅର ଶୋଭା ଦେଖିବ, ନା ଚନ୍ଦ୍ର ତାରା ଦେଖିବ ? ସବୁଦିନ ଏଠି ଜହ୍ନ ରାତି । ସବୁଦିନ ଆଲୁଅ ପକ୍ଷ । ଅନ୍ଧାର ପକ୍ଷ କିମିତି ? ଏଠି ଲାଉଡ଼୍‌ସ୍ପିକର୍‌ ଜରିଆରେ ବଛା ବଛା ଫିଲ୍‌ମ ସଙ୍ଗୀତ, ବିଭିନ୍ନ ପ୍ରକାରର ପଣ୍ୟ ଦ୍ରବ୍ୟର ବିଜ୍ଞାପନର ପ୍ରଚାର, ନ ଶୁଣି ପଲ୍ଲୀର ଅନ୍ଧାର ରାତିରେ ବିଲୁଆ, କୁକୁରଙ୍କ ଡାକ କିଏ ଶୁଣୁଛି ? ନିଃଶବ୍ଦ ରାତିର ଶୋଭା କିଏ ଦେଖୁଛି ?

 

କେବଳ ସୁସ୍ଥ, ଅଳସୁଆ ଲୋକେ ସେ ସବୁକୁ ଦେଖି ସମୟ ନଷ୍ଟ କରନ୍ତି । ଏଠି କାହାକୁ ତର ନାହିଁ, ସମସ୍ତେ କାର୍ଯ୍ୟବ୍ୟସ୍ତ । କେବଳ ରାତି କେଇ ଘଣ୍ଟା ଶୋଇବା କଥା, ବିଶ୍ରାମ ନବା କଥା, ସେତକ ବି ବେଳେ ବେଳେ ଯୁଟେନା । ସକାଳ ହେଲା ମାତ୍ରେ ଶେଯ ଛାଡ଼ି ଚାଲିଲେ । ପୁଣି ନେଉଟ ଶେଯକୁ ଫେରିବା ଯାଏ, ତର ନାହିଁ, ବିଶ୍ରାମ ନାହିଁ । ଯେଉଁ ପେଟ ପୋଷିବା ପାଇଁ ଏତେ ଖଟଣି, ଏତେ ହାଡ଼ଭଙ୍ଗା ପରିଶ୍ରମ, ସେ ଖାଦ୍ୟ ଗଣ୍ତାକ ଟିକିଏ ସୁସ୍ଥ ହେଇ ବସି ଆରାମରେ ଖାଇବାକୁ ତର ନାହିଁ । ଏଠି ସୂର୍ଯ୍ୟୋଦୟ ଦେଖିବାକୁ ହେଲେ ଯା’ର ବଡ଼ ଉଚ୍ଚା କୋଠା ଅଛି, ସେ ଛାତ ଉପରୁ ଦେଖେ । ତାର ମଧ୍ୟ ବେଳ ନାହିଁ......

 

ବଡ଼ିସକାଳୁ ତୃତୀୟ ଶ୍ରେଣୀ ମୁସାଫିରଖାନା କ୍ରମଶଃ ଖାଲି ହବାକୁ ଲାଗିଲା । ଭୋର ଗାଡ଼ିରେ କେତେକ ଯାତ୍ରୀ କୁଆଡ଼େ ଗଲେ, କେତେକ ଚାଲି ଚାଲି କୁଆଡ଼େ ପଳେଇଲେ, କେତେକ ନିକଟବର୍ତ୍ତୀ ବସ୍‌ ଷ୍ଟାଣ୍ତରୁ ବସ୍‌ରେ ବସି କୁଆଡ଼େ ଗଲେ । କୁଷ୍ଠରୋଗୀମାନେ ରାସ୍ତା କଡ଼ର ଆମ୍ୱ ତୋଟା ତଳକୁ ଫେରିଲେ ।

 

ବେଳ ବଢ଼ିଲା । ସହର ବଜାର ସରଗରମ ହେଇ ଉଠିଲା । ସ୍କୁଲ କଲେଜ ପିଲାଏ ସ୍କୁଲ କଲେଜକୁ ଚାଲିଲେ । ହାକିମ, କିରାଣୀ, ଚପରାସୀ, ଡାକ୍ତର, ଇଂଜିନିୟର ଯେ ଯା’ର କାମକୁ ଚାଲିଲେ । ବେପାରୀ ଚାଲିଲେ ବେପାରର ପେଣ୍ଠ ଜାଗାକୁ, ଶ୍ରମିକ, ମୂଲିଆ ଚାଲିଲେ କାରଖାନା, ଫ୍ୟାକ୍‌ଟରୀକୁ, ଭିକାରୀ ଚାଲିଲେ ଭିକ୍ଷା ଉଦ୍ଦେଶ୍ୟରେ । କୁଷ୍ଠରୋଗୀମାନେ ମସୁଦା କରି ଚାଲିଲେ ଦଳ ବାନ୍ଧି ଜଣେ ମନ୍ତ୍ରୀଙ୍କ ବାସଭବନକୁ ବେଶି ପାଇବାର ଆଶାରେ । ଦେଖିଲେ–ବିରାଟ ଫାଟକ, ଖୋଲା ରହିଛି । ପଶିଲେ ଦଳ ଦଳ ହେଇ, ବସିଗଲେ ଧାଡ଼ି ବାନ୍ଧି, ହତା ପାଚେରୀର ତଳେ, ଛାଇ ଜାଗା ଦେଖି । କରୁଣ ସ୍ୱରରେ ଡାକ ଛାଡ଼ିଲେ–ହଜୁର, ଆଜି କିଛି ମିଳିଯାଉ । ହଜୁରଙ୍କର ଜୟ ହେଉ । ହଜୁରଙ୍କର କଲମ ଇମିତି ଜଳୁଥାଉ.....

 

ମନ୍ତ୍ରୀଙ୍କର କୋଠିର କର୍ମଚାରୀ, ଚାକର ବାକର କୁଷ୍ଠ ରୋଗୀଙ୍କୁ ଦେଖି ଘୃଣାରେ କୁହାକୁହି ହେଲେ–ଏ କୁଷ୍ଠରୋଗୀଗୁରାକ କୁଆଡ଼ୁ ଏତେ ପଶି ଆସିଲେଣି ! ୟାଙ୍କୁ ଶୀଘ୍ର କଣ ଦବାର ଦେଇ ବିଦାୟ କଲେ ହବ.....

 

ଅନ୍ଦର ମହଲରୁ ହୁକୁମ ଆସିଲା–ଜଣକୁ ଚାରିଅଣା କରି ଦେଇ ବିଦାୟ କରିଦିଅ......

 

କୁଷ୍ଠରୋଗୀ ପ୍ରତ୍ୟେକଙ୍କୁ ଚାରିଅଣା ଦବାକୁ ଗଲାବେଳେ, କୁଷ୍ଠରୋଗୀମାନେ ପଚାରିଲେ–କଣ ଦଉଛ ?

 

–ପ୍ରତ୍ୟେକଙ୍କୁ ଚାରିଅଣା କରି ଦବାପାଇଁ ହୁକୁମ କଲେ.....

 

କୁଷ୍ଠରୋଗୀମାନେ ସମସ୍ତେ ଆପତ୍ତି କଲେ–ଆମେ କଣ ଯେମିତି ସେମିତି ସାଧାରଣ ଲୋକଙ୍କୁ ଭିକ ମାଗିବାକୁ ଆସିଛୁ ? ଆମେ ଚାରିଅଣା ପଇସା ନବୁ ନାହିଁ......

 

କୁଷ୍ଠରୋଗୀ ସମସ୍ତେ ପୁଣି ପାଟିକଲେ–ହଜୁର, ଏଇୟା ହୁକୁମ ହେଲା ? ହଜୁରଙ୍କ ହାତରୁ ଆମେ ଏଇଆ ନବୁ ? ଆମେ ନବୁ ନାହିଁ....

 

ପୁଣି ହୁକୁମ ହେଲା–ପ୍ରତ୍ୟେକଙ୍କୁ ଖଣ୍ତେ ଖଣ୍ତେ ଲୁଗା, ଆଉ ଗୋଟାଏ ଗୋଟାଏ ଟଙ୍କା ଦେଇ ଶୀଘ୍ର ବିଦାୟ କରିଦିଅ.....

 

ପ୍ରତ୍ୟେକେ ଖଣ୍ତେ ଲୁଗା ଆଉ ଟଙ୍କାଏ ଟଙ୍କାଏ ଧରି କୁଷ୍ଠରୋଗୀମାନେ ମନ୍ତ୍ରୀଙ୍କର ଜୟଗାନ କରି ବିଦାୟ ନେଲେ, ଚାଲିଲେ ବାଟେ ବାଟେ ।

 

ବାନା ପରିଡ଼ା, ନଖୀ କୁହାକୁହି ହେଲେ–ଏତ ଭାରି ଭଲ ଜାଗା । କାଲି ଆମେ ଆସିଲୁ, ଆଜି ଲୁଗା, ଟଙ୍କା ପାଇଲୁ ! ଏଠି ଆହୁରି କେତେ ଦିନ ରହିବା । ତା’ପରେ ଯୁଆଡ଼େ ଯିବା.......

 

କୁଷ୍ଠରୋଗୀ ଚାଲିଛନ୍ତି ରାସ୍ତାରେ । ଅନ୍ୟାନ୍ୟ ଲୋକମାନେ ଚାଲିଛନ୍ତି । ବସ୍‌, କାର୍‌, ଜିପ୍‌, ଟ୍ରକ୍‌ ଟ୍ୟାକ୍‌ସି, ସାଇକେଲ୍‌, ସାଇକେଲ୍‌ ରିକ୍‌ସା, ଶଗଡ଼ ସବୁ ଚାଲିଛି । ମଣିଷ ଟିକିଏ ଟିକିଏରେ ରକ୍ଷା ପାଇଯାଉଛନ୍ତି । ଯାନ ବାହନ ଯୋଗୁଁ ମଣିଷର ଜୀବନ ସବୁବେଳେ ବିପନ୍ନ । ଏଇ ଗଲା, ମରିଗଲା, ନାହିଁ ରକ୍ଷା ପାଇଗଲା । ଆଖି ବୁଜିହେଇଯାଉଛି, କେଡ଼େ ଜୋରରେ ଗାଡ଼ି ଛାଡ଼ିଛନ୍ତି । କା ସାଙ୍ଗରେ ଧକ୍‌କା ବାଜିଲେ, କେତେଖଣ୍ତ ହେଇ ମରିବେ ଠିକଣା ନାହିଁ । ଲୋକଗୁରା ରାସ୍ତାର ଯଉଁ ଏପଟ ସେପଟ ହଉଛନ୍ତି ମରିବେ ନାହିଁତ ଆଉ ମରିବ କିଏ ? ଧକ୍‌କା ବାଜିଲେ ଆଉ ରକ୍ଷା ନାହିଁ । ବାଜିଲା ଧକ୍‌କା–ଗୋଟାଏ ଅଳ୍ପ ବୟସର ପିଲା ରାସ୍ତାର ଏପାଖରୁ ସେପାଖକୁ ଯାଉ ଯାଉ ଗୋଟାଏ କାର୍‌ ହାବୁଡ଼େ ପଡ଼ିଗଲା । ପିଲା ରାସ୍ତାଉପରେ ଗଡ଼ିଗଲା । କାର୍‌ ଖୁବ୍‌ ସମାଳି ନେଲା । ନୁହେଁତ ପିଲା ଉପରେ କାର୍‌ ପୂରାପୂରି ଚଢ଼ି ଯାଇଥାନ୍ତା । ପିଲାର ମୁଣ୍ତ ଆଉ ଡାଆଁଣ ଗୋଡ଼ରେ ଆଘାତ ଲାଗିଛି । ରକ୍ତ ବୋହିଯାଉଛି । କାର୍‌ରେ ବସିଥିଲେ ଜଣେ ଭଦ୍ରଲୋକ । ଆଉ ଜଣେ ଭଦ୍ରମହିଳା । ସେମାନେ ଆତଙ୍କିତ ହୋଇ କାର୍‌ରୁ ଓହ୍ଲେଇପଡ଼ି ପିଲାର ଅବସ୍ଥା ଦେଖି ଛାନିଆ ହେଇଗଲେ । କଣ ହେଲା ! କଣ କରିବେ ?

 

ଲୋକ ଜମିଗଲେ । କୁଷ୍ଠରୋଗୀମାନେ ମଧ୍ୟ ବାଟରେ ଯାଉ ଯାଉ ଏ ଦୁର୍ଘଟଣାରେ କଣ ହେଲା, ଦେଖିବା ପାଇଁ ଠିଆ ହେଇଗଲେ । ବାନା ପରିଡ଼ା ଚିହ୍ନିଲା–ଏତ ସେଇ ବିନୟ ବାବୁ ଆଉ ତାଙ୍କ ସ୍ତ୍ରୀ ରେବା ।

 

ବିନୟ ବାବୁ ଆଉ ରେବା ଦେଖିଲେ–ପିଲାଟିର ମୁଣ୍ତରେ ଆଘାତ ହବାଦ୍ୱାରା ପିଲାଟି ବେହୋସ ହୋଇ ଯାଇଛି । ରକ୍ତ ବହୁଛି । ଆଉ କାଳ ବିଳମ୍ୱ ନ କରି ବିନୟ ବାବୁ ପିଲାଟିକୁ କାର୍‌ରେ ଶୁଆଇଦେଇ ସହରର ବଡ଼ ଡାକ୍ତରଖାନାକୁ ନେଇଗଲେ ।

 

–ନେଇଗଲେ ?

 

–କୁଆଡ଼େ ନେଇଗଲେ ? କିଏ ନେଇଗଲା ?

 

–ଏତେ ନିଃଶବ୍ଦ ରାତିରେ ସବୁ କୁଆଡ଼େ ଯାଇଥିଲ ? ମୁଁ ଆଉ ପାର, ଆଉ କେହି ନାହିଁ । ସେଥିରେ ପେଚାଟାଏ ରାବୁଛି । ଭେରେଣ୍ତାଟା ବୋବଉଛି । କାଲି ରାତି ଶେଷ ଆଡ଼ଟା କି ଭୟ ଭୟରେ କଟିଛି !!

 

ରାତି ଯେତେବେଳେ ପାହିଆସୁଛି, କୁଷ୍ଠରୋଗୀମାନେ ବାଦାମ ବଗିଚାକୁ ଗୋଟି ଗୋଟି ହେଇ ଫେରିବାର ଦେଖି, ବୀର ସମସ୍ତଙ୍କ ଉପରେ ବିରକ୍ତ ହେଇ ପଚାରିଲା, କାରଣ ବୁଝିବା ପାଇଁ । କାହିଁକି ସେମାନେ ସମସ୍ତେ କୁଆଡ଼େ ଯାଇଥିଲେ ରାତିଟାରେ । ଯଦି ଗଲେ, ତାକୁ କାହିଁକି ଜଣେଇଲେ ନାହିଁ କି ଡାକିଲେ ନାହିଁ ।

 

ଏହାର ଉତ୍ତରରେ କୁଷ୍ଠରୋଗୀମାନେ କହିଲେ–ଭାଇ, ଦି’ଟା ଲୋକ ଗୋଟାଏ ଜିପ୍‌ରେ ଆସି ପହଞ୍ଚି, ଜିପ୍‌ଟାକୁ ଅଳ୍ପ ଦୂରରେ ଥୋଇ ଆମକୁ ଡାକିଲେ, ଆମେ ସମସ୍ତେ ଉଠିଲୁ । ଭାବିଲୁ–ତୋତେ ଡାକିବୁ । ପୁଣି ଭାବିଲୁ–ତୁତ ଶୋଇଛୁ । ଆଗେ ଆମେ ବୁଝୁ, ତା’ପରେ ଦରକାର ହେଲେ, ତୋତେ ଡାକିବୁ । ସେ ଦି’ଜଣ ଆମକୁ ଡାକିନେଇଗଲେ, ସମୁଦ୍ର କୂଳର ଗୋଟାଏ ବାଲିକୁଦ ଆଡ଼କୁ । ସେଇ କୁଦ ତଳେ, ଉଢ଼ାଳରେ ଆମେ ସବୁ ବସିଲୁ । ସେ ଦି’ଜଣ ଆମକୁ ବୁଝେଇଲେ–ତାଙ୍କ ଦଳକୁ ଭୋଟ ଦେବାପାଇଁ । ତାଙ୍କ ଦଳ ନାଁ କହିଲେ, କିନ୍ତୁ ମନାକଲେ ଅଭିକା କାହାରି ଆଗରେ ତାଙ୍କ ଦଳ ନାଁ କହିବା ପାଇଁ । ତାଙ୍କ ଦଳ ନାଁ ହେଲା–

 

ଏତିକିବେଳେ କୁଷ୍ଠରୋଗୀମାନେ ଚାରିଆଡ଼କୁ ସତର୍କତାର ସହିତ ଅନେଇ ତୁନି ତୁନି କରି ବୀର କାନରେ ଦଳର ନାଁ କହିଲେ ।

 

ବୀର ନାଁ ଶୁଣି ଅଳ୍ପ ହସି କହିଲା–ହଁ, ବୁଝିଲି । କାହାରି ଆଗରେ ତାଙ୍କ ନାଁ ନ କହିଲେ ଗଲା.....

 

କୁଷ୍ଠରୋଗୀମାନେ ପୁଣି ଆରମ୍ଭ କଲେ–ଆମକୁ ଅନେକ କଥା ବୁଝେଇଲେ । ଆମେ କହିଲୁ–ବାବୁ, ଆମେମାନେତ କୁଷ୍ଠରୋଗୀ, ଆମେ ମଣିଷ ହେଲେବି ଆମକୁ ତ ମଣିଷ ବୋଲି କେହି ଭାବୁନାହାନ୍ତି । ଆମର ମଙ୍ଗଳ ଲାଗି କେହି ଚିନ୍ତା କରୁନାହାନ୍ତି । ଆମକୁ ଦେଖିଲେ ଘୃଣାରେ ନାକ ଟେକୁଛନ୍ତି । ଆମେ ଆମ ସୀମାରେ ଅଛୁଁ । ଆମେ ଖାଲି ବଞ୍ଚିଛୁ, ମରିବା ପାଇଁ । ଆମକୁ ତ ଲୋକେ ଅନ୍ୟ ଗୋଟାଏ କି ପ୍ରାଣୀ ବୋଲି ଭାବୁଛନ୍ତି । ଆମେ ରାସ୍ତା କଡ଼କୁ ଆଶ୍ରା କରି ପଡ଼ିଛୁ, ଆମେ ରାସ୍ତାକଡ଼ର ପ୍ରାଣୀ । ଆମେ ପୁଣି ଭୋଟ ଦବୁ ! ସେଥିରେ କି କାମ ହବ ?

 

ସେ ଦଳର ଲୋକେ ପୁଣି କହିଲେ–ଦେଖ, ତୁମେ ଆମକୁ ଭୋଟ ଦେଲେ, ଆମେ ତୁମର ଅନେକ ସୁବିଧା କରିଦବୁ । କଣ ତୁମମାନଙ୍କର ଦରକାର କୁହ....

 

ବୀର କୁଷ୍ଠରୋଗୀମାନଙ୍କର ସବୁ କଥା ଶୁଣି କହିଲା–ସବୁ କରିଦେବେ ! କେତେ ଭୋଟ ଲୀଳା ଗଲାଣି । କେଭେତ ଆମ ପାଖକୁ କେହି ଆସି ଭୋଟ ଦବାପାଇଁ କହି ନାହାନ୍ତି ? କେତେଜଣ କୁଷ୍ଠରୋଗୀ କହିଲେ–ସେଇଥିପାଇଁ କଣ ବୀର ଭାଇ, କେତେ ମାସ ତଳେ ଆମ ନାଁ ସବୁ ଟିପି ନେଇଥିଲେ କି ?

 

ବୀର କହିଲା ତୁମେମାନେ ଆଉ କଣ ସବୁ କହିଲ ?

 

–ଆମେ କହିଲୁ–ବାବୁ, ଆମେ କଉଠି କିମିତି ଭୋଟ ଦବୁ, ଜାଣୁନାହିଁ । ଆମ ହାତରୁ ଭୋଟ ନେବେଟି ? ଆମର ଛାଇ ପଇଲେ, ତାଙ୍କର ନାହି ଡେଉଁଛି । ଆମେ କିମିତି ଭୋଟ ଦବୁ, ପୁଣି ଆମ ଭିତରେ କେତେ ଜଣଙ୍କର ହାତ ନାହିଁ । କିମିତି କଣ ଭୋଟ ଦବୁ ? ଆମର ତ ରୂପ ଭେକ ଦେଖୁଛନ୍ତି......

 

ସେମାନେ କହିଲେ–ସେ ବିଷୟରେ ତୁମମାନଙ୍କର କିଛି ଭାବିବାର ନାହିଁ । ସେ ସବୁ ଆମେ ବୁଝିବୁ, ତୁମେ ଆମକୁ ଭୋଟ ଦେଲେ ହେଲା.......

 

ଆମେ ଆହୁରି ପଚାରିଲୁ–କାହାକୁ ବାବୁ ଭୋଟ ଦବୁ ? ଆପଣଙ୍କ ତରଫରୁ କିଏ ଠିଆ ହଉଛନ୍ତି ?

 

ସେମାନେ ପୁଣି କହିଲେ–ବିନୟ ବାବୁ ଓକିଲଙ୍କୁ । ତୁମେତ ତାଙ୍କୁ ଚିହ୍ନିଥିବ......

 

ଆମେ କହିଲୁ–ବାବୁ, ଆମେ ତାଙ୍କୁ ଭଲକରି ଜାଣୁ । ଭାରି ଭଲ ମଣିଷ ସେ । ସେ ଆଉ ତାଙ୍କ ସ୍ତ୍ରୀ ଆମକୁ ମଝିରେ ମଝିରେ ଆସି ଟଙ୍କା ଆଉ ଲୁଗା ଦେଇ ଯାଉଛନ୍ତି । ତାଙ୍କୁ ଆମେ ଭୋଟ ଦବୁ । ତେବେ ବାବୁ, ଗୋଟାଏ କଥା–ଆମ ଭିତରେ ଜଣେ ମୁରବୀ ଅଛି । ତାକୁ ଥରେ କହିବାକୁ ହବ, ସେ ରାଜି ହେଲେ, ହେଲା ।

 

ସେମାନେ ଆଜି ପୁଣି ଆସିଲେ, ତୋର ତାଙ୍କର କଥାବାର୍ତ୍ତା ହବ, ଆମେ ଚୁପଚାପ ବସିବା.......

 

ବୀର ଏ ସବୁ ଶୁଣି କହିଲା–ଆସନ୍ତୁ, ଆମର ଯେତେ ଯା ଅସୁବିଧା ଅଛି, ସବୁ ଯଦି ସୁବିଧା କରି ଦେବେ, ଆମେ ତାଙ୍କୁ ଭୋଟ ଦବୁ, କ୍ଷତି କଣ ? ବିନୟ ବାବୁତ ଭାରି ଭଲଲୋକ । ସେ ନିଶ୍ଚୟ ଆମର ସୁବିଧା କରି ଦେବେ । ଇମିତି ତ କେତେ ଜିନିଷ ଦେଇ ଯାଉଛନ୍ତି, ସେ ନିଶ୍ଚୟ ଆମର ସୁବିଧା କରି ଦେବେ.......

 

ଏତେବେଳେ ଜଣେ କହିଲା–ବୀରଭାଇ, ଆମକୁ ଖଣ୍ଡେ ଖଣ୍ଡେ ଘରକରି ଦେଲେ, ଆମେ ଭୋଟ ଦବୁ......

 

ଆଉ ଜଣେ କହିଲା–ବୀରଭାଇ, ତୁ ଦାବୀ କରିବୁ, ଆମେ ଏ ବାଦାମ ବଗିଚାରୁ ଉଠିବା ନାହିଁ, ସେ ଯାହାର ଜାଗା ହଉ.......

 

ଆଉ ଜଣେ କହିଲା–ଆମେ ଯେ ରାସ୍ତା କଡ଼ରେ ବସି ଖରାତରାରେ ଭିକ ମାଗୁଛୁ ଆମକୁ ସେଠି ରସ୍ତା ଦି’କଡ଼ରେ ଦି’ଟା ଲମ୍ୱା ପକ୍‌କା ଧାଉଡ଼ି ଘରକରି ଦିଅନ୍ତୁ, ତା’ ହେଲେ ଆମେ ତାଙ୍କୁ ଭୋଟ ଦବୁ । ଆଉ ଜଣେ କହିଲା–ଆମର ଚିକିତ୍ସାର ସୁବିଧା କରି ଦିଅନ୍ତୁ । ଔଷଧ ଯୋଗେଇ ଦିଅନ୍ତୁ.......

 

ଆଉ ଜଣେ କହିଲା–ବୀରଭାଇ, ଆମକୁ ପିଇବା ପାଇଁ ଆଉ ଗାଧୋଇବା ପାଇଁ ଭଲ ପାଣିର ସୁବିଧା କରି ଦିଅନ୍ତୁ; ତେବେ ଯାଇ ଆମଠୁଁ ଭୋଟ ପାଇବେ.....

 

ବୀର ଏ ସବୁ ରକମର ଦାବୀ କଥା ଶୁଣି ପରିହାସ କରି କହିଲା–କାହିଁକି କହୁନା–ଯଉମାନେ ଏକା ଚଳୁଛ, ସେମାନଙ୍କୁ ଗୋଟାଏ ଗୋଟାଏ ବିଭା କରେଇ ଦେବେ । ଏକା ଚଳିବାକୁ ଅସୁବିଧା ହଉଛି.....

 

ବୀର ପୁଣି କହିଲା–ବୁଝିଲ, ଯଉ ଦଳ ନାଁ କହିଲ, ସେ ଦଳଲୋକେ ଯେ ଆମପରି ରାସ୍ତା କଡ଼ର ପ୍ରାଣୀଙ୍କୁ ଦିନେ ଆସି ଭୋଟପାଇଁ ଆମ ପାଖରେ ନିଶବଦ ରାତିରେ ପହଞ୍ଚିବେ, ଏ କଥା ମୁଁ କେଭେ ହେଲେ ଭାବି ନ ଥିଲି । କେତେ ଭୋଟ–ଲୀଳା ଗଲାଣି । ଆସନ୍ତୁ ସେମାନେ ମୋ ପାଖକୁ, ସବୁକଥା ପଡ଼ୁ.....

 

ଏତିକିବେଳେ କେତେଜଣ କୁଷ୍ଠରୋଗୀ କହିଲେ–ବୀରଭାଇ, ଆଜି ସେମାନେ ନିଶ୍ଚୟ ଆସିବେ । ତାଙ୍କୁ କହିବୁ–ଆମକୁ କେତେଗୁଡ଼ା ଗାଉଣା ବାଜଣାର ଜିନିଷ କିଛି ଯୋଗେଇ ଦେବେ-। ଆମେ ଯେ ଏ ସଞ୍ଜପରେ ନିଶ୍ଚଳ ହେଇ ବସୁଛୁ, ହେଲେ ଗାନା ବାଜଣା କରି କିଛି ସମୟ କଟିଯିବ.......

 

ବୀର ଏ କଥା ଶୁଣି କହିଲା–ଏତେ କଷ୍ଟକରି ଗାନା ବାଜଣା କରିବ କାହିଁକି ? ଗୋଟାଏ ରେଡିଓ ଦେଲେ ସବୁ ଗାନ ବାଜଣା ସେଇଥିରୁ ଶୁଣିବ......

 

ବୀର ପୁଣି କହିଲା–ମଲ ନାହିଁ ତୁମେ ! ଏତେ ସଉକ, ଏତେ ମଉଜ କରିବାକୁ ମନ ହଉଛି ?

 

ପାର କହିଲା–ଶୁଣୁଛ, ସେ ଦଳ ଆଜି ଆସିଲେ ତାଙ୍କୁ କହିବ–ମୋତେ ଆଉ ଯେତେ ଆମେ ଏଠି ମାଇପି ଅଛୁଁ, ସମସ୍ତଙ୍କୁ ଗୋଟାଏ ଗୋଟାଏ ସୁନାର ମାଳ ଦେବେ । ତା’ ନ ହେଲେ ଆମେ ଭୋଟ ଦବାକୁ ଯିବୁ ନାହିଁ । ଆମକୁ ଯେ ଗୋଟାଏ ଗୋଟାଏ ମାଳ ଦେବେ, ଆମେ ତାଙ୍କୁ ଭୋଟ ଦବୁ । ମୁଁ ଶୁଣୁଛି, ଏ ଦଳପରି ଆଉ ଗୋଟାଏ ଦଳ ଅଛି ଯେ, ସେମାନେ ଆସି ଲୋକଙ୍କୁ କହୁଛନ୍ତି–ଯେ ତାଙ୍କୁ ଭୋଟ ଦବ, ସେ ତାଙ୍କୁ ସୁନା ଜିନିଷ ଦେବେ । ତାଙ୍କର ଚିହ୍ନ ହଉଛି ଚାଲୁଣି । ଆଉ ଏ ଯଉ ଦଳ ଆସିଥିଲେ, ତାଙ୍କର ଚିହ୍ନ ହଉଛି–ଛୁଞ୍ଚି । ଆମେ ସେ ଛୁଞ୍ଚିକୁ ଭୋଟ ଦବୁ ନାହିଁ । ଆମେ ଚାଲୁଣିକୁ ଭୋଟ ଦବୁ ।

 

–ଦବୁ, ସତ କହୁଛୁ ?

 

–ନିଶ୍ଚୟ ଦବୁ ।

 

–ଭୋଟ ଦବ ଆମକୁ ?

 

–ନିଶ୍ଚୟ ଦବୁ ।

 

ସହର, ବଜାର, ଗାଁ ଗଣ୍ତା ଚାରିଆଡ଼େ ନିର୍ବାଚନ ଲଢ଼େଇ ପାଇଁ ସଜବାଜ, ବାହାରିଲେ ଦଳ ଦଳ ନିଶାଣ ଉଡ଼େଇ......

 

ପ୍ରତ୍ୟେକ ଦଳର ନିଶାଣରେ ଅଲଗା ଅଲଗା ଚିହ୍ନ–ଛୁଞ୍ଚି, ଚାଲୁଣି, ଝାଡ଼ୁ, ଟୋକେଇ, ହାଣ୍ତି, ମାଠିଆ, ସଜନା ଗଛ, କୋଠା ଇତ୍ୟାଦି ।

 

ପ୍ରତ୍ୟେକେ ଦଳ ଦଳ ହେଇ ଚାରିଆଡ଼େ ବୁଲିଲେ । ଲୋକଙ୍କୁ ବୁଝେଇଲେ, ଶିଖେଇଲେ, ମଣେଇଲେ........

 

ଛୁଞ୍ଚିଦଳ ବୁଝେଇଲେ–ଆମେ ଶାସନ ଗାଦିକୁ ଆସିଲେ, ଦେଶରେ ଯେଉଁଠି ଦୁଃଖ, ଦୈନ୍ୟ, ଅଭାବ, ଅସୁବିଧା ଯାହା କିଛି ଅଛି, ଛିଣ୍ତାଲୁଗାରେ ତାଳି ପକେଇଲା ପରି ସବୁ ତାଳି ପକେଇ ସିଲେଇ କରି ଦେଶକୁ ନୂଆଲୁଗା ପରି କରିଦବୁ । ତାଳି କଉଠି ପଡ଼ିଛି, ଜାଣି ହବ ନାହିଁ........

 

ଚାଲୁଣି ଦଳ କହିଲେ–ଆମେ ଶସନଗାଦିକୁ ଆସିଲେ, ଦେଶରୁ ଦୁଃଖ, ଦୈନ୍ୟ, ଦୁର୍ନୀତି ଯେତେ ଯାହା ଗଲ୍‌ତି ଅଛି, ସବୁ ଚାଲୁଣିରେ ଚଲେଇ ବାହାର କରି ଦବୁ । ଲୋକେ ଖାଲି ସୁଖରେ ପୋତି ହେଇ ପଡ଼ିବେ........

 

ଝାଡ଼ୁବାଲା କହିଲେ–ଆମେ ଯଦି ଶାସନ ଗାଦିକୁ ଆସିବୁ, ଦେଶରୁ ଯାବତୀୟ ଲାଞ୍ଚ, ମିଛ, ଦୋଷ, ଦୁର୍ନୀତି ଓଳେଇ ସଫାକରି ଦବୁ । ଦେଶ ଖାଲି ସୁଖରେ ଝଲସି ଉଠିବ । ଭାଇମାନେ ଆମକୁ ଭୋଟ ଦିଅ......

 

ଟୋକେଇ ଦଳ କହିଲେ–ଆମେ ଶାସକ ହେଲେ, ସୁନିଆଭେଟି ପରି ଘରେ ଘରେ ଖାଲି ଟୋକିଏ ଟୋକିଏ ସୁଖ ଗଦେଇ ଦେଇ ଆସିବୁ । ଭାଇମାନେ, ତୁମେ ଆମକୁ ଆଖିବୁଜି ଭୋଟ ଦିଅ......

 

ହାଣ୍ତିବାଲା କହିଲେ–ଆମେ ଶାସକ ହେଲେ, ଘରେ ଘରେ କାହାରି ହାଣ୍ତି ଖାଲି ରହିବ ନାହିଁ । ସମସ୍ତଙ୍କ ହାଣ୍ତିରେ ଭାତ ଭରି ରହିଥିବ । ହାଣ୍ତିଏ ରାନ୍ଧିଲେ,ଦଶହାଣ୍ତି ଭାତ ହବ........

 

ମାଠିଆବାଲା କହିଲେ–ଆମେ ଦେଶକୁ ଶାସନ କଲେ, ମାଠିଆ ମାଠିଆ ପାଣି ଆଣି ଦେଶରେ ଯେତେ ଆବର୍ଜନା ଅଛି ଧୋଇ ସଫା କରିଦେବୁ । ଏ କଣା ମାଠିଆ ନୁହେଁ । ଏ ପୂର୍ଣ୍ଣକୁମ୍ଭ, ୟାକୁ ଭୋଟ ଦେଲେ ଶୁଭ.....

 

ସଜନା ଗଛବାଲା କହିଲେ–ଆମେ ଭାଙ୍ଗିବୁ ପଛେ, ନଇଁବୁ ନାହିଁ । ଦରକାର ହେଲେ, ଆମେ ପଖାଳ ସାଙ୍ଗକୁ କେରାଏ କେରାଏ ସଜନା ସାଗ ଭଜା ଖୋଇ ଦେଶବାସୀଙ୍କୁ ବଞ୍ଚେଇ ଦବୁ........

 

କୋଠା ଦଳ ବୁଝେଇଲେ–ଆମେ ଶାସନଗାଦିକୁ ଆସିଲେ, ଦେଶରେ ଆଉ ଚାଳଘର ରହିବ ନାହିଁ । ସବୁ କୋଠା କରିଦବୁ । ଲୋକେ ସୁଖରେ କୋଠା ଘରେ ରହି, ରଜ ପର୍ବକୁ କୋଠା କଡ଼ିରେ ଦୋଳି ଲଗେଇ ଆରାମରେ ଘରେ ଘରେ ଝୁଲିବେ । ଆଉ ଗଛରେ ଦୋଳି ଲଗେଇବାକୁ ପଡ଼ିବ ନାହିଁ । ଆମକୁ ଭୋଟ ଦିଅ, ଦେଖିବ ......

 

ଲୋକେ ଶୁଣିଲେ, ଶୁଣିଲେ ନାହିଁ । ବୁଝିଲେ, ଅବୁଝା ହେଲେ । ଆଜି ଯଦି ଗୋଟାଏ ଦଳକୁ ଜବାବ ଦେଲେ–ଭୋଟ ଦବୁ, ପୁଣି ମସୁଦା କଲେ–ନାହିଁ । ଅନ୍ୟ ଦଳକୁ ଭୋଟ ଦବୁ....

 

ଶ୍ରାବଣର ଧାରା ପରି, ବୃଷ୍ଟି ହେଲା–ଦଳ ଦଳ ମଧ୍ୟରେ ଗାଳି, କୁତ୍ସାରଟନା, ଗୋଇ ଖୋଳାଖୋଳି, ବକ୍ତୃତା ଛଳରେ, ଗୀତ ଛଳରେ, ବାଜା ବଜେଇ, ପତକା ଉଡ଼େଇ ପ୍ରଚାର ଚାଲିଲା-। ପ୍ରତ୍ୟେକ ଦଳ ନିଜକୁ ସାଧୁ ବୋଲି ପ୍ରଚାର କଲେ । ଅନ୍ୟ ଦଳ ଚୋର, ମାରିଖିଆ, ବୋରଝାଞ୍ଜି-। ସେମାନେ ଗତ ପାଞ୍ଚବର୍ଷରେ ଯା’ କରି ପାରିଲେ ନାହିଁ, ଆମକୁ ଭୋଟ ଦିଅ, ଆମେ ପାଞ୍ଚମାସରେ ସେ ସବୁ କରିଦେବୁ । ଭୋଟ ଦେଇ ପରୀକ୍ଷା କର... ।

 

ଧାରାଶ୍ରାବଣ ପରେ–ଟଙ୍କା, ଟ୍ରାନ୍‌ଜିଷ୍ଟର୍‌, ସାଇକେଲ, ପେଟ୍ରୋମାକ୍‌ସ, ଜାଲ ନୋଟ, ଭଲ ନୋଟ, ଟର୍ଚ୍ଚଲାଇଟର ଆସିଲା ପ୍ରବଳ ବନ୍ୟା ।

 

ଜିପ୍, କାର୍‌, ଟ୍ରକ୍, ସାଇକେଲ ଦ୍ୱାରେ ଦ୍ୱାରେ, ସହର, ବଜାର, ଗାଁ ଗଣ୍ଡା, ଗଳି କନ୍ଦି ଘୂରି ବୁଲିଲେ । ପୋଖରୀ ତୁଠ ସିମେଣ୍ଟରେ ତିଆରି ହେଲା । ରାସ୍ତା ପକ୍‌କା ହେଲା, ବିଜୁଳି ଆଲୁଅ ଆସିବ । ଗାଁ ଗାଁରେ ବତୀଖୁଣ୍ଟ ପୋତା ହେଲା । ଭଙ୍ଗା ଦେଉଳ ମରାମତି ହେଲା, ଗାଁର ଠାକୁର ଘର ମରାମତି ହେଲା...

 

ଚାଲିଲେ ନେତା, ଦଲାଲ, ଟାଉଟର୍‌, ସମର୍ଥକ, ପୃଷ୍ଠପୋଷକ । ଦୋଳବେଳେ ଗାଁ ଗାଁରେ ମେଲଣ ହେଲାପରି, ଚାଲିଲା ସଭାସମିତି, ଭୋଜି, ନାଟ, ତାମସା...

 

ଭୋଟ ଭିକାରୀଦଳ ଚକୁଳିଆପଣ୍ଡା ପରି ଭୋଟ ମାଗି ବୁଲିଲେ–କାର୍ତ୍ତିକମାସରେ ଦାଣ୍ଡେ ଘାଟେ ଡାକିହାକି ଯେ ଭିକ୍ଷା ଦବ, ତାର ଧର୍ମ ହବ.... ।

 

ଦିନବେଳା ଦଳେ ଆସି ବୁଝେଇଗଲେ–ଆମକୁ ଭୋଟ ଦିଅ, ଆମେ ଧୁଆମୂଳା....

 

ଭୋଟଦାତା ରାଜି ହେଲେ ।

 

ରାତି ହେଲେ ଆଉ ଦଳେ ଆସି ବୁଝେଇଲେ–ଆମେ କହୁନାହୁଁ, ଆମକୁ ଭୋଟ ଦିଅ ବୋଲି । ଯାକୁ ଭୋଟ ଦବ, ବୁଝିସୁଝି ଭଲ ଭାବରେ ବିଚାରି ଭୋଟ ଦିଅ......

 

ଲୋକେ ଭୋଟ ଭିକାରୀଙ୍କ ଇମିତି ହାଲ ଦେଖି, ଅତୁରତା ଦେଖି, ମସୁଦା କଲେ–ଯେଉଁ ଦଳ ଆମକୁ ବେଶି ଦବ, ତାକୁ ଭୋଟ ଦବୁ......

 

ନିର୍ବାଚନ–ଯୁଦ୍ଧ ଲାଗି ଜାଗା ଜାଗା ଭୋଟ ଭିକାରୀଙ୍କର ଗୋଟିଏ ଗୋଟିଏ ଶିବିର ସ୍ଥାପନ ହେଲା । ଶିବିରର ଦ୍ୱାରଦେଶରେ ଲେଖା ହେଲା–ପ୍ରତ୍ୟେକ ଦଳର ନାମ ଓ ସଙ୍କେତ ।

 

ଭାଟ ପରି ଭୋଟ ପ୍ରଚାରରେ ବାହାରି ପଡ଼ିଲେ–ଗାୟକ, ବାୟକ, କବି, ଲେଖକ, କଥକ....

 

ପର୍ବ ପର୍ବାଣୀରେ ଚିତା ପଡ଼ିଲା ପରି, ଘରର କାନ୍ଥ, ପାଚେରୀ, ଗଛ, ରାସ୍ତା, ଯାନବାହନ ଆଦିରେ ଚିତା ପଡ଼ିଲାପରି ପ୍ରଚାରପତ୍ର, ପୋଷ୍ଟରରେ ସବୁ ଚିତ୍ରିତ ହେଇଗଲା ।

 

ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଶଙ୍ଖଧ୍ୱନି କଲାପରି ପ୍ରଚାର–ଶଙ୍ଖ ଧ୍ୱନି କଲେ, ବିଭିନ୍ନ ଦଳର ସମ୍ବାଦପତ୍ର ସବୁ । କିଏ ଲେଖିଲା–କାର ଭେଳା ବୁଡ଼ିଲା, କିଏ ଲେଖିଲା–ଆମେ ଗତ ପାଞ୍ଚବର୍ଷର ରାଜୁତି ଭିତରେ ଆମେ କେତେ ବଡ଼ ବଡ଼ କାମ କରିଛୁ । ଏମାନେ କଣ କରିଛନ୍ତି ? ଦଣ୍ଡଖିରୀ ମାଛ, ଅଳ୍ପ ପାଣିରେ ଫକର ଫକର ହଉଛନ୍ତି । କିଏ ଲେଖିଲା–ଏମାନଙ୍କୁ ଶାସନ କିମିତି କରିବାକୁ ହୁଏ ଜଣାନାହିଁ । ଆମେ ପୁରୁଣା ଦଳ, ଆମେ ଶାସନ କାର୍ଯ୍ୟରେ ପୋଖତ । ଆମକୁ ଭୋଟ ଦେଲେ ଦେଶର ମଙ୍ଗଳ ହେବ । ଅନ୍ୟମାନଙ୍କୁ ଭୋଟ ଦେଲେ ସେମାନେ ଶାସନକାର୍ଯ୍ୟ ଭଲଭାବରେ ଚଳେଇ ପାରିବେ ନାହିଁ ।

 

ଆରମ୍ଭ ହେଲା–ବାକ୍‌ବିତଣ୍ଡା, ଯୁକ୍ତି ତର୍କ, କଳହ, ଧମକ–ଦେଖିବା.....

 

ସମସ୍ତେ ଅପେକ୍ଷା କଲେ–ଜନତା କାହାକୁ ଭୋଟ ଦଉଛି ? କାହା ମୁଣ୍ଡରେ ସୁନା କଳସ ଢାଳୁଛି ?

 

ସବୁ ଦଳ ଭାବୁଛନ୍ତି–ଆମେ ଭୋଟ ପାଇବୁ । ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିବୁ, ପୁଣି ବେଳେ ବେଳେ ହତାଶ ହେଇ ଭାବୁଛନ୍ତି–ଛୁଞ୍ଚି ଦଳ ବେଶି ଭୋଟ ପାଇବ । ଛୁଞ୍ଚି ଭାବୁଛି–ଚାଲୁଣି ବେଶି ଭୋଟ ପାଇବ । ଝାଡ଼ୁ ଭାବୁଛି–ଟୋକେଇ ବେଶି ଭୋଟ ପାଇବ । ଟୋକେଇ ଭାବୁଛି–ଝାଡ଼ୁ ପାଇବ । ହାଣ୍ଡି ଭାବୁଛି–ମାଠିଆ ପାଇବ । ମାଠିଆ କାହାରି କଥା ନ ଭାବି, ଭାବୁଛି–ଛୁଞ୍ଚି ପାଇବ । କାରଣ ତାଠି ଗୋଟିଏ କଣା । ପୁଣି ଭବୁଛି–ନାହିଁ, ଚାଲୁଣି ପାଇବ । କାରଣ ତାଠି ଅସଂଖ୍ୟ କଣା, ଚାଲୁଣିକୁ ବହୁତ କଣା ସାହଯ୍ୟ କରୁଛନ୍ତି । ଛୁଞ୍ଚିର ଗୋଟିଏ କଣା କେତେ ସାହାଯ୍ୟ କରିବ ? ସେମିତି ସଜନାଗଛ ଦଳ କେତେ କଣ ଭାବୁଛନ୍ତି । କୋଠାଦଳ ବି କେତେ କଣ ଭାବୁଛନ୍ତି....

 

ପ୍ରତ୍ୟେକ ଦଳ ନିଜକୁ ଗୋଟିଏ ଗୋଟିଏ ଧୁଆ ମୂଳା ବୋଲି ଭାବୁଛନ୍ତି । ପୁଣି ଏକଡ଼ ସେକଡ଼ ଲେଉଟେଇ ଦେଖିଲାବେଳକୁ ସେଥିରେ ବି ମାଟି ଲାଗିଛି । ଏଣୁ ଲୋକେ ଭାବୁଛନ୍ତି–ତେବେ କାହାକୁ ଭୋଟ ଦେବେ ? ପରସ୍ପର ପରସ୍ପରକୁ ପଚରା ଉଚରା ହେଲେ–ତୁ କାହାକୁ ଭୋଟ ଦବୁ ? ସେ କହିଲା–ତୁ କାହାକୁ ଭୋଟ ଦବୁ ?

 

–ତୁ କାହାକୁ ଭୋଟ ଦବୁକିଲୋ ?

 

ଗୋଟିଏ ମାଇପିଦଳ ଭୋଟ ଦବାକୁ ଯାଉ ଯାଉ ଜଣେ ମାଇପି ଆଉ ଜଣେ ମାଇପିକୁ ପଚାରିଲା ।

 

ଅନ୍ୟ ଜଣେ ମାଇପି ଉତ୍ତର ଦବାକୁ ଯାଇ କହିଲା–ମୁଁ ଛୁଞ୍ଚିକି ଭୋଟ ଦେବି......

 

ଆର ଜଣକ ଏ ଉତ୍ତର ଶୁଣି କହିଲା–ତୁ ଯେମିତି ଛୁଞ୍ଚି ମୁହିଁଟାଏ, ସେମିତି ଛୁଞ୍ଚିକୁ ଭୋଟ ଦବୁବୋଲି କହୁଛୁ ।

 

–ଆଲୋ ତୁ କାହାକୁ ଭୋଟ ଦବୁ ?

 

–ମୁଁ ଚାଲୁଣିକୁ ଭୋଟ ଦେବି । ସେମାନେ କହିଛନ୍ତି–ଆମେ ଜିତିଲେ, ଚାଲୁଣିରେ ଯେତେ କଣା, ସେତେ ଭରି ସୁନା ଓଜନ କରି ଦେବେ....

 

ଆହୁରି କେତେ ମାଇପି କେତେ ପ୍ରକାର କୁହାକୁହି ହେଲେ–କିଏ କହିଲା–ଝାଡ଼ୁକୁ ଦବ, କିଏ ଟୋକେଇ, କିଏ ହାଣ୍ଡିକୁ, କିଏ ମାଠିଆକୁ । ବେଶିଭାଗ ସୁନା ଲୋଭରେ ଚାଲୁଣିକୁ ଦେବେ ବୋଲି କହିଲେ ।

 

ଚାଲିଲେ ମରଦ, ମାଇପି ଭୋଟ ଦବା ପାଇଁ । ବିଭିନ୍ନଧରଣର ବେଶଭୂଷା ହେଇ । କେତେକ ଚକ୍‌ଚକିଆ, କେତେକ ନୁଖୁରା ମୁଣ୍ଡିଆ । ସମସ୍ତେ ଚାଲିଲେ ଭୋଟ ଗ୍ରହଣର ସ୍ଥାନକୁ । ମରଦଙ୍କ ଅପେକ୍ଷା ମାଇପି ସଂଖ୍ୟା ବେଶି । ମାଇପେ ଭୋଟ ଗ୍ରହଣର ଜାଗାକୁ ଯିବାର ଦେଖି ଲୋକେ ଭାବିଲେ–ଯେମିତି କଉ ମେଳା ମଉଛବକୁ ଯାଉଛନ୍ତି । ମାଇପେ ମଧ୍ୟ ମନେ ମନେ ଗର୍ବ ଅନୁଭବ କଲେ–ଆମେ ଭୋଟ ଦବାକୁ ଯାଉଛୁ ।

 

ଚାଲିଲେ, ସମସ୍ତେ ଚାଲିଲେ । ଯାର ପେଟ ପୂରିଛି, ସେ ଚାଲିଲା । ଯାର ଅଧା ପେଟ ପୂରିଛି, ସେ ବି ଚାଲିଲା । ଯାହାଙ୍କର ନିର୍ବାଚନ–ପାଲା ପରେ ଆହୁରି ଶିରିଣି ଖାଇବାର ଆଶା ଅଛି, ସେ ମଧ୍ୟ ଚାଲିଲେ । ମଣିଷ ଚାଲିଲେ–ଯେଉଁମାନେ କୋଠାଘରେ ଥାନ୍ତି, ଯେଉଁମାନେ ଚାଳଘରେ ଥାନ୍ତି, ଆହୁରି ଚାଲିଲେ–ଯେଉଁମାନେ ରାସ୍ତା କଡ଼ରେ ଥାନ୍ତି । ଯେଉଁମାନେ ମଣିଷ, କିନ୍ତୁ ତାଙ୍କୁ ଅନ୍ୟ ଲୋକେ ଭାବନ୍ତି–ସେମାନେ ରାସ୍ତାକଡ଼ର ଆଉ ଗୋଟାଏ କି ଜୀବ, ସେମାନେ ରାସ୍ତା କଡ଼ର ପ୍ରାଣୀ । ହେଲା, ସେମାନଙ୍କର ମଧ୍ୟ ଭୋଟ ଦବାର ଅଧିକାର ଅଛି । ସେମାନେ ମଧ୍ୟ ଲୋକପ୍ରତିନିଧି ବାଛି ଠିକ୍ କରିବେ । ସେମାନେ ମଣିଷ, କୁଷ୍ଠରୋଗୀ ହେଇ ପାରନ୍ତି.....

 

ଚାଲିଲେ ଦଳ ଦଳ କୁଷ୍ଠରୋଗୀ ।

 

ଲୋକେ ମାଇପିଙ୍କୁ ଭୋଟ ଦବାକୁ ଯିବାର ଦେଖି ଆଉ କୁଷ୍ଠରୋଗୀଙ୍କୁ ଭୋଟ ଦବାକୁ ଯିବାର ଦେଖି, କୁହାକୁହି ହେଲେ–ଲୋକେ ଭୋଟ ଦବା ବିଷୟରେ କେତେ ସଚେତନ ହେଲେଣି-!!! ଲୋକଙ୍କର ଅଖି ଫିଟିଲାଣି । ପ୍ରକୃତ ଚେତା ଆସିଛି...

 

ଚେତା ହେଇଛି ? ଆଖି ଫିଟେଇ ଚାହିଁଲାଣି ?

 

ଡାକ୍ତର କହିଲେ–ଆଉ ଏଣିକି କିଛି ଭୟ ନାହିଁ । ଏଣିକି କେସଟା ଭଲ ଆଡ଼କୁ ଯିବ...

 

ବିନୟ ବାବୁ ଆଉ ରେବା ଡାକ୍ତରଙ୍କୁ ବାରମ୍ବାର ପ୍ରଶ୍ନ କଲେ–ଡାକ୍ତରବାବୁ କଣ କହୁଛନ୍ତି-? ଆଉ ଭୟ ନାହିଁ ? ପିଲାଟି ଭଲ ହେଇ ଯିବ ?

 

ଡାକ୍ତର ଦୃଢ଼ ଭାବରେ ଉତ୍ତର ଦେଲେ–ଆପଣମାନେ ନିଶ୍ଚିନ୍ତ ହୁଅନ୍ତୁ, ପିଲାଟି ଭଲ ହେଇଯିବ । କିଛି ଭୟ ନାହିଁ । ଆଉ ଅଳ୍ପ କେତେଟା ଦିନ ଅପେକ୍ଷା କରିବାକୁ ହବ । ତାକୁ ବର୍ତ୍ତମାନ ବେଶି କିଛି ପ୍ରଶ୍ନ କରିବେ ନାହିଁ । ତାର ପୂର୍ଣ୍ଣ ବିଶ୍ରାମ ଦରକାର....

 

ବିନୟ ବାବୁ ଆଉ ରେବା ଯେଉଁ ଦିନଠୁଁ କାର୍‌ ଆକ୍‌ସିଡେଣ୍ଟରେ ଆହତ ପିଲାଟିକୁ ଆଣି ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଛାଡ଼ିଥିଲେ, ତାଙ୍କ ମନରେ ଆଦୌ ଆନନ୍ଦ ବୋଲି କଣ କିଛି ନ ଥିଲା-। ସବୁବେଳେ ପିଲାଟିର ପ୍ରାଣହାନିର ଆଶଙ୍କାରେ ଭୟଭୀତ ହୋଇ ପଡ଼ିଥିଲେ । ଆହୁରି ମଧ୍ୟ ଏଇ କେତେ ଦିନ ହେଲା ପିଲାଟିକୁ ହସ୍‌ପିଟାଲ୍‌ରେ ରଖି ତାର ସେବା ଶୁଶ୍ରୂଷା କରି ଆହତ ପିଲାଟି ପାଇଁ ତାଙ୍କ ମନ ଭିତରେ ଗୋଟାଏ ସ୍ଵତଃ ବାତ୍ସଲ୍ୟ ଭାବ ଜନ୍ମିଥିଲା, ବିଶେଷତଃ ରେବାର-। ତାକୁ ସେ ପିଲାଟି ନିଜର ପିଲାଟି ପରି ମନେ ହେଉଥିଲା । କାରଣ ବିନୟବାବୁ ଆଉ ରେବା ବୈବାହିକ ଜୀବନ ଗୋଟିଏ ସନ୍ତାନର ଅଭାବରେ ତପ୍ତ ରୁକ୍ଷ ବାଲୁକାମୟ ମରୁଭୂମି ପରି ମନେ ହେଉଥିଲା.....

 

ସେମାନେ ଉଭୟେ ସ୍ଥିର କରିଥିଲେ–ପିଲାଟିର ଯଦି କେହି ନଥିବ, ସେ ତାକୁହିଁ ନିଜର ସନ୍ତାନ ଭଳି ପାଳିବେ, ରଖିବେ, ଯୋଗ୍ୟ କରେଇବେ....

 

ବିନୟ ବାବୁ ଆଉ ରେବା ମନେ ମନେ ଏଇ କଥା ସ୍ଥିର କରି ଅନ୍ତର ମଧ୍ୟରେ ଗୋଟାଏ ଅପୂର୍ବ ଅନନ୍ଦ ଅନୁଭବ କରୁଥିଲେ । ଆଉ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ–ପ୍ରଭୁ, ରକ୍ଷା କର, ଉଦ୍ଧାର କର, ସଂଶୟ ଦୂର କର...

 

–ଆଉ ସଂଶୟ କଣ ? ଦ୍ଵିଧା କଣ ? ଏ ତ ନିରାଟ ସତକଥା । ନିର୍ବାଚନର ଫଳାଫଳ ବାହାରି ଗଲା–

 

–ଜୟ ବିନୟ ବାବୁଙ୍କର ଜୟ, ଜୟ ବିନୟ ବାବୁଙ୍କର ଜୟ.....

 

ସମ୍ବାଦ ପତ୍ର, ରେଡିଓ, ତୁଣ୍ଡ ବାଇଦ ଦ୍ୱାରା ପ୍ରଚାରିତ ହେଲା–ଛୁଞ୍ଚି ଦଳର ବିନୟ ବାବୁ ଭୋଟରେ ଜିତିଛନ୍ତି ।

 

ଏକା ତିନିଶହ କୁଷ୍ଠରୋଗୀ ତାଙ୍କୁ ଭୋଟ ଦେଇଛନ୍ତି । ଜୟ ବିନୟ ବାବୁଙ୍କର ଜୟ, ଜୟ ବିନୟ ବାବୁଙ୍କର ଜୟ...

 

ଜୟ ଚାଲୁଣି ଦଳର ଜୟ...

 

ଚାଲୁଣି ଦଳ ସର୍ବାଧିକ ଭୋଟରେ ଜିଣିଛନ୍ତି....

 

ଚାଲୁଣି ଦଳ ସଂଖ୍ୟା ଗରିଷ୍ଠତା ହାସଲ କଲେ....

 

ଚାଲୁଣି ଦଳ ମନ୍ତ୍ରୀମଣ୍ଡଳ ଗଢ଼ିଲେ...

 

ଜୟ ଚାଲୁଣିର ଜୟ....

 

–ଜୟ ହେଲା ଯେ ବିନୟ ବାବୁଙ୍କର କାହାପାଇଁ ? ବିନୟ ବାବୁ ଛୁଞ୍ଚି ଦଳରୁ ଏତେ ଭୋଟ ପାଇଲେ ? ଜିଣିଲେ ?

 

–କେବଳ କୁଷ୍ଠରୋଗୀଙ୍କ ପାଇଁ ତାଙ୍କର ଜୟ ହେଲା...

 

–କିଏ ଜାଣିଥିଲା, କୁଷ୍ଠରୋଗୀମାନେ ଯାଇ ତାଙ୍କୁ ଏତେ ଭୋଟ ଦେବେ ।

 

–ବିନୟ ବାବୁ ତ କୁଷ୍ଠରୋଗୀଙ୍କ ପାଇଁ କମ ପଇସା ଖର୍ଚ୍ଚକରି ନାହାନ୍ତି !

 

–କଣ ଏତେ ଖର୍ଚ୍ଚ କରିଛନ୍ତି ?

 

ତୁ ଜାଣି ନାହୁଁ ? ସେ ବାଦାମ ବଗିଚା, ଯେଉଁଠି କୁଷ୍ଠ ରୋଗୀମାନେ ଥାନ୍ତି ସେ ବଗିଚା, ପୋଖରୀ, ଭଙ୍ଗା କୋଠା ସବୁ କୁଷ୍ଠରୋଗୀମାନଙ୍କୁ ଛାଡ଼ି ଦେଲେ, ସମୁଦ୍ର ଆଡ଼କୁ ଯିବା ରାସ୍ତା ଦି’କଡ଼ରେ ସେମାନଙ୍କର ବସିବା ପାଇଁ ଦିଟା ବଡ଼ ଧାଉଡ଼ି ଘର କରି ଦେଲେ । ପିଇବା ପାଣି, ଗାଧୋଇବା ପାଇଁ ପାଣିର ସୁବିଧା କରିଦେଲେ । ଯେ ଯାହା ମାଗିଲା, ତା’ ଦେଲେ.....

 

ଆଉ ଜଣେ କହିଲା–ଦେଖ, ଯେଉଁ କୁଷ୍ଠରୋଗୀମାନଙ୍କୁ ଆମେମାନେ ଘୃଣା କରୁଛୁ, କତି ପାଖରେ ବସେଇ ଦଉନୁ, ଠିଆ କରେଇ ଦଉନୁ, ରାସ୍ତା କଡ଼ରେ ଯେମିତି କି ଅସନା ଜୀବଗୁରାଏ ବସିଛନ୍ତି ବୋଲି ଭାବୁଛୁ, ନାକ ଟେକୁଛୁ, ରାସ୍ତା କଡ଼ର ପ୍ରାଣୀ ବୋଲି ଭାବୁଛୁ, ସେହିମାନଙ୍କ ଯୋଗୁଁ ବିନୟବାବୁ ଆଜି ନିର୍ବାଚନରେ ଜିଣିଲେ । କିଏ ଜାଣିଥିଲା–ବିନୟବାବୁ ତାଙ୍କୁ ଭିତରେ ଭିତରେ ଇମିତି ହାତ କରିଛନ୍ତି ?

 

ଆଉ ଜଣେ କହିଲା–ତୁ ଜାଣିଛୁ, ବିନୟବାବୁ ତାଙ୍କୁ ଗୁରାଏ ବାଜା–ପଖଜ, ଗିନି, ବଇଁଶୀ, ଝାଞ୍ଜ, ମୃଦଙ୍ଗ କିଣି ଦେଇଛନ୍ତି । ଆଜି କାଲି ତ ସଞ୍ଜ ଗଡ଼ିଗଲେ, ଆଉ ଦେଖିବୁ କଣ, ତାଙ୍କର ଗାଉଣା ବାଜଣା ! ଯେଉଁମାନଙ୍କର ହାତ, ମୁହଁ ଟିକିଏ ଭଲ ଅଛି, ଆଉ ବାଜା ବଜେଇ, ଗୀତ ଗାଇ, ସେ ବାଦାମ ବଗିଚା ଖଣ୍ଡକ ଉଚ୍ଛନ୍ନ କରୁଛନ୍ତି.....

 

–ହଁ ଚାଲୁ, ଆଉ ଗୋଟାଏ ଗୀତ, ବାଜା ବନ୍ଦ କଲ କାହିଁକି ? ଗାଆ, ଆଉ ଗୋଟାଏ । ଅଭିକାତ ରାତି ବେଶି ହେଇ ନାହିଁ.....

 

ପୁଣି ପଖଜ, ଗିନି, ବଇଁଶୀ ବାଜିଲା, ଗୀତ ଆରମ୍ଭ ହେଲା । ବାଦାମ ବଗିଚାରୁ ଆଉ ଆଗ ପରି ନାହିଁ । ପେଟ୍ରୋମାକ୍‌ସ ଅଳ୍ପ ଦୂରରେ ଗୋଟାଏ ଗଛରେ ଟଙ୍ଗା ହେଇଛି । ଚଟାଣରେ ଗୋଟାଏ ପକ୍‌କା ସିମେଣ୍ଟ ଦିଆ ବଡ଼ ଚଉଖୁଣ୍ଟିଆ ପିଣ୍ଡି । ଜଣ ଜଣଙ୍କର ବଖରାଏ ବଖରାଏ ଘର-

 

ପୁଣି କେତେ ଜଣଙ୍କର ବରାଦ ହେଲା–ଆଉ ଗୋଟାଏ ଗୀତ ଗାଅ ।

 

ପୁଣି ଗୋଟାଏ ଗୀତ ଆରମ୍ଭ ହେଲା ।

 

ବୀର ଆଉ କେତେ ଜଣ କୁଷ୍ଠରୋଗୀ ଗୋଟାଏ ବାଦାମ ଗଛ ତଳେ ବସି ଗପ କରୁଛନ୍ତି–ବାନା ପରିଡ଼ାଟା ଥିଲେ ଏ ଭୋଟ ବେଳକୁ ଆହୁରି ମଜା ହେଇଥାନ୍ତା । ସେ ମରିଗଲା ନିଶ୍ଚୟ, ନ ହେଲେ ସେ ଫେରି ଆସନ୍ତାଣି । ବଡ଼ ଆଶ୍ଚର୍ଯ୍ୟ କଥା ! ସେ କାହିଁକି ଇମିତି ଅନ୍ତର୍ଦ୍ଧାନ ହୋଇଗଲା ?

 

ଆଉ କେତେ ଜଣ କହିଲେ–ସେତ ଗୁରାଏ ଦିନ ହେଲା ଗଲାଣି, ଯଦି ଫେରି ଆସନ୍ତା, ଦେଖନ୍ତା, ଆମେ କେମିତି ଥିଲୁ । ଅଭିକା କିମିତି ଅଛୁଁ....

 

ବାଜା ସହିତରେ ଗୀତ ବୋଲା ଚାଲିଛି–

 

ଏତେବେଳକୁ ହେ ମୁଖ ଦିଶିଲାକି ଆଜ.....

 

ଏତ ମରଦ ଆଉ ମାଇପି ଦି’ଜଣ !! ମରଦତ ଚିହ୍ନା ଲୋକ । ସମସ୍ତେ ଚାହିଁ ଆନନ୍ଦରେ ପାଟି କରି ଉଠିଲେ–କିରେ ବାନା ଭାଇ ତୁ କୁଆଡ଼ୁ ଆସିଲୁ,ଏତେଦିନ ପରେ ?

 

ବାଜା, ଗୀତ ସବୁ ବନ୍ଦ ହେଇଗଲା । ବୀର ଆନନ୍ଦରେ ପଚାରିଲା–ହଇରେ ବାନା, ତୁ କୁଆଡ଼େ ଚାଲିଗଲୁ ? ମୁଁ ଭାବିଲି ତୁ କୁଆଡ଼େ ମରିଗଲୁ.......

 

ଆଉ କେତେକ କହିଲେ–ଆମେତ ଭାଇ ସେଇଆ ଭାବିଥିଲୁ.....

 

ଆଉ କେତେଜଣ ବାନା ସାଙ୍ଗରେ ମାଇପି ଜଣକୁ ଦେଖି ଆଖି ଠରାଠରି ହେଇ ଅଳ୍ପ ହସି ଚପି ଗଲେ, ଜାଣିଲେ–ବାନା ପରିଡ଼ା ଗୋଟାଏ ମାଇପି କୁଆଡ଼ୁ ଆଣିଛି......

 

ପାର ଆସି ଦେଖିଲା–ବାନା ପରିଡ଼ା ସାଙ୍ଗରେ ଜଣେ ମାଇପିକୁ ଆଣିଛି ।

 

ପାର କେତେ ସମୟ ଅନେଇଲା ପରେ ନଖୀକୁ ତା ଘର ଭିତରକୁ ଡାକି ନେଲା ।

 

ବାଦାମ ବଗିଚାର ନୂଆ ରୂପ ଦେଖି ବାନା ପରିଡ଼ା–କେତେଆଡ଼େ ଆଖି ବୁଲେଇ ଚାହିଁଲା । ଏ କଣ ! ସେ ବାଦାମ ବଗିଚା, ନା, ସେ ଆଉ କଉଠି ଆସି ପହଁଚିଲା କି ବାନା ପରିଡ଼ା ସମସ୍ତଙ୍କୁ ଦେଖିଲା, ସମସ୍ତେ ତ ଅଛନ୍ତି । ସମୁଦ୍ର ତ ଗର୍ଜୁଛି, ସେମିତି ବାଦାମ ବଗିଚାରେ ପବନ ପିଟୁଛି, ଗଛ ପତ୍ର ଦୋହଲୁଛି ।

 

ବୀର ବାନାକୁ କହିଲା–ଯା ସେଠି ପାଣି କଳରେ ହାତ, ମୁହଁ ଧୁଆ ଧୋଇ ହ, ତା ପରେ ବସିବା, କଥାବାର୍ତ୍ତା ହବା । ତୁ ଆସିଲୁ । ଯା ହେଉ, ତୋ ପାଇଁ ମୋ ମନଟା ବେଳେ ବେଳେ ଭାରି ଖରାପ ଲାଗୁଥିଲା, କଣ କରିବି ? ତୁନି ହେଇ ରହେ । ଯେତେ ଯା’କୁ ପଚାରିଲି, କେହି କିଛି କହି ପାରନ୍ତି ନାହିଁ ।....

 

ବାନା ପରିଡ଼ା କେତେବେଳେ ଯାଏ ଥକା ହେଇ ବସିଲା ! ତା’ ପରେ ଗଲା ଗୋଡ଼ ହାତ ଧୋଇବା ପାଇଁ ।

 

ବୀର ପାରକୁ ଡାକି କହିଲା–ଏ ଦି’ଜଣଙ୍କ ପାଇଁ ରାନ୍ଧ, ସେମାନେ ଖାଇବେ ।

 

ପୁଣି ବୀର କହିଲା–ହଇରେ ତୁମେମାନେ ବାଜା ଆଉ ଗୀତ ବନ୍ଦ କଲ କାହିଁକି ? ବଜଉନା, ବଜାଅ.....

 

ପୁଣି ବାଜା ସହିତରେ ଗୀତ ଚାଲିଲା ।

 

ଏଥର ବାଜା ଆଉ ଗୀତ ଭାରି ଜମାଟିଆ ହେଲା । କିନ୍ତୁ, ଗୀତର ମର୍ମଟା ବାନା ପରିଡ଼ାକୁ ଦେଖେଇ ପରିହାସ କରି ଗାଇଲା ପରି କେତେକ ଜଣା ଗଲାରୁ ବୀର ବାଧା ଦେଇ କହିଲା–ହଇରେ, ଏ କି ଗୀତ ଗାଉଛ ? ଆଉ କିଛି ଗୀତ ମିଳିଲା ନାହିଁ ଗାଇବାକୁ ?

 

ବାୟକ ଅଉ ଗାୟକ ଦଳଆଡ଼ୁ ଉତ୍ତର ଶୁଣାଗଲା–କାହିଁକି ? ଆମେ କଣ ମନ୍ଦ ଗୀତ ଗାଉଛୁ ? ଏ ଗୀତ କଣ ଭଲ ଲାଗୁ ନାହିଁ ? ଆମ ମନକୁ ଯା’ ଆସିବ ଆମେ ଗାଇବୁ ! ଯା’କୁ ଭଲ ଲାଗୁଛି ସେ ଶୁଣୁ, ଯା’କୁ ଭଲ ନ ଲାଗୁଛି ସେ ନ ଶୁଣୁ , ଆମେ ଗାଇବୁ....

 

ଅନାଦି ବରାଳ ଅଳ୍ପ ଦୂରରେ ବସିଥିଲା–କହିଲା ଖେଚଡ଼ା ଗୁରାଏ, ତାଙ୍କୁ କଣ ଭଲ ଦଶା ଅଛି ? ଅଭିକା ଠେଙ୍ଗାଏ ଠେଙ୍ଗାଏ ବସିଲେ ସବୁ ଖେଚଡ଼ା ଢଙ୍ଗ ଛାଡ଼ିଯିବ...

 

ଗାୟକ ଆଉ ବାୟକ ଆଡ଼ୁ ପୁଣି ଶୁଣାଗଲା–ହଉ, ଆମେ ଆଉ ଗୋଟାଏ ଗୀତ ଗାଉଛୁ, ଯଦି ଏ ଗୀତ ତୁମକୁ ଭଲ ନ ଲାଗିଲା ଆମକୁ ଆଉ ଦୋଷ ଦବ ନାହିଁ...... ।

 

ପୁଣି ବାଜା ଆଉ ଗୀତ ଆରମ୍ଭ ହେଲା ।

 

ଏଥର ଯେଉଁ ଗୀତଟା ଧଇଲେ, ତାର ମର୍ମ ହେଲ।–ରାଧା, ତୁମେ କୃଷ୍ଣଙ୍କୁ ଭେଟିଲ କିମିତ ? ତୁମର ଏ ଯୁଗଳ ମିଳନ ଦେଖି ଆମେ ଆନନ୍ଦରେ ଅଭିଭୂତ ହେଇ ପଡ଼ିଛୁ....

 

ବୀର ଆଉ ଅନ୍ୟମାନେ ବୁଝି ପାରିଲେ–ଏମାନେ ବାନା ପରିଡ଼ା ଆଉ ତା’ ସାଙ୍ଗରେ ଯେଉଁ ମାଇପି ଜଣକ ଆସିଛି, ତାକୁହିଁ ଲକ୍ଷ୍ୟ କରି ଏମାନେ ପୁଣି ଗୋଟାଏ ଏ ଭଳିଆ ଗୀତ ବୋଲୁଛନ୍ତି ।

 

ବାନା ପରିଡ଼ା ଗୋଡ଼ ହାତ ଧୋଉ ଧୋଉ ବୁଝି ପାରିଲା ଯେ ଏମାନେ ତାକୁ ପରିହାସ କରି ଗୀତ ବୋଲୁଛନ୍ତି । ବାନା ପରିଡ଼ା ଆସି ବୀର ଆଉ ଅନ୍ୟମାନଙ୍କୁ କହିଲା–ଭାଇ, ଏ ବାଦାମ ବଗିଚାର ଖୁବ୍ ପରିର୍ବତ୍ତନ ହେଇଛି, ଖୁବ୍ ଉନ୍ନତି ହେଇଛି । କିନ୍ତୁ ଏଠି ତୁମମାନଙ୍କର ନିଜର ବିଶେଷ କିଛି ପରିର୍ବତ୍ତନ ହେଇ ନାହିଁ । ଯେମିତି ଥିଲ, ସେମିତି ଅଛ....

 

ବୀର, ଅନାଦି ବରାଳ ଓ ଆଉ କେତେ ଜଣ ବୁଝି ପାରିଲେ–ବାନା ଏମାନଙ୍କର ଗୀତ ଶୁଣି ମନ ଖରାପ କରି ଏ କଥା କହୁଛି......

 

ଅନାଦି ବରାଳ ଏତେବେଳେ ରାଗରେ ଗାଇଲାବାଲା ଆଉ ବଜେଇଲାବାଲାଙ୍କୁ ପଚାରିଲା–ହଇରେ, ପୁଣି ସେମିତି ଗୀତ ଗାଇଲ ? ଭାରି ଖେଚଡ଼ା ଗୁରାକ.....

 

ଗାଇଲାବାଲାଙ୍କ ଆଡ଼ୁ ଉତ୍ତର ଶୁଣାଗଲା–ଆମେତ ରାଧା କୃଷ୍ଣଙ୍କର ଯୁଗଳ ମିଳନ ବିଷୟରେ ଗାଉଛୁ । କଣ ଖରାପ ଗୀତ ଗାଉଛୁ ? ତୁ ତ ଯଉ ଗୀତ ବୁଝିଲା ଲୋକ, ଗୀତ ବିଷୟରେ ତୋତେ ଲେମ୍ବୁ ଜଣା ଅଛି ?

 

ଅନାଦି ବରାଳ ଏ କଥାର ଆଉ ଉତ୍ତର ଦବ କଣ ? ଛାଡ଼ି ସାରିଲା ତା ହାତ ଠେଙ୍ଗା ଖଣ୍ଡକୁ ସେ ଗାଇବା ଆଉ ବଜେଇବା ଲୋକଙ୍କଆଡ଼କୁ । ଠେଙ୍ଗା ଖଣ୍ଡକ କାହାରି ଦିହରେ ନ ବାଜି, ବାଜିଲା–ପଖଜର ଗୋଟାଏ ପାଖରେ । ଗୋଟାଏ ଶବ୍ଦ ଉଠିଲା–ଢଂ ।

 

କାନ୍ଥରେ ଟଙ୍ଗା ହେଇଥିବା ବଡ଼ କ୍ଳକ୍‌ରୁ ଶବ୍ଦ ବାହାରିଲା–ଢଂ, ରାତି ଗୋଟାଏ ହେଲା । ନିଃଶବ୍ଦ ରାତି, ବିନୟ ବାବୁ ଆଉ ରେବା ଜଗି ବସିଥିଲେ ପିଲାଟିକୁ ।

 

ବିନୟବାବୁଙ୍କ ଘରେ ପିଲାଟି ଗୋଟିଏ ସୁନ୍ଦର ନିର୍ମଳ ଶେଯରେ ଶୋଇଥିଲା ଆଖି ବୁଜି । ଘଡ଼ିରୁ ଗୋଟାଏ ବାଜିବାର ଶବ୍ଦ ହବାର ସଙ୍ଗେ ସଙ୍ଗେ ପିଲାଟି ଆଖି ମେଲି ଅନେଇଲା । ସେ କିଛି ବୁଝି ପାରିଲା ନାହିଁ, ସେ କେଉଁଠି ?

 

ବିନୟ ବାବୁ ଆଉ ରେବା ତାକୁ ଆଜି ହସ୍‌ପିଟାଲ୍‌ରୁ ଆଣି ନିଜ ଘରେ ରଖିଛନ୍ତି । ପିଲାଟି ବେଳେବେଳେ ଅନଉଛି, ପୁଣି ଶୋଇ ଯାଉଛି । ଏଥର ଅନେଇଲା । ପାଣି ପିଇବାକୁ ମାଗିଲା । ରେବା ତାକୁ ପାଣି ପିଆଇ ଦେଲା । ମୁଣ୍ଡରେ ହାତ ବୁଲେଇ ପଚାରିଲା–ଆଉ କଣ ଦରକାର ?

 

ପିଲାଟି ଉତ୍ତର ଦେଲା–ନାହିଁ, ମୁଁ ଏଠିକି କେମିତି ଆସିଲି ? ମୋତେ ଏଠିକି କିଏ ଆଣିଲା ?

 

ରେବା ପଚାରିଲା–ଆମେ ତୋତେ ଏଠିକି ଆଣିଛୁ । ତୋର ନାଁ କଣ ?

 

ପିଲାଟି ଉତ୍ତର ଦେଲା–ଉଦୟ ଶଙ୍କର.....

 

–ଉଦୟ ଶଙ୍କର, ହଁ ଭାଇ ପିଲାଟି ନାଁ ଉଦୟ ଶଙ୍କର...

 

ନିଃଶବ୍ଦ ରାତିରେ ବାଦାମ ବଗିଚାରେ ସମସ୍ତେ ଶୋଇଲେଣି, ବୀର ଆଉ ବାନା ପରିଡ଼ା ଗପ କରୁଛନ୍ତି ।

 

ରେବା ପୁଣି ପଚାରିଲା–ତୁମେ କାହା ପୁଅ ? ତୁମର ବାପାଙ୍କର ନାଁ କଣ ?

 

ସେ ତୋରି ପୁଅ, ମୁଁ ଭଲ କରି ବୁଝିଛି, ବାନା ପରିଡ଼ା କହିଲା । ମୋତେ ଆଉ ଲୁଚେଇଲେ ହବ ? ଯଉ ବିନୟ ବାବୁଙ୍କୁ ତୁମେମାନେ ଭୋଟ ଦେଇ ଜିତେଇଛ, ତାଙ୍କରି ସ୍ତ୍ରୀ ଗର୍ଭରେ ସେ ପୁଅ ଜନ୍ମ ହେଇଛି । ତୁ ତାଙ୍କରି ଘରେ ପିଲା ଦିନଠୁଁ ବଢ଼ିଛୁ । ତୁ ଇମିତିଆ ପାପ କାମ କରିଛୁ ? ତୁ ଏଡ଼େ ବେମାନି କାମ କରିଛୁ ?

 

ବାନା ପରିଡ଼ାର କଥା ଶୁଣି ଆଶ୍ଚର୍ଯ୍ୟ ହେଇ ମନେ ମନେ ବୀର ଭାବିଲା–ବାନା କଉଠୁଁ ଏ ଖବର ପାଇଲା ? ବଡ଼ ସାଂଘାତିକ୍ କଥା !!! ସମସ୍ତେ ଏଥର ଜାଣି ଯିବେ । ବାନା କୁଆଡ଼ୁ ଏ ଖବର ପାଇଲା ?

 

ବୀର ଆହୁରି ମନେ ମନେ ଭାବିଲା–ଏଠି ସମସ୍ତେ ଜାଣନ୍ତି ସେ ଦିନେ ସ୍ଵାମୀ ସ୍ତ୍ରୀ ଦି’ଜଣକୁ ଦେଖି ତା’ବସିବା ଜାଗାରୁ ଉଠି ଯାଇ ଗୋଟାଏ ଗଛ ଉଢ଼ାଳରେ ଲୁଚି ଥିଲ। । ସେ ଏଠି ଯେ ଭାବରେ ଚଳୁଛି, ଏ କଥା ଯଦି ସମସ୍ତେ ଜାଣିବେ, ତାର ଆଉ ଇଜ୍ଜତ ରହିବଟିକି ? ତାକୁ ଆଉ ମାନିବେଟିକି ?

 

ବୀର ବାନାକୁ ପଚାରିଲା–ବାନା, ତୁ ଏ କଥା କଉଠୁଁ ଜାଣିଲୁ ? ତୋତେ ଏ ସବୁ କଥା କିଏ କହିଲା, କହ.....

 

ରେବା ପୁଣି ପଚାରିଲା–କହ, ତୋର ବାପାଙ୍କର ନାଁ କଣ ? ତୋର ବାପା ଦେଖିବାକୁ କିମିତି ?

 

ବୀର ପୁଣି ପଚାରିଲା–ବାନା, ସେ ପିଲାକୁ ତୁ ଦେଖିଛୁ ? ସେ ଦେଖିବାକୁ କିମିତି ?

 

–ମୋର ବାପାଙ୍କ ନାଁ ମୁଁ ଜାଣେନା, ମୁଁ ତାଙ୍କୁ ଦେଖି ନାହିଁ....

 

ବାନା ପରିଡ଼ା କହିଲା–ମୁଁ ସେ ପିଲାକୁ ଦେଖି ନାହିଁ । ମୁଁ ତା’ ନାଁ ଶୁଣିଛି......

 

ରେବା ଏଥର ଟିକିଏ ଶଙ୍କିତା ହେଇ ପଚାରିଲା–ତୋର ଘର କେଉଁଠି ? ତୋର ମା ଅଛି ?

 

ଉଦୟ ଶଙ୍କର ଉତ୍ତର ଦେଇ–ତୁମେ ମୋର ମା..କାନ୍ଥର କ୍ଳକ୍‌ରେ ଏଥର ଢଂ ଢଂ ହେଇ ଦି’ଥର ଶବ୍ଦ ହେଲା, ଦୁଇଟା ବାଜିଲା ।

 

ରେବା ସେ ପିଲା ମୁହଁରୁ ଏ କଥା ଶୁଣି ଚମକି ପଡ଼ିଲାପରି ବସିବା ଜାଗାରୁ ଟିକିଏ ପଛକୁ ଛିଟିକି ଗଲାପରି ହେଲା । ବିନୟବାବୁ ଏତେବେଳେ ପିଲା ଉପରୁ ଆଖି ନେଇ ରେବାର ମୁହଁକୁ ଚାହିଁଲେ ।

 

ରେବା ପୁଣି ପଚାରିଲା–କଣ କହୁଛୁ ? ମୁଁ ତୋର ମା ?

 

ଉଦୟ ଶଙ୍କର ଉତ୍ତର ଦେଲା–ନାହିଁ । ମୁଁ ଭୁଲ କହିଲି, ମୋର ମା’କୁ ମୁଁ ଦେଖି ନାହିଁ...

 

ରେବା ଏଥର ପୁଣି ଥରେ ସେ ପିଲାକୁ ପଚାରିଲା–ତୋର ଘର କେଉଁଠି ? ଉଦୟଶଙ୍କର ଉତ୍ତର ଦେଲା–ମୋର କିଛି ମନେ ପଡ଼ୁନାହିଁ....

 

–ସେ ପିଲା ପଳେଇଛି କୁଆଡ଼େ, ସତ କହୁଛି ବୀରଭାଇ, ତାକୁ ମୋର ମନ ହଉଥିଲା ଥରେ ଦେଖିବା ପାଇଁ, ବାନା ପରିଡ଼ା ଏତକ କହିସାରି ଗୋଟାଏ ହାଇମାରି କହିଲା–ଜାଣିଲୁ ବୀର ଭାଇ, ଏବେ ଥରେ ମୁଁ ଦେଖିଛି–ବିନୟବାବୁ ଆଉ ରେବା ଗୋଟାଏ କାରରେ କୁଆଡ଼େ ଯାଉଥିଲେ । ଦଶ, ବାରବର୍ଷ ହବ ଗୋଟାଏ ପିଲା ଦେହରେ ଧକ୍‌କା ବଜେଇଲେ । ସେ ପିଲାଟା ବେହୋସ ଅବସ୍ଥାରେ ଥିଲାବେଳେ, ତାକୁ ଡାକ୍ତରଖାନାକୁ ନେଇ ଚାଲିଗଲେ, ସେ ପିଲାଟି କାର କେଜାଣି, ଭାରି ସୁନ୍ଦର ପିଲାଟିଏ ।...

 

ଏଥର ବାନା ପରିଡ଼ା ପୁଣି ଗୋଟାଏ ହାଇମାରି କହିଲା–ଚାଲ ବୀର ଭାଇ, ଶୋଇବା-। ରାତି ବହୁତ ହେଲାଣି.....

 

–ଚାଲ ଶୋଇବା ଚାଲ । ରାତି ବହୁତ ହେଲାଣି...ରେବା ବିନୟବାବୁଙ୍କର ଏ କଥାର ଉତ୍ତର ଦେଇ କହିଲା–ହଉ, ପିଲାତ ଶୋଇଗଲା, ଚାଲ ଶୋଇବା.....

 

ବିନୟବାବୁ, ରେବା ଗ୍ରିନ୍‌ଲାଇଟ୍‌ ଜାଳି ଦେଇ, ସେହି ପିଲା ପାଖରେ ଅନ୍ୟ ଶେଯରେ ଶୋଇଲେ ।

 

ବିନୟବାବୁଙ୍କୁ ଅଳ୍ପ ସମୟ ପରେ ନିଦ ହେଇଗଲା । କିନ୍ତୁ ରେବାକୁ ନିଦ ହେଲା ନାହିଁ । ରେବାର ମନ ଭିତରେ ଅତୀତ ଘଟଣାର ଦୃଶ୍ୟ ସବୁ, କୌଣସି ଗୋଟିଏ ଫିଲିମ୍‌ ଦେଖିବା ପୂର୍ବରୁ ଅନ୍ୟ ଫିଲିମିର ଟ୍ରେଲର୍‌ ଦେଖେଇଲା ଭଳି ଖୁବ୍ ଅଳ୍ପ ସମୟ ମଧ୍ୟରେ କେତେ ଗୁଡ଼ିଏ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାର ଦୃଶ୍ୟ ପର ପର ଅତିକ୍ରମ କରି ଚାଲିଲା ।

 

ଚାଲିଲା ଅତିକ୍ରମ କରି ଗୋଟିକ ପରେ ଗୋଟିଏ ଘଟଣା ବୀରର ମନର ଅନ୍ତରାଳରେ-। ଶେଷରେ ଆସି ଗୋଟିଏ ଅସଲ ଜାଗାରେ ଅଟକି ଗଲା–କଣ ହବ ? ବାନା ପରିଡ଼ା ତ ସବୁ କଥା କଉଠୁଁ ଜାଣିଛି । କଉଠୁଁ ଜାଣିଲା ? କେମିତି ଜାଣିଲା ? ପଚାରିଲେ ତ କିଛି କହୁନି; କିନ୍ତୁ ସବୁତ ଜାଣିଛି । ସବୁକଥା ପଦାରେ ପଡ଼ିବ, ସମସ୍ତେ ଜାଣିବେ, କଣ କରିବ ସେ ?

 

ବୀର ମନେ ମନେ ଠିକ୍ କଲା–ବାନାକୁ ଜୀବନରୁ ମାରି ଦବ । ବାନା ମରିଗଲେ, ଆଉ କେହି କିଛି ଜାଣି ପାରିବେ ନାହିଁ । ବୀର ପୁଣି ଭାବିଲା–ଯଦି ବାନାକୁ ସେ ମାରି ନ ପାରିଲା, ତା ହେଲେ ତ ଘଟଣା ଆହୁରି ଗୁରୁତର ହବ, ନା, ମାରି ପାରିବ । ବାନା କଣ ତାଠୁଁ ବେଶି ବଳୁଆ ? ସେ ତାକୁ ମାରି ପାରିବ ନାହିଁ ? ନିଶ୍ଚୟ ପାରିବ । ବାନାର ହାତ ଗୋଡ଼ ଏକ ପ୍ରକାର ଭଲ ଅଛି । ତାର ତ ହାତ ଗୋଡ଼ ଖରାପ ହେଇ ଯାଇଛି । ଖରାପ ହଉ, ତଥାପି ସେ ପାରିବ.....

 

ବାନାକୁ ଗଭୀର ନିଦ ହେଇଯାଇଥିଲା । ବୀରକୁ ନିଦ ନାହିଁ । ବୀର ଚାରିଆଡ଼କୁ ଚାହିଁଲା । କେବଳ ସମୁଦ୍ରର ଗର୍ଜନ ଛଡ଼ା ଆଉ କିଛି ନାହିଁ । କିଛି ଶୁଭୁନି, ଚାରିଆଡ଼ ନିସ୍ତବ୍‌ଧ । ବୀର ତୁନି ତୁନି କରି ଡାକିଲା ବାନାକୁ । ବାନାର ନିଦ ଭାଙ୍ଗିଲା । ବାନା ପଚାରିଲା–କଣ କାହିଁକି ଡାକିଲୁ ?

 

ବୀର ତୁନି ତୁନି କହିଲା–ବାନା, ଆ ଦେଖିବୁ ଆ । ମୋ ସାଙ୍ଗରେ ଆ, କିଛି ପାଟିତୁଣ୍ଡ କରନା । ତୋତେ ଗୋଟାଏ ଘଟଣା ଦେଖେଇବି, ଆ.......

 

ବାନା ପଚାରିଲା–ବୀରଭାଇ, ଏତେ ରାତିରେ କୁଆଡ଼େ ଯିବାକୁ ଡାକୁଛୁ ? ତୋତେ କଣ ନିଦ ହେଇ ନ ଥିଲା ?

 

ବୀର କହିଲା–ନାହିଁ, ମୋତେ ନିଦ ହେଇନାହିଁ । ତୋତେ ଗୋଟାଏ ଜିନିଷ ନ ଦେଖେଇବା ଯାଏ ମୋତେ ନିଦ ହଉ ନାହିଁ । ଆ ଚୁପକରି ଚାଲିଆ, କାଳେ କିଏ ଦେଖିବ, ସବୁ ଭଣ୍ଡୁର ହେଇଯିବ ।

 

–ସବୁ ଭଣ୍ଡୁର ହେଇଯିବ । ହେଇ ଦି’ଟା ଲୋକ ଏଣିକି ଆସୁଛନ୍ତି । ଟିକିଏ ଲୁଚିଯା, ଦେଖିବା ସେମାନେ କିଏ ?

 

ବୀର ବାନା ପରିଡ଼ାକୁ ଯେଉଁ ପୋଖରୀଆଡ଼କୁ ଡାକି ନେଇ ଯାଉଥିଲା, ସେହି ପୋଖରୀ ହୁଡ଼ାରେ ଜଙ୍ଗଲ ଭିତରେ ଚାରି ପାଞ୍ଚଜଣ ଲୋକ ଲୁଚିଗଲେ ।

 

ବୀର ଆଉ ବାନା ପରିଡ଼ା ଉଭୟେ ଚାଲିଛନ୍ତି । ଏତିକିବେଳେ ଗୋଟାଏ କଉ ବାଦାମ ଗଛର ଡାଳରେ ବସି ପେଚାଟାଏ କେତେ ଥର ରାବି ଉଠିଲା ।

 

ବାନା ପରିଡ଼ା ବୀରକୁ ପଚାରିଲା–ବୀର ଭାଇ, କଣ ଦେଖେଇବାକୁ ଏତେ ରାତିରେ ଏ ନିଛାଟିଆ ଜଙ୍ଗଲ ଆଡ଼କୁ ମୋତେ କାହିଁକି ଡାକି ଆଣିଲୁ ? କଣ ଦେଖିବାର ଏଠି ଅଛି ?

 

ବୀରକୁ ଜଣାନାହିଁ–ପାଖରୀ ହୁଡ଼ା ଜଙ୍ଗଲ ଭିତରେ ଚାରି ପାଞ୍ଚଜଣ ଲୋକ ଲୁଚି ରହିଛନ୍ତି ।

 

ବୀର ବାନାପରିଡ଼ାର ଉତ୍ତର ଦବାକୁ ଯାଇ ତୁନି ତୁନି ହେଇ କହିଲା–ରହ ଦେଖିବୁ ଗୋଟାଏ ଜିନିଷ, ତୁତ ବହୁତ ଦିନ ହେଲା ନ ଥିଲୁ....

 

ବୀର ମନେ ମନେ ଭାବି ଭାବି ଚାଲିଛି–କେମିତି ବାଗରେ ପଡ଼ିଲେ ବାନାକୁ ଜୀବନରୁ ମାରିଦବ ।

 

ବାନା ପୁଣି ପଚାରିଲା–କାହିଁମ କଣ ଏଠି ଦେଖିବାକୁ ଡାକିଲୁ ?

 

–ଦେଖ, ମୋତେ ଦେଖ, ଚିହ୍ନି ପାରୁଛୁ ? ମୁଁ କାଶିଆ, ଆଜି କୁଆଡ଼େ ଯିବୁ ?

 

କାଶିଆ !! ବାନା ପରିଡ଼ା ଦେଖିଲା, ତା’ ସାମନାରେ କାଶିଆ ଯା’କୁ ସେ ମାଡ଼ ଦେଇଥିଲା । କାଶିଆ ପଛରେ ଆହୁରି ଚାରି ଜଣ ଗୁଣ୍ଡାପରି ଲୋକ, ହାତରେ ଉଚ୍ଚା ଉଚ୍ଚା ଠେଙ୍ଗା ।

 

ସେ ପୋଖରୀ ହୁଡ଼ା ଜଙ୍ଗଲରେ ସେଇଠି କେବଳ କେତେଟା ଶବ୍ଦ ଉଠିଲା–ଠୋ, ଠା, ଠକ୍‌ଠାକ୍.....

 

ପୋଖରୀର ପାଣିରେ ଶବ୍ଦ ଉଠିଲା–ଧପାସ୍, ଧପାସ୍ ଚବ୍‌, ଚାବ !

 

କେତେଟା ଢେଉ ଉଠିଲା, ଆଉ କିଛି ନାହିଁ, ସବୁ ଚୁପ୍‌ଚାପ୍ ।

 

ଉଠିଲା ଭୟ ଭୟରେ ଉଦୟଶଙ୍କର, ରେବା ଦେହରେ ହାତ ମାରନ୍ତି । ଡାକିଲା–ମା’, ମା’.....

 

ରେବାର ଟିକିଏ ତନ୍ଦ୍ରା ଆସି ଯାଇଥିଲା । ରେବା ମା’ ମା’ ଡାକ ଶୁଣି ଉଠି ଦେଖେ ସେ ପିଲାଟି ଡାକୁଛି, ଅତି ଭୟଭୀତ ହେଇଁ ।

 

ରେବା ପ୍ରଶ୍ନକଲା–କଣ ହେଇଛି ?

 

ଉଦୟଶଙ୍କର ଭୟରେ ଜଡ଼ସଡ଼ ହେଇ ତାକୁ ଜାବୁଡ଼ି ଧରିଲା, ଆଉ କିଛି କହି ପାରିଲା ନାହିଁ ।

 

ରେବା ପିଲାଟିର ଦୁଇ କାନ୍ଧକୁ ଧରି ପଚାରିଲା–କଣ ହେଲା ? ଉଦୟଶଙ୍କର ଚାରିଆଡ଼କୁ ଚାହିଁ ସତର୍କ ଭାବରେ ଉତ୍ତର ଦେଲା–ଗୋଟାଏ ଭୟଙ୍କର ସପ୍ନ ଦେଖିଲି–ତିନିଟା କୁଷ୍ଠରୋଗୀ, ଭାରି ଭୟଙ୍କର ତାଙ୍କ ରୂପ । ସେମାନଙ୍କ ଭିତରୁ ଜଣେ ଆସି ମୋତେ ଚାହୁଁଛି । ଆଉ ଡାକୁଛି–ଆ ମୋ ପାଖକୁ ଆ, ମୋ ପାଖକୁ ଆସିବୁ ନାହିଁ ? ହଉ ନ’ଆ, ମୁଁ ଯାଉଛି । ଥା’ ତୋ ମା’ ପାଖରେ । ନାହିଁ, ଥରେ ତୋତେ ମୁଁ କୋଳକୁ ନେବି...ଏଇକଥା କହି ସେ କୁଷ୍ଠରୋଗୀ ମୋ ପାଖକୁ ମାଡ଼ି ଆସୁଛି, ମୋତେ ଧରିବାପାଇଁ । ଆଉ ଅଳ୍ପକେ ମୋତେ ଧରି ପକେଇ ଥାଆନ୍ତା......

 

ରେବା ପିଲାଟିକୁ ନିଜର ହାତରେ କୁଣ୍ଢେଇ ଧରି ବିନୟ ବାବୁଙ୍କୁ ଡାକିଲା–ତୁମେ ଉଠିବ ଟିକିଏ ।

 

ବିନୟବାବୁ ନିଦରୁ ଉଠି, ସବୁ ଘଟଣା ଶୁଣି ରେବା କହିଲେ–ତାର ମୁଣ୍ଡର ଅବସ୍ଥା ସମ୍ପୂର୍ଣ୍ଣ ଭଲ ଆଡ଼କୁ ଆସି ନାହିଁ । ସେ ଅଭିକା ମଝିରେ ମଝିରେ କେତେଦିନ ସେମିତି ହେବ । ସେ କିଛି ନୁହେଁ.....

 

ବିନୟବାବୁ ସେ ପିଲାଟିକୁ ରେବା ପାଖରୁ ଆଣି ତା’ ଶେଯରେ ଶୋଇ ଦେଇ କହିଲେ–ଶୋଇ ଯା, କିଛି ଭୟ କର ନା, ମୁଁ ଅଛି, ଭୟ କଣ ? ଶୁଅ.....

 

ପିଲାଟି ଭୟଭୀତ ହୋଇ ରେବାଉପରେ ଗୋଟିଏ ହାତ ରଖି ଆଖି ବୁଜି ଶୋଇ ରହିଲା । ରେବା ମଧ୍ୟ ପିଲାଟି ଉପରେ ମାତୃ ସ୍ନେହରେ ଗୋଟିଏ ହାତ ରଖି ଶୋଇବାଭଳି ଅଖିବୁଜି ହେଲା । କିନ୍ତୁ ରେବା ମୁଣ୍ଡ ଭିତରେ କେତେକ ବିକ୍ଷିପ୍ତ ଚିନ୍ତାରେ ଅସ୍ଥିରତା ଅନୁଭବ କଲା-

 

ଅସ୍ଥିର ଅଶାନ୍ତ ସମୁଦ୍ର ବାହାରେ ଗର୍ଜୁଛି । ପବନ ପିଟୁଛି । ଖିଡ଼ିକି କବାଟ ପବନର ଦାଉରେ ଦୋହଲି ଯାଉଛି । ସମୁଦ୍ର ଗର୍ଜୁଛି ସେହି ପୂର୍ବପରି । ଅବିରାମ ତାର ସେହି ତରଙ୍ଗ, ସେହି ବେଳା ଭୂଇଁ । ସେହି କୋଠାବାଡ଼ି, ସେହି ଏକତାଲା, ଦୋତାଲା, ତିନିତାଲା, ଚାରିତାଲା । ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ଆବାସ ଭିତରେ କେତେ ଯେ ଘଟଣା ଘଟୁଛି । ସମୁଦ୍ରର କି ଯାଏ ? କେଉଁ ଦୋ’ତାଲା କୋଠାର ଗୋଟିଏ ବଖରାରେ ରେବା ଆଉ ବିନୟବାବୁ । ତାଙ୍କ ପାଖରେ ଗୋଟିଏ ପିଲା । ସେ ପିଲାଟିକି ନେଇ ସେମାନେ ବ୍ୟସ୍ତ । ଆଉ କେଉଁ ତିନିତାଲା କୋଠାରେ ସ୍ୱାମୀ, ସ୍ତ୍ରୀ ଅନେକ ଗୁରିଏ ପିଲାଙ୍କୁ ନେଇ ବ୍ୟସ୍ତ । କିଏ ଅଭାବରେ ବ୍ୟସ୍ତ,କିଏ ପ୍ରାଚୁର୍ଯ୍ୟରେ ବ୍ୟସ୍ତ-। କିନ୍ତୁ ସମୁଦ୍ର କାହିଁକି ଅହରହ ଏତେ ବ୍ୟସ୍ତ ? ସେହି ତରଙ୍ଗ ଖୁବ୍‍ ଉପରକୁ ଉଠୁଛି, ପୁଣି ଭାଙ୍ଗି ପଡ଼ୁଛି, ସମୁଦ୍ର ଅଭାବରେ ନା ପ୍ରାଚୁର୍ଯ୍ୟରେ ଏତେ ବ୍ୟସ୍ତ ? ଆନନ୍ଦରେ ନା ଦୁଃଖରେ-? କେଉଁଥିରେ ଏତେ ବ୍ୟସ୍ତ ? ଏତେ ବିଭ୍ରାନ୍ତ ? ସୂର୍ଯ୍ୟୋଦୟ ପାଇଁ ନା ସୂର୍ଯ୍ୟାସ୍ତ ପାଇଁ-? ଦିନର ଅଲୋକ ପାଇଁ ନା ରାତ୍ରିର ଅନ୍ଧକାର ପାଇଁ ? ନିର୍ବାଚନରେ ଯେ ସଂଖ୍ୟା ଗରିଷ୍ଠତା ହାସଲ କଲେ, ତାଙ୍କ ପାଇଁ ଆନନ୍ଦରେ ନା ଯେ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିଲେ ନାହିଁ, ତାଙ୍କ ପାଇଁ ଦୁଃଖରେ ଏତେ ବ୍ୟସ୍ତ ? ସେହି ଚିରାଚରିତ ରୀତିରେ ଢେଉ ପରେ ଢେଉ ଆସୁଛି । ଉପରକୁ ମୁଣ୍ଡଟେକି ଉଠୁଛି, ଅକାଶକୁ ଛୁଇଁବାର ଚେଷ୍ଟାରେ, ନା ପୁଣି ଗୋଟି ଗୋଟି ଢେଉ ଭାଙ୍ଗି ଯାଇ ବେଳା ଭୂଇଁରେ ଗଡ଼ିଯାଇ, କୂଳସ୍ଥିତ ସହରକୁ ଗ୍ରାସ କରି ନ ପାରି ଦୁଃଖରେ ଏତେ ବ୍ୟସ୍ତ ? କିଛି ବୁଝି ହୁଏନା, ଭୀଷଣ ଗର୍ଜନ ! ଯା ଦେଲେ ପୁଣି କୂଳରେ ଆଣି ଫେରେଇ ଦଉଛି । ନଡ଼ିଆଟିଏ ଫୋପାଡ଼, ପଇସାଟିଏ ଫୋପାଡ଼, ଫୁଲମାଳଟିଏ ଦିଅ କିଛି ଗ୍ରହଣ କରୁନାହିଁ । କିନ୍ତୁ ସବୁବେଳେ ବ୍ୟସ୍ତ । ସେ କଣ ଖୋଜୁଛି ? ପାଉନାହିଁ ? ସେ କୀର୍ତ୍ତନ ଶୁଣୁଛି, ସାଧାରଣ ଗୀତ ଶୁଣୁଛି, ଭଜନ ଶୁଣୁଛି, କିନ୍ତୁ ଅଶାନ୍ତ, ଅସ୍ଥିର....

 

ଭଜନ ଆରମ୍ଭ ହେଲା–ରାମଧୂନ–ରଘୁପତି ରାଘବ ରାଜାରାମ.....

 

ଏବେ ତିନିଶହ ହେବେ କୁଷ୍ଠରୋଗୀ, ସହରର ଯେ ଯେଉଁଠି, ଏଠି ସେଠି ପଡ଼ି ଜୀବନଯାପନ କରୁଥିଲେ, ବିନୟ ବାବୁଙ୍କର ଚେଷ୍ଟାରେ, ଯତ୍ନରେ ସମସ୍ତେ ଆସି ବାଦାମ ବଗିଚାରେ ରହିଛନ୍ତି । ଏବେ ସୂର୍ଯ୍ୟୋଦୟ ହବା ଆଗରୁ ସମସ୍ତେ ଉଠି ଆଗେ କିଛି ସମୟ ଭଜନ କରନ୍ତି । ତା’ପରେ ସମସ୍ତେ ରାସ୍ତା କଡ଼କୁ ବାହାରି ଯାନ୍ତି । ଧାଡ଼ି ବାନ୍ଧି ବସିଯାନ୍ତି, ଭିକ୍ଷାର ଉଦ୍ଦେଶ୍ୟରେ । ଆଜି ଭଜନ ହଉ ହଉ ଜଣା ପଡ଼ିଲା–ବୀର ଭାଇ, ଆଉ ବାନା ପରିଡ଼ା ନାହାନ୍ତି । ପାର ଆଉ ନଖୀ ଏଥିପାଇଁ ବ୍ୟସ୍ତ ହୋଇ ପଡ଼ିଲେ । ଗତ ରାତିରେ ପାର ପାଖରେ ନଖୀ ଶୋଇଥିଲା । ଦୁହେଁ ଏକାଠି ଶୋଇଥିଲେ । ବୀର ଆଉ ବାନା ପରିଡ଼ା ଦିହେଁ ସିମେଣ୍ଟ ପିଣ୍ଡି ଉପରେ ବହୁତ ରାତି ଯାଏ ଶୋଇ ଗପ କରୁଥିଲେ । କିନ୍ତୁ ସକାଳେ ଯେତେବେଳେ ଭଜନ ଆରମ୍ଭ ହେଲା, ପାର ଆଉ ନଖୀ ଭାବିଲେ–ଲୋକଙ୍କ ଭିତରେ ସେମାନେ କେଉଁଠି ଥିବେ । ଭଜନ ସରିଲେ ଆସିବେ, ନିଜର ନିତ୍ୟକର୍ମ ସାରି ଖାଇ ପିଇ ରାସ୍ତା କଡ଼କୁ ଯିବାପାଇଁ । କିନ୍ତୁ କାହିଁ ? ସେମାନେ କାହାନ୍ତି ? ସମସ୍ତେ ଅଛନ୍ତି, ବୀର ଆଉ ବାନା ପରିଡ଼ା କାହାନ୍ତି ?

 

କେତେକ କୁହାକୁହି ହେଲେ–ସେମାନେ କୁଆଡ଼େ ଯାଇଥିବେ, ଆସିବେ । ସେମାନେ ତ ସାନପିଲା ହେଇ ନାହାନ୍ତି.... ଆଉ କେତେକ କୁହାକୁହି ହେଲେ–ବାନ ପରିଡ଼ା ତ ସେମିତି କାହାରିକି କିଛି ନ କହି କୁଆଡ଼େ ପଳେଇଥିଲା,ଏବେ ଆସିଲା । ସେହି ବାନା ପରିଡ଼ା ବୀର ଭାଇକୁ ଶିଖେଇ କୁଆଡ଼େ ଆଉ ନେଇଗଲା କି ?

 

–ନେଲେ ନେଇଥିବ, ବୀର କଣ ବେହୁସିଆର ହେଇଛି ? ନା ବାନା ପରିଡ଼ା ବେହୁସିଆର ହେଇଛି ? ସେମାନେ ଯୁଆଡ଼େ ଯାଇଥିବେ, ଆସିବେ....

 

ଅନାଦି ବରାଳ ପାର ଆଉ ନଖୀକୁ ସାନ୍ତ୍ୱନାସୂଚକ କଣ୍ଠରେ କହିଲା–ତୁମେ କିଛି ଚିନ୍ତା କରନା । ସେମାନେ ଯୁଆଡ଼େ ଯାଇଥିବେ, ଆସିବେ । ଚାଲ ତୁମେମାନେ ରାସ୍ତାକଡ଼କୁ ଚାଲ ।

 

ଚାଲ, ଗାଡ଼ିଟା ରାସ୍ତାକଡ଼ରେ ନେଇ ରଖ । ଆଉ ଅଳ୍ପ ସମୟ ପରେ ଆମେ ବାହାରିବୁ..... ।

 

ବିନୟ ବାବୁ ରେବାକୁ କହିଲେ–ଚାଲ, ପ୍ରସ୍ତୁତ ହୁଅ । ଯିବା ଥରେ ଆଜି କୁଆଡ଼େ ଟିକିଏ ବୁଲି ଆସିବା......

 

ବିନୟ ବାବୁ ପୁଣି କହିଲେ–ତୁମେ ଆଉ ଡେରି କରନା, ଚାଲ ।

 

ରେବା ଡ୍ରେସିଂ ଟେବୁଲ ପାଖରେ ଠିଆହେଇ ନିଜ ମୁଣ୍ଡର କୃଷ୍ଣ କେଶଗୁଚ୍ଛକୁ ସଜାଡ଼ୁ ସଜାଡ଼ୁ କହିଲା–କୁଆଡ଼େ ଯିବା ଯେ ? ଆମେ ଗଲେ ଏ ପିଲାଟି କଣ କରିବ ?

 

ବିନୟ ବାବୁ ଉତ୍ତର ଦେଲେ–ସେ ପିଲାକୁ ସାଙ୍ଗରେ ନେଇଯିବା.....

 

ରେବା ଗଳାର ହାରକୁ ଅଇନାରେ ଦେଖି ଛାତି ଉପରେ ଠିକ୍ ଭାବରେ ବିଛେଇ ରଖୁ ରଖୁ ଉତ୍ତର ଦେଲା–ସେ ପିଲାତ ସଂପୂର୍ଣ୍ଣ ଭଲ ହେଇନାହିଁ । ତାର ମୁଣ୍ଡର ଅବସ୍ଥା ତ ସେତେ ଭଲ ନୁହେଁ । ତାକୁ ବର୍ତ୍ତମାନ କୁଆଡ଼େ ନବା ? ତାର ଦେହ ପୁଣି ଖରାପ ହେଇପାରେ.....

 

ବିନୟ ବାବୁ ନିଜର ପଞ୍ଜାବୀର ବୋତାମ କେତେଟା ଲଗେଇସାରି କହିଲେ–ତା’ର ଆଉ କିଛି ହବ ନାହିଁ । ତାର ମୁଣ୍ଡର ଅବସ୍ଥା ଅଳ୍ପ କେତେଦିନ ଯାଏ ସେମିତି ହବ l ତା’ପରେ ଠିକ୍ ହେଇଯିବ । ତାକୁ ସେଇଆଡ଼େ ହସପିଟାଲ୍‌ରେ ଡାକ୍ତରଙ୍କୁ ଦେଖେଇ ପରୀକ୍ଷା କରି ନେଇ ଯିବା.......

 

ବିନୟ ବାବୁ ପୁଣି କହିଲେ–ଏଡ଼େବଡ଼ ନିର୍ବାଚନ ଲଢ଼େଇରେ ଯେ ଜିତିଲି, ଟିକିଏ କିଛି ଆନନ୍ଦ ଉପଭୋଗ କଲିଣି ? ଆଚ୍ଛା ଆକ୍‌ସିଡେଣ୍ଟ କଲି । କୁଆଡ଼େ ଆଉ ବାହାରି ହେଲା ନାହିଁ । ଆଜି ଆଉ ଘରେ ରହିବି ନାହିଁ ।

 

ଯେମିତିହେଲେ ଘେରାଏ ବୁଲି ନ ଆସିଲେ, ଭଲ ଲାଗୁନାହିଁ । ଆଉ ସେ ପିଲାକୁ ମଧ୍ୟ ଥରେ ବୁଲେଇ ଆଣିଲେ ତାର ମୁଣ୍ଡର ବୋଧେ କିଛି ପରିବର୍ତ୍ତନ ହେଇପାରେ.....

 

ପିଲାଟି ଏଇ ସମୟରେ ଡାକି ପଚାରିଲା–ମା’ କୁଆଡ଼େ ବାହାରିଛ ? ମୁଁ ତୁମ ସାଙ୍ଗରେ ଯିବି.....

 

ରେବା ଆନନ୍ଦରେ କହିଲା–ହଁ, ତୁ ଯିବୁ । ମୋ ସାଙ୍ଗରେ ଆ । ତୋତେ ଜାମା ପ୍ୟାଣ୍ଟ ପିନ୍ଧେଇ ଦିଏ......

 

ବିନୟ ବାବୁ କୁଆଡ଼େ ଯିବେ, କେତେଦୂର ଯିବେ, କିଛି ଠିକ ନାହିଁ । କିନ୍ତୁ ଯିବେ । ସାଙ୍ଗରେ ଚାକର, ଖାଦ୍ୟ, ବିଛଣା ଇତ୍ୟାଦି ନେଇ ବାହାରିଲେ । ସେ, ରେବା, ଆଉ ଉଦୟଶଙ୍କର ତିନିହେଁ କାର୍‌ରେ ବସିଲେ । କାର୍‌ ଚାଲିଲା.....

 

ଚାଲିଲା ରାସ୍ତା କଡ଼ରେ ସେହି ଆର୍ତ୍ତନାଦ, ଚିତ୍କାର, ମାଗୁଣି–ଦେଇଯା, ଦେଇଯା, ମଙ୍ଗଳ ହବ ।

 

ସେହି କୃତ୍ରିମ ମୁଣ୍ଢା ହାତକୁ ଛଟଛଟ କରି, ଛାତି ଉପରେ ଗୋଟାଏ ହାଣ୍ଡିରେ ନିଆଁ ଥୋଇ, ଲୁହା କଣ୍ଟା ଉପରେ ଶୋଇ କୁଷ୍ଠରୋଗୀମାନେ ରାସ୍ତାର ଦି’କଡ଼ରେ ବସି ଶୋଇ, ଯାତ୍ରୀଙ୍କୁ ସତ ମିଛ କହି ପଇସା, ଚାଉଳ ଆଦାୟ କରିବାର ଅଭିନୟ । ଏବାରେ ରାସ୍ତା ଦି’କଡ଼ରେ ଦି’ଟା ଲମ୍ବା ଲମ୍ବା ଚାଳିଆ । ଖରା ଦାଉରୁ ରକ୍ଷା ମିଳିଛି । ପୂର୍ବେ ଏଇ ରାସ୍ତା କଡ଼ରେ କୁଷ୍ଠରୋଗୀମାନଙ୍କୁ ଯେ ଦେଖିଥିଲେ, ଏବେ ଦେଖି, ସେମାନେ କୁହାକୁହି ହେଇ ଯାଉଛନ୍ତି–ବାବା ! ଏତେ କୁଷ୍ଠରୋଗୀ କୁଆଡ଼ୁ ଆସିଲେ? ଏବେ ତ କଣ ୟାଙ୍କପାଇଁ ଚାଳିଆ ତିଆରି ହେଇଛି !!.....

 

କେତେକ କୁହାକୁହି ହେଇ ଯାଉଛନ୍ତି–ଏ ନିର୍ବାଚନରେ ୟାଙ୍କ ଭାଗ୍ୟ ବଦଳିଗଲା । ଏଇମାନଙ୍କ ପାଇଁ ବିନୟ ବାବୁ ଏଠି ଜିତିଲେ.....

 

ବିନୟ ବାବୁଙ୍କର ଦଳର ଲୋକମାନେ ଏଇବାଟ ଦେଇ ଗଲାବେଳେ ଖୁସିରେ ଯାର ଯା ଦବାର ଦେଇଯାଉଛନ୍ତି । ଅନ୍ୟ ଦଳର ଲୋକମାନେ ଗଲେ, ମୁହଁ ଛିଞ୍ଚାଡ଼ି, ନାକ ଟେକି କିଛି ନ ଦେଇ ଶୀଘ୍ର ଏ ବାଟ ଅତିକ୍ରମ କରି ଚାଲିଯାଉଛନ୍ତି । ଯେତେ କାକୁତି, ମିନତି କରି ମାଗିଲେ ଅନେଇ ଯାଉନାହାନ୍ତି......

 

ପାର ଆଉ ନଖୀ ଲଗାଲଗି ହେଇ ଗୋଟିଏ ଜାଗାରେ ବସିଛନ୍ତି । ନଖୀ ଏ ସବୁ ଦେଖି ଏଠା କୁଷ୍ଠରୋଗୀମାନଙ୍କ ଭିକ ମାଗିବାର ଢଙ୍ଗ ଦେଖି ଆଶ୍ଚର୍ଯ୍ୟ ହେଇ ଭାବୁଛି–ଏମାନେ ଇମିତି କଣ ହଉଛନ୍ତି ? ଆମେତ ସେଠି କେତେ ଭଲରେ ଅଛୁ । ଆମକୁ ତ ଭିକ ମାଗିବାକୁ ହୁଏନା । ଏଠି ରହିବା ଆଦୌ ଭଲ ନୁହେଁ । ବାନା ପରିଡ଼ା କୁଆଡ଼େ ଗଲା ? ସେ ଆସିଲେ, ତାକୁ ଶିଖେଇ ସେ ଏଠୁଁ ଚାଲିଯିବ । ସେ ପାହାଡ଼ ଉପରେ କେଡ଼େ ଭଲରେ ଥିଲା । ଖାଲି ବାନା ପରିଡ଼ା ଯୋଗୁଁ ତାର ଏଠିକି ଅସିବାର କଥା । ସେ ଏଠୁଁ ଆସିଲେ, ସେ ନିଶ୍ଚେ ଏଠୁଁ ଚାଲିଯିବ.....

 

ପାରର ଆଉ ଭିକ ମାଗିବାରେ ମନ ନାହିଁ । ସେ ଖାଲି ଏଣେ ତେଣେ ଚାହୁଁଛି–ବୀର କେତେବେଳେ ଫେରିବ ? କୁଆଡ଼େ ଗଲା ? ସେତ କେଭେ ଇମିତି ଛାଡ଼ି ଯାଏନା.....

 

ଜଣେ ଦି’ଜଣ ଭେଣ୍ଡିଆ କୁଷ୍ଠରୋଗୀ ଭାବୁଛନ୍ତି–ବୀର ଯୁଆଡ଼େ ଯାଇଛି, ଆଉ ନ ଫେରିବ କି, ସେ ଚେଷ୍ଟା କରି ପାରକୁ ଶିଖେଇ ତା’ ପାଖରେ ରଖିବ.....

 

ଆଉ କେତେଜଣ କୁଷ୍ଠରୋଗୀ ଭାବୁଛନ୍ତି–ବାନା ପରିଡ଼ା ଯେଉଁ ମାଇପିଟାକୁ ଆଣିଛି, ବାନା ଯଦି ଆଉ ନ ଆସିବ, ସେ ସେ ମାଇପିକୁ ଶିଖେଇ ବୁଝେଇ ତା’ପାଖରେ ରଖିବ......

 

ଅନାଦି ବରାଳ ଭାବୁଛି–ଯଦି ବୀର ଆଉ ବାନା ପରିଡ଼ା ନ ଫେରନ୍ତି ତାହେଲେ ସେ ପାର ଆଉ ନଖୀକୁ ରଖିବ । କେହି ତା’ର କିଛି କରିପାରିବେ ନାହିଁ । ଗୋଟି ଗୋଟି କରି ବାଡ଼େଇ ସମସ୍ତଙ୍କୁ ସାବାଡ଼ କରିଦବ ।

 

ପୁଣି ଅନାଦି ବରାଳ ମନଟା କେମିତି କେମିତି ଲାଗିଲା–ନା, ବୀର ଆଉ ବାନା ପରିଡ଼ା କଣ ପିଲା ହେଇଛନ୍ତି ? କୁଆଡ଼େ କିଏ ତାଙ୍କୁ ନେଇଯିବ ? ସେମାନେ ବଡ଼ ମଣିଷ । ସେମାନେ ନିଶ୍ଚୟ ଫେରିବେ....

 

ଅନାଦି ବରାଳ ପୁଣି ଭାବିଲା–ଯଦି ବୀରଭାଇ ଆଉ ବାନା ନ ଫେରନ୍ତି, ପାର ଆଉ ନଖୀ ତା ପାଖରେ ରହିବାକୁ ରାଜି ନ ହେଲେ ସେ ଦିହିଙ୍କି ମଧ୍ୟ ବାଡ଼େଇ ସାବାଡ଼ କରିବ.....

 

ଦିନ ବଢ଼ିଲା, ପ୍ରଖର ସୂର୍ଯ୍ୟକିରଣରେ ଲୋକଙ୍କ ଚଳାଚଳ କମି ଆସିଲା । ନଖୀ ଅଧୈର୍ଯ୍ୟ ହେଇ ପାରକୁ ପଚାରିଲା–

 

ସେମାନେ କୁଆଡ଼େ ଗଲେ ଅପା ? କଣ ହେଲା ? ମୋ ମନଟା ଆଦୌ ଭଲ ଲାଗୁନାହିଁ......

 

ପାର କହିଲା–ମୋ ମନଟା ବି ସେମିତି ଭାରି ଖରାପ ଲାଗୁଛି । ମୁଁ ଆଉ ରାନ୍ଧିବି କାହାପାଇଁ ? ଯା’ଅଛି, ସେଇଆ ଖାଇ ଶୋଇବି ଯାଉଛି.....

 

ନଖୀ ଏତେ ଲୋକଗହଳି ଭିତରେ ଥାଇ ସୁଦ୍ଧା ତାକୁ ଗୋଟାଏ କେମିତି ଏକା ଏକା ଲାଗିଲା । ସେ ବାନା ପରିଡ଼ା ପାଇଁ ଆସିଥିଲା । ଏ ନୂଆଜାଗା । ଏଠି ତାର କିଏ ଅଛି ? ବାନା ପରିଡ଼ା କଣ ସତେ ତାକୁ ଏଠି ଏକା ଛାଡ଼ି କୁଆଡ଼େ ଚାଲିଗଲା ?

 

ଅନାଦି ବରାଳ ମଧ୍ୟ ଦେଖିଲା–ବେଳ ବହୁତ ହେଲା । ବୀର ଆଉ ବାନା ପରିଡ଼ା ଫରିଲେ ନାହିଁ । କଣ ଘଟଣା ! କୁଆଡ଼େ ଗଲେ ସେମାନେ ? ବୀର ଭାଇତ କାହାକୁ କିଛି କହି ଯାଇନି । ବାନା ତ ଏମିତି ରାତିରେ ଥରେ କୁଆଡ଼େ ଚାଲି ଯାଇଥିଲା ଯେ, ଏବେ ଫେରିଲା....

 

ପାର ଆଉ ନଖୀକୁ ଡାକି ଅନାଦି ବରାଳ କହିଲା–ତୁମେମାନେ ଯାଅ । ଆଉ ଏଠି ବସିବା କଣ ଦରକାର ? ଯାତ୍ରୀଙ୍କ ଚଳାଚଳ କମିଗଲାଣି....

 

ଅନାଦି ବରାଳ ନଖୀକୁ ପଚାରିଲା–ବାନା ପରିଡ଼ା ତୋତେ କଉଁଠୁ ପାଇଲା ?

 

–ୟାକୁ ପାଇଲେ କଉଁଠୁ ? ୟାକୁତ ମୁଁ ପାଇ ବଢ଼େଇଥିଲି......

 

ବାଘ ଚମଡ଼ା ଉପରେ ବାବାଜୀ ବସିଛନ୍ତି । ଧୂନି ଜଳୁଛି, କେହି କଉଠି ନାହାନ୍ତି । ଦି’ପହର ବେଳ, କେବଳ ପାହାଡ଼ିଆ ଜଙ୍ଗଲ ଭିତରୁ ଚଢ଼େଇଙ୍କର ଡାକ । ଗୁଣ୍ଡୁଚି ମୂଷା ଶବ୍ଦ ଆଉ ଝରଣାର ଶବ୍ଦ ଶୁଣାଯାଉଛି ।

 

ବିନୟ ବାବୁ, ରେବା, ଉଦୟଶଙ୍କରକୁ ସାଙ୍ଗରେ ନେଇ ବାବାଜୀଙ୍କୁ ପ୍ରଣାମ କରିବା ମାତ୍ରେ, ବାବାଜୀ ଅଳ୍ପ ହସି ଏ ପ୍ରଶ୍ନକଲେ । ଆଉ ଉଦୟଶଙ୍କରକୁ ପାଖକୁ ଡାକିଲେ ।

 

ଉଦୟଶଙ୍କର ବାବାଜୀଙ୍କ ପାଖକୁ ଯିବାକୁ ଅନିଚ୍ଛା ପ୍ରକାଶ କରି ରେବାର ପଣତ କାନିକୁ ଜାବୁଡ଼ି ଧରିଲା ।

 

ବିନୟବାବୁ ବିନୀତ କଣ୍ଠରେ ଉତ୍ତର ଦେଲେ–ମୁଁ ଏ ପିଲାଟି ଦେହରେ ଥରେ ବାଟରେ କାର୍‌ରେ ଯାଉଥିବା ବେଳେ ଗୋଟାଏ ରାସ୍ତାରେ ଆକସ୍ମିକ ଭାବରେ ଧକ୍କା‌ ବଜେଇ ଥିଲି । ସେଥିରେ ଏ ପିଲାଟି ଆହତ ହୁଏ । ତାକୁ ଡାକ୍ତରଖାନାରେ ରଖି ଚିକିତ୍ସା କରେଇଲି । ପିଲାଟିର ମୁଣ୍ଡରେ ଆଘାତ ଲଗିବା ଫଳରେ ପିଲାଟି ଅଜ୍ଞାନ ହେଇ ଯାଇଥିଲା । ଏବେ ତାର ମୁଣ୍ଡର ଅବସ୍ଥା ଠିକ୍ ଆସି ନାହିଁ । ସେ ବୋଧେ ଆପଣଙ୍କୁ ଚିହ୍ନିପାରୁନାହିଁ ! ବେଳେ ବେଳେ ଅନେକ ଭୁଲ କଥା କହୁଛି....

 

ବାବାଜୀଙ୍କ ମୁଣ୍ଡ ମଧ୍ୟ ଠିକ୍ ନ ଥିଲା । ଗଞ୍ଜେଇ ନିଶାରେ, ସେ ଠିକ୍ ପ୍ରକୃତିସ୍ଥ ନ ଥିଲେ-। ତଥାପି ବିନୟ ବାବୁ, ରେବା, ଆଉ ଉଦୟ ଶଙ୍କରକୁ ପାଖରେ ବସେଇ କହିଲେ–ମୁଁ ଏ ପିଲାଟିକୁ ରାସ୍ତା କଡ଼ରୁ ପାଇଥିଲି । ସେ ପ୍ରାୟ ଅନେକ ଦିନ ତଳର କଥା । ମୁଁ ଏ ପିଲାକୁ ପାଳିଥିଲି । ତାକୁ ସ୍କୁଲରେ ପଢ଼ଉ ଥିଲି । କିନ୍ତୁ ଏ ପିଲା ମୋ ପାଖରୁ ଦିନେ ପଳେଇ ଥିଲା । ଯେତେ ଯୁଆଡ଼େ ଖୋଜିଲି, ପାଇଲି ନାହିଁ । ଆଜି ମୁଁ ଆପଣଙ୍କ ସାଙ୍ଗରେ ତାକୁ ଦେଖୁଛି......

 

ବିନୟ ବାବୁ ପ୍ରଶ୍ନ କଲେ–ଆପଣ ଏ ପିଲାଟିକୁ ରାସ୍ତା କଡ଼ରୁ ପାଇଥିଲେ ?

 

ବାବାଜୀ ଗମ୍ଭୀର କଣ୍ଠରେ ଉତ୍ତର ଦେଲେ–ହଁ, ଆଦିକନ୍ଦ ବୋଲି ଜଣେ ଲୋକ ଯେ ପିଲାଟିକୁ ଆଣି ତା’ର ଘରେ କିଛି ଦିନ ପାଳିଥିଲା । ପରେ ସେ କୁଷ୍ଠରୋଗାକାନ୍ତ ହେଲାରୁ ବାବାଜୀଙ୍କ ହାତରେ ତାକୁ ଦେଇଥିଲା । ସେ କଥା ଗଞ୍ଜେଇ ନିଶାରେ ବାବାଜୀଙ୍କ ମୁଣ୍ଡ ଠିକ୍ ନ ଥିବା ଯୋଗୁଁ ହେଉ କିମ୍ବା ଏତେ କଥା କିଏ କହୁଛି ଭାବି, ନିଜେ ପରିଷ୍କାର ବ୍ୟକ୍ତ କଲେ–ମୁଁ ସେ ପିଲାଟିକୁ ରାସ୍ତା କଡ଼ରୁ ପାଇଥିଲି......

 

ବିନୟବାବୁ ବାବାଜୀଙ୍କୁ ଆହୁରି ପ୍ରଶ୍ନ କରିବାକୁ ଯାଉ ଥିଲେ ଯେ–ପିଲାଟି କି ଅବସ୍ଥାରେ କେଉଁଠି ପଡ଼ିଥିଲା, କେମିତି ବାବାଜୀ ପାଇଲେ ? ସେ ପିଲା ବିଷୟରେ ଆଉ କିଛି ବିବରଣୀ ସଂଗ୍ରହ କରିଥିଲେ କି ନା । ଆଉ କଣ, ଜାଣିଛନ୍ତି ?

 

ରେବା ଏ କଥା ଜାଣିପାରି, ଏଇ ସମୟରେ ମନେ ମନେ ଭାବିଲା–ଯଦି ଏତେ କଥା ବାବାଜୀଙ୍କୁ ପଚାରିବାକୁ ଯାଇ ଯଦି କୁଆଡ଼ୁ ତାରି ଅତୀତ ଘଟଣାର ପ୍ରକୃତ ତଥ୍ୟ ପ୍ରକାଶ ପାଏ, ତା’ ହେଲେ ତ ସର୍ବନାଶ !!

ରେବା ମନ କଥା ମନରେ ରଖି ବିନୟ ବାବୁଙ୍କୁ ବାବାଜୀଙ୍କ ଅଲକ୍ଷ୍ୟରେ ଆଖି ଟିପି, ହାତ ଠାରି ମନା କଲା–ଆଉ ସେ ସବୁ ପଚାରି ଆମର ଲାଭ କଣ ? ବରଂ ବାବାଜୀଙ୍କୁ କହିବା ଦରକାର ଯେ–ଆମେ ଏ ପିଲାଟିକୁ ନବୁ, ନିଜର ସନ୍ତାନ ଭଳି ପାଳିବୁ । ଆମେ ନିଃସନ୍ତାନ, ଆମେ ଜାଣିଲୁ,–ଏଇ ଆମର ସନ୍ତାନ.....

ବାବାଜୀଙ୍କ ନିକଟରୁ ଶୀଘ୍ର ଚାଲିଯିବା ଦରକାର, କାରଣ–ବାବାଜୀ ଯଦି ପିଲାଟିକୁ ରଖିବା ପାଇଁ ଜିଦ୍ ଧରି ବସନ୍ତି, ତା’ ହେଲେ ତ ସେମାନେ ଆଉ ପିଲାଟିକୁ ନେଇ ପାରିବେ ନାହିଁ । ଏଣୁ ବେଶି ସମୟ ଆଉ ବିଳମ୍ବ ନ କରି ବିନୟ ବାବୁ ଆଉ ରେବା ତାଙ୍କର ଆନ୍ତରିକ ଇଚ୍ଛା ବାବାଜୀଙ୍କ ନିକଟରେ ପ୍ରକାଶ କଲେ ।

ବାବାଜୀ ବିନୟ ବାବୁ ଆଉ ରେବାର ନିବେଦନ ଶୁଣି ଆନନ୍ଦରେ ସମ୍ମତି ପ୍ରଦାନ କରି ପିଲାଟିକୁ ଆଶୀର୍ବାଦ କଲେ–ଦୀର୍ଘାୟୁ ହ, ଆଉ ବିନୟବାବୁ, ରେବାକୁ ମଧ୍ୟ ଆଶୀର୍ବାଦ କଲେ–ସୁଖରେ ରୁହ......

ବିନୟବାବୁ, ରେବା ଆଉ ଉଦୟଶଙ୍କର ତିନିହେଁ ବାବାଜୀଙ୍କଠାରୁ ବିଦାୟ ନବାପୂର୍ବରୁ ବାବାଜୀଙ୍କ ଚରଣ ଧୂଳି ନେଇ ପ୍ରଣାମ କରିବା ବେଳେ ନିକଟବର୍ତ୍ତୀ ଶିବ ମନ୍ଦିରରୁ କେତେକ ନବାଗତ ଭକ୍ତଙ୍କ କଣ୍ଠରୁ ଶୁଣାଗଲା–ଜୟ ଶମ୍ଭୂ, ଜୟ ଶମ୍ଭୂ, ଆଉ ମନ୍ଦିରରେ ଟଙ୍ଗା ହୋଇଥିବା ଗୋଟିଏ ପିତ୍ତଳ ଘଣ୍ଟାରେ ଭକ୍ତମାନେ ହାତ ମାରି ବଜେଇବା ଯୋଗୁଁ ମୁହୁର୍ମୁହୁଃ ଘଣ୍ଟା ଧ୍ୱନି ଭାସି ଆସିଲା ।

ଭାସିଲା, ତିନିଟା ଯାକ ଶବ ଭାସିଲା ବାଦାମ ବଗିଚାର ପଛ ପଟେ ଥିବା ପୋଖରୀରେ । ଜଣେ ଦି’ଜଣ କୁଷ୍ଠରୋଗୀ ଅନ୍ୟ କୁଷ୍ଠରୋଗୀମାନଙ୍କୁ ଜଣେଇଲେ–ବୀର ଭାଇ, ବାନାପରିଡ଼ା ଆଉ ଗୋଟାଏ କାର, ତିନିଟା ଶବ ପୋଖରୀରେ ଭାସୁଛି । ବୀର ଆଉ ବାନାପରିଡ଼ାର ଶବ ତ ଚିହ୍ନା ଯାଉଛି । ଆଉ ଜଣେ କିଏ ? ସେ ଶବ କାହାର ? ସେତ ଆମ ଏଠା ଲୋକ ନୁହେଁ । ପୋଖରୀ ହୁଡ଼ାରେ କେତେଗୁରା ଲୋକଙ୍କର ପାଦ ଚିହ୍ନ ପଡ଼ିଛି । ଏ ପାଦଚିହ୍ନଗୁଡ଼ାକ କାହାର ? ବୀର, ବାନା ପରିଡ଼ା, ଆଉ ସେ ଅଚିହ୍ନା ଲୋକଟାର ମୁଣ୍ଡରେ ଆଘାତ ହେଇଛି । ଖଣ୍ଡେ ଠେଙ୍ଗା ପୋଖରୀରେ ଭାସୁଛି । ଏ ସବୁ କଣ ? କଣ ଘଟଣା ? କିଛି ବୁଝା ପଡ଼ୁ ନାହିଁ.......

ଅନ୍ୟ କୁଷ୍ଠରୋଗୀମାନେ ପୋଖରୀ ହୁଡ଼ାରେ ଠିଆ ହେଇ ଦେଖୁଛନ୍ତି । ଅଲୋଚନା ଚାଲିଛି–କେମିତ ହେଲା ? କଣ ହେଲା ? କିଏ ନିଶ୍ଚୟ ମାରି ଦେଇଛି । ଆତ୍ମହତ୍ୟା ନୁହେଁ, କାହିଁକି କିଏ ମାରିବ ? ପୁଣି ସେହି କଥା—ନିଶ୍ଚୟ ମାରି ଦେଇଛନ୍ତି । ସେ ଶବଟା କାହାର ? ତାର ତ ମୁଣ୍ଡରେ ଅଘାତ ଲାଗିଛି । ଇମିତି କେତେକ ପ୍ରଶ୍ନ ଉଠୁଛି, କେତେକ ଉତ୍ତର ଯୁଟି ଯାଉଛି-। ପୁଣି କେତେକ ପ୍ରଶ୍ନ, ତା’ ସାଙ୍ଗକୁ କେତେକ ଉତ୍ତର । ଯଉଟା ‘‘ହଁ” ବୋଲି ସାବ୍ୟସ୍ତ ହେଲା, ସେ ପୁଣି ପର ମୁହୂର୍ତ୍ତରେ ‘ନାହିଁ’ ରେ ପରିଣତ ହେଇ ଯାଉଛି । ବିଶ୍ୱାସ ଅବିଶ୍ୱାସରେ ମିଶି ଯାଉଛି-। “ହଁ” ଯାକୁ ‘‘ଠିକ୍’’ ବୋଲି ସାବ୍ୟସ୍ତ କରି ଦଉଛି, ‘‘ନାହିଁ’’ ପୁଣି ତାକୁ ‘‘ଭୁଲ୍’’ ବୋଲି ସାବ୍ୟସ୍ତ କରି ଦଉଛି । ଉଦ୍ଦେଶ୍ୟ, କାରଣ, କିଛିରେ ନିର୍ଣ୍ଣୟ କରି ହଉ ନାହିଁ । ଆଲୋଚନା ଯେ ଆରମ୍ଭ ହେଇଛି, ତାର ଆଉ ଶେଷ ନାହିଁ ।

ବୀର ଆଉ ବାନା ପରିଡ଼ାର ଆକସ୍ମିକ ମୃତ୍ୟୁରେ ଦୁଃଖର ପ୍ରବଳ ବନ୍ୟାରେ ଆଲୋଚନାର ଇମିତି କେତେ ପ୍ରକାର ଭଉଁରୀ କେତେବେଳେ ଅତି ଛୋଟ ହେଇ ଚାଲି ଯାଉଛି ତ ପୁଣି କେତେବେଳେ ଅତି ବଡ଼ ଆକାରରେ ଦେଖା ଦେଇ ଚାଲି ଯାଉଛି ।

ଦୁଃଖ, ସଂଶୟ, ଅବିଶ୍ୱାସ, ଭୟ, ପ୍ରଶ୍ନ ଉତ୍ତରର ଆବର୍ତ୍ତନର ଆଉ ଶେଷ ନାହିଁ ।

ପାର ଚିହ୍ନିଲା–ବୀର ଆଉ ବାନା ପରିଡ଼ାର ଶବକୁ ।

ନଖୀ ଚିହ୍ନିଲା–ବୀର, ବାନା ପରିଡ଼ା ଆଉ କାଶିଆର ଶବକୁ । କିନ୍ତୁ କାଶିଆର ଶବକୁ ଚିହ୍ନି ପାରୁନି ବୋଲି ବାହାରେ ଜଣେଇ, ମନେ ମନେ ବୁଝି ପାରିଲା ଘଟଣା କଣ ? ଏ ସବୁ କାଶିଆର କୀର୍ତ୍ତି । ନଖୀ ସମସ୍ତଙ୍କ ଆଗରେ ଅସ୍ୱୀକାର କଲା–ସେ ଅଚିହ୍ନା ଲୋକଟାର ଶବ କାହାର ସେ ଜାଣେ ନା ।

ପାର କାନ୍ଦିଲା–ବୀର ପାଇଁ । ନଖୀ କାନ୍ଦିଲା–ବାନା ପରିଡ଼ା ପାଇଁ । ସେ କାନ୍ଦଣାର ଆଉ ଶେଷ ନାହିଁ ।

ବାହାରର ସାଧାରଣ ଲୋକେ ଯେ ଶୁଣିଲେ–ତିନିଟା କୁଷ୍ଠରୋଗୀ ବୁଡ଼ି ମରିଛନ୍ତି, ତାଙ୍କର ଶବ ତିନିଟା ଭାସୁଛି । ସେମାନେ କୁହାକୁହି ହେଲେ–ଭଲ ହେଇଛି । ସବୁ ଗୁଡ଼ାକ ବୁଡ଼ି ମରିଥାନ୍ତେ କି, ଆହୁରି ଭଲ ହେଇଥାନ୍ତା । ଖାଲି କୁଷ୍ଠରୋଗ ଚାରିଆଡ଼େ ବାଣ୍ଟୁଛନ୍ତି, ତାଙ୍କରି ଯୋଗୁଁ କୁଷ୍ଠରୋଗ ବ୍ୟାପୁଛି.....

ଆହୁରି କେତେକ କୁହାକୁହି ହେଲେ–ସେମାନେ ତ ତାଙ୍କ ସୀମାରେ ଅଛନ୍ତି । ସେ ଆମର କଣ କ୍ଷତି କରୁଛନ୍ତି ? ସେ ଭିକ ମାଗି ତାଙ୍କର ପେଟ ପୋଷି ବଞ୍ଚିଛନ୍ତି । ତାଙ୍କ ଲାଗିତ ସରକାର କେତେ ଜାଗାରେ କୁଷ୍ଠାଶ୍ରମ ଖୋଲି ଦେଇଛନ୍ତି....

ଆଉ କେତେକ କୁହାକୁହି ହେଲେ–ସେମାନେ କଣ କୁଷ୍ଠାଶ୍ରମରେ ରହୁଛନ୍ତି ? ସେଠି ତ ଥିଲେ କେତେ ଭଲରେ ଥାନ୍ତେ.....

ଆଉ କେତେକ ଏ କଥାର ପ୍ରତିବାଦ କରି କହିଲେ–କୁଷ୍ଠାଶ୍ରମରେ ଯେଉଁମାନେ ଅଛନ୍ତି, ସେମାନେ କୋଉ ଭଲରେ ଅଛନ୍ତି ? ସରକାରଙ୍କ ତରଫରୁ ତାଙ୍କ ପାଇଁ ଯାହା ଖଞ୍ଜା ହେଇଛି, ତାକୁ ତ ସେଠା କର୍ମଚାରୀମାନେ ଆତ୍ମସାତ୍‌ କରୁଛନ୍ତି, ଏମାନେ କଣ ସବୁ ପାଉଛନ୍ତି ? ବେଳେ ବେଳେ ତାଙ୍କ ଜିନିଷପତ୍ର ଚୋରି ହେଇ ଯାଉଛି, କଣ ସେଠି ଭଲରେ ଅଛନ୍ତି ? ଏଠିତ ବରଂ ସେମାନେ ଭଲରେ ଅଛନ୍ତି......

ଆଉ କେତେକ କହିଲେ–ଏଠି ସେମାନେ ଯେଉଁ ଦିନଠୁଁ ଭୋଟ ଦେଇ ବିନୟ ବାବୁଙ୍କୁ ଜିତେଇଲେଣି, ତାଙ୍କ ଭାଉ ତ ଏବେ କାହିଁରେ କଣ !....

ପାର କାନ୍ଦୁ କାନ୍ଦୁ ନଖୀକୁ ଦୋଷ ଦେଇ କହିଲା–ତୋରି ପାଇଁ ଏ ଘଟଣା ଘଟିଲା । ସେ ମରଦଟା ଯାକୁ ଚିହ୍ନି ହଉ ନାହିଁ, ତୁ ସେ ମରଦକୁ ନିଶ୍ଚୟ ଜାଣିଛୁ । ତୁ କଣ କହୁଛୁ ? ତାକୁ ଚିହ୍ନି ନାହିଁ, ତୁ ଯଉଠୁଁ ଆସିଛୁ ସେଠିକି ଗଲେ ସବୁ କଥା ଜଣା ପଡ଼ିଯିବ.....

ଏହାର ଉତ୍ତର ଦବାକୁ ଯାଇ ନଖୀ କାନ୍ଦି କାନ୍ଦି କହିଲା–ଆଲୋ ତୋ ମରଦ, ସେ ଏଡ଼ିକି ବଦମାସିଆ ଲୋକ ! ଏଠି ସାଧୁ ସାଜି ଥିଲା, ତୁ ତାର କଣ ଜାଣିଛୁ ? ଆମେ ଯା ଜାଣିଛୁ, ସବୁ କାହାରିକି ଏଠି ମୁହଁ ଦେଖେଇବାର ନୁହଁ । ମୋ ମରଦ ସେ ଜାଣିଥିଲା, ମୁଁ ବି ଜାଣେ । ସେହି ମୋ ମରଦକୁ ଲୋକ ଲଗେଇ ମାରିଛି.......

ପାର ଆଉ ଅନ୍ୟାନ୍ୟ କୁଷ୍ଠରୋଗୀମାନେ ନଖୀ କଣ ଜାଣିଛି, ଶୁଣିବା ପାଇଁ ପଚାରିଲେ–ତୁ କଣ ଜାଣିଛୁ କହିଲୁ......

ନଖୀ କାନ୍ଦି କାନ୍ଦି କହିଲା–ବୀର ଗୋଟାଏ ଘରେ ଚାକର ଥିଲା ଯେ, ତା ଘର ବୁଡ଼େଇ ଦେଇ ଆସିଛି ! ସେ ବୀରର ଗୋଟିଏ ପୁଅ ଅଛି । ସେ ପିଲାକୁ ଜଣେ ବାବାଜୀ ପାଳିଥିଲେ । ଏବେ ସେ ପିଲା ସେ ବାବାଜୀଙ୍କ ପାଖରୁ କୁଆଡ଼େ ପଳେଇଛି । ଭାରି ବଦମାସିଆ ବେମାନ ଲୋକ ସେ, ମୋ ମରଦ ସେମିତି ନୁହଁ......

ପାରର ଏତିକି ବେଳେ ମନେ ପଡ଼ିଲା–ଯେଉଁଦିନ ବୀର ତା ପାଖରୁ ଉଠିଯାଇ କାହିଁକି ସେ ମାଇପିକୁ ଦେଖି ଗଛ ଉଢ଼ାଳରେ ଲୁଚିଥିଲା, ତଥାପି ସେ ଅଚିହ୍ନା ଲୋକଟା କିଏ ? ଜାଣିବା ପାଇଁ ପାର ଜିଦ୍ ଧରି ନଖୀକୁ କହିଲା–ତୁ ସେ ଲୋକଟାକୁ କୁଆଡ଼େ ଜାଣି ନାହୁଁ । ଚାଲ ତୁ ଯଉଠୁଁ ଆସିଛୁ, ସେଇଠିକି ଯିବା, ବୁଝିବା–ତୁ କେମିତି ବାନା ପରିଡ଼ା ସାଙ୍ଗରେ ଆସିଲୁ ? ମୋର ସନ୍ଦେହ ହଉଛି–ବାନା ପରିଡ଼ା ତୋତେ ଆଣିବା ପରେ, ସେ ମରଦଟା ତୋ ପଛେ ପଛେ ଏଠିକି ଆସିଛି । ସେହି ଏ ଘଟଣା କରିଛି । ତୋରି ଯୋଗୁଁ ଏ ତିନିଜଣ ମରିଛନ୍ତି । ଚାଲ, ଯିବା ଚାଲ......

ଚାଲ, ପାଖେଇ ରାସ୍ତା କଡ଼କୁ ଚାଲ–ଅନାଦି ବରାଳ ପାର ଆଉ ନଖୀକୁ ଏତକ କହି ପାର ଆଉ ନଖୀକୁ ସାଙ୍ଗରେ ନେଇ ରାସ୍ତା କଡ଼କୁ ପାଖେଇ ଗଲା, କାରଣ–ବିପରୀତ ଆଡ଼ୁ ଆସୁଥିବା ଲୋକଙ୍କ ଭିତରେ ଗୋଟାଏ ମାଇକ୍ ଲଗା ରିକ୍‌ସା ଆସୁଥିଲା ଗୀତ ବୋଲି ବୋଲି–

ଆମର ନାହିଁ ଯେ କେହି ସାହା,

ଆମର ନାହିଁ ଯେ କାହିଁ ରାହା,

ଆମକୁ କେହି ଛୁଇଁବେ ନାହିଁ,

ବଞ୍ଚିଛୁ ଆମେ, ମରିବା ପାଇଁ ।

ଅଶ୍ରୁ ଆମର ସମ୍ବଳ ଯେ ସାଥି ବେନି ବାହା,

ନାହିଁ ଯେ କେହି ଦୁଃଖେ ଆମର କହିବେ–ଆହା ଆହା,

ଆମର ନାହିଁ ଯେ କେହି ସାହା........

Image